ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ଓଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।

ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। ‘ମାତୃଶକ୍ତି’, ‘ତୋ ଆଖି ମୋ ଆଇନା’, ‘ମନ ରହିଗଲା ତୁମରିଠାରେ’ ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ତାଙ୍କ କ୍ୟାରିୟରର ଆଉ ଏକ ମାଇଲଷ୍ଟୋନ ଥିଲା ‘ଜୟ ଜଗନ୍ନାଥ’ ଫିଲ୍ମ। ଏଥିରେ ମା’ ଲକ୍ଷ୍ମୀଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ସେ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଥିଲେ।

ମଡେଲିଂରୁ କ୍ୟାରିୟର ଆରମ୍ଭ

‘‘ସେତେବେଳେ ମଡେଲିଂରୁ ମୁଁ କ୍ୟାରିୟର ଆରମ୍ଭ କରିଥିଲି। ଟେଲିଭିଜନ ବିଜ୍ଞାପନରେ ମଧ୍ୟ କାମ କରିଥିଲି। ବିଭିନ୍ନ ସ୍ଥାନରେ ରାମ୍ପ୍‌ ସୋ କରିବାର ମଧ୍ୟ ସୁଯୋଗ ପାଇଥିଲି। ଏକ  ଜୁଏଲାରି ବିଜ୍ଞାପନର ସୁଟିଂ ବେଳେ ମତେ ସବ୍ୟସାଚୀ ମହାପାତ୍ର ଦେଖିଥିଲେ। ସେ ହିଁ ଫିଲ୍ମ ପାଇଁ ମତେ ଅଫର କରିଥିଲେ। ‘ବୋଉ’ ଥିଲା ମୋର ଡେବ୍ୟୁ ଫିଲ୍ମ। ଏଥିରେ ଅଭିନୟ କରିବା ପରେ ମୋ ମନରେ ଆଗ୍ରହ ସୃଷ୍ଟି ହେଲା। ଫିଲ୍ମର ଅନୁଭୂତି ସାଉଣ୍ଟିବା ପାଇଁ ମୁଁ ଏ ଲାଇନ୍‌କୁ ଆସିଥିଲି’’, ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଜ୍ୟୋତି ମିଶ୍ର।

‘‘ଅଭିନୟ ମୋ ପାଇଁ ପେଶା ନୁହଁ ନିଶା’’

‘‘ମୁଁ ଯେତେବେଳେ ଫିଲ୍ମକୁ ଆସିଥିଲି ସେତେବେଳେ ଭାବି ନଥିଲି ଯେ, ଏ ଦିଗରେ ମୁଁ କ୍ୟାରିୟର କରିବି। କିନ୍ତୁ ଧୀରେ ଧୀରେ ଅଭିନୟ ପ୍ରତି ନିଶା ବଢ଼ିଲା। ଆଉ ସବୁଠୁ ବଡ଼ କଥା, ମୁଁ ବାସ୍ତବରେ ଯେମିତି ମତେ ଅଭିନୟ ପାଇଁ ସେମିତି ହିଁ ଚରିତ୍ର ମିଳୁଥିଲା। ତେଣୁ ମତେ ବେଶୀ କିଛି କଷ୍ଟ କରିବାକୁ ପଡ଼ିନଥିଲା। କିନ୍ତୁ ସେତେବେଳେ ମତେ ଜଣେ ଚାଲେଞ୍ଜ୍‌ କରିଥିଲେ ଯେ, ମୁଁ କେବେ ହିରୋଇନ ହୋଇପାରିବିନି। ତାଙ୍କୁ ମୁଁ ଭୁଲ ପ୍ରମାଣିତ କରିବାକୁ ଲାଗି ପଡ଼ିଥିଲି। ପରବର୍ତ୍ତୀ ସମୟରେ ଦର୍ଶକଙ୍କର ଯେଉଁ ଭଲ ପାଇବା ମତେ ମିଳିଲା, ମୁଁ ଭାବୁଛି ମତେ ଚାଲେଞ୍ଜ୍‌ କରିଥିବା ଲୋକ ତାଙ୍କ ଉତ୍ତର ପାଇସାରିଥିବେ’’, କହିଛନ୍ତି ଜ୍ୟୋତି ମିଶ୍ର।

ମେଗା ଧାରାବାହିକରେ ଜ୍ୟୋତିଙ୍କ ଝଲକ

ମଡେଲିଂରୁ ଗୋଟିଏ, ଦୁଇଟି ଟେଲିଭିଜନ କାର୍ଯ୍ୟକ୍ରମରେ ଉପସ୍ଥାପନା। ପରେ ଦୂରଦର୍ଶନରେ ଭାଗ୍ୟ ବିଧାତା, ଭାଗ୍ୟ ଖେଳୁଛି ଖେଳ, କଥା, ସାରା ଆକାଶ, ଆଶାର କିରଣ ଭଳି ସିରିଏଲରେ ଜ୍ୟୋତିଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହି ସିରିଏଲ ଏବେ ବି ଦର୍ଶକଙ୍କ ମନରେ ରହିଛି। ଛୋଟ ପରଦାରେ ବେଶ୍‌ ସଫଳତା ସାଉଣ୍ଟିବା ପରେ ବଡ଼ ପରଦାକୁ ପାଦ ବଢ଼େଇଥିଲେ ଜ୍ୟୋତି। କିନ୍ତୁ ମେଗା ଧାରାବାହିକରେ ଅଭିନୟ କରିବାର ଅନୁଭୂତି ତାଙ୍କୁ ଫିଲ୍ମ କଲା ବେଳେ ବହୁତ ସାହାଯ୍ୟ କରିଥିଲା।

‘ଜୟ ଜଗନ୍ନାଥ’ ଫିଲ୍ମ ଦେଇଥିଲା ଅନନ୍ୟ ପରିଚୟ

ଜନ୍ମଦାତା, ସହର ଜଳୁଛି, ବାହୁଡ଼ି ବେ ମୋ ଜଗା ବଳିଆ, ମା’ ମଙ୍ଗଳା, ମନ ରହିଗଲା ତୁମରିଠାରେ ଭଳି ଫିଲ୍ମରେ ନାୟିକା ଭାବରେ ଦର୍ଶକଙ୍କ ଆଗକୁ ଆସିଥିଲେ ଜ୍ୟାତି। ଫିଲ୍ମ ‘ମାତୃଶକ୍ତି’ ପାଇଁ ତାଙ୍କୁ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ ହୋଇଥିଲେ। ଏହାପରେ ‘ଝୁଲଣ ମହାନ୍ତି’ ଆଲବମ୍‌ଟି ତାଙ୍କୁ ଆହୁରି ପରିଚିତ କରାଇଥିଲା।

ଏହାପରେ ଜ୍ୟୋତିଙ୍କ କ୍ୟାରିୟରରେ ମାଇଲଷ୍ଟୋନ ପାଲଟିଥିଲା ‘ଜୟ ଜଗନ୍ନାଥ’ ଫିଲ୍ମ। ଏହି ପୌରାଣିକ କଥାଚିତ୍ରରେ ଜ୍ୟୋତି ମା’ ଲକ୍ଷ୍ମୀଙ୍କ ଚରିତ୍ରକୁ ଖୁବ୍‌ ନିଖୁଣ ଭାବେ ନିଭାଇଥିଲେ। ଫିଲ୍ମଟି ୧୫ଟି ଭାଷାରେ ରିଲିଜ ହୋଇଥିଲା। ତେଣୁ ଦେଶ ବିଦେଶରୁ ମତେ ଖୁବ୍‌ ପ୍ରଶଂସା ମିଳିଥିଲା। ଏହି ଫିଲ୍ମ ପାଇଁ ମତେ ଚୟନ କରିଥିବାରୁ ମୁଁ ସବ୍ୟସାଚୀ ମହାପାତ୍ରଙ୍କୁ ଆଜି ବି ଧନ୍ୟବାଦ ଜଣାଇବି। ଏହି ଫିଲ୍ମ ମୋ ଅଭିନୟ ଜୀବନର ସବୁଠୁ ଶ୍ରେଷ୍ଠ ସଫଳତା।

ସେ ସମୟରେ ମତେ ବଙ୍ଗଳା, ଛତିଶଗଡ଼ି ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିବାର ସୁଯୋଗ ମିଳିଥିଲା। ସେଥିପାଇଁ ବହୁତ ଖୁସି ଲାଗେ।

‘‘ମୋ ପୁଅ ପାଇଁ ଅଭିନୟରୁ ଦୂରେଇ ଯାଇଥିଲି’’

‘‘ଅଭିନୟରେ ସକ୍ରିୟ ଥିଲା ବେଳେ ମୋର ବାହାଘର ହୋଇଯାଇଥିଲା। ଯେତେବେଳେ ମୋର ପୁଅଟିଏ ଜନ୍ମ ହେଲା ସେତେବେଳେ ତାକୁ ଅଧିକ ସମୟ ଦେବା ପାଇଁ ମୁଁ ଫିଲ୍ମରୁ ଦୂରେଇଗଲି। ଯଦି ଅଭିନୟ କରିଥାନ୍ତି ତାକୁ ସମୟ ଦେଇପାରିନଥାନ୍ତି। ତେଣୁ ଫିଲ୍ମରୁ ଦୂରେଇ ଗଲି। ଏବେ ମୋ ପୁଅ ବଡ଼ ହୋଇଗଲାଣି। ତେଣୁ ମୁଁ ପୁଣି ଅଭିନୟକୁ ଫେରିଛି। ମୋ ପୁଅକୁ ମୋର ଫିଲ୍ମ ବହୁତ ପସନ୍ଦ। ସେ ଏବେ ବି ମୋ ଅଭିନୀତ ‘ମାତୃଶକ୍ତି’ ଫିଲ୍ମ ଦେଖିବାକୁ ଭଲ ପାଏ’’, କହନ୍ତି ଜ୍ୟୋତି ମିଶ୍ର।

LEAVE A REPLY

Please enter your comment!
Please enter your name here