ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହୋଇଯାଏ। କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ଆଉ କେବେ ନାରୀ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହୋଇଛି। ଯୁଗ ବଦଳିଛି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’’, ନିଜ ଆଗାମୀ ଫିଲ୍ମ ‘ଦ୍ରୌପଦୀ’ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି କହିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

ନିଜ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ଥିବା ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି। ଯାହାର ଶୀର୍ଷକ ଦ୍ରୌପଦୀ ରହିଛି। ଏହି ଫିଲ୍ମରେ ପ୍ରକୃତି ଦ୍ରୌପଦୀ ଭୂମିକାରେ ଅଭିନୟ କରିବେ।

ଶୁକ୍ରବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟର ପୋଷ୍ଟ କରିଛନ୍ତି ପ୍ରକୃତି। ତାର୍ନ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅନନ୍ୟା ପଟ୍ଟନାୟକ। ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସସ୍ମିତା ତିଆଡ଼ି ଏବଂ ଆକଶଦୀପ ସିଂହ। ସେହିପରି ଏହାର କ୍ୟାମେରା ପରିଚାଳନା କରୁଛନ୍ତି ‘ଚଳଚ୍ଚିତ୍ର’ ଦୃଷ୍ଟିକୋଣର କ୍ୟାମେରାମ୍ୟାନ କୁହୁ ମଲ୍ଲ। ଫିଲ୍ମଟି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ହେଉଛି।

ନିକଟରେ ଓଲିଉଡ ଅଭିନେତା ବାବୁସାନଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ପ୍ରକୃତି। ଏମିତିକି ବାବୁସାନଙ୍କ ଧର୍ମପତ୍ନୀ ତୃପ୍ତି ତାଙ୍କୁ ରାସ୍ତା ଉପରେ ଆକ୍ରମଣ କରିଥିଲେ। ତୃପ୍ତିଙ୍କୁ ଜବାବ ଦେବା ପାଇଁ ପ୍ରକୃତି ‘ଜଣେ ନାରୀ ହିଁ ଅନ୍ୟ ଜଣେ ନାରୀର ଶତ୍ରୁ’ କହିଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment