ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୨ ବର୍ଷ ତଳର ଏକ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ। ଅଭିଯୁକ୍ତକୁ ଧରିବାରେ ସିବିଆଇ ବିଫଳ ହୋଇଥିଲା ବେଳେ କମିସନରେଟ ପୋଲିସ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଧରିବାରେ ସଫଳ ହୋଇଛି। ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଛାଇଥିଲା ଜାଲ। ଏହି ଜାଲ ଥିଲା ‘ସାଇଲେଣ୍ଟ ଭାଇପର’ ଅର୍ଥାତ୍‌ ନିରବ ବୋଡ଼ା ସାପ।

ଅଭିଯୁକ୍ତକୁ ଧରିବା ପାଇଁ ଓଡ଼ିଶା ପୋଲିସ ଓ ସିବିଆଇ ବହୁ ଉଦ୍ୟମ କରିଥିଲେ। ହେଲେ ବିବନ ଟେର ପାଇନଥିଲେ। ୩ ମାସ ତଳେ କମିସନରେଟ ପୋଲିସ ଏହି ପୁରୁଣା ଫାଇଲକୁ ପୁଣି ଖୋଲିଥିଲା। ଅପରେସନ ‘ସାଇଲେଣ୍ଟ ଭାଇପର’ (ନିରବ ବୋଡ଼ାସାପ)ମାଧ୍ୟମରେ ଅଭିଯୁକ୍ତ ବିବନଙ୍କୁ ଖୋଜି ବାହାର କରିଛି ପୋଲିସ। ଏହି ଅପରେସନର ପରିଚାଳନା କରୁଥିଲେ ନିଜେ ସୁଧାଂଶୁ ଷଡ଼ଙ୍ଗୀ। କଟକ ଡିସିପି ପ୍ରତୀକ ସିଂହ, ଆଡିସନାଲ ଡିସିପି ପ୍ରମୋଦ ରଥ, ଇନ୍‌ସପେକ୍ଟର ସ୍ପେଶାଲ ସ୍କ୍ୱାର୍ଡ ଅଜୟ ଦାସ ଓ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ଏହି ଅପରେସନରେ ସାମିଲ ଥିଲେ।

ପୁଣେ ଆମ୍ବି ଭ୍ୟାଲିରେ ବିବନ ନାଁ ବଦଳାଇ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା। ସେ ତା ନୂଆଁ ନା ଜଳନ୍ଧର ସ୍ୱାଇଁ ରଖିଥିଲା। ହେଲେ ସ୍ଥାୟୀ ଠିକଣାରେ ସେ ନରଣପୁର ଦେଇଥିଲା। ପୋଲିସ ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ ସେ ଗାଁରେ ଜଳନ୍ଧର ନାଁରେ କେହି ନାହାନ୍ତି। ଚତୁରତା ସହିତ ବିବନ ତାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରୁଥିଲା। କିନ୍ତୁ ପୋଲିସର ସନ୍ଦେହ ବଢ଼ିଥିଲା ଯେ ଏହି ଜଳନ୍ଧର ହିଁ ବିବନ। ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ସେଠାକାର ପୋଲିସ ସହାୟତାରେ ବିବନକୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଫଳରେ ପୋଲିସକୁ ସଫଳତା ମିଳିଥିଲା।

୧୯୯୯, ଜାନୁଆରି ୯ ତାରିଖରେ ଏହି ଦୁଷ୍କର୍ମ ଘଟିଥିଲା। କଟକ ମହିଳା ଥାନାରେ ଜାନୁଆରି ୧୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଭାର ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା। ଏଥିରେ ଦୁଇ ଅଭିଯୁକ୍ତ ଧୀରେନ୍ଦ୍ର ଓ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଧରାନ ପଡ଼ିବାରୁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ହାଇକୋର୍ଟ। ସିବିଆଇ ଅଭିଯୁକ୍ତକଚ ଧରିପାରନଥିଲା। କମିସନରେଟ ପୋଲିସ ପୁରୁଣା ଫାଇଲ ଖୋଲି ଅଭିଯୁକ୍ତକୁ ଗିରଫ କରିଛି।

Comment