ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲିଛି ଆଇପିଏଲ-୨୦୧୮ ମହାସମର। ଦେଢ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ସାରା ଦେଶରେ ଦେଖିବାକୁ ମିଳୁଛି। ଚୌକା-ଛକାରେ ଷ୍ଟାଡିୟମରେ ଖାଲି ଉଠୁଛିପଡ଼ୁଛି।

କେବଳ ଦର୍ଶକ ନୁହେଁ ଖେଳାଳିଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ଏହି ଆଇପିଏଲ ମହାସମର ଉପଭୋଗ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି। ବିଦେଶରୁ ଆସିଥିବା ଖେଳାଳିଙ୍କ ପତ୍ନୀ ହୁଅନ୍ତୁ କିମ୍ବା ଭାରତୀୟ ଖେଳାଳିଙ୍କ ପରିବାର ସମସ୍ତେ ନିଜ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି।

ସେନ୍‌ ୱାଟସନ୍

ଗତକାଲି ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚାଲିଥିବା ଏକ ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନରେ ଆଗରେ ବିଶାଳ ଲକ୍ଷ୍ୟ ରଖିଥିଲା। ବ୍ୟାଟିଂ ବିଫଳତା ଯୋଗୁ ୬୫ରନରେ ପରାସ୍ତ ହୋଇଥିଲା ରାଜସ୍ଥାନ। ଏହି ମ୍ୟାଚ୍‌ର ହିରୋ ଥିଲେ ଚେନ୍ନାଇ ଟିମ୍‌ର ଷ୍ଟାର ଅଲରାଉଣ୍ଡର ସେନ୍‌ ୱାଟସନ୍। ସେ ଚଳିତ ସିଜିନର ଦ୍ୱିତୀୟ ଶତକ ଅର୍ଜନ କରିଥିଲେ। ଦୁର୍ଦ୍ଧର୍ଷ ବ୍ୟାଟିଂ ଜରିଆରେ ସେ ନିଜ ଶତକ ପୁରା କରିଥିଲେ। ତାଙ୍କ ବ୍ୟାଟିଂ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ପତ୍ନୀ ଫରଲଙ୍ଗସ ଓ ଦୁଇ ପୁଅ ସେନ୍‌ଙ୍କୁ ଚିୟର୍ କରୁଥିବାର ଲକ୍ଷ୍ୟ କରାଯାଇଥିଲା। “ମୋ ପରିବାର ଭାରତକୁ ବହୁତ ଭଲ ପାଆନ୍ତି ଏଥିପାଇଁ ସେ ବର୍ଷରେ ବହୁତ ଥର ଭାରତ ବୁଲିବାକୁ ଆସିଥାନ୍ତି”, ସେନ୍ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି।

ରୋହିତ ଶର୍ମା

ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ତଥା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଚିୟର୍ କରିବା ପାଇଁ ତାଙ୍କ ପତ୍ନୀ ରିତିକା ସର୍ବଦା ପଡ଼ିଆରେ ଉପସ୍ଥିତ ଥାନ୍ତି। କେବଳ ଆଇପିଏଲ୍ ନୁହେଁ ଭାରତ ଖେଳୁଥିବା ପ୍ରତି ମ୍ୟାଚରେ ମଧ୍ୟ ରିତିକା ରୋହିତଙ୍କ ସହ ଯାଇଥାନ୍ତି। ଏଥିପାଇଁ ରୋହିତ କହନ୍ତି, ‘ମୋ କ୍ରିକେଟ୍‌ ସଫଳତାର ସମସ୍ତ ଶ୍ରେୟ ରିତିକାଙ୍କୁ ଦେବି। ସେ ମୋ ଲେଡି ଲକ୍’।

ଚଳିତ ଆଇପିଏଲରେ ମଧ୍ୟ ରୋହିତଙ୍କ ୯୪ରନ୍‌ର ପାଳି ଖେଳିଥିବା ଦିନ ରିତିକା ଷ୍ଟାଡିୟମରେ ଉପସ୍ଥିତ ରହି ସ୍ଵାମୀଙ୍କୁ ଚିୟର କରୁଥିବା ଲକ୍ଷ୍ୟ କରାଯାଇଥିଲା।

କ୍ରିସ୍‌ ଗେଲ୍

ସନରାଇଜର ହାଇଦ୍ରାବାଦ୍‌ ବିରୋଧରେ ଖେଳାଯାଇଥିବା ଆଇପିଏଲ୍ ୧୬ତମ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଷ୍ଟାର ବ୍ୟାଟ୍ସମ୍ୟାନ୍‌ କ୍ରିସ୍ ଗେଲ୍‌ ଧମାକାଦାର ଶତକ ଅର୍ଜନ କରିଥିଲେ। ଏହିସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଗେଲଙ୍କ ପତ୍ନୀ ନତାଶା ଓ ପୁଅ କ୍ଲସ୍। ଦୁହେଁ ଗେଲଙ୍କୁ ଉତ୍ସାହିତ କରୁଥିବାର ଲକ୍ଷ୍ୟ କରାଯାଇଥିଲା।

ମହେନ୍ଦ୍ର ସିଂ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିବାହ ପରେ ପ୍ରାୟ ଅଧିକାଂଶ ମ୍ୟାଚ୍‌ରେ ତାଙ୍କ ପତ୍ନୀ ସାକ୍ଷୀ ଧୋନୀ ଷ୍ଟାଡିୟମରେ ଉପସ୍ଥିତ ରହୁଥିବାର ଦେଖାଯାଏ। କିନ୍ତୁ ଝିଅ ଜିଭା ଜନ୍ମହେବା ପରେ ସେ ମଧ୍ୟ ଡାଡିଙ୍କୁ ଚିୟର କରିବା ପାଇଁ ଆସୁଛି।

ଚଳିତ ଆଇପିଏଲ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ କୁନି ଝିଅ ଜିଭା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍‌ ବେଳେ ଜିଭା ନିଜ ପିତା ଧୋନିଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ପ୍ରଶଂସକଙ୍କ ମନ କିଣି ନେଇଛି। ଏପରିକି ସୁପରଷ୍ଟାର ଶାହାରୁଖ ଖାନ୍‌ ମଧ୍ୟ ତାଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ଚେନ୍ନାଇରେ ଖେଳା ଯାଇଥିବା ଚେନ୍ନାଇ-କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ଅବସରରେ ୩ ବର୍ଷୀୟା ଜିଭାଙ୍କ ସହ ଶାହାରୁଖ ଢେର କିଛି ସମୟ ପର୍ଯ୍ୟନ୍ତ ବାର୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ଏହି ଭିଡିଓ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେହିଭଳି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଧୋନି ୭୯ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଜିଭା ସେହି ମ୍ୟାଚ୍‌ ବେଳେ ମଧ୍ୟ ବାପାଙ୍କୁ ବରାବର ଉତ୍ସାହିତ କରୁଥିଲେ। ମ୍ୟାଚ୍‌ ଅବସରରେ ଧୋନିଙ୍କୁ ଜିଭା କୁଣ୍ଢାଇବାକୁ ଉଦ୍ୟମ କରୁଥିବାର ଫଟୋ ମଧ୍ୟ ଧୋନି ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ୨୦୧୫ ଆଇପିଏଲ୍‌ରେ ଜିଭାଙ୍କୁ ପ୍ରଥମଥର ପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ସେବେଠାରୁ ତାଙ୍କୁ ଧୋନି ଖେଳୁଥିବା ଅଧିକାଂଶ ମ୍ୟାଚ୍‌ ବେଳେ ଦର୍ଶକ ଷ୍ଟାଣ୍ଡରେ ବସିଥିବା ଦେଖିବାକୁ ମିଳିଆସୁଛି।

ବିରାଟ କୋହଲି

ବିବାହର ଗୋଟିଏ ଦିନ ପୂର୍ବରୁ ନିଜ ସମ୍ପର୍କକୁ ଲୁଚାଇ ରଖିଥିବା ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏବେ ଖୋଲାଖୋଲି ଭାବେ ନିଜ ପ୍ରେମ ପ୍ରଦର୍ଶନ କରୁଛନ୍ତି।

ବେଙ୍ଗାଲୁରୁର ଏମ୍‌ ଚିନ୍ନସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)- କିଙ୍ଗ୍‌ ଏକାଦଶ ପଞ୍ଜାବ ମ୍ୟାଚ୍‌ରେ ପତି ବିରାଟ କୋହଲିଙ୍କୁ ଉତ୍ସାହ କରିବା ଲାଗି ପତ୍ନୀ ଅନୁଷ୍କା ଶର୍ମା ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ। ଆରସିବି ବିଜୟରେ ଅନୁଷ୍କା ବେଶ୍‌ ଉଲ୍ଲସିତ ଥିବା ଜଣାପଡିଥିଲା। ଏହି ସମୟରେ ଅନୁଷ୍କା ଫ୍ଲାଇଙ୍ଗ କିସ୍‌ ଦେଇ ନିଜ ଖୁସି ଜାହିର କରିଥିଲେ।

ପୂର୍ବରୁ ବିରାଟ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ଦର୍ଶକ ଥିବା ଗ୍ୟାଲେରୀରେ ଅନୁଷ୍କାଙ୍କୁ ବ୍ୟାଟ୍‌ରୁ ଫ୍ଲାଇଂ କିସ୍‌ ଦେଇଥିଲେ। କିଛି ମାସ ତଳେ ମଧ୍ୟ ସେ ନିର୍ବନ୍ଧ ମୁଦିକୁ କିସ୍‌ କରି ନିଜ ଭଲ ପାଇବା ପ୍ରକାଶ କରିଥିଲେ। ଚଳିତ ଆଇପିଏଲରେ ଅନୁଷ୍କାଙ୍କୁ ପୁଣିଥରେ ଚୁମ୍ବନ ଦେଇ ନିଜ ଭଲ ପାଇବା ଜଣାଇଥିଲେ ବିରାଟ।

 

Comment