ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ କରାଯାଇଛି। ଉତ୍ତର ଭାରତରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ ହେବାରୁ ୧୨ ଜଣ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଥିଲା।

ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାସ୍ତା ବନ୍ଦ କରିବା ସହ ବିକ୍ଷୋଭକାରୀ ରେଳ ରୋକ କରିଥିଲେ। ବିହାର ଆରାରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ପୋଲିସ ଲାଠି ମାଡ଼ କରିଥିଲା। ମଧ୍ୟପ୍ରଦେଶରେ ବନ୍ଦର ପ୍ରଭାବ ଅନୁଭୂତ ହୋଇଛି। ସେଠାରେ ଆଗୁଆ ସରକାର କର୍ଫ୍ୟୁ ଲାଗୁ କରିଥିଲେ। ଫଳରେ ଜନଜୀବନ ପ୍ରଭାବିତ ହୋଇଥିଲା।

ଉତ୍ତରପ୍ରଦେଶର ସହରାନପୁର, ମୁଜାଫରନଗର, ଶାମିଲି ଓ ହାପୁଡରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଫିରୋଜାବାଦ ଜିଲ୍ଲାରେ ସମସ୍ତ ସ୍କୁଲ ମଧ୍ୟ ବନ୍ଦ କରାଯାଇଥିଲା। ରାଜସ୍ଥାନର ଜୟପୁର ଏବଂ ନୈନିତାଲରେ ବି ୧୪୪ ଧାରା ଲାଗୁ କରାଯାଇଥିଲା।

ଓଡ଼ିଶାର ନୂଆପଡ଼ା ଜିଲ୍ଲାରେ ସପକ୍ଷ ଓ ବିପକ୍ଷବାଦୀ ଗୋଷ୍ଠୀ ମଧ୍ୟରେ ଢେଲା ମାଡ଼ ହୋଇଥିଲା।

ଏସ୍‌ସି, ଏସ୍‌ଟି ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ୨ ତାରିଖରେ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଏଥିରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। ୯ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହାର ପ୍ରତିବାଦରେ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ସୋସିଆଲ ମିଡିଆରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଥିଲା।

Comment