ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଲିଙ୍ଗରାଜ ମନ୍ଦିରରୁ ବାହାରିଲା ମହାନଦୀ ବଞ୍ଚାଅ ଯାତ୍ରା
  • ଭୁବନେଶ୍ୱରରୁ ଛତିଶଗଡର କଲମା ଗଲେ ପ୍ରତିନିଧିମଣ୍ଡଳୀ
  • ବୁଧବାରଠାରୁ କଲ୍‌ମାରୁ ଆରମ୍ଭ ହେବ ସଚେତନତା ଯାତ୍ରା
  • ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଗସ୍ତ କରିବେ
  • ୧ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ

କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିଦେଇଛନ୍ତି ଛତିଶଗଡ ସରକାର। ଫଳରେ ହୀରାକୁଦର ଜଳସ୍ତର ହ୍ରାସ ପାଉଛି। ଏହାର ପ୍ରତିବାଦ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମଙ୍ଗଳବାର ବାହାରିଛି ‘ମହାନଦୀ ବଞ୍ଚାଅ ଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ଏହି ଅଭିଯାନ ଆରମ୍ଭ ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ ପ୍ରତିନିଧିମଣ୍ଡଳୀ କଲମା ବ୍ୟାରେଜ ଅଭିମୁଖେ ଯାତ୍ରା କରିଛନ୍ତି।

ଏପ୍ରିଲ ୧୧ରୁ କଲମା ବ୍ୟାରେଜରୁ ମହାନଦୀ ବଞ୍ଚାଅ ଯାତ୍ରା ଜୋରଦାର ହେବ। ମହାନଦୀ ଅବବାହିକାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏପ୍ରିଲ ୧୫ରେ ଏହି ଯାତ୍ରା ପୁରୀରେ ଶେଷ ହେବ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, “ଓଡ଼ିଶାରୁ ୧ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ। ଏହି ଦସ୍ତଖତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ପ୍ରଦାନ କରାଯିବ। ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଛତିଶଗଡର ନିର୍ମିତ ବ୍ୟାରେଜଗୁଡ଼ିକୁ କାର୍ଯ୍ୟକ୍ଷମ ନକରିବା ପାଇଁ ଏହି ଦସ୍ତଖତ ଅଭିଯାନ କରାଯାଉଛି।”

କଲମା ବ୍ୟାରେଜଠାରୁ ଏପ୍ରିଲ୍ ୧୧ ତାରିଖରୁ ଏହି ଯାତ୍ରା ବାହାରି ଭଟଲି, ବରଗଡ଼, ବୁର୍ଲା, ସମ୍ବଲପୁର, ସୋନପୁର,ବୌଦ୍ଧ, ଆଠମଲ୍ଲିକ, ନରସିଂହପୁର, ବଡମ୍ବା, କଣ୍ଟିଲୋ, କରବର, ବୈଦେଶ୍ଵର, ବାଙ୍କି, ଆଠଗଡ, କଟକ, କୁଜଙ୍ଗ, ପାରାଦୀପ, ନିମାପଡ଼ା ହୋଇ ଏପ୍ରିଲ୍ ୧୫ ତାରିଖରେ ପୁରୀରେ ପହଞ୍ଚିବ। ବିଭିନ୍ନ ସ୍ଥାନରେ ପଦଯାତ୍ରା, ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ।

“କେନ୍ଦ୍ର ସରକାରଙ୍କ ସବୁ ରାଜ୍ୟକୁ ସମାନ ଭାବେ ଦେଖିବା ଦରକାର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ହେଲେ ଏହାର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ଥିର କରାଯାଇନାହିଁ। ଏଣୁ ଓଡ଼ିଶାରେ ମହାନଦୀ ପାଇଁ ଜନମତ ସଂଗ୍ରହ କରିବା ଲାଗି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯାନ ଆରମ୍ଭ କରିଛି”, କହିଛନ୍ତି ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର।

ମହାନଦୀ ପାଇଁ ଏକାଠି ହୋଇଛନ୍ତି ସବୁ ଦଳର ପ୍ରତିନିଧି। ବିଜେଡି, କଂଗ୍ରେସ, ସିପିଆଇ, ସମାଜବାଦୀ ପାର୍ଟି ଏବଂ କଳିଙ୍ଗସେନା ପ୍ରତିନିଧିମାନେ ଏହି ଯାତ୍ରାକୁ ସମର୍ଥନ କରିଛନ୍ତି। ଛତିଶଗଡ଼ ସରକାରଙ୍କ ବେଆଇନ୍ କାମକୁ ନିନ୍ଦା କରିଛନ୍ତି।

ମହାନଦୀ ଅବବାହିକାରେ ଜଳ ସଂରକ୍ଷଣ, ମହାନଦୀ ଶଯ୍ୟାକୁ ଅବରୋଧରୁ ରକ୍ଷା କରିବା, ନଦୀ ପାଣିକୁ ପ୍ରଦୂଷଣମୁକ୍ତ କରିବା, ମୃତ୍ତିକା କ୍ଷୟକୁ ରୋକିବା  ପାଇଁ ସଚେତନତା କରାଯିବ।

“ମହାନଦୀକୁ ନେଇ ଯେତିକି ରାଜନୀତି ହେବା କଥା ହୋଇ ସାରିଲାଣି। ଏବେ ସମସ୍ୟାକୁ ସମସ୍ତେ ବୁଝିବା ଦରକାର। ସମସ୍ୟାକୁ ହୃଦୟଙ୍ଗମ କରି ଆନ୍ତରିକତାର ସହ ମହାନଦୀକୁ ସୁରକ୍ଷା ଦେବାର ବେଳ ଆସିଛି”, କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।

Comment