ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁରେ କାବେରୀ ଜଳବିବାଦକୁ ନେଇ ରାଜନୀତି ଚାଲିଥିବାବେଳେ ଏହାର ପ୍ରଭାବ ପଡ଼ିଛି କ୍ରିକେଟ୍ ଉପରେ। ଫଳସ୍ଵରୂପ ଚେନ୍ନାଇରେ ଖେଳାଯିବାକୁ ଥିବା ଆଇପିଏଲ୍-୧୧ର ବାକି ସମସ୍ତ ମ୍ୟାଚ୍କୁ ଅନ୍ୟ ଯାଗାକୁ ସ୍ଥାନାନ୍ତର କରାଯାଇଛି।
କାବେରୀ ଜଳ ବିବାଦ ନେଇ ତାମିଲନାଡୁ ଉତ୍ତେଜନାପୂର୍ଣ୍ଣ ଥିବାରୁ ଚେନ୍ନାଇର ଏମ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଇପିଏଲ୍-୧୧ର ବାକି ସମସ୍ତ ମ୍ୟାଚ୍କୁ ଅନ୍ୟ ଯାଗାକୁ ସ୍ଥାନାନ୍ତର କରାଯାଇଛି।
କାବେରୀ ପରିଚାଳନା ବୋର୍ଡ ଗଠନକୁ ନେଇ ତାମିଲନାଡୁରେ ରାଜନୈତିକ ଦଳର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି କାରଣରୁ ଚେନ୍ନାଇ ପୁଲିସ ଆଇପିଏଲ୍ ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନା କରିଦେଇଛି।
ଆଇପିଏଲ୍ ୧୧ତମ ସଂସ୍କରଣ ୫ମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଚାଲିଥିବାବେଳେ କିଛି ଦର୍ଶକ ପଡ଼ିଆ ଭିତରକୁ ଜୋତା ଫିଙ୍ଗିଥିଲେ।
କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ କରୁଥିବା ବେଳେ ୮ମ ଓଭରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ପୁଲିସ କର୍ମଚାରୀ ଓ ଚେନ୍ନାଇ ସୁପର କିଙ୍ଗସ୍ର ଅଧିକାରୀ ଷ୍ଟାଡିୟମ ନିକଟରେ ପହଞ୍ଚି ସୀମାରେଖା ନିକଟରୁ କିଛି ଦର୍ଶକଙ୍କୁ ବାହାର କରିଥିଲେ।
ଆଇପିଏଲ୍ କମିସନର ରାଜୀବ ଶୁକ୍ଲା ସୁରକ୍ଷା ବଢ଼ାଇବାକୁ ନେଇ କେନ୍ଦ୍ରୀୟ ଗୃହ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଚେନ୍ନାଇରେ ଆଇପିଏଲ୍ର ସୁରକ୍ଷା ପାଇଁ ସିଆରପିଏଫ କର୍ମୀ ପଠାଇବାକୁ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଏହା ସ୍ପଷ୍ଟ ହୋଇ ନଥିବାରୁ ଚେନ୍ନାଇର ବାକି ସମସ୍ତ ଆଇପିଏଲ୍ ୧୧ ମ୍ୟାଚ୍ ଅନ୍ୟ ସ୍ଥାନରେ ହେବ।
ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ ଚେନ୍ନାଇରେ ମ୍ୟାଚ୍ ହେବା ନେଇ ପୂର୍ବରୁ ବିରୋଧ କରିଆସିଛନ୍ତି। “ତାମିଲନାଡୁବାସୀ କାବେରୀ ଜଳ ବିବାଦରୁ ତ୍ରାହି ପାଇବାକୁ ଚାହୁଁଛନ୍ତି। ଯଦି ଏଠି ମ୍ୟାଚ୍ ହେଉଛି ତେବେ ଚେନ୍ନାଇର ଖେଳାଳିମାନେ ହାତରେ କଳା ବ୍ୟାଚ୍ ପିନ୍ଧି ଖେଳିବା ଉଚିତ୍ ହେବ। ଯାହାଦ୍ଵାରା ଏହି ପ୍ରସଙ୍ଗ ଆଗକୁ ବଢ଼ିପାରିବା ସହ ଖୁବଶିଘ୍ର ଏହାର ସମାଧାନ ସମ୍ଭବ ହେବ”, କହିଛନ୍ତି ରଜନୀକାନ୍ତ।








ତାମିଲନାଡୁରେ କାବେରୀ ଜଳବିବାଦକୁ ନେଇ ରାଜନୀତି ଚାଲିଥିବାବେଳେ ଏହାର ପ୍ରଭାବ ପଡ଼ିଛି କ୍ରିକେଟ୍ ଉପରେ। ଫଳସ୍ଵରୂପ ଚେନ୍ନାଇରେ ଖେଳାଯିବାକୁ ଥିବା ଆଇପିଏଲ୍-୧୧ର ବାକି ସମସ୍ତ ମ୍ୟାଚ୍କୁ ଅନ୍ୟ ଯାଗାକୁ ସ୍ଥାନାନ୍ତର କରାଯାଇଛି।

