ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ନୂତନ ଭାବେ ଗଠିତ ଖେଳ ସଂସ୍ଥା ଭିତରେ ଝଗଡାଝାଣ୍ଟି ଏହି ମହତ ଉଦ୍ଦେଶ୍ୟ ଉପରେ ଥଣ୍ଡା ପାଣି ପକାଇବା ଭଳି ଅନୁଭବ ହେଉଛି। ସେହି କ୍ରମରେ ନୂଆ କରି ପ୍ରତିଷ୍ଠା କରାଯାଇଥିବା ବ୍ୟାଡମିଣ୍ଟନ ଏକାଡେମୀରେ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି।ଫଳରେ କିଶୋର କିଶୋରୀମାନେ ଖେଳ ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି।

ସ୍ପୋର୍ଟସ ଅଥରିଟି ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଗତବର୍ଷ ବ୍ୟାଡମିଣ୍ଟନ ଏକାଡେମୀ ଆରମ୍ଭ ହୋଇଥିଲା। ଏହି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରତିଭାବାନ ଖେଳାଳିଙ୍କୁ ସାମ୍ନାକୁ ଆଣିବା। କିନ୍ତୁ ସଂସ୍ଥାର ପ୍ରଥମ ବର୍ଷଟି ବିବାଦ ଭିତରେ ହିଁ କଟିଛି। ଖବର ଅନୁଯାୟୀ ଏହି ଏକାଡେମୀର ଦାୟିତ୍ୱରେ ଅଛନ୍ତି କୋଚ୍ ରୋମେନ ଘୋଷ। ସେ ଏକାଡେମୀର ନିତିଦିନିଆ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ନିଜ ମନମାନିରେ ସେ ଅନୁଷ୍ଠାନକୁ ଚଳାଉଥିବା ଅଭିଯୋଗ ମଧ୍ୟ ହୋଇଛି।

ଖାଲି ସେତିକି ନୁହେଁ, ସେ ଓଡ଼ିଶାର ଖେଳାଳିଙ୍କୁ ଅଣଦେଖା କରି ପଶ୍ଚିମବଙ୍ଗ ଖେଳାଳିଙ୍କୁ ଅଧିକ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଉଠାଇଛନ୍ତି କିଛି ଛାତ୍ରଛାତ୍ରୀ। ଏହି ପ୍ରିୟାପ୍ରିତି ଯୋଗୁଁ ବେଶ୍ କିଛି ଓଡ଼ିଆ ପିଲା ଏକାଡେମୀ ଛାଡ଼ି ଚାଲିଯାଇଛନ୍ତି।

ଡେପୁଟି କୋଚ୍ ରୂପେ କାର୍ଯ୍ୟ ସମ୍ପାଦନ କରୁଥିବା ମନୋଜ ସାବତଙ୍କୁ ବିଦାୟ କରିଦିଆଯାଇଛି। ରୋମେନ୍ ଘୋଷଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ କିଛି ଅଭିଭାବକ ସ୍ପୋର୍ଟସ୍‌ ଅଥରିଟିର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଓଡ଼ିଶାର ପିଲାମାନେ ସବୁ ପ୍ରକାର ଯୋଗ୍ୟତାକୁ ପୂରଣ କରୁଥିବା ବେଳେ ସେମାନଙ୍କୁ ସୁଯୋଗ ନଦେଇ ବଙ୍ଗଳାର ପିଲାମାନେ ଅଧିକ ସୁଯୋଗ ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କିଛି ଅଭିବାବକ।

Comment