ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଲୋ ଆର୍‌ସି। ଏହା ହେଉଛି ଏକ ଓଡ଼ିଆ ଫିଲ୍ମର ଟାଇଟଲ୍। ଏହି ଫିଲ୍ମଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛି। ତେବେ ଓଡ଼ିଆ ଫିଲ୍ମର ନାଁ କାହିଁକି ଏପରି ରଖାଗଲା ଜାଣନ୍ତୁ ଏହି ରିପୋର୍ଟରୁ।

କାହିଁକି ହାଲୋ ଆର୍‌ସି?

ଏହି ଫିଲ୍ମର ମୁଖ୍ୟ ନାୟିକାଙ୍କ ନାଁ ହେଉଛି ଆର୍ସି। ଆର୍ସି ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡର ଚୁଲବୁଲି ନାୟିକା ପ୍ରକୃତି ମିଶ୍ର। ଶିଳ୍ପାୟନ ପାଇଁ ଗାଁ ହୋଇଛି ବିସ୍ଥାପିତ। ଏହି ସମୟରେ ନାୟିକାଙ୍କ ବାପା ଘରକୁ ଆଣିଛନ୍ତି ଶୁଆ। ଶୁଆଟି କଥା କହି ସମସ୍ତଙ୍କ ମନ ଜିଣିଛି। ଏଣୁ ଏହି କଥାକୁହା ଶୁଆକୁ ନାୟିକାଙ୍କ ଘରେ ‘ହାଲୋ’ ଡାକନ୍ତି। ଗୋଟିଏ ଶୁଆ ଏବଂ ଫିଲ୍ମର ନାୟିକାଙ୍କୁ ନେଇ ଫିଲ୍ମର ଟାଇଟଲ୍ ‘ହାଲୋ ଆର୍‌ସି’ ରଖାଯାଇଛି। ବିସ୍ଥାପିତ ଜୀବନକୁ ନେଇ ଫିଲ୍ମର କାହାଣୀଟି ଗତିଶୀଳ ହୋଇଛି।

ଫିଲ୍ମରେ କ’ଣ ଅଛି ମ୍ୟାସେଜ?

ଜୀବନର ବାସ୍ତବ ଘଟଣାକୁ ନେଇ ତିଆରି ହୋଇଛି ଫିଲ୍ମ ‘ହାଲୋ ଆର୍‌ସି’। ଶିଳ୍ପ ପ୍ରତିଷ୍ଠା ପାଇଁ ଗୋଟିଏ ଗାଁ ହୋଇଛି ବିସ୍ଥାପିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ଦିଆଯାଇଥିଲା ପ୍ରଚୁର ଟଙ୍କା। ହେଲେ ଏହି ଟଙ୍କା କେମିତି ଖର୍ଚ୍ଚ କରିବେ ଏବଂ କ’ଣ କରିବେ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଗଲା ନାହିଁ। ଫଳରେ ଲୋକେ ଟଙ୍କା ଅଯଥାରେ ଏବଂ ଅବାଟରେ ଖର୍ଚ୍ଚ କଲେ। ଘରର ପୁଅ ନିଶା ଖାଇ ଟଙ୍କା ବରବାଦ କଲା। ଘରେ ଥିବା ବଢ଼ିଲା ଝିଅ କଥା ଭାଇ ଚିନ୍ତା କଲାନାହିଁ। ଶେଷରେ ଝିଅଟି ଘର ଛାଡ଼ି ଚାଲି ଆସୁଛି ରାଜରାସ୍ତାକୁ। ରାସ୍ତାରେ ଯାହାକୁ ଦେଖିଲା ତାକୁ ହାତ ପତେଇଲା। ଏମିତି କରିବା ଭିତରେ ହଠାତ୍ ଜଣେ ଯୁବକ ହାବୁଡରେ ପଡ଼ିଗଲା ଝିଅଟି। ରାସ୍ତାରେ ଯୁବକର ଗାଡ଼ିକୁ ଅଟକାଇ ହଠାତ୍ ତା’ ଗାଡ଼ିରେ ବସିପଡ଼ିଲା। ଅଜଣା, ଅଚିହ୍ନା ଯୁବକ ସହ ବନ୍ଧୁତା ସ୍ଥାପନ ହେଲା। ଏମିତି ଏକ ବାସ୍ତବ ଚିତ୍ରକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ହାଲୋ ଆର୍ସି’ ନ୍ୟାସନାଲ ଆୱାର୍ଡ ପାଇବାକୁ ବିବେଚିତ ହୋଇଛି।

କ’ଣ କହୁଛନ୍ତି ପ୍ରଯୋଜକ?

ହାଲୋ ଆର୍‌ସି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଅଜୟ ରାଉତରା଼ୟ। ଏହି ଫିଲ୍ମଟି ଜାତୀୟ ପୁରସ୍କାର ପାଇବା ପାଇଁ ମନୋନିତ ହେବା ପରେ ସେ ଖୁସି ପ୍ରକାଶ କରିଛନ୍ତି। ଓଡ଼ିଶାଲାଇଭ୍‌କୁ ସେ କହିଛନ୍ତି, “ଓଡ଼ିଶାରୁ ତିଆରି ହୋଇଥିବା ଫିଲ୍ମ ‘ହାଲୋ ଆର୍ସି’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବ ବୋଲି କେବେ ମୁଁ ଭାବି ନଥିଲି। ଭଗବାନଙ୍କ ଆଶିର୍ବାଦରୁ ଫିଲ୍ମଟି ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ବହୁତ ଖୁସି।”

ଓଡ଼ିଆର ବାସ୍ନା ଥିବା ଫିଲ୍ମ ତିଆରି ହେବା ଦରକାର। କପି ପେଷ୍ଟ ଫିଲ୍ମରୁ ମୁକୁଳି ଓଡ଼ିଆ ଦର୍ଶକଙ୍କୁ ନିଜ ମାଟି, ପାଣି, ପବନରେ ତିଆରି ହୋଇଥିବା ଫିଲ୍ମ ଦେଖାଇବାର ସ୍ୱପ୍ନ ନେଇ ଆମେ ଆରମ୍ଭ କରିଥିଲୁ ଅଭିଯାନ। ମୋ ବନ୍ଧୁ ସମ୍ବିତ ମହାନ୍ତି ଏ ଦିଗରେ ମୋତେ ସହାୟତା କରିଥିଲେ। ହାଲୋ ଆର୍ସି ଫିଲ୍ମର କାହାଣି, ସଂଳାପ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ସେ ରହିଥିଲେ। ହେଲେ ସେ ଆମକୁ ଛାଡ଼ି ଆରପାରିକୁ ଚାଲିଗଲେ। ଏହା ଆମ ପାଇଁ ବହୁତ ଦୁଃଖଦାୟକ ଥିଲା।

Comment