ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଖୁବଶୀଘ୍ର ନୂଆ ନତାଲା କୋଠା ଲୋକାର୍ପିତ ହେବ। ସଚିବାଳୟର କିଛି ବିଭାଗ ଏଠାରୁ କାର୍ଯ୍ୟ ଆରମ୍ଭ କରିବା ଆଶା କରାଯାଉଛି। ଏପ୍ରିଲ ମାସରେ ଏହି କୋଠାର କାମ ଶେଷ ହେବା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ କାମ ପୂରା ହେବା ପାଇଁ ଆଉ ଦୁଇ ମାସ ଲାଗିବ। ପୂର୍ତ୍ତ ବିଭାଗର ଜଣେ ଅଧିକାରୀ ଏ କଥା କହିଛନ୍ତି।

ପୁରୁଣା ନତାଲାରେ ଥିବା ୧୫ଟି ବିଭାଗ ନୂଆ ବିଲଡିଂରୁ କାମ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗଠାରୁ ଅନୁମତି ଲୋଡ଼ିଥିଲେ। କିନ୍ତୁ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସରକାର। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ନୂଆ କୋଠା ସଚିବାଳୟର ସମ୍ପ୍ରସାରିତ କୋଠା ହେବ। ଜିଏ ଡିପାର୍ଟମେଣ୍ଟର ଜଣେ ଅଧିକାରୀ କହିଛନ୍ତି ଯେ ପୁରୁଣା ନତାଲା କୋଠାରେ ଯେଉଁ ବିଭାଗଗୁଡ଼ିକ ରହିଛି ସେମାନେ ସେଠି ହିଁ ରହିବେ। ସ୍ଥାନାଭାବ ଓ ଆଧୁନିକ ସୁବିଧା ନଥିବା ଯୋଗୁଁ ସଚିବାଳୟରେ ଯେଉଁ ବିଭାଗ ଗୁଡ଼ିକ ଭଲରେ କାମ କରି ପାରୁନାହାନ୍ତି ସେହି ବିଭାଗଗୁଡ଼ିକ ନୂଆ ନତାଲାରୁ କାମ କରିବେ।

ସଚିବାଳୟ ପଛକୁ ଲାଗି ଯେଉଁ ନତାଲା କୋଠାଟି ରହିଛି ତାହା ଅତି ପୁରୁଣା ଓ ଅଧିକାଂଶ ବିଭାଗୀୟ ମୁଖ୍ୟ ଦପ୍ତର ଏଠି ରହିଛି। ପୁରୁଣା ହୋଇଯାଇଥିବା କାରଣରୁ ଏହାର ସୁରକ୍ଷା ନେଇ ମଧ୍ୟ ମଝିରେ ପ୍ରଶ୍ନ ଉଠିଥିଲା। ସଚିବାଳୟରେ ସ୍ଥାନ ଅଭାବକୁ ଦୃଷ୍ଟିରେ ରଖି ଏକ ନୂଆ ପ୍ରଶାସନିକ କୋଠା ନିର୍ମାଣ ପାଇଁ ୨୦୧୪ରେ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଟେଣ୍ଡରରେ ବିବାଦ ଯୋଗୁଁ ପ୍ରଥମ ଠିକାଦାରଙ୍କୁ ହଟାଇବା ପରେ ଏଲ ଆଣ୍ଡ ଟିକୁ ବାକି କାମ ଶେଷ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ନୂଆ ନତାଲାଟି ନିର୍ମାଣ ସୌଧକୁ ଲାଗି ରହିଛି। ତିନି ଏକର ଜାଗାରେ ନୂଆ ନତାଲା ନିର୍ମିତ ହୋଇଛି ଓ ଏଥିପାଇଁ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comment