ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱରଠାରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଚୈତ୍ର ଚଡ଼କମେଳା ଆରମ୍ଭ ହୋଇଛି। ପ୍ରାୟ ୫୦ ହଜାର ଜନସମାଗମରେ ପୀଠ ପାଲଟିଛି ଜନସମୁଦ୍ର। ଜିଲ୍ଲା ପ୍ରଶାସନ ତଥା ଟ୍ରଷ୍ଟବୋର୍ଡ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ୧୫ ପ୍ଲାଟୁନ୍ ପୁଲିସ୍ ସହ ୨ ଶହ ହୋମଗାର୍ଡ, ୨୦୦ କନେଷ୍ଟବଳ, ୧୦୦ ଅଫିସର୍, ୫ ଜଣ ଡିଏସ୍‌ପି, ୧୪ ଜଣ ଇନ୍ସପେକ୍ଟର୍, ୧୩ ଜଣ ହାବିଲଦାର୍ ଓ ସ୍ୱେଚ୍ଛାସେବୀ ମୁତୟନ କରାଯାଇଛି।

ଏହି ଚଡ଼କମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧି ଅନୁସାରେ ବୁଧବାର ଅର୍ଘ୍ୟଦାନ କରାଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅର୍ଘ୍ୟ ପ୍ରଦାନ ପୂର୍ବରୁ ଭକ୍ତମାନେ ଗ୍ରାମ ପରିଭ୍ରମଣ କରିବା ପରେ ସଂଧ୍ୟା ୮ଟାରେ ଅର୍ଘ୍ୟଦାନ ଆରମ୍ଭ ହୋଇଥିଲା।

ପ୍ରଥା ଅନୁସାରେ କାମିନୀ ବିବାହ ପାଇଁ ସୋମବାର ସ୍ୱୀକୃତି ଶେଷ ହୋଇଥିବା ବେଳେ ବୁଧବାର ବରଯାତ୍ରୀ ଶୋଭାଯାତ୍ରାରେ ଯିବାବେଳେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଏହି ବାହାଘର ପାଇଁ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କା ଓ ଦେଉଳିଆ ଅଜିତ ପାତ୍ରଙ୍କ ସମେତ ୧୩ ଜଣ ମୁଖ୍ୟ ଭକ୍ତ ପ୍ରତ୍ୟେକ ସେବାୟତଙ୍କ ଘରକୁ ଯାଇ ନିମନ୍ତ୍ରଣ କରିଥିଲେ।

ମେଳାର ଅନ୍ୟତମ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଉଛି କାମିନୀ ବିବାହ। ପରମ୍ପରା ଅନୁଯାୟୀ ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ଭଟ୍ଟପୁର ଗାଁର ମାଳାକାର ଘରକୁ ନିଆଯାଇଥାଏ। ସେଠାରୁ କାମିନୀ ସହିତ ବିଶାଳ ଶୋଭାଯାତ୍ରାରେ ଉଭୟଙ୍କୁ ମନ୍ଦିରକୁ ଅଣାଯାଏ। ଏଥିରେ ଧ୍ୱଜ (ପଡ଼ା) ବାଉଁଶ ପାଲିଙ୍କିରେ କାର୍ଯ୍ୟ ତୁଲାଇଥାନ୍ତି।

ପୌରାଣିକ କିମ୍ବଦନ୍ତୀ

କାମିନୀ ନାମ୍ନୀ ଦୈତ୍ୟ କନ୍ୟା ଇଚ୍ଛା ପ୍ରକଟ କଲା ମହାଦେବ ଶିବଙ୍କୁ ବିବାହ କରିବ। ଏଥିରେ ସଫଳ ହେବା ପାଇଁ ସେ କଠୋର ତପସ୍ୟା ଆରମ୍ଭ କଲା। ମହାଦେବ ଦୈତ୍ୟକନ୍ୟା କାମିନୀର ତପସ୍ୟାରେ ସନ୍ତୁଷ୍ଟ ହୋଇ ବରଦାନ କଲେ। କିନ୍ତୁ ସ୍ୱର୍ଗରେ କାମିନୀକୁ ବିବାହ କରିବା ଅସମ୍ଭବ ଥିଲା। ସୁତରାଂ ପ୍ରଭୁଙ୍କୁ ପୃଥିବୀରେ ଜନ୍ମଗ୍ରହଣ କରିବାକୁ ପଡେ ଏବଂ ସେ ଏକ ମାଳାକାର ପରିବାରରେ ଜନ୍ମ ହୁଅନ୍ତି। ତାପରେ ସେମାନଙ୍କ ବିବାହ ସୁରୁଖୁରୁରେ ହୁଏ। ସେଇଦିନ ଠାରୁ ଏହି ପୌରାଣିକ କାହାଣୀକୁ ବିଶ୍ୱାସ କରି ବିବାହ ଉତ୍ସବ ସହିତ ଚଡ଼କ ମେଳା ହୋଇଆସୁଛି।

ଏହି ଚଡ଼କମେଳା ଚନ୍ଦନେଶ୍ୱର ଶିବ ମନ୍ଦିରରେ ହେଉଥିବାରୁ ଏବଂ ଏହା ପଶ୍ଚିମବଙ୍ଗର ସୀମାନ୍ତକୁ ଲାଗିଥିବାରୁ ଅନେକ ବଙ୍ଗୀୟ ଭକ୍ତଙ୍କ ଭିଡ଼ ଦେଖାଯାଇଥାଏ। ଏହା ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ପାଳନ କରାଯାଏ – ଗୋଟିଏ ହେଲା ନୀଳ ପର୍ବ ଏବଂ ଅନ୍ୟଟି ହେଲା ପାଟ ପର୍ବ। କୁହାଯାଏ ଯେ ବାବା ଚନ୍ଦନେଶ୍ୱର ଗୋପନରେ କାମିନୀକୁ ବିବାହ କରିଥିଲେ। ସେତେବେଳେ ପାର୍ବତୀ ଅନୁପସ୍ଥିତ ଥିଲେ। ନୀଳ ପର୍ବ ବିବାହ ଉତ୍ସବକୁ ମନେଇବା ପାଇଁ ହେଉଥିବା ବେଳେ ପାଟପର୍ବରେ ଭକ୍ତମାନେ ଶରୀରର ବିଭିନ୍ନ ଅଙ୍ଗରେ କଣ୍ଟା ଫୋଡ଼ି ଶୋଭାଯାତ୍ରାରେ ବାହାରନ୍ତି।

Comment