ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଉତ୍ତରପ୍ରଦେଶ ଦୁର୍ଷ୍କମରେ ବିଜେପି ବିଧାୟକଙ୍କ ହାତ
  • ଗଣମାଧ୍ୟମରେ କାନ୍ଦି କାନ୍ଦି ବୟାନ ଦେଲେ ପୀଡ଼ିତା
  • ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରୁନି ପୋଲିସ
  • ସିବିଆଇକୁ ଦିଆଗଲା ତଦନ୍ତ ଭାର
  • କାଶ୍ମୀରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
  • ମଧ୍ୟରାତ୍ରିରେ କ୍ୟାଣ୍ଡେଲ ରାଲି କଲେ ରାହୁଲ

ଉତ୍ତରପ୍ରଦେଶର ଉନ୍ନାଓର ଏବଂ କାଶ୍ମୀରର କାଠୱାରେ ଘଟିଛି ଲୋମଟାଙ୍କୁରା ଘଟଣା। ଏହି ଦୁଇଟି ଅଞ୍ଚଳରେ ଘଟିଥିବା ଦୁଇଟି ଦୁଷ୍କର୍ମ ସାରା ଦେଶ ଥରହର ହୋଇଛି। ଉତ୍ତର ପ୍ରଦେଶରେ ବିଜେପିର ବିଧାୟକ ଏବଂ ତାଙ୍କ ଭାଇ ଜଣେ ଅସହାୟ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ବେଳେ କାଶ୍ମୀରରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅତି ଅମାନବୀୟ ଭାବେ ଏହି ଦୁଇଟି ଘଟଣା ଘଟିଥିବାରୁ ସାରା ଦେଶ ଏବେ ଉଠୁଛି ପଡ଼ୁଛି।

ଉତ୍ତରପ୍ରଦେଶ ଉନ୍ନାଓର ଅସହାୟ ଯୁବତୀଙ୍କ ପ୍ରତି ହୋଇଥିବା ଦୁଷ୍କର୍ମରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଘଟଣାଟି ହେଉଛି ଯେ ୨୦୧୭ ଜୁନ୍ ୪ ତାରିଖରେ ଯୁବତୀ ଜଣକ ଚାକିରି ପାଇଁ ବିଧାୟକଙ୍କ ଘରକୁ ଯାଇଥିଲେ। ହେଲେ ଯୁବତୀଙ୍କୁ ଉନ୍ନାଓର ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର୍ ଏବଂ ତାଙ୍କ ଭାଇ ଅତୁଲ ସିଂ ସେଙ୍ଗର୍ ଯୁବତୀଙ୍କୁ ବାସଭବନରେ ଦୁଷ୍କର୍ମ କରିଥିଲେ। ସେତେବେଳେ ଯୁବତୀ ଜଣକ ବିଧାୟକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ। ହେଲେ ବିଧାୟକଙ୍କ ଚାପରେ ପୋଲିସ ସେତେବେଳେ ଏତଲା ରଖି ନଥିଲା। ଓଲଟି ଦୁଷ୍କର୍ମ ଶିକାର ହୋଇଥିବା ଯୁବତୀଙ୍କ ବାପାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରିଥିଲା ପୋଲିସ।

ପୀଡ଼ିତାଙ୍କ ବାପା ଜେଲ୍ ଗଲେ। ହେଲେ ଜେଲ୍ ଭିତରେ ପୋଲିସ ବାବୁଙ୍କ ମାଡ଼ରେ ଗତ ୯ ତାରିଖରେ ପୀଡ଼ିତାଙ୍କ ବାପାଙ୍କ ପ୍ରାଣ ଚାଲିଗଲା। ଏହାକୁ ନେଇ ଗତ ୪ ଦିନ ହେଲା ଉତ୍ତର ପ୍ରଦେଶରେ ହୋ-ହଲ୍ଲା ହେଲା। ଶେଷରେ ଉତ୍ତର ପ୍ରଦେଶ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ସିବିଆଇ କରିବ ବୋଲି ସରକାର କହିଥିଲେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତା।

ଗୁରୁବାର ଦିନ ସେ ବାଧ୍ୟ ହୋଇ ଗଣମାଧ୍ୟମର କ୍ୟାମେରା ଆଗରେ କାନ୍ଦି କାନ୍ଦି ମୁହଁ ଖୋଲିଛନ୍ତି। ତାଙ୍କ ସହ ଘଟିଥିବା ଅମାନବୀୟ ଘଟଣା ସମ୍ପର୍କରେ ମୁହଁ ଖୋଲି ବିଧାୟକ ଏବଂ ତାଙ୍କ ଭାଇଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ହେଲେ ବିଧାୟକ ଏବଂ ତାଙ୍କ ଭାଇଙ୍କୁ ପୋଲିସ ବାନ୍ଧିବାରେ ସମର୍ଥ ହୋଇନି।

କାଶ୍ମୀରର କାଠଓ୍ବାରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ବି ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ମନ୍ଦିର ଭିତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ୮ ବର୍ଷିଆ ନାବାଳିକାଙ୍କୁ ୮ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ମନ୍ଦିର ଜଗୁଆଳି ସାଞ୍ଝି ରାମଙ୍କ ସହ କିଛି ପୋଲିସ ଅଧିକାରୀଙ୍କ ବିରୋଧରେ ଆରୋପ ଲଗାଯାଇଛି।

ମଧ୍ୟରାତ୍ରିରେ ରାହୁଲଙ୍କ କ୍ୟାଣ୍ଡେଲ ରାଲି

ମହିଳା ସୁରକ୍ଷା ଦେବା ମୋଦି ସରକାର ବିଫଳ। ଉତ୍ତରପ୍ରଦେଶ ଏବଂ କାଶ୍ମୀରରେ ଘଟିଥିବା ଦୁଇଟି ଦୁଷ୍କର୍ମ ଘଟଣାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅସ୍ତ୍ର କରିଛନ୍ତି। ଗୁରୁବାର ମଧ୍ୟରାତ୍ରିରେ ରାହୁଲ ଶତାଧିକ ସମର୍ଥକଙ୍କୁ ଗହଣରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ କ୍ୟାଣ୍ଡେଲ ରାଲି କରିଛନ୍ତି।

ଅଡ଼ୁଆରେ ଯୋଗୀ ସରକାର

ଉତ୍ତର ପ୍ରଦେଶ ଦୁଷ୍କର୍ମ ଘଟଣାରେ ଅଡ଼ୁଆରେ ପଡ଼ିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର। ନିଜ ଦଳର ବିଧାୟକ ଏବଂ ଭାଇ ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ କଳାତ୍କାର କରିଥିବାରୁ ଯୋଗୀ ସରକାର ବିବଦଘେରରେ ଛନ୍ଦି ହୋଇଯାଇଛନ୍ତି। ଅଭିଯୁକ୍ତ ବିଧାୟକ ଏବଂ ତାଙ୍କ ଭାଇଙ୍କୁ ଗିରଫ କରାଯିବ କି ନାହିଁ ଘଣ୍ଟେ ଭିତରେ ଜଣାଇବାକୁ ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାରଙ୍କୁ ନୋଟିସ କରିଥିଲେ। ହେଲେ ସେମାନଙ୍କ ବିରୋଧରେ କିଛି ପ୍ରମାଣ ନଥିବାରୁ ଉଭୟଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର କୋର୍ଟଙ୍କୁ ଜଣାଇଛନ୍ତି। ଏହାକୁ ନେଇ ଉତ୍ତର ପ୍ରଦେଶ ସମେତ ଜାତୀୟ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି।

Comment