ଓଡ଼ିଶା ଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସହ ବଙ୍ଗଳାର ଜଣେ ରାଜା ଭାଉଏଲଙ୍କର କି ସମ୍ପର୍କ ରହିଛି? କାହିଁକି ଜଗନ୍ନାଥଙ୍କ ପରମ ଭକ୍ତ ପାଲଟିଲେ ରାଜା ଭାଉଏଲ୍? କିପରି ଜଗନ୍ନାଥଙ୍କ କରୁଣାଲାଭ କଲେ ଭାଉଏଲ୍? ଜାଣନ୍ତୁ ଏଇ ଇତିହାସ:

ତତ୍କାଳୀନ ବଙ୍ଗଳାର ଜଣେ ରାଜା ଥିଲେ। ତାଙ୍କ ନାଁ ଭାଉଏଲ୍। ଭାଉଏଲ୍‌ ରାଜାଙ୍କ ରାଣୀ ସମ୍ପତ୍ତି ଲୋଭରେ ପଡ଼ି ବମ୍ବେର ଓକିଲଙ୍କ ସହ ମିଶି ରାଜାଙ୍କୁ ମାରିବା ପାଇଁ ମନ୍ତ୍ରଣା କଲେ। କୁହାଯାଏ ଯେ ରାଣୀ ରାଜାଙ୍କୁ ଏକପ୍ରକାର ସ୍ଲୋପଏଜନ୍ ଦେଇଥିଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ଶବକୁ ଗଙ୍ଗାନଦୀରେ ଭସାଇ ଦେଇଥିଲେ। ପରେ ଯାହା ଘଟିଲା ତାହା ଥିଲା ଆହୁରି ନାଟକୀୟ। ଓଡ଼ିଶା ଲାଇଭକୁ ଏହି କଥା କହିଛନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରୟଣ ମିଶ୍ର।

ଶ୍ରୀଯୁକ୍ତ ମିଶ୍ର ଶ୍ରୀମନ୍ଦିରର ସହକାରୀ ପ୍ରଶାସକ ଭାବେ କିଛି ବର୍ଷ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ସେ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୧୯୮୪ ମସିହାରେ ଶ୍ରୀଜିଉଙ୍କ ସ୍ୱର୍ଣ୍ଣ ଅଳଙ୍କାର ମରାମତି ପାଇଁ ରେଜା ସୁନା ଆବଶ୍ୟକ ହେବାରୁ ତାହା ରତ୍ନଭଣ୍ଡାରରୁ ଆଣିବାକୁ ମନ୍ଦିର ପ୍ରଶାସନ ନେତୃତ୍ୱରେ ଯେଉଁ ଟିମ୍ ଭିତର ରତ୍ନଭଣ୍ଡାରକୁ ଯାଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର।

ଏବେ ଫେରିବା ମୂଳ ବିଷୟକୁ। ରାଜା ଭାଉଏଲଙ୍କ ଶବ ନଦୀରେ ଭାସିଯିବା ବେଳେ କୌଣସି ଏକ ସ୍ଥାନରେ ତାହାକୁ ଠାବ କରିଥିଲେ ହିମାଳୟରେ ଦୀର୍ଘଦିନ ଧରି ତପସ୍ୟା କରୁଥିବା ସନ୍ନ୍ୟାସୀ ସ୍ୱାମୀ ରାମ। ସେ ଜାଣିପାରିଥିଲେ ଯେ ନଦୀରେ ଭାସି ଯାଉଥିବା ଶବ ଶବ ନୁହେଁ ବରଂ ତା’ ଭିତରେ ଜୀବନ ରହିଛି। ତେଣୁ ସ୍ୱାମୀ ରାମ ତାଙ୍କ ଶିଷ୍ୟଙ୍କ ସହାୟତାରେ ରାଜା ଭାଉଏଲଙ୍କୁ ଉଦ୍ଧାର କରି ତାଙ୍କର ଚିକିତ୍ସା କରାଇଥିଲେ। ଏମିତି ମରଣ ମୁହଁରୁ ଫେରି ଆସିଥିଲେ ରାଜା ଭାଉଏଲ।

ଭାଉଏଲ ଥିଲେ ଜଗନ୍ନାଥଙ୍କର ପରମଭକ୍ତ। ସେ ଏକପ୍ରକାର ପୁନର୍ଜନ୍ମ ପାଇବା ଘଟଣାକୁ ଏକ ଐଶ୍ୱରୀୟ ଆଶୀର୍ବାଦ ଭାବେ ଗ୍ରହଣ କରିଥିଲେ। ସେ ଜଗନ୍ନାଥଙ୍କୁ ସ୍ମରଣ କରି କହିଥିଲେ ଯେ ଯଦି ସେ ପୁଣିଥରେ ତାଙ୍କ ସିଂହାସନ ଫେରି ପାଆନ୍ତି ତେବେ କାଳିଆ ଠାକୁରଙ୍କୁ କିଛି ଦାନ କରିବେ। ପରବର୍ତ୍ତୀ ସମୟରେ ରାଜା ଭାଉଏଲ କଲିକତା ହାଇକୋର୍ଟରେ ତାଙ୍କ ସ୍ତ୍ରୀ ଓ ସମ୍ପୃକ୍ତ ଓକିଲଙ୍କ ବିରୋଧରେ ମାମଲା ଦାଏର କରି ଶେଷରେ କେସ୍ ଜିଣିଥିଲେ।

ରାଜା ଭାଉଏଲ୍ ଏହା ପରେ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଶ୍ରୀଜିଉଙ୍କୁ ଅନେକ ଉପହାର ଦାନ କରିଥିଲେ।

ରତ୍ନଭଣ୍ଡାର ସହ ରାଜା ଭାଉଏଲଙ୍କ ସମ୍ପର୍କ

ଭିତର ରତ୍ନଭଣ୍ଡାରରେ ଯେଉଁ ବିବିଧ ମୂଲ୍ୟବାନ ସୁନା ରୂପା ଓ ଅନ୍ୟାନ୍ୟ ରତ୍ନ ରହିଛି ତା’ ଭିତରେ ସଂରକ୍ଷିତ ହୋଇ ରହିଛି ରାଜା ଭାଉଏଲ ଦେଇଥିବା ଉପହାର। ୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାରର ଅଳଙ୍କାର ଗୋଟି ଗୋଟି କରି ଗଣତି କରି ଯେଉଁ ତାଲିକା କରିଛନ୍ତି ତା’ ଭିତରେ କେତେକ ସ୍ଥାନରେ ବିଶେଷ ବିବରଣୀ ଆକାରରେ ଲେଖାଯାଇଛି ‘ଭାଉଏଲ ରାଜା ପ୍ରଦତ୍ତ’। ଯେପରି ଶ୍ରୀମନ୍ଦିର ସ୍ୱତ୍ୱଲିପିର ପୃଷ୍ଠା ୨୬ରେ (୧୯୭୮ ତାଲିକାର ମଣତି ରେଜିଷ୍ଟରର କ୍ରମିକ ନମ୍ବର ୫୯୭) ଭାଉଏଲ ରାଜା ଦେଇଥିବା ତିନୋଟି ରୁପା କିରିଟି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ମୂଲ୍ୟବାନ ରୁପା କିରିଟି ଓଜନ ହୋଇନଥିବା କଥା ମଧ୍ୟ ଏହି ରେଜିଷ୍ଟରରେ ଲେଖାଯାଇଛି।

ସେହିପରି ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ଭାଉଏଲ ରାଜା ଶ୍ରୀଜଗନ୍ନାଥଙ୍କୁ ଏକ ଦୁର୍ଲ୍ଲଭ ରତ୍ନଖଚିତ ପେଡା ମାଳି ଦେଇଥିଲେ। ୧୯୭୮ ମସିହା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପୁସ୍ତିକାର ୧୦୩ ନମ୍ବର ପୃଷ୍ଠାରେ (ମଣତି ରେଜିଷ୍ଟରର ନମ୍ବର ୬୦୫)। ଯେଉଁ ରତ୍ନଖଚିତ ପେଡାମାଳି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ତାହା ସମ୍ଭବତଃ ଭାଉଏଲ୍ ରାଜାଙ୍କ ଦାନ। ଏହାର ଓଜନ ସେତେବେଳେ ୭୬ ଭରି ୮ ଅଣା ବୋଲି ହିସାବ କରାଯାଇଥିଲା। ଅର୍ଥାତ୍ ଆଜିର ହିସାବରେ ଏହି ପେଡାମାଳିର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ।

ଭାଉଏଲ ରାଜା ଦେଇଥିବା ପେଡା ମାଳି ସୁରକ୍ଷା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାରରେ ରଖାଯାଇଛି। ଏହାକୁ ନିୟମିତ ବ୍ୟବହାର କରାଯାଏ ନାହିଁ। ତେବେ ସେ ଶ୍ରୀମନ୍ଦିର ପ୍ରଶାସକ ଥିବା ବେଳେ ଥରେ ଜଗନ୍ନାଥଙ୍କୁ ଏହି ପେଡାମାଳି ଲାଗି କରିଥିଲେ ବୋଲି ଓଡ଼ିଶା ଲାଇଭକୁ ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ମିଶ୍ର। ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହୋଇ ଏହା ସେତେବେଳେ ଅପୂର୍ବ ସୁନ୍ଦର ଦେଖାଯାଉଥିଲା। କିନ୍ତୁ ପରେ ତାକୁ କଢ଼ାଯାଇ ରତ୍ନଭଣ୍ଡାରରେ ରଖାଯାଇଥିଲା।

ଅଧିକ ପଢ଼ନ୍ତୁ: ଶ୍ରୀ ଜଗନ୍ନାଥ ମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର ଯାଞ୍ଚ୍ ବିଷୟରେ ଜାଣନ୍ତୁ ୨୦ଟି ଗୁରୁତ୍ୱପୂର୍ଣ୍ଣ କଥା

Comment