ଓଡ଼ିଶାଲାଇଭ୍ ବ୍ୟୁରୋ

-ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସନ୍ଧ୍ୟାରେ ୪୧ ଜଣଙ୍କୁ ‘ପଦ୍ମ’ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କରେ ମଧ୍ୟରେ ୩ ଓଡ଼ିଆ ଏହି ସମ୍ମାନ ପାଇଛନ୍ତି। ସେମାନେ ହେଲେ ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଚନ୍ଦ୍ରଶେଖର ରଥ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନି ଚରଣ ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ର। ତେବେ ଚନ୍ଦ୍ରଶେଖରଙ୍କ ଦେହାନ୍ତ ହୋଇ ଯାଇଥିବାରୁ ତାଙ୍କ ସ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।
-ରାଷ୍ଟ୍ରପତି ଭବନରେ ଆଜି ୩୭ ଜଣଙ୍କୁ ମିଳିଛି ସମ୍ମାନଜନକ ପଦ୍ମ ପୁରସ୍କାର। ଏହି ୩୭ ଜଣ ସମ୍ମାନସ୍ପଦ ବ୍ୟକ୍ତିଙ୍କ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନି ଏହି ପୁରସ୍କାର ପାଇବା ପାଇଁ କର୍ଣ୍ଣଲ ପୋଷାକ ପିନ୍ଧି ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
-ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ବିଜେଡିର ଛାତ୍ର ଓ ଯୁବ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଖାଉଟି ମାରଣ ନୀତିର ପ୍ରତିବାଦ କରିଛନ୍ତି। ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଭୁବନେଶ୍ୱର ରାଜମହଲ ଛକଠାରୁ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
-ଏପ୍ରିଲ ୪ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ୧୦ ଜଣ ମନୋନିତ ସଦସ୍ୟ ଭଣ୍ଡାର ଘର ଭିତରେ ପ୍ରବେଶ କରିବେ। ସେମାନେ କାନ୍ଥ ଏବଂ ଛାତର ସ୍ଥିତି ଅନୁଧ୍ୟାନ କରିବେ ବୋଲିସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି। ୨୮ ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ କେଉଁମାନେ ଯିବେ ସେନେଇ ତାଲିକା ପ୍ରସ୍ତୁତ ହୋଇଥିଲା।
-ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଏପ୍ରିଲ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହେବେ ବୋଲି ଚନ୍ଦ୍ରଶେଖର ସାହୁ ଆଜି ସ୍ପଷ୍ଟ କରିଛନ୍ତି। ତାଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇଥିବା ଭଗବାନ ଗନ୍ତାୟତ ଏବଂ ବିକ୍ରମ ପଣ୍ଡା ମଧ୍ୟ ବିଜେଡିରେ ଯୋଗ ଦେବେ। ଆଜି ଆଉ ଜଣେ କଂଗ୍ରେସ କର୍ପୋରେଟର ଦଣ୍ଡପାଣି ନାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
-ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲକୁ ନେଇ ନିଜ ଭୁଲ୍ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ। ଏହାସହ ଟୁଇଟର୍ରେ ପୋଷ୍ଟ କରିଥିବା ସମସ୍ତ ଫଟୋ ସେ ହଟାଇ ଦେଇଛନ୍ତି।
-“କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ବିପଦମୁକ୍ତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି। ସେମାନଙ୍କୁ କୌଣସି ସ୍ୱତନ୍ତ୍ର ଚିକିତ୍ସା ଆବଶ୍ୟକ ନାହିଁ। ଉଭୟଙ୍କୁ ଓଡ଼ିଶା ସ୍ଥାନାନ୍ତର କରିବାରେ କୌଣସି ଅସୁବିଧା ନାହିଁ”, ଜାତୀୟ ମାନବାଧିକାର କମିଶନଙ୍କ ନୋଟିସର ଉତ୍ତର ଦେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଏହା କୁହାଯାଇଛି।
-ଏସସି-ଏସଟି ଆକ୍ଟରେ ସୁପ୍ରିମକୋର୍ଟ ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ବିରୋଧ କରି ସମଗ୍ର ଦେଶରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ନେଇ କେନ୍ଦ୍ର ସରକାର ପୁନଃବିଚାର ଯାଚିକା ଦାଖଲ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି।


















