ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ଥିଲା ‘କଂଗ୍ରେସମୁକ୍ତ’ ଭାରତ। ଏହି ସ୍ଲୋଗାନ ଅନେକ ମାତ୍ରାରେ ସଫଳ ହୋଇଛି ମଧ୍ୟ। ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ବିଜେପି କବ୍ଜାକୁ ଆସିବା ପରେ କଂଗ୍ରେସର ହାତ ବର୍ତ୍ତମାନ ଖାଲି। ଅଳ୍ପ କେତୋଟି ରାଜ୍ୟକୁ ଛାଡ଼ିଦେଲେ ଦେଶର ସର୍ବ ପୂରାତନ ଦଳର ଅସ୍ତିତ୍ୱ ଏବେ ସଙ୍କଟ ଭିତରେ। ସମଗ୍ର ଦେଶରେ ଏହି ସ୍ଥିତି ଲାଗିରହିଥିବା ବେଳେ ଓଡ଼ିଶାରେ କିନ୍ତୁ ଏହି ବିଲୋପ ଖୁବ୍ ଶୀଘ୍ର ହେବାକୁ ଯାଉଛି।
ଏପ୍ରିଲ ୪ ତାରିଖ ହେବ କଂଗ୍ରେସ ପାଇଁ ସବୁଠାରୁ ଖରାପ ଦିନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାର ଷ୍ଟ୍ରଙ୍ଗମ୍ୟାନ କୁହାଯାଉଥିବା ଚନ୍ଦ୍ର ଶେଖର ସାହୁ ଓ ତାଙ୍କ ସମର୍ଥକମାନେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେବେ। ଇତିମଧ୍ୟରେ ବିଭିନ୍ନ ସ୍ତରରେ ଓ ବିଭିନ୍ନ ଜିଲ୍ଲାରେ ନେତାମାନେ କଂଗ୍ରେସ ଛାଡ଼ିବା ଆରମ୍ଭ କରିଛନ୍ତି। ମନେ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ ଏହି ବିଲୋପ ପର୍ବ ଆରମ୍ଭ ହେବ।
ହାଇକମାଣ୍ଡ ହିଁ ଦାୟୀ
୧୮ ବର୍ଷ ତଳେ ଯେଉଁ ଦଳ ରାଜ୍ୟରେ ଶାସନ କରୁଥିଲା ଓ ଯେତେବେଳେ କି ବିଜେଡିର ନାଁ ଗନ୍ଧ ବି ନଥିଲା ସେହି ପୂରାତନ ଦଳ ଆଜି ଗଞ୍ଜାମ ଜିଲ୍ଲାରେ ନିଶ୍ଚିହ୍ନ ହେବା ଉପରେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅପସାରଣ ଦାବି ହିଁ ଏହି ଦଳ ଛାଡ଼ିବା ପଛରେ ସବୁଠାରୁ ବଡ଼ କାରଣ। ଗୋଷ୍ଠି ବିବାଦ ଯୋଗୁଁ ଦଳ ତାର ପ୍ରଭାବ ହରାଇ ବସିଥିବା ବେଳେ ପିସିସି ସଭାପତିଙ୍କୁ ନବଦଳାଇବା ଫଳରେ ବେଶ୍ କିଛି ଅସନ୍ତୁଷ୍ଟ ବିଜେଡ଼ିରେ ଯୋଗ ଦେବା ଆରମ୍ଭ କଲେଣି। ଆଉ ଏଥିପାଇଁ ମୁଖ୍ୟତଃ କଂଗ୍ରେସ ହାଇକମାଣ୍ଡ ହିଁ ଦାୟୀ। ରାଜ୍ୟ କଂଗ୍ରେସ ଯେଉଁ ସଙ୍କଟ ଦେଇ ଗତି କରୁଛି ସେଥିରେ ହାଇକମାଣ୍ଡ ମୁଣ୍ଡ ନ ପୂରେଇବା କାରଣରୁ ଦଳର ଆଜି ଏହି ସ୍ଥିତି।
କଂଗ୍ରେସ ନେତା, କର୍ମୀ ଓ ଭୋଟ ସବୁ ବିଜେଡ଼ିକୁ ଯିବା କଥା। ଏହା ଅନେକ ଦିନରୁ ଶୁଣିବାକୁ ମିଳୁଥିଲା। ହେଲେ କଂଗ୍ରେସ ତୃଣମୂଳ ସ୍ତରରେ ତାର ଭୋଟକୁ ହରାଇ ଚାଲିଥିବାର ପ୍ରମାଣ ମିଳିଲା ବିଜେପୁର ଉପନିର୍ବାଚନରେ। କ୍ରମାଗତ ଭାବରେ ୩ ଥର ବିଜୟ ଲାଭ କରିଥିବା ଦଳ ଅଗତ୍ୟା ତୃତୀୟ ସ୍ଥାନକୁ ଖସି ଯାଇଥିଲା।
ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ଅସନ୍ତୋଷ ଓ ଖୋଲାଖୋଲି ବିରୋଧ ବଢି ଚାଲିଥିବା ବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାଙ୍କୁ ସମର୍ଥନ ଜାରି ରଖିବା ଯୋଗୁଁ ବାଧ୍ୟ ହୋଇ ନେତାମାନେ ଦଳ ଛାଡ଼ୁଛନ୍ତି। ଖାଲି ସେତିକି ନୁହେଁ ନିକଟରେ ପୁନର୍ଗଠିତ ଏଆଇସିସି ତାଲିକାରେ ପ୍ରସାଦ ବିରୋଧୀଙ୍କ ନାମ ବାଦ୍ ଦିଆଯିବା ଘଟଣା ସଂକଟକୁ ଆହୁରି ସଙ୍ଗିନ କରିଛି।
ଦୁଇ ଦଳୀୟ ରାଜନୀତି
ଯାହା ଖବର ପ୍ରକାଶ ପାଇଛି ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରାହୁଲ ଗାନ୍ଧିଙ୍କଠାରୁ ଅଭୟ ବର ପାଇବା ପରେ କଂଗ୍ରେସ ଦଳର ନେତାମାନେ ଅନ୍ୟ ରାସ୍ତା ଦେଖିବା ଆରମ୍ଭ କରିଛନ୍ତି। ରାଜନୈତିକ ମହଲରେ ଯାହା ଆଲୋଚନା ଚାଲିଛି ତାହା ହେଉଛି ଯଦି କଂଗ୍ରେସ ହାଇକମାଣ୍ଡ ପୁରୁଖା ନେତାଙ୍କୁ ପୁଣି ଥରେ ଦଳ ଭିତରେ ସ୍ଥାନ ନଦିଅନ୍ତି ଆଗାମୀ ନିର୍ବାଚନରେ କଂଗ୍ରେସ ସଫା ହୋଇଯିବା ସୁନିଶ୍ଚିତ। ଅନ୍ୟ ଅର୍ଥରେ ୨୦୧୯ ନିର୍ବାଚନ କେବଳ ବିଜେଡି ଓ ବିଜେପି ମଧ୍ୟରେ ହିଁ ଲଢ଼ାଯିବ।
ଭୋଟ କୁଆଡ଼େ ଯିବ?
ବର୍ତ୍ତମାନ ପ୍ରଶ୍ନ ହେଉଛି କଂଗ୍ରେସର ଯେଉଁ ୧୫/୧୬ ପ୍ରତିଶତ ଭୋଟ ଥିଲା ତାହା କେଉଁ ଦଳକୁ ଯିବ? ଗୋଟିଏ ପଟେ ବିଜେଡି ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ଚାହୁଁଥିବା ବେଳେ ବିଜେପି ମଧ୍ୟ ନବୀନଙ୍କ ଦଳକୁ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ। ଏହି ଦୁଇ ଦଳ ମଧ୍ୟରେ କିଏ ସର୍ବାଧିକ କଂଗ୍ରେସ ଭୋଟ ହାତେଇବେ ତାହା ଏବେ ଅନୁମାନର ବିଷୟ। ଅତୀତରେ ଯାହା ଦେଖା ଦେଇଛି କଂଗ୍ରେସ ନେତାମାନେ ଦଳ ଛାଡ଼ିଲେ ବିଜେଡିରେ ହିଁ ଯୋଗ ଦିଅନ୍ତି, ବିଜେପିରେ ନୁହେଁ। ଏଣୁ ୨୦୧୯ ପୂର୍ବରୁ ଯେଉଁମାନେ କଂଗ୍ରେସ ଛାଡ଼ିବେ ସେମାନେ ବିଜେଡ଼ିରେ ହିଁ ଯୋଗ ଦେବାକୁ ଚାହିଁବେ।
ବିଜେପି ପାଇଁ ଭଲ ସମୟ
କଂଗ୍ରେସର ସଙ୍କଟ ବିଜେପି ପାଇଁ ମଧ୍ୟ ଭଲ ସମୟ ଆଣି ଦେଇଛି। ମିଶନ ୧୨୦କୁ ଆଖି ଆଗରେ ରଖି ବିଜେପି କଂଗ୍ରେସ ବିଲୋପର ସର୍ବାଧିକ ଫାଇଦା ଉଠାଇବା ପାଇଁ ଚାହିଁବ। ବିଜେଡିକୁ ଟକ୍କର ଦେବାକୁ ହେଲେ ବିଜେପିକୁ କଂଗ୍ରେସ ଭୋଟ ଅକ୍ତିଆର କରି ତାର ଶକ୍ତିକୁ ଦୃଢ଼ କରିବାକୁ ହେବ।
ମୋଟାମୋଟି ଭାବେ କହିଲେ,ଏବେ ଦେଖିବାକୁ ହେବ କଂଗ୍ରେସ ତାର ଘର ସଜାଡ଼ିବାକୁ ଚାହିଁବ ନା ବିଲୋପର ପଥ ଗ୍ରହଣ କରିବା ପାଇଁ ଇଚ୍ଛା କରିବ।