ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରକାଶ ପାଇଲା ବିଜ୍ଞପ୍ତି
  • ଗଠନ ହେଲା ୧୦ ଜଣିଆ କମିଟି
  • କମିଟିରେ ସୂଚନା, ଗୃହ ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ପ୍ରତିନିଧି ରହିବେ
  • ପ୍ରେସ କାଉନସିଲ, ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟର ଫେଡେରେସନର ପ୍ରତିନିଧି ବି ରହିବେ

କେନ୍ଦ୍ର  ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏଣିକି ଅନଲାଇନ ଖବର ପରିବେଷଣକୁ ନିୟନ୍ତ୍ରଣ କରିବ। ବିଭିନ୍ନ ନ୍ୟୁଜ୍ ପୋର୍ଟାଲ ଓ ମିଡିଆ ୱେବସାଇଟଗୁଡ଼ିକୁ ବାଟକୁ ଆଣିବା ପାଇଁ ଏକ ଦଶ ଜଣିଆ କମିଟି ଗଠନ କରାଯାଇଛି। ଏନେଇ ଏକ ଆନୁଷ୍ଠାନିକ  ବିଜ୍ଞପ୍ତି ପ୍ରକାଶ ପାଇଛି। ଫେକ୍ ନ୍ୟୁଜ୍ ମାମଲାରେ ନିକଟରେ ସୂଚନା  ମନ୍ତ୍ରାଳୟ ପକ୍ଷରୁ ଯେଉଁ ବିବାଦୀୟ ନୋଟିସ ଜାରି କରାଯାଇଥିଲା ତାହାକୁ ଅଗତ୍ୟା ଫେରାଇ ନିଆଯିବାପରେ ଅନଲାଇନ ଖବର ପରିବେଷଣ ସଂକ୍ରାନ୍ତରେ ଏହି କମିଟି ଗଠନ ନିଷ୍ପତ୍ତି ନିଆଯାଇଛି।

ବୁଧବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି କମିଟିରେ ସୂଚନା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ପ୍ରତିନିଧି ରହିବେ। କମିଟିରେ ପ୍ରେସ କାଉନସିଲ, ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ, ଇଣ୍ଡିଆନ ବ୍ରଡକାଷ୍ଟର ଫେଡେରେସନର ପ୍ରତିନିଧି ମଧ୍ୟ ରହିବେ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଘରୋଇ ଟିଭି ଚ୍ୟାନେଲମାନେ ଖବର ପରିବେଷଣ ସମ୍ପର୍କିତ ନିୟମ ନିଜେ ପ୍ରଣୟନ କରିଛନ୍ତି। ସେହିଭଳି ପ୍ରିଣ୍ଟ ମିଡିଆରେ ଖବର ପରିବେଷଣକୁ  ନିୟନ୍ତ୍ରଣ କରିବାକୁ ପ୍ରେସ କାଉନସିଲ ରହିଛି। କିନ୍ତୁ ଅନଲାଇନ ଖବର ପରିବେଷଣ ପାଇଁ କୌଣସି ନୀତି ନିୟମ ବା ନିର୍ଦ୍ଦେଶାବଳି ଏ ପର୍ଯ୍ୟନ୍ତ ତିଆରି ହୋଇନାହିଁ। ଏଣୁ ଡିଜିଟାଲ ପ୍ରସାରଣ ଓ ମନୋରଞ୍ଜନ-ଇନଫୋଟେନମେଣ୍ଟ, ମିଡିଆ ଏଗ୍ରିଗେଟର ପାଇଁ ଏକ ନିୟାମକ ବା ନିର୍ଦ୍ଦେଶାବଳି ପ୍ରସ୍ତୁତ କରିବା ପାଇଁ ଏହି କମିଟି ଗଠିତ ହୋଇଛି।

ବିଜ୍ଞପ୍ତିରେ ଏ କଥା ମଧ୍ୟ କୁହାଯାଇଛି ଯେ ଅନଲାଇନ ମିଡିଆ/ନ୍ୟୁଜ୍ ପୋର୍ଟାଲ/ଅନଲାଇନ ବିଷୟ ବସ୍ତୁ ପ୍ରସ୍ତୁତ କରୁଥିବା ମଞ୍ଚଗୁଡ଼ିକ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ପାଇଁ କି  ପଦକ୍ଷେପ ଜରୁରୀ  ଏହି କମିଟି ତାହା ସୁପାରିଶ କରିବ। ଏହି ନିୟମାବଳି ପ୍ରସ୍ତୁତି ସମୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି, ଟିଭି ଚ୍ୟାନେଲର କାର୍ଯ୍ୟକ୍ରମ ଓ ବିଜ୍ଞାପନ ସଂହିତା ସମେତ ପ୍ରେସ କାଉନସିଲର ନିୟମାବଳିକୁ ମଧ୍ୟ ବିଚାରକୁ ନିଆଯିବ।

“୯/୧୧ ବମ୍ବେ ଆତଙ୍କବାଦୀ ଆକ୍ରମଣ ବେଳେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଯେଭଳି ଭାବେ ଖବର ପରିବେଷଣ କରିଥିଲେ, ବିଶେଷକରି ଘଟଣାର ଲାଇଭ୍ କଭରେଜ ଲାଗି ପ୍ରତିଯୋଗିତାରେ ମାତିଥିଲେ ତାହା କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ଆଣି ଦେଇଥିଲା। ଏହା ପରେ ପରେ ସରକାର ଟେଲିଭିଜନ ନ୍ୟୁଜ ମିଡିଆ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ଆଗଧାଡ଼ିର ଟେଲିଭିଜନ ଚ୍ୟାନେଲଗୁଡ଼ିକ ଏକାଠି ହୋଇ ନିଜ ପାଇଁ ନିୟମ ପ୍ରଣୟନ କରିବାକୁ ବାହାରି ଆସିଥିଲେ। ଏବେ ସରକାରଙ୍କ ଦେହରେ ବାଜୁଛି ୱେବ ମିଡିଆ ଓ ସୋସିଆଲ ମିଡିଆର ତାତି। ମୋ ମତରେ ଗଣମାଧ୍ୟମକୁ ଆଉ ଭାଗ ଭାଗ ନକରି ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ ମିଡିଆ ପାଇଁ ଗୋଟିଏ ବ୍ୟବସ୍ଥା ରହିବା ଦରକାର। ଅବଶ୍ୟ ଏହି ବ୍ୟବସ୍ଥା ନ୍ୟୁଜ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ, ବରଂ ଗଣମାଧ୍ୟମ କିଭଳି ସ୍ୱାଧୀନ ଭାବେ କାମ କରିପାରିବ ସେ କ୍ଷେତ୍ରରେ ସହଯୋଗ ଦେବା ଦରକାର। ଏମିତି ଦେଖିବାକୁ ଗଲେ ଯେତେ ନିୟମ କଲେ ମଧ୍ୟ ବେଲାଇନରେ ଚାଲିଥିବା ମିଡିଆକୁ ଭଗବାନ ବି ବାନ୍ଧି ପାରିବେନି। ମିଡିଆ ପାଇଁ ଆତ୍ମସଂଯମ ବା ଆତ୍ମଘୋଷିତ ନିୟମ ହିଁ ସବୁଠାରୁ ବଡ଼ କଥା”, କହିଛନ୍ତି ଓଡ଼ିଶାଲାଇଭର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଦୁର୍ଭାଗ୍ୟର କଥା ଯେ ଡିଜିଟାଲ ମିଡିଆ ଆଜି ଲୋକପ୍ରିୟତାର ଶିଖରକୁ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ବା କୌଣସି ରାଜ୍ୟ ସ୍ତରରେ ନ୍ୟୁଜ ମିଡିଆ ଏବଂ ଏକ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ପଞ୍ଜୀକୃତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସରକାର ଏଦିଗରେ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଶ୍ରୀ ରଥ।

 

 

Comment