ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ନିଜ ମୁଣ୍ଡର ଓଜନ ତା ପାଇଁ କାଳ ହୋଇଛି। ଦିନକୁ ଦିନ ମୁଣ୍ଡର ଆକାର ଅସ୍ୱାଭାବିକ ଭାବେ ବଢ଼ୁଛି। ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ହାଇଡ୍ରୋସେଫାଲାସ୍ ଭଳି ରୋଗରେ ପୀଡ଼ିତ ତିନିବର୍ଷର ଝିଅ ଗାୟତ୍ରୀରେଖା। ତା ସହ ବଢୁଛି ଯନ୍ତ୍ରଣାର ପ୍ରକୋପ। ଏଭଳି ଦୁଃଖଦ ସମୟରେ ଅର୍ଥ ଚିକିତ୍ସାରେ ବାଧକ ସାଜିବାରୁ ଏହି ନିଷ୍ପାପ କୁନି ଝିଅର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଆରୋଗ୍ୟ ପାଇଁ ବ୍ୟୟବହୁଳ ଅସ୍ତ୍ରୋପଚାର ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି।
ଏଥିପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ପରିବାର ସଦସ୍ୟ ଈଶ୍ୱରଙ୍କ ଉପରେ ସବୁକିଛି ଛାଡ଼ିଦେଇ ନିଜ କର୍ମକୁ ନିନ୍ଦୁଛନ୍ତି। ଏଭଳି ଘଟଣା ସଦର ବ୍ଲକ, ରେମୁଣା ନିର୍ବାଚନମଣ୍ଡଳି ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଦେଖିବାକୁ ମିଳିଛି।
ପଦ୍ମପୁରରେ ଦୁଇ ଝିଅ ସ୍ତ୍ରୀକୁ ନେଇ ପ୍ରକାଶ କୁମାର ପାତ୍ରଙ୍କ ଛୋଟ ପରିବାର । ହୋଟେଲ ୱେଟର ଚାକିରିରୁ ଯାହା ସୀମିତ ରୋଜଗାର ହୁଏ ସେଥିରେ ସେମାନଙ୍କ ପରିବାର ଦୁଃଖକଷ୍ଟରେ ଚଳିଯାଏ। ଏଭଳି ପରିସ୍ଥିତିରେ ସାନ ଝିଅ ଗାୟତ୍ରୀରେଖାର ମୁଣ୍ଡ ଅସ୍ୱାଭାବିକ ଭାବେ ବଢ଼ିବା ଆରମ୍ଭ କଲା। ଝିଅର ଆରୋଗ୍ୟ ପାଇଁ ବାପା ପ୍ରକାଶ ବିଭିନ୍ନ ଜାଗାରୁ ଧାରଉଧାର କରି ଡାକ୍ତର ଦେଖାଇଥିଲେ। ହେଲେ କିଛି ସୁଫଳ ମିଳିଲାନି। ପରେ ଝିଅକୁ ନେଇ ପ୍ରକାଶ ତତ୍କାଳିନ ଜିଲ୍ଲାପାଳ ପ୍ରମୋଦ ଦାସଙ୍କୁ ଭେଟିଥିଲେ । ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥୀକ ସହାୟତା ରାଶି ପ୍ରଦାନ କରିଥିଲେ। ଏହା ସହିତ କଟକସ୍ଥିତ ଏସ୍ସିବିରେ ମାଗଣା ଚିକିତ୍ସା ନିମନ୍ତେ ମଧ୍ୟ ଚିଠି କରିଥିଲେ। ଜିଲ୍ଲାପାଳଙ୍କ ଚିଠି କ୍ରମେ ପ୍ରକାଶ ଝିଅକୁ ନେଇ ଏସସିବି ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ଗାୟତ୍ରୀରେଖାକୁ ଠିକ୍ ଭାବେ ଚିକିତ୍ସା କରି ନ ଥିବା ବାପା ପ୍ରକାଶ ଅଭିଯୋଗ କରିଛନ୍ତି।
ଝିଅର ଚିକିତ୍ସା ପାଇଁ ସେମାନେ ବାରମ୍ବର ଦୌଡ଼ାଇଥିଲେ। ଝିଅର ଆରୋଗ୍ୟ ପାଇଁ ଜମି ବିକ୍ରି କରି ଯାହା ସୀମିତ ଟଙ୍କା ରଖିଥିଲେ ତାହା ଏଥିରେ ଖର୍ଚ୍ଚ ହୋଇଗଲା। ଆରୋଗ୍ୟ ହେବାର କୌଣସି ଆଶା ନ ମିଳିବାରୁ ପ୍ରକାଶ ଶେଷରେ ଝିଅକୁ ଭୁବନେଶ୍ୱର ଏମ୍ସଙ୍କୁ ନେଇଥିଲେ। ପରୀକ୍ଷା ପରେ ଗାୟତ୍ରୀରେଖା ହାଇଡ୍ରୋସେଫାଲସ୍ ରୋଗରେ ପୀଡ଼ିତ ହୋଇଥିବା ଡାକ୍ତରମାନେ କହିଛନ୍ତି । ଅସ୍ତେ୍ରାପଚାର ପାଇଁ ଗାୟତ୍ରୀରେଖାକୁ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ମଧ୍ୟ ସ୍ଥାନାନ୍ତରଣ କରିଛନ୍ତି। ଏଥିପାଇଁ ଆନୁମାନିକ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେମାନେ କହିଛନ୍ତି। ହେଲେ ଏତେ ଟଙ୍କା ଯୋଗାଡ଼ କରିବା ପ୍ରକାଶ ପକ୍ଷରେ ସମ୍ଭବପର ନୁହେଁ । ଝିଅର ଭବିଷ୍ୟତ ଈଶ୍ୱରଙ୍କ ଉପରେ ଛାଡ଼ିଦେଇ ସେ ଏବେ ନିଜ ଭାଗ୍ୟକୁ ହିଁ ନିନ୍ଦୁଛନ୍ତି।
ଏଭଳି ସମୟରେ ସହଦେବଖୁଣ୍ଟା ଉନ୍ନୟନ ପରିଷଦ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଗାୟତ୍ରୀରେଖାର ବିଷୟରେ ଜାଣିବା ପରେ ସଙ୍ଗଠନର ସଭାପତି ଆଶେକ କୁମାର ପୁରୀ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, ଅମୀୟ କିଶୋର ଜେନା, ଜିତେନ୍ଦ୍ର ପ୍ରହରାଜ, ଚନ୍ଦନ କୁମାର ଗିରି, ହେମନ୍ତ ମହାନ୍ତିଙ୍କ ସମେତ ସଦସ୍ୟମାନେ ପ୍ରକାଶକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗାୟତ୍ରୀରେଖାକୁ କିଭଳି ସରକାରୀ ସହାୟତା ମିଳିବ ସେଥିପାଇଁ ସେମାନେ ସମସ୍ତ ବନ୍ଦୋବସ୍ତ କରିବେ ବୋଲି କହିଛନ୍ତି।
କେବଳ ଏତିକି ନୁହେଁ, ଝିଅର ଆରୋଗ୍ୟ କରିବା ପାଇଁ ସଙ୍ଗଠନର କର୍ମକର୍ତ୍ତାମାନେ ସହାୟତା ମାଗିବେ ବୋଲି ସଙ୍ଗଠନ ସଭ୍ୟ ଚନ୍ଦନ କୁମାର ଗିରି ସୂଚନା ଦେଇଛନ୍ତି। ଏଭଳି ଅବସ୍ଥାରେ ସହାୟତାର ହାତବଢ଼ାଇବାକୁ ଚାହୁଁଥିବା ସହୃଦୟ ବ୍ୟକ୍ତିମାନେ ଗାୟତ୍ରୀରେଖାର ବାପା ପ୍ରକାଶଙ୍କୁ ୯୩୩୭୩୦୨୯୬୫ ନମ୍ବରରେ ଯୋଗାଯୋଗ କରିବାକୁ ସଙ୍ଗଠନ ତରଫରୁ ଅନୁରୋଧ କରାଯାଇଛି।


















