ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ସରକାରଙ୍କୁ ଲାଗିଛି ବଡ଼ ଝଟକା। ଦୁଷ୍କର୍ମ ମାମଲାରେ ବିଧାୟକ କୁଲଦୀପ ସିଂ ସେଙ୍ଗର୍‌ଙ୍କୁ ୧୫ ଘଣ୍ଟା ସିବିଆଇ ଜେରା କରିବା ପରେ ଗିରଫ କରିଛି। ଏହାକୁ ନେଇ ତେଜିଛି ରାଜନୀତି।

ଶେଷରେ ବନ୍ଧା ହେଲେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର୍। ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି। ଶୁକ୍ରବାର ଦିନ ସାରା କୁଲଦୀପଙ୍କୁ ମାରାଥନ ଜେରା କରିବା ପରେ ରାତିରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ସକାଳେ କୁଲଦୀପଙ୍କୁ ସିବିଆଇ ହେପାଜତକୁ ନେଇଥିଲା। ଲକ୍ଷ୍ନୌରେ ସିବିଆଇ ଅଧିକାରୀ କୁଲଦୀପଙ୍କୁ ପ୍ରାୟ ୧୫ ଘଣ୍ଟା ଧରି ଜେରା କରିଥିଲେ। ବଳାତ୍କାର ଅଭିଯୋଗ ସମ୍ପର୍କରେ ଖୋଳିତାଡ଼ି ପଚାରିଥିଲେ। ତେବେ ତାଙ୍କ ଗିରଫକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

ଆହ୍ଲାବାଦ ହାଇକୋର୍ଟ ମଧ୍ୟ କଡ଼ା ଟିପ୍ପଣୀ ଦେଇଥିଲେ। ଅଭିଯୁକ୍ତ ବିଧାୟକଙ୍କୁ ଅଟକ ନୁହେଁ ଗିରଫ କରିବାକୁ କହିଥିଲେ। ଶେଷରେ ବିଧାୟକଙ୍କୁ ଗିରଫ ମାମଲାରେ ସିବିଆଇ ଗିରଫ କରିଛି।

୨୦୧୭ ମସିହାରେ ଜଣେ ଯୁବତୀ ଚାକିରି ଆଶା ନେଇ ବାଙ୍ଗରମଉ ବିଧାୟକ କୁଲଦୀପ ସିଙ୍ଗରଙ୍କ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ବିଧାୟକ ଏବଂ ତାଙ୍କ ଭାଇ ଯୁବତୀଙ୍କୁ ଜୋର୍ ଜବରଦସ୍ତ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ମୁହଁ ଖୋଲିଲେ ମାରିଦେବା ପାଇଁ ଧମକ ଦିଆଯାଇଥିଲା।

ପୀଡ଼ିତା ଜଣକ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ। କିନ୍ତୁ ବିଧାୟକଙ୍କ ଚାପରେ ପୋଲିସ ଏତଲା ରଖି ନଥିଲା। ଓଲଟା ପୀଡ଼ିତାର ବାପାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରିଥିଲା। ଫଳରେ ପୀଡ଼ିତା ଭୟରେ ମୁହଁ ବନ୍ଦ ରଖିଥିଲେ। କିନ୍ତୁ ଜେଲ୍‌ରେ ପୀଡ଼ିତା ବାପାଙ୍କ ଗତ ୯ ତାରିଖରେ ମୃତ୍ୟ ହୋଇଥିଲା। ଶେଷରେ ପୀଡ଼ିତା ଦୁଃଖ ସମ୍ଭାଳି ନପାରି ଗଣମାଧ୍ୟମ ଆଗକୁ ଆସି ସବୁ ଘଟଣା କହିଥିଲେ।

ଏହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି ହେଲା। ହେଲେ ଉତ୍ତରପ୍ରଦେଶ ସରକାର ପ୍ରମାଣ ନଥିବା କହି ଏଡ଼ାଇଗଲେ। ଜୋରଦାର ବିରୋଧ ହେବାକୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ।

ଦୁଷ୍କର୍ମବୁ ବିରୋଧ କରି ଗୁରୁବାର ମଧ୍ୟରାତ୍ରିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନୂଆଦିଲ୍ଲୀରେ କ୍ୟାଣ୍ଡେଲ ରାଲି କରିଥିଲେ। ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ସାରା ଦେଶରେ ଦୁଷ୍କର୍ମ ଘଟଣାକୁ ନେଇ ପରିସ୍ଥିତି ଗମ୍ଭୀର ହେବାରୁ ସିବିଆଇ ଶୁକ୍ରବାର ସକାଳେ ବିଧାୟକଙ୍କୁ ନେଇ ଜେରା କରିଥିଲା। ସିବିଆଇ ହେପାଜତକୁ ବିଧାୟକ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭାଙ୍ଗିଥିଲେ। ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ।

Comment