ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ରୁ ଓହରି ଯାଇଛି ସିଆଇଆଇ। ଏହାକୁ ନେଇ ବିଜେଡି ସାଂଘାତିକ ଅଭିଯୋଗ କରିଛି। ସିଆଇଆଇ ଓହରିଯିବା ପଛରେ ଷଡ଼ଯନ୍ତ୍ର ରହିଥିବା ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି।

ଓଡ଼ିଶାର ବିକାଶ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ଏହା ପଛରେ ସିଆଇଆଇର ପୂର୍ବାଞ୍ଚଳ ଚେୟାରମ୍ୟାନ ଜାଗି ମଙ୍ଗତ ପଣ୍ଡାଙ୍କ ହାତ ଥାଇପାରେ ବୋଲି ବିଜେଡି କହିଛି।

ପ୍ରତାପ ଦେବ କହିଛନ୍ତି, “ସିଆଇଆଇ ପାର୍ଟନର୍‌ସିପ୍‌ରେ ରାଜ୍ୟ ସରକାର ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ କରିଥିଲେ। ୨୦୧୮ ନଭେମ୍ବରରେ ହେବାକୁ ଥିବା କନକ୍ଲେଭ୍‌ରେ ସିଆଇଆଇ ପାର୍ଟନର୍ ରହିବ ବୋଲି ସ୍ଥିର ହୋଇଥିଲା। ଜାନୁଆରୀ ମାସରେ ଏଥିପାଇଁ ବଜେଟ୍ ଦେଇଥିଲା ସିଆଇଆଇ। ଏହି ସଂସ୍ଥା ପକ୍ଷରୁ ଫେବ୍ରୁଆରିରେ କୋ-ଅର୍ଡିନେଟର ବି ନିଯୁକ୍ତ କରାଯାଇଥିଲା। ହେଲେ ଗତ ୪ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ୨୦୧୮ କନକ୍ଲେଭରୁ ସିଆଇଆଇ ଓହରି ଯାଇଥିବା ସ୍ପଷ୍ଟ କରିଛି। ହଠାତ୍ ଓହରିବା ପଛରେ ଷଡ଼ଯନ୍ତ୍ର ଥାଇପାରେ।”

ସିଆଇଆଇ ଏମିତି ହଠାତ୍ ଓହରିବା ପରେ ପ୍ରତାପ ଦେବ ବିଭିନ୍ନ ପ୍ରଶ୍ନ କରିଛନ୍ତି। ଯଦି କିଛି ଅସୁବିଧା ରହିଛି ତାହାଲେ ସିଆଇଆଇ ଜାନୁଆରୀ ଏବଂ ଫେବ୍ରୁଆରି ମାସରେ କଥା ଆଗକୁ ବଢ଼ାଉଥିଲା କାହିଁକି? ଓଡ଼ିଶାର ବିକାଶ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା ଶ୍ରୀ ଦେବ ଅଭିଯୋଗ କରିଛନ୍ତି। ଏହା ପଛରେ ପୂର୍ବାଞ୍ଚଳ ଚେୟାରମ୍ୟାନ ଜାଗି ମଙ୍ଗତ ପଣ୍ଡାଙ୍କ ହାତ ନାହିଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି।

ସିଆଇଆଇ ଓଡ଼ିଶା ସଭାପତି ଏବଂ ଉପ-ସଭାପତି ଇସ୍ତଫା ଦେବା ପରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରିଛି ବିଜେଡି।

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ରୁ ସିଆଇଆଇ ଓହରିଯିବା ପରେ ଜାଗି ଜବାବ ଦେଇଛନ୍ତି। ସେ କହିଛନ୍ତି, “ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ହୋଇଥିବାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଯାହା ସହଯୋଗ ଦରକାର ତାହା ମୁଁ କରିବି। ହେଲେ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡି ଯେଉଁ ରାଜନୀତି କରୁଛି ସେଥିରେ ମୋତେ ଟାଣନ୍ତୁ ନାହିଁ। ସିଆଇଆଇ କାହିଁକି ଓହରିଗଲା ସେ ସମ୍ପର୍କରେ ଜାଣିବା ପାଇଁ ସିଆଇଆଇ କେନ୍ଦ୍ରୀୟ ଅଫିସ ସହ ଯୋଯୋଗ କରୁ ବିଜେଡି”

Comment