ଓଡ଼ିଶାଲାଇଭ୍ ବ୍ୟୁରୋ

- ଜଗମୋହନ ମରାମତି କାମ ରହିବ ସ୍ଥଗିତ
- ମଧ୍ୟହ୍ଣ ଧୂପ ପରେ ବନ୍ଦ ରହିବ ସବୁ ନୀତି
- ଭଣ୍ଡାର ଭିତରକୁ ଯିବେ ୧୦ ଜଣ ସଦସ୍ୟ
- କାନ୍ଥ ଓ ଛାତର ସ୍ଥିତି ହେବ ଯାଞ୍ଚ
- ଶ୍ରୀମନ୍ଦିର ଚାରି ଦ୍ୱାରରେ ଜଗିବେ ପୋଲିସ
- ଯାଞ୍ଚର ହେବ ଭିଡିଓଗ୍ରାଫି
- ଭଣ୍ଡାର ବାହାରେ ରହିବେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ
ବୁଧବାର ଅପରାହ୍ଣ ୨ଟାରେ ଖୋଲିବ ରତ୍ନଭଣ୍ଡାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ବ୍ୟବସ୍ଥାବଳୀ। ରତ୍ନଭଣ୍ଡାର ଖୋଲୁଥିବାରୁ ବୁଧବାର ଜଗମୋହନ ମରାମତି କାମ ସ୍ଥଗିତ ରଖାଯାଇଥିବା ବେଳେ ମଧ୍ୟହ୍ଣ ଧୂପ ପରେ ସବୁ ନୀତି ବନ୍ଦ କରାଯାଇଛି।
ଯାଞ୍ଚ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବୁଧବାର ମଧ୍ୟାହ୍ଣ ଧୂପ ପରେ ଏବଂ ଭୋଗ ମଣ୍ଡପ ଉଠିବା ପରେ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବେ। ସେମାନେ ଗାମୁଛା ପିନ୍ଧି ଭଣ୍ଡାର ଭିତରେ ପ୍ରବେଶ କରିବେ। ସେମାନେ କୌଣସି ଅଳଙ୍କାର ପିନ୍ଧିବେ ନାହିଁ। କେବଳ ଚଷମା ବ୍ୟବହାର କରିପାରିବେ। ଭଣ୍ଡାର ଭିତରେ ପ୍ରବେଶ କରିବା ବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ।
ଯାଞ୍ଚ ବେଳେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରର ଚାରି ଦ୍ୱାର ଏବଂ ଭିତର ଗୁମୁଟରେ ପୋଲିସ ମୁତୟନ କରାଯିବ। ମନ୍ଦିର ବାହାରେ ୨ ପ୍ଲାଟୁନ୍ ଏବଂ ଭିତରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ଭଣ୍ଡାର ଘର ଦୀର୍ଘ ବର୍ଷ ଖୋଲୁଥିବାରୁ ସାପ ଭୟ ରହିଛି। ଏଥିପାଇଁ ସ୍ନେକ୍ ହେଲ୍ପ ଲାଇନର ୨ ଜଣ ସଦସ୍ୟ ଭଣ୍ଡାର ବାହାରେ ଉପସ୍ଥିତ ରହିବେ।
ରତ୍ନଭଣ୍ଡାର ଯାଞ୍ଚର ଭିଡିଓଗ୍ରାଫି କରିବାର ବ୍ୟବସ୍ଥା କରାଯାଇଛି। କେବଳ କାନ୍ଥ ଓ ଛାତର ସ୍ଥିତି କ’ଣ ଅଛି ତାହା ଭିଡିଓ କ୍ୟାମେରାରେ ରେକର୍ଡ କରାଯିବ। ତାଛଡ଼ା ଅନ୍ୟ କିଛି ରେକର୍ଡ଼ କରାଯିବ ନାହିଁ। ଛତିଶା ନିଯୋଗ ସଭାପତି ଏବଂ ସମ୍ପାଦକ ରତ୍ନଭଣ୍ଡାରର ଖୋଲା ଦେଖିପାରିବେ। ସେମାନେ ମୁକ୍ତିମଣ୍ଡପ ତଳେ ଛିଡ଼ା ହୋଇ ଏଡଇ ଦୃଶ୍ୟ ଦେଖିପାରିବେ।
ପୁରୀ ଏସ୍ପି, ଶ୍ରୀମନ୍ଦିର ମୁକ୍ୟ ପ୍ରଶାସକ ଏବଂ ନୀତି ପ୍ରଶାସକ ରତ୍ନଭଣ୍ଡାରକୁ ଯାଇପାରିବେ ବୋଲି ବ୍ୟବସ୍ଥାବଳୀରେ ନିୟମ କରାଯାଇଛି।
କିଏ ଯିବେ?
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଗଜପତିଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାରମେକାପ, ତଡ଼ଉକରଣ, ଦେଉଳକରଣ, ଏଏସ୍ଆଇର ୨ଜଣ ଅଧିକାରୀ, ଶ୍ରୀମନ୍ଦିର କୋର୍ କମିଟିର ୨ ଜଣ ଏବଂ ହାଇକୋର୍ଟଙ୍କ ପ୍ରତିନିଧି ତାଲିକାରେ ସ୍ଥାନ ପାଇଛନ୍ତି।
ଏମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଗାମୁଛା ପରିଧାନ କରି ରତ୍ନଭଣ୍ଡାର ଭିତରକୁ ଯିବେ। ଏମାନଙ୍କୁ ପୂରା ଯାଞ୍ଚ କରାଯିବ।
ଲୋକନାଥଙ୍କ ପାଖରେ ଶପଥ ନେବେ
କୁହାଯାଏ ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ଶ୍ରୀଲୋକନାଥ। ଏଣୁ ରତ୍ନଭଣ୍ଡାରକୁ ଯିବା ପାଇଁ ମନୋନିତ ହୋଇଥିବା ୧୦ ଜଣ ସଦସ୍ୟ ପ୍ରଥମେ ଲୋକନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରତ୍ନଭଣ୍ଡାରରେ ଯାହା ଦେଖିବେ କାହା ଆଗରେ ପ୍ରକାଶ କରିବେ ନାହିଁ ବୋଲି ଶପଥ ନେବେ। ଯାଞ୍ଚକାରୀମାନେ ଯାଞ୍ଚ କରି ଫେରିବା ପରେ ସଙ୍ଗେସଙ୍ଗେ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବେ। ଯାଞ୍ଚ ପରେ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସନର ଉପସ୍ଥିତିରେ ତାଲା ପଡ଼ିବ।
ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ
ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଚାହିଁଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍ଆଇ କର୍ତ୍ତୃପକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠ ଆଧାରରେ ମାର୍ଚ୍ଚ ୨୬ ଏବଂ ୨୭ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ।ହେଲେ ଏହାକୁ କିଛି ସେବାୟତ ବିରୋଧ କରିଥିଲେ। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲେ।
ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗର ଅନୁମତି ଲୋଡ଼ିଥିଲେ। ଆଇନ ବିଭାଗ ସବୁ ଦିଗକୁ ବିଚାର କରି ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଖୋଲିବା ପାଇଁ ଚିଠି ଦେଇଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍ଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ମାର୍ଚ୍ଚ ୨୬ରେ ରତ୍ନଭଣ୍ଡାର ବାହାର ପଟ ଯାଞ୍ଚ କରିଛନ୍ତି। ବାହାର ପଟ କାନ୍ଥ ଏବଂ ଛାତ ଠିକ୍ ଥିବା ଏଏସ୍ଆଇ ଅଧିକାରୀ କହିଛନ୍ତି। ତେବେ ୨୬ ତାରିଖରେ ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ହେବ। କିନ୍ତୁ କେତେ ପରିମାଣର ଗହଣା ଅଛି ତାହା ଆକଳନ କରାଯିବ ନାହିଁ।
ରତ୍ନଭଣ୍ଡାରରେ କ’ଣ ଅଛି?
କୁହାଯାଉଛି ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ରହିଛି ମହଣ ମହଣ ସୁନା, ରୂପା, ମୋତି ଓ ମାଣିକ୍ୟ। ସେଥିମଧ୍ୟରୁ ଅଳ୍ପ କିଛି ଶ୍ରୀଜିଉଙ୍କ ସୁନାବେଶ ବେଳେ ଦେଖିବାକୁ ମିଳିଥାଏ। ମଦଳା ପାଞ୍ଜିର ତଥ୍ୟ ଅନୁଯାୟୀ, ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ଯାଇଥିଲେ। ଯୁଦ୍ଧରେ କାଞ୍ଚି ରାଜାଙ୍କୁ ପରାସ୍ତ କରି ୧୬ଟି ହାତୀରେ ବିଭିନ୍ନ ଅଳଙ୍କାର ଶ୍ରୀକ୍ଷେତ୍ରକୁ ଆଣିଥିଲେ। ଏହି ଅଳଙ୍କାର ସବୁ ସେତେବେଳେ ସେ ଭଣ୍ଡାର ଘରେ ରଖିଥିଲେ।
୨୦୧୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ୱର୍ଣ୍ଣ ଅଳଙ୍କାରର ଗଣତି ଏବଂ ଚିହ୍ନଟ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ସେବାୟତ ସେତେବେଳେ ବିରୋଧ କରିଥିଲେ।


















