ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ପିସିସି ସଭାପତି ହେଲେ ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ସଯୋଗ କରିବା ପାଇଁ ତିନି ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ରାହୁଲ ଗାନ୍ଧି। ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ନିରଞ୍ଜନ ସେକେଣ୍ଡ ଇନିଂସ ଆରମ୍ଭ କରିବେ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନଙ୍କୁ ପୁଣି ପିସିସି ସଭାପତି କରିଛନ୍ତି। ନିରଞ୍ଜନଙ୍କୁ ସହଯୋଗ କରିବା ପାଇଁ ତିନି ଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ତିନି ଜଣ ନେତାଙ୍କୁ ନେଇ ନିରଞ୍ଜନ ପିସିସି ସଭାପତି ଭାବେ ସେକେଣ୍ଡ ଇନିଂସ୍ ଆରମ୍ଭ କରିବେ।

ନିରଞ୍ଜନ ଏବଂ ତାଙ୍କ ୩ ସହଯୋଗୀ ଓଡ଼ିଶା କଂଗ୍ରେସର ଭାଗ୍ୟକୁ ସୁଧାରି ପାରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନିରଞ୍ଜନ ପଟ୍ଟନାୟକ: ଓଡ଼ିଶା ରାଜନୀତିର ଜଣାଶୁଣା ନେତା ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସର ଚାଣକ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅମଳରୁ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ନିରଞ୍ଜନଙ୍କ ଦବଦବା ରାଜନୀତିରେ ବେଶ୍ ପ୍ରଭାବ ବିସ୍ତାର କରିଛି। ୭୦ ଦଶକରୁ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରି ମନ୍ତ୍ରୀ, ପିସିସି ସଭାପତି ଏବଂ ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି। ଏହା ପୂର୍ବରୁ ସେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ।

୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ କେନ୍ଦୁଝର ମ୍ୟୁନସିପାଲ୍‌ଟି ଅଧ୍ୟକ୍ଷ ରହିଥିଲେ। ଏହାପରେ ସେ କେନ୍ଦୁଝର କୋ-ଅପରେଟିଭ୍ ବ୍ୟାଙ୍କ ସଭାପତି ରହିଥିଲେ। ୧୯୭୭ରେ ଏଆଇସିସି ସଦସ୍ୟ ରହିଥିବା ନିରଞ୍ଜନ ପରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଥିଲେ।

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ଅମଳରେ ନିରଞ୍ଜନ ମନ୍ତ୍ରୀ ପଦ ପାଇଥିଲେ। ୨୦୧୨ରେ ନିରଞ୍ଜନ ପିସିସି ସଭାପତି ହୋଇଥିଲେ। ୨୦୦୯ରେ ଘସିପୁରା ନିର୍ବାଚନମଣ୍ଡଳୀରୁ ନିରଞ୍ଜନ ପରାଜିତ ହୋଇଥିଲେ। ୨୦୧୪ରେ ସେ ନିର୍ବାଚନ ଲଢ଼ି ନଥିଲେ। ଏବେ ପୁଣି ନିରଞ୍ଜନଙ୍କୁ ପିସିସି ସଭାପତି କରିଛନ୍ତି ରାହୁଲ ଗାନ୍ଧି।

ଚିରଞ୍ଜୀବ ବିଶ୍ୱାଳ: କଂଗ୍ରେସର ବରିଷ୍ଠ ନେତା ତଥା ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କାର୍ଯ୍ୟକାରୀ ସଭାପତି କରିଛନ୍ତି ରାହୁଲ ଗାନ୍ଧି। ନିରଞ୍ଜନଙ୍କୁ ସହଯୋଗ କରିବା ପାଇଁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି। ୨୦୧୪ରେ ଚିରଞ୍ଜୀବ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ନବ ଦାସ: ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ କଂଗ୍ରେସ ନେତା ହେଉଛନ୍ତି ନବକିଶୋର ଦାସ। ୨୦୦୯ରୁ କଂଗ୍ରେସ ଟିକେଟରେ ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରେ ମଧ୍ୟ ନବ ବିଜୟୀ ହୋଇଛନ୍ତି। କଂଗ୍ରେସର ଜଣେ ଆଗଧାଡ଼ିର ନେତା ଭାବେ ତାଙ୍କର ପ୍ରଭାବ ରହିଛି।

ପ୍ରଦୀପ ମାଝି: ଆଦିବାସୀଙ୍କ ସିପାହୀ ଭାବେ ନିଜକୁ ପରିଚୟ ଦେଇ ଆସୁଥିବା ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୯ରେ ସେ ନବରଙ୍ଗପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ରାଜ୍ୟ ଯୁବ କଂଗ୍ରେସର ସଭାପତି ମଧ୍ୟ ରହିଥିଲେ ପ୍ରଦୀପ। ଜିଲ୍ଲା ପରିଷଦ ସଭାପତିରୁ ପ୍ରଦୀପ ତାଙ୍କ ରାଜନୀତି କ୍ୟାରିଅର ଆରମ୍ଭ କରିଛନ୍ତି।

Comment