ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଅନେକ ରହସ୍ୟମୟ କଥା ଶୁଣିବାକୁ ମିଳେ। ତା’ ମଧ୍ୟରୁ ଏ ହେଉଛି ଗୋଟିଏ। ପଢ଼ିଲେ ଆଶ୍ଚର୍ଯ୍ୟ ଲାଗିବ।

ଶ୍ରୀମନ୍ଦିର ଭିତର କାଠ ଡାହାଣପଟକୁ ରହିଛି ଶ୍ରୀଜୀଉଙ୍କ ରତ୍ନଭଣ୍ଡାର। ମନ୍ଦିର ପ୍ରତିଷ୍ଠା କାଳରୁ ଏଠାରେ ବିଭିନ୍ନ ସୁନାରୁପା, ମଣିମାଣିକ୍ୟ ଭଳି ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ରଖାଯାଇଛି। ଗଜପତି ମହାରାଜମାନେ ଅତୀତରେ ବିଭିନ୍ନ ରାଜ୍ୟ ଜୟ କରି ଯେଉଁ ରତ୍ନ ଅଳଙ୍କାର ଆଣୁଥିଲେ ତା’କୁ ସମର୍ପି ଦେଉଥିଲେ ଶ୍ରୀମନ୍ଦିରକୁ। ତା’ ରହିଛି ଏହି ରତ୍ନଭଣ୍ଡାରରେ। ଇତିହାସ କହେ ଭାରତବର୍ଷ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଛୁଟିଆସିଛନ୍ତି ଶ୍ରୀକ୍ଷେତ୍ର ଏବଂ କାଳିଆ ସାଆନ୍ତଙ୍କ ପାଖରେ ଊର୍ଦ୍ଧ୍ୱ ବାହୁ ହୋଇ ନିଜକୁ ସମର୍ପି ଦେଇଛନ୍ତି। କେହି କେହି ଧନୀଭକ୍ତ ଜୀବନର ଅର୍ଜନ ଏଇଠି ଓଜାଡି ଦେଇଛନ୍ତି। ବିଭିନ୍ନ ସୂତ୍ରରୁ ଦାନ ଆକାରରେ ଆସିଥିବା ଅଳଙ୍କାର ଆଦି ମଧ୍ୟ ରହିଛି ଏହି ରତ୍ନଭଣ୍ଡାରରେ।

ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏକ ପ୍ରକାର ରହସ୍ୟମୟ ହୋଇରହିଛି। ଆସନ୍ତୁ ଶୁଣିବା ଶ୍ରୀମନ୍ଦିରରେ ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ମୁହଁରୁ ଏଭଳି ଏକ ଅବିଶ୍ୱସନୀୟ ଓ ରହସ୍ୟମୟ କାହାଣୀ। ଶ୍ରୀଯୁକ୍ତ ମିଶ୍ରଙ୍କୁ ଏ କଥା କହିଥିଲେ ଶ୍ରୀମନ୍ଦିରର ତତ୍କାଳୀନ ତଢ଼ଉକରଣ। ଶ୍ରୀମନ୍ଦିର ଇତିହାସରେ କୁଆଡେ ଅତୀତରେ ଏକଥା ଲିପିବଦ୍ଧ ହୋଇଛି ବୋଲି ତଢ଼ଉକରଣ ପ୍ରଶାସକ ମିଶ୍ରଙ୍କୁ କହିଥିଲେ।

ଅନେକ ଦିନ ତଳର କଥା। ଶ୍ରୀମନ୍ଦିରର ପ୍ରଶାସକମାନେ ଚିନ୍ତାକଲେ ଯେ ରତ୍ନଭଣ୍ଡାରର କିଭଳି ସୁରକ୍ଷା କରାଯିବ। କୌଣସି ପ୍ରକାରେ ଆକ୍ରମଣ ବା ଲୁଣ୍ଠନ ବେଳେ କିଭଳି ରତ୍ନଭଣ୍ଡାରରେ ଥିବା ଦୁର୍ଲଭ ରତ୍ନ ଅଳଙ୍କାରକୁ ଶତ୍ରୁ ମୁହଁରୁ ବଞ୍ଚାଇ ହେବ। ତେଣୁ ଏକ ପ୍ରତିନିଧି ଦଳ ରତ୍ନଭଣ୍ଡାର ଖୋଲି ଭିତର ଭଣ୍ଡାରେ ପ୍ରବେଶ କଲେ। ଭିତର ଭଣ୍ଡାର କିଟିକିଟି ଅନ୍ଧାର। ସେମାନେ ହାତରେ ମଶାଲ ନେଇ ଭଣ୍ଡାର ଭିତରକୁ ଯାଇଥିଲେ। ଭଣ୍ଡାର ଚଟାଣର ଏକ ପାର୍ଶ୍ୱରେ ସେମାନେ ଗୋଟିଏ ଗର୍ତ୍ତ ଦେଖିବାକୁ ପାଇଲେ। ଏହାକୁ ଏକ ସୁଡ଼ଙ୍ଗର ପ୍ରବେଶ ପଥ ମନେକରି ସେ ବିଷୟରେ ଅଧିକ ଅନୁସନ୍ଧାନ କରିବା ପାଇଁ ଚିନ୍ତା କଲେ।

ସେମାନେ ଜଣେ ସେବାୟତଙ୍କୁ ଏକ ଶକ୍ତ ଶିକାରେ ବସାଇ ସେହି ଜଳାବାଟେ ତଳକୁ ଛାଡ଼ିଲେ। ସମ୍ପୃକ୍ତ ସେବାୟତଙ୍କ ହାତରେ ଥିଲା ଏକ ମଶାଲ୍। ଧୀରେ ଧୀରେ ଶିକାଟି  ତଳକୁ ତଳକୁ ଚାଲିଲା। ତାହା ଯେତିକି ତଳକୁ ଯାଉଥାଏ ଶିକାର ଉପରେ ରଶିକୁ ଶକ୍ତ କରି ଧରିଥିବା ଅନ୍ୟ ସେବାୟତମାନଙ୍କ ମନରେ ସେତିକି ଉତ୍କଣ୍ଠା ବଢ଼ୁଥାଏ। ଏହି ଉତ୍କଣ୍ଠା ହଠାତ୍ ଚରମ ସୀମାରେ ପହଞ୍ଚିଥିଲା, ଯେତେବେଳେ ସେମାନେ ଅନୁଭବ କଲେ ଯେ ଶିକା ଆଉ ଓଜନିଆ ଲାଗୁନାହିଁ।

ଆଶ୍ଚର୍ଯ୍ୟଚକିତ ହୋଇ ସେବାୟତମାନେ ଘଡ଼ିଏ ଅଟକିଗଲେ। କ’ଣ କରିବେ ବୋଲି ଆଲୋଚନା କଲେ। ସ୍ଥିର ହେଲା ଯେ ସେମାନେ ଆଉ ବିଳମ୍ବ ନ କରି ଶିକାଟିକୁ ପୁଣି ଟାଣି ଉପରକୁ ଉଠାଇ ଆଣିବେ। ସେମାନେ ତାହା ହିଁ କଲେ। ହେଲେ ସମସ୍ତେ ସେତେବେଳେ ବିସ୍ମିତ ଓ ଭୟଭୀତ ହୋଇପଡ଼ିଲେ ଯେତେବେଳେ ଶିକା ଉପରକୁ ଚାଲିଆସିଲା କିନ୍ତୁ ତା’ ଦେହରେ ସମ୍ପୃକ୍ତ ସେବାୟତ ନଥିଲେ। ମଶାଲ ବି ନଥିଲା। ସେବାୟତଙ୍କ ସ୍ଥାନରେ କେତୋଟି ମଲା ପାରା ରହିଥିବା ଦେଖି ସେମାନଙ୍କ ହଂସା ଉଡ଼ିଯାଇଥିଲା।

ଏହା ଏକ ଲୋକକଥା ହୋଇପାରେ। ତେବେ ରତ୍ନଭଣ୍ଡାର ଭିତର ଚଟାଣରେ ସେଭଳି କୌଣସି ସୁଡ଼ଙ୍ଗ ମୁହଁ ଥିଲା କି ନାହିଁ ସେ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଇନାହିଁ। ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ୧୯୮୪ ମସିହାରେ ସେ ଯେତେବେଳେ ଭିତର ରତ୍ନଭଣ୍ଡାରକୁ ଯାଇଥିଲେ ଏହି ସୁଡ଼ଙ୍ଗ କଥା ତାଙ୍କର ମନେପଡ଼ିଥିଲା। ତେବେ ସେ ତା’ ଦେଖିବାକୁ ପାଇନଥିଲେ। ଅତୀତରେ ଯଦି ଏଭଳି କୌଣସି ସୁଡ଼ଙ୍ଗ ସେଠାରେ ରହିଥାଏ ତେବେ ସୁରକ୍ଷା ଦୃଷ୍ଟିରୁ ତା’ର ମୁହଁ ପରବର୍ତ୍ତୀ ସମୟରେ ମୁଦ କରାଯାଇଥାଇ ପାରେ ବୋଲି ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭକୁ କହିଛନ୍ତି।

ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ ଉଭୟପଟ କାନ୍ଥରେ ଗାତ ଥିବା କଥା ସେ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି ରବୀନ୍ଦ୍ର ନାରାୟଣ ମିଶ୍ର। ଏହି ବାଟରେ କିଛି ଘୋଷରା ଚିହ୍ନ ସେ ସେତେବେଳେ ଦେଖିବାକୁ ପାଇଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ରକ୍ଷକ ସ୍ୱୟଂ ଲୋକନାଥ। ତେଣୁ ରତ୍ନଭଣ୍ଡାର ଭିତରେ ସାପ ରହୁଥିବା କଥା ବାରମ୍ବାର ଆଲୋଚନା କରାଯାଏ। ଏହା ମଧ୍ୟ ଏ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇରହିଛି।

ଅଧିକ ପଢ଼ନ୍ତୁ: ଜାଣନ୍ତୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ବଙ୍ଗଳାର ରାଜା ଭାଉଏଲଙ୍କର ସମ୍ପର୍କ

Comment