ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ମସିହାରେ ଓଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ଅନେକ ନାୟକ ଓ ନାୟିକା। ଏବର୍ଷ ପ୍ରଥମଥର ପାଇଁ କିଏ ପୁରୁଣା ନାୟକଙ୍କ ସହ ତ ଆଉ କିଏ ପୁରୁଣା ନାୟିକାଙ୍କ ସହ ପରଦାରେ ନଜର ଆସିବେ। ଆଉ କେତେକ ଯୋଡି ପ୍ରଥମଥର ପାଇଁ ପରଦାରେ ନଜର ଆସିବେ।  

ପରଦାକୁ ଆସୁଛନ୍ତି ନୂଆ ନୂଆ ଓଲିଉଡ଼୍ ଯୋଡ଼ି। ଇତିମଧ୍ୟରେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଛି। ଏଥିରେ ଦୁଇଟି ନୂଆ ଯୋଡିକୁ ଦର୍ଶକ ଦେଖିସାରିଲେଣି। ଏହି ଯୋଡି ହେଲେ ସମ୍ବିତ୍-ସସ୍ମିତା ଓ ଜ୍ୟୋତି-ଏଲିନା। ଏହାପରେ ଆଗକୁ କେଉଁ କେଉଁ ନୂଆ ଓଲିଉଡ୍ ଯୋଡ଼ି ପରଦାରେ ଧମାଲ୍ କରିପାରନ୍ତି, ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା..

ଆର୍ଯ୍ୟନ୍-ନିକିତା:- ୨୦୧୮ର ଏକ ବହୁ ପ୍ରତୀକ୍ଷିତ ସିନେମା ହେଲା ‘ଯୋଗୀ’। ଏହା ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଛବି। ଏଥିରେ ସମ୍ପୂର୍ଣ୍ଣ ଫ୍ରେସ୍ ଚେହେରାକୁ ଗୁରୁତ୍ୱ ଦିଆଯାଇଛି। ଦର୍ଶକ ପ୍ରଥମଥର ପାଇଁ ଏଥିରେ ଏକ ନୂଆ ଯୋଡ଼ିଙ୍କୁ ଭେଟିବେ। ଏହି ଯୋଡ଼ି ହେଲେ ଆର୍ଯ୍ୟନ୍ ଦାଶ କୁମାର ଓ ନିକିତା। ଆର୍ଯ୍ୟନ  ପୂର୍ବରୁ ଦୁଇଟି ଓଡ଼ିଆ ଆଲବମ୍‌ରେ ନଜର ଆସିଥିବା ବେଳେ ନିକିତା ମିଶ୍ର ଜଣେ ଜଣାଶୁଣା ଶିଶୁ କଳାକାର। ‘ଯୋଗୀ’ର ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି ଯେ ମୁଁ ସବୁବେଳେ ନୂଆ କଳାକାରଙ୍କୁ ନେଇ କାମ କରିବାକୁ ଭଲ ପାଏ। ମୋ ପୂର୍ବ ଫିଲ୍ମ ‘କଥା ଦେଲି ମଥା ଛୁଇଁ’ରେ ନାୟକ ଭାବେ ଅମନ୍‌କୁ ବ୍ରେକ୍ ଦେଇଥିଲି, ଏଥର ‘ଯୋଗୀ’ରେ ମୁଁ ଦୁଇଟି ଫ୍ରେସ୍ ଚେହେରା ଆର୍ଯ୍ୟନ୍ ଓ ନିକିତାଙ୍କୁ ଦେଇଛି। ସେ ଦୁହେଁ ଖୁବ୍ ଭଲ ଅଭିନୟ କରିଛନ୍ତି। ଭାବୁଛି ‘ଯୋଗୀ’ ପରେ ଉଭୟ ନାୟକ ଓ ନାୟିକା ଓଲିଉଡରେ ବେଶ୍ ଲୋକପ୍ରିୟତା ହାସଲ କରିବେ। ତେବେ ଏକ ନୂଆ ଯୋଡ଼ି ଦେବା ପଛରେ ଆଉ ଏକ ବଡ଼ କାରଣ ହେଲା ଏହାର କାହାଣୀରେ ସେଭଳି ଆବଶ୍ୟକତା ଥିଲା।

ମୁନ୍ନା-ରୀୟା:- ନୂଆ ପ୍ରଯୋଜକ ଅଶୋକ କୁମାର ଦାସ ଓ ନିର୍ଦ୍ଦେଶକ ଶ୍ରୀତମ ଦାସଙ୍କ ଆଗାମୀ ଫିଲ୍ମ ‘ଦିୱାନା ହେଲି ତୋ ପାଇଁ’ରେ  ଦର୍ଶକ ଦୁଇଟି ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ। ଏଥିମଧ୍ୟରୁ ଗୋଟିଏ ହେଲେ ମୁନ୍ନା-ରୀୟା’। ମୁନ୍ନା ଜଣେ ନବାଗତ, କିନ୍ତୁ ରୀୟା ଓଲିଉଡର ଆଗଧାଡ଼ିର ନାୟିକା। ଏ ସମ୍ପର୍କରେ ନିର୍ଦ୍ଦେଶକ ଶ୍ରୀତମ୍ ଦାସ କହନ୍ତି ‘ମୁନ୍ନା ମୁମ୍ବାଇରେ କାମ କରନ୍ତି, ତାଙ୍କର ଅଭିନୟ ପ୍ରତିଭା ସମ୍ପର୍କରେ ଜାଣିବା ପରେ ‘ମୁଁ ଦିୱାନା ହେଲି ତୋ ପାଇଁ’ରେ କାଷ୍ଟ କରିଛନ୍ତି। ଆଉ ମୁନ୍ନା ଖୁବ୍ ଭଲ ଅଭିନୟ ବି କରିଛନ୍ତି। ଆଶା କରୁଛି ମୁନ୍ନା-ଶ୍ରୀୟାଙ୍କ ଯୋଡ଼ି ଦର୍ଶକଙ୍କ ଭଲପାଇବା ପାଇବେ।

ଶ୍ରୀତମ୍ ଦାସ-ରୀୟା ଦେ:- ଓଲିଉଡର ଦୁଇ ଲୋକପ୍ରିୟ କଳାକାର ହେଲେ ଶ୍ରୀତମ୍ ଦାସ ଓ ରୀୟା ଦେ। ଶ୍ରୀତମ୍ ପାଖାପାଖି ୨୧ ବର୍ଷ ହେବ ଓଲିଉଡରେ ସକ୍ରିୟ ଓ ରୀୟା ଦେ  ୮ ବର୍ଷ ହେବ ନାୟିକା ଭାବେ ପରଦା ଉପରେ ଦେଖୁଛନ୍ତି ଦର୍ଶକ। କିନ୍ତୁ ଦୁହିଁଙ୍କୁ ଏକାଠି କରାଯିବାର ପ୍ରୟାସ ହୋଇନଥିଲା।  ଏହି କାମକୁ ନିଜେ ଶ୍ରୀତମ ଦାସ ସମ୍ପୂର୍ଣ୍ଣ କରିଛନ୍ତି। ହଁ ସେ ତାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଛବି ‘ଦିୱାନା ହେଲି ତୋ ପାଇଁ’ ସେ ନିଜ ବିପକ୍ଷରେ ରୀୟା ଦେଙ୍କୁ ନେଇଛନ୍ତି। ଏଭଳି କରାଯିବା ପଛରେ ଶ୍ରୀତମ୍ କହିଛନ୍ତି, ‘କାହାଣୀରେ ମୋ ଅଭିନୀତ ଭୂମିକାଟି ପଜିଟିଭ୍ ବି ଆଉ ନେଗେଟିଭ୍ ବି। ରୀୟାଙ୍କ ସହିତ କାହିଁକି ଯୋଡ଼ି ହୋଇଛି ତା’ ଫିଲ୍ମ ଦେଖିଲେ ସମସ୍ତେ ଜାଣିପାରିବେ।’

ସାଜନ୍ -ନମିତା:- ଜଣାଶୁଣା ନିର୍ଦ୍ଦେଶକ ଜିତୁ ରାଉତ ତାଙ୍କର ନୂଆ ଓଡ଼ିଆ ଛବି ‘ରାମ ନାମ ସତ୍ୟ ହେ’ରେ ଏକ ନୂଆ ଯୋଡ଼ିକୁ ଆଣୁଛନ୍ତି ପରଦା ଉପରକୁ। ଏଥିରେ ନାୟକ ଭୂମିକାରେ ଅଛନ୍ତି ନବାଗତ ସାଜନ୍ ଓ ନାୟିକା ଭୂମିକା ନିଭାଇଛନ୍ତି ନବାଗତା ନମିତା। ନମିତା ପୂର୍ବରୁ ଅନ୍ୟ ଏକ ସିନେମାରେ ଅଭିନୟ କରିଥିଲେ, ମାତ୍ର ତାହା ରିଲିଜ୍ ହୋଇନାହିଁ। ସାଜନ୍ ହେଉଛନ୍ତି ଖ୍ୟାତାନାମା ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କ ସୁପୁତ୍ର। ସାଜନ୍ -ନମିତାଙ୍କ ଯୋଡ଼ି ସମ୍ପର୍କରେ ନିର୍ଦ୍ଦେଶକ ଜିତୁ ରାଉତ କହିଛନ୍ତି, ‘ମୁଁ ନୂଆ ନାୟକ, ନାୟିକାଙ୍କୁ ଲଞ୍ଚ୍ କରିବାକୁ ପସନ୍ଦ କରେ। ଏଣୁ ଧୁନା ଭାଇ (ସଂଗ୍ରାମ ବିଶ୍ୱାଳ)ଙ୍କ ପୁଅକୁ ହିରୋ ଭାବେ ଏଥିରେ ବ୍ରେକ୍ ଦେଇଛି। ଠିକ୍ ସେହିପରି ନମିତାଙ୍କୁ ମୁଁ ଆଗରୁ ବ୍ରେକ୍ ଦେଇଥିଲି ମୋର ଅନ୍ୟ ଏକ ଫିଲ୍ମ ‘ଲଭ୍ ୟୁ ନନ୍ଦିନୀ’ରେ। ଯାହା  ତାହା ‘ରାମନାମ ସତ୍ୟ ହେ’ ପରେ ରିଲିଜ୍ ହେବ। ଏହି ଫ୍ରେସ୍ ଯୋଡ଼ି ଦର୍ଶକଙ୍କୁ ଭଲ ଲାଗିବ।’

ସବ୍ୟସାଚୀ-ଏଲିନା:- ଓଲିଉଡର ହଟ୍ ହିରୋ ସବ୍ୟସାଚୀ ଓ ଚୁଲ୍‌ବୁଲି ନାୟିକା ଏଲିନା ପୂର୍ବରୁ ଅନେକ ସିନେମାରେ ଅଭିନୟ କରିଥିଲେ, କିନ୍ତୁ ଏ ଦୁହେଁ ଏକାଠି କୌଣସି ସିନେମାରେ ନାୟକ-ନାୟିକା ଭାବେ ଆସିନାହାନ୍ତି ପରଦାରେ। ହେଲେ ଏବର୍ଷ ପ୍ରଥମ ଥର ପାଇଁ ଦର୍ଶକ ସବ୍ୟସାଚୀ-ଏଲିନା ଯୋଡ଼ିକୁ ଦେଖିପାରିବେ। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ରମେଶ ରାଉତ। ସବ୍ୟ-ଏଲିନାଙ୍କ ଯୋଡ଼ିକୁ କାହିଁକି ଏଥିରେ ନିଆଯାଇଛି ବୋଲି ପ୍ରଶ୍ନ କରିବାରୁ ନିର୍ଦ୍ଦେଶକ ରମେଶ ରାଉତ କହନ୍ତି, ‘ଏ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତି ବେଳେ ହିଁ ମୋ’ ମନରେ ସବ୍ୟସାଚୀ ଓ ଏଲିନା ଥିଲେ। ମୁଁ ପ୍ରଥମେ ଏଲିନାଙ୍କୁ କାହାଣୀ ଶୁଣାଇଥିଲି ଓ ସେ ରାଜି ହୋଇଥିଲେ। ତା’ ପରେ ସବ୍ୟସାଚୀଙ୍କୁ ନିଆଯାଇଥିଲା। ମୋର ଆଶା ଦର୍ଶକଙ୍କ ବହୁ ଦିନର ଇଚ୍ଛା ଏହି ଫିଲ୍ମ ‘ଟୋକାଟା ଫସିଗଲା’ ଜରିଆରେ ପୂରଣ ହେବ ଓ ସବ୍ୟ-ଏଲିନାଙ୍କ ଯୋଡ଼ି ମନମୋହିବ।’

ବରଦା-ସୁଶ୍ରୀ:- ଜଣାଶୁଣା ନିର୍ଦ୍ଦେଶକ ମନୋରଞ୍ଜନ ପାଲଙ୍କ ଓଡ଼ିଆ ଛବି ‘ବେଷ୍ଟ ଅଫ୍ ଲକ୍’ରେ ଦର୍ଶକ ଭେଟିବେ ନୂଆ ଯୋଡ଼ିଙ୍କୁ। ଏମାନେ ହେଲେ ବରଦା ପ୍ରସନ୍ନ ଜେନା ଓ ସୁଶ୍ରୀ। ବରଦା ସମ୍ପୂର୍ଣ୍ଣ ନବାଗତ ହେଲେ ସୁଶ୍ରୀ ଆଗରୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ହେଲୋ’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏ ସମ୍ପର୍କରେ ମନୋରଞ୍ଜନ ପାଲ୍ କହନ୍ତି, ‘ବରଦା ଏହି ସିନେମାର ପ୍ରଯୋଜନା ସହ ସଂଶ୍ଳିଷ୍ଟ। ତେଣୁ ତାଙ୍କୁ ନାୟକ ଭାବେ ନିଆଯାଇଛି। ବରଦା-ସୁଶ୍ରୀଙ୍କ ଯୋଡ଼ି ମନଲାଖି ଅଭିନୟ କରିଛନ୍ତି।

Comment