ଭାସ୍କର ପରିଚ୍ଛା

ମନେହେଉଛି ପୁରୀ ଶ୍ରୀମନ୍ଦିର ପରିଚାଳନା ଓ ଅନ୍ୟ ପ୍ରସଙ୍ଗ ନେଇ ଏବେ କେବଳ ହାଇକୋର୍ଟ ହିଁ ଭରସା। ବିଗତ କିଛି ବର୍ଷ ଧରି ଶ୍ରୀମନ୍ଦିରର ମାମଲା ଗୁଡିକ ଏତେ ଜଟିଳ ହୋଇ ଆସିଛି ଯେ ବିନା ଅଦାଲତ ହସ୍ତକ୍ଷେପରେ କୌଣସି ବଡ଼ ନିଷ୍ପତ୍ତି ନେବା ସମ୍ଭବ ହେଉନାହିଁ।

ବିବାଦୀୟ ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କଲେ କିଛି କ୍ଷତି ନାହିଁ। ବରଂ ଏଥିରେ ଲାଭ ଅଛି କାରଣ ସମସ୍ତେ ଏହି ନିର୍ଦେଶକୁ ଡରି କାମ କରିବାକୁ ବାଧ୍ୟ ହେବେ। କିନ୍ତୁ କଥା ହେଉଛି ସବୁ ଛୋଟ ବଡ଼ ପ୍ରସଙ୍ଗରେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁନାହିଁ କି? ଯଦି ତାହା ହୁଏ ଶ୍ରୀମନ୍ଦିର ପ୍ରଶାସନ ରହିବ ଅବା କାହିଁକି?

ଶ୍ରୀ ଜଗନ୍ନାଥଙ୍କ ମାମଲାରେ ଅଦାଲତର ହସ୍ତକ୍ଷେପ କାହିଁକି ସବୁବେଳେ ଦରକାର ହେଉଛି?ଏହାର ଦୁଇ ଚାରୋଟି କାରଣ ରହିଛି। ପ୍ରଥମ,ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ଭିତରେ ସମନ୍ୱୟ ଓ ବିଶ୍ୱାସର ଅଭାବ। ଦୁଇ, ଶ୍ରୀମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗ ଓ ସେବକ ମାନଙ୍କର ନିରନ୍ତର ଦାଦାଗିରି ଓ ଜନସାଧାରଣଙ୍କ ପ୍ରତି ସେମାନଙ୍କ ଅବଜ୍ଞାଭାଵ। ତିନି, ଓଡିଶା ସରକାର ନିଜେ ଅନେକ ସମୟରେ ପ୍ରସଂଗ ଗୁଡିକୁ ବିଗାଡି ଦିଅନ୍ତି। ଚାରି, ଶ୍ରୀମନ୍ଦିର ପରିଚାଳନା ପାଇଁ ଏକ ସର୍ଵଗ୍ରାହ୍ୟ ନୀତି ଓ ପଦ୍ଧତିର ଅନୁପସ୍ଥିତି।

ଖାସ୍ ଏଇଥିପାଇଁ ନବକଳେବରଠାରୁ ଆରମ୍ଭ କରି ବାର୍ଷିକ ରଥଯାତ୍ରା ପର୍ଯ୍ୟନ୍ତ ସବୁଥିରେ ଝମେଲା। ପୁରୀ ଶ୍ରୀମନ୍ଦିର ବୋଧହୁଏ ଭାରତରେ ଏକମାତ୍ର ଧାର୍ମିକ ଅନୁଷ୍ଠାନ ଯେଉଁଠି ସବୁବେଳେ ପରିଚାଳନା ଓ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥାଏ।

ସେ ଯାହାହେଉ,ରତ୍ନଭଣ୍ଡାର ସମ୍ପର୍କରେ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇଛି। ଏହା ହେଉଛି ଅଦାଲତର କରାମତି। ବୁଧବାର ଯେଉଁ ଯାଞ୍ଚ ହୋଇଛି ସେଥିରେ ପ୍ରତ୍ନତାତ୍ତ୍ବିକ ସର୍ଭେ, ମନ୍ଦିର ପରିଚାଳନା କମିଟିର ପ୍ରତିନିଧି  ଓ ଅମିକସ୍ କ୍ୟୁରି (କୋର୍ଟକୁ ସାହାଯ୍ୟ କରୁଥିବା ଆଇନଜୀବି) ରହିଛନ୍ତି। ସେମାନେ ମିଳିତ ଭାବେ ତଦନ୍ତ କରିଛନ୍ତି।

ରତ୍ନ ଭଣ୍ଡାରରେ କୌଣସି ପ୍ରକାର ମରାମତି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିବ କି? ଏହି ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ହେବ ଏବଂ ମୁଖ୍ୟ ବିଚାରପତି ବିନୀତ ସରଣଙ୍କ ଖଣ୍ଡପୀଠରେ ଏହାର ଆଗିଲା ବିଚାର ହେବ। ଏଣୁ ରତ୍ନଭଣ୍ଡାର ଯାଞ୍ଚ ମୁଖ୍ୟତଃ ଶ୍ରୀମନ୍ଦିର ମରାମତି ସମ୍ପର୍କିତ ଏକ ପଦକ୍ଷେପ। ସୁନା ଗହଣାର ତଥ୍ୟ ମିଳିବା ଆଶା ବାନ୍ଧି ଯେଉଁମାନେ ବସିଛନ୍ତି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ମନେପକାଇ ଦିଆଯାଇପାରେ ଯେ ୨୦୧୬ ମସିହାରେ ଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ଠିକଣା ଭାବରେ ସମ୍ପାଦନ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଯେହେତୁ ରତ୍ନଭଣ୍ଡାରଟି ଜଗମୋହନକୁ ଲାଗି ରହିଛି ଏହାର ଉପଯୁକ୍ତ ମରାମତି ଦରକାର ବୋଲି ଉଭୟ ଓଡିଶା ସରକାର ଓ ଏଏସଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ଓ ସେହି ଅନୁସାରେ ରିପ୍ୟାର କାମ ଚାଲିଛି।

ସାଧାରଣ ଲୋକ ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ କଣ ସବୁ ରହିଛି ସେ ନେଇ କୌତୁହଳ ସୃଷ୍ଟି ହେବା ସ୍ଵାଭାବିକ। ଭାରତର ସବୁ ପୁରୁଣା ଓ ବଡ଼ ବଡ଼ ମନ୍ଦିରରେ ମଧ୍ୟ ଏହି ସୁନା ଗହଣା ସୁମାରିକୁ ନେଇ ଉତ୍କଣ୍ଠା ଓ ବିବାଦ ସୃଷ୍ଟି ହୋଇଛି। ଏଠି ମଧ୍ୟ ସେୟା।

ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ଶ୍ରୀ ଜଗନ୍ନାଥଙ୍କ ପ୍ରତିଟି କଥାକୁ ଆମେ ରହସ୍ୟ ଭିତରେ ହିଁ ରଖିବାକୁ ଚାହୁଁଚୁ। ଶ୍ରୀମନ୍ଦିରରେ ପ୍ରବେଶ ଉପରେ କଟକଣାଠାରୁ ଆରମ୍ଭ କରି ଫୋଟୋଗ୍ରାଫି ପର୍ଯ୍ୟନ୍ତ ମନ୍ଦିର ସହିତ ଜଡିତ ସେବାୟତମାନେ ସବୁକଥା ନିଜ ଅକ୍ତିଆରରେ ରଖିବା ପାଇଁ ଚାହୁଁଛନ୍ତି। ଖାଣ୍ଟି ଓଡ଼ିଆରେ କହିଲେ ଏଠି ରହସ୍ୟକୁ ନେଇ ବ୍ୟବସାୟ ଚାଲିଛି।

କେହି କେବେ ପ୍ରଶ୍ନ କରିଛନ୍ତି କି ଯେ ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରହୁଚୁ ଓ ଭଗବାନଙ୍କ ସବୁ କଥା ଜାଣିବାର ଅଧିକାର ଭକ୍ତଙ୍କର ରହିଛି।ସେଲ୍ଫି ଯୁଗରେ ଫଟୋ ଉଠା ମନା ଏକ ଆଦିମ ମାନସିକତାକୁ ସୂଚଉଛି। ସେହିଭଳି ରତ୍ନଭଣ୍ଡାର କଥାଟି ମଧ୍ୟ।

ରତ୍ନଭଣ୍ଡାରରେ ଥିବା ବହୁମୂଲ୍ୟ ସୁନା ଗହଣା ଓ ଅଳଙ୍କାରର ଆଜି ପର୍ଯ୍ୟନ୍ତ ବିବରଣୀ ପ୍ରସ୍ତୁତ ନହେବା ପଛରେ ରହସ୍ୟ କଣ? ୧୯୮୪ମସିହାରେ ଥରେ ଭଣ୍ଡାର ଖୋଲା ହୋଇଥିଲା। ୩୪ ବର୍ଷ ପରେ ପୁଣି ତା ଭିତରକୁ ପଶୁଛନ୍ତି ମଣିଷ। ୩୪ ବର୍ଷ ପରେ କାହିଁକି ପ୍ରତି ବର୍ଷ କାହିଁକି ନୁହେଁ? ଏପରିକି ୧୯୮୪ରେ ସାତଟି ଭଣ୍ଡାର ଘରୁ ମାତ୍ର ୩ଟିରେ ଯାଞ୍ଚ ହୋଇଥିଲା।

ଶ୍ରୀ ଜଗନ୍ନାଥଙ୍କର କେତେ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି,କେତେ ସୁନା ଅଳଙ୍କାର ରହିଛି ତାହାର ଏକ ବିସ୍ତୃତ ବିବରଣୀ ପବ୍ଲିକ ଡ଼ମେନରେ ତୁରନ୍ତ ଆସିବା ଦରକାର। ଆଜି ରତ୍ନଭଣ୍ଡାରକୁ ନେଇ ଯେଉଁ ଉତ୍ସୁକତା ଦେଖା ଦେଇଛି ତାହା କେବଳ ଭଣ୍ଡାର ଘରର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ। ଶ୍ରୀ ଜଗନ୍ନାଥଙ୍କ କେତେ କଣ ସୁନା ଅଳଙ୍କାର ରହିଛି ତାହାର ବିବରଣୀ ପ୍ରସ୍ତୁତ କରିବା ଅଧିକାର ଆଜିର ଭଣ୍ଡାର ପ୍ରବେଶକାରୀଙ୍କର ନାହିଁ। ଏଥିପାଇଁ ଆଉ ଗୋଟିଏ ଜନସ୍ୱାର୍ଥ ମାମଲା ଦରକାର ପଡ଼ିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment