ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଲିଉଡ ମାଲିକ ମହାସଂଘ ପକ୍ଷରୁ କିଛିମାସ ତଳେ ଘୋଷଣା କରାଯାଇଥିଲା ଯେ ଆଉ ସେମାନଙ୍କ ପକ୍ଷରେ ପାର୍ଟି ଚଳାଇବା ସମ୍ଭବପର ନୁହେଁ ସେମାନେ ଗୁଡ଼ାଏ କ୍ଷତି ସହୁଛନ୍ତି। ଯାତ୍ରା କଳାକାରମାନଙ୍କର ପାରିଶ୍ରମିକକୁ ନେଇ ଯଲିଉଡରେ ହଟଚମଟ ସୃଷ୍ଟି ହୋଇଥିଲା। ଏହି କାରଣରୁ ଯଲିଉଡକୁ ସିନେ ଓ ଟେଲି ଦୁନିଆର କଳାକାରମାନେ ଧସେଇ ପଶିଥିଲେ।

ଯାତ୍ରା ଯଲିଉଡ ମାଲିକ ମହାସଂଘ ପକ୍ଷରୁ କିଛିମାସ ତଳେ ଘୋଷଣା କରାଯାଇଥିଲା ଯେ ଆଉ ସେମାନଙ୍କ ପକ୍ଷରେ ପାର୍ଟି ଚଳାଇବା ସମ୍ଭବପର ନୁହେଁ ସେମାନେ ଗୁଡ଼ାଏ କ୍ଷତି ସହୁଛନ୍ତି। ଯାତ୍ରା କଳାକାରମାନଙ୍କର ପାରିଶ୍ରମିକକୁ ନେଇ ଯଲିଉଡରେ ହଟଚମଟ ସୃଷ୍ଟି ହୋଇଥିଲା। ଏହି କାରଣରୁ ଯଲିଉଡକୁ ସିନେ ଓ ଟେଲି ଦୁନିଆର କଳାକାରମାନେ ଧସେଇ ପଶିଥିଲେ।

ଯଲିଉଡକୁ ଓଲିଉଡ କଳାକାରମାନେ ଭଲ ରୋଜଗାର କରୁଥିଲେ। ସେଇଠି ଯାତ୍ରା ମାଲିକମାନେ ନିଜ ନିଜ ଯାତ୍ରା ପାର୍ଟିରେ ଦେବା ଲାଗି ଏକପ୍ରକାରର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାର ସୁଯୋଗ ନେଇ ସିନେ କଳାକାରମାନେ ନିଜର ଦର ବଢ଼ାଉଥିଲେ। ଫଳସ୍ୱରୂପ ଯଲିଉଡରେ ସକ୍ରିୟ ଥିବା ଯାତ୍ରା ପାର୍ଟିଗୁଡ଼ିକର ବଜେଟ୍ ବଢ଼ିଲା ବୋଲି କୁହାଗଲା।

ତେବେ ସେ ଯାହା ହେଉନା କାହିଁକି ଯାତ୍ରା ପାର୍ଟିଗୁଡ଼ିକ କ’ଣ ସତରେ ବନ୍ଦ ହୋଇଯାଇଛି, କି ସେମାନେ ଆସନ୍ତାବର୍ଷ ଲାଗି କଳାକାରମାନଙ୍କୁ ବୁକିଂ କରିନାହାନ୍ତି, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ଯଲିଉଡରେ ଯାହା ଶୁଣିବାକୁ ମିଳୁଛି କେବଳ ଇଷ୍ଟର୍ଣ୍ଣ ଅପେରାର ବିଭିନ୍ନ ପାର୍ଟି ବନ୍ଦ ହେବ। ଅନ୍ୟ ଯାତ୍ରା ପାର୍ଟି ମାଲିକମାନେ ନିଜର ବ୍ୟବସାୟ ଜାରି ରଖିବେ। ପ୍ରକୃତରେ ଏଥିରୁ ପ୍ରଚୁର ଲାଭ ମିଳୁଥିବା ସତ୍ତ୍ୱେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ବୋଲି ଚର୍ଚ୍ଚା ହେଉଛି।

ଯଲିଉଡରେ ଆଉ ଗୋଟିଏ କଥା ଚର୍ଚ୍ଚା ହେଉଛି ଯାତ୍ରା ପ୍ରଯୋଜକମାନେ ଏଭଳି ବନ୍ଦ ନିଷ୍ପତ୍ତି ଜରିଆରେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ସେମାନେ ସରକାରୀ ସବ୍‌ସିଡି ଚାହୁଁଥିଲେ। ଏହା ମିଳିଥିଲେ ଅଧିକ ଲାଭବାନ୍ ହୋଇଥାନ୍ତେ। ଆଉ ଏକ କଥା ହେଲା ଯେ ଏଭଳି ବନ୍ଦର ଧମକ ଯାତ୍ରା କଳାକାରମାନଙ୍କୁ ନିଜର ଆୟତରେ ରଖିବା ପାଇଁ ପରୋକ୍ଷରେ ପ୍ରଚେଷ୍ଟା ଚଳାଇଛନ୍ତି। ଅର୍ଥାତ୍ ଯେଉଁ ଯଲିଉଡ୍ କଳାକାରମାନଙ୍କ ପାରିଶ୍ରମିକ ଆକାଶଛୁଆଁ ହୋଇଛି, ସେମାନେ କିପରି କମ୍ ପଇସା ନେଇ କାମ କରିବେ, ସେହି ଚେଷ୍ଟାରେ ଥିଲେ ପ୍ରଯୋଜକମାନେ।

ଯଲିଉଡର ଭିତରି ସୂତ୍ରରୁ ଜଣାଗଲାଣି ଯେ ଯାତ୍ରା ମାଲିକମାନଙ୍କର ଏହି ଯୋଜନା ଫସର ଫାଟିଯାଇଛି। ଏଭଳି ଘୋଷଣାର ସୁଯୋଗ ନେଇ ଦୁଇଟି ନୂଆ ଯାତ୍ରା ପାର୍ଟି ଓଡ଼ିଶାରେ ସକ୍ରିୟ ହେଲାଣି। ଏଥିମଧ୍ୟରୁ ଗୋଟିଏ ହେଲା ଇନ୍ଦ୍ରମହଲ। ଏହି ଯାତ୍ରାପାର୍ଟି କୁଆଡେ ଇଷ୍ଟର୍ଣ୍ଣରେ ଗତବର୍ଷ କାମ କରିଥିବା କେତେକ ନାମୀ ଦାମୀ କଳାକାରଙ୍କୁ ନିଜ ପାର୍ଟିକୁ ନେଇ ଆସିଛି।

ଖାଲି ସେତିକି ନୁହେଁ ଯଲିଉଡର ଏହି ନୂଆ ଯାତ୍ରା ପାର୍ଟି ଆଗାମୀ ସିଜିନ୍ ପାଇଁ ବିଭିନ୍ନ ଜାଗାରେ ଯାତ୍ରା ପ୍ରଦର୍ଶନ ଲାଗି ମଧ୍ୟ ବୁକିଂ ଆରମ୍ଭ କରିଦେଇଛନ୍ତି। ଠିକ୍ ସେହିପରି ସଂଘରେ ନଥିବା କେତେକ ପାର୍ଟି ମଧ୍ୟ ଉଚ୍ଚ ଦରରେ ଯଲିଉଡ ଷ୍ଟାରଙ୍କୁ ନିଜ ଆଡକୁ ଟାଣି ଆଣିଛନ୍ତି।

ଯାତ୍ରା ଏକ ଲାଭଜନକ ବ୍ୟବସାୟ। ପ୍ରକୃତରେ ଏଥିରେ ଯାତ୍ରା ମାଲିକଙ୍କର ବିଶେଷ କ୍ଷତି ନଥାଏ। ବରଂ ଯାତ୍ରା ପ୍ରଦର୍ଶନ କରାଉଥିବା କମିଟିମାନଙ୍କର କ୍ଷତି ଅଧିକ। ଯେଉଁଠାରେ ଯାତ୍ରା ପରିବେଷଣ କରାଯିବ ଓ ଯେଉଁ ପାର୍ଟି ପ୍ରଦର୍ଶନ କରିବ, ସେହି ଅପେରା ପାର୍ଟି ଯାତ୍ରା ପ୍ରଦର୍ଶନ କରିବା ପୂର୍ବରୁ ମାଲିକ ନିଜର ସମସ୍ତ ପ୍ରାପ୍ୟ ନେଇ ସାରିଥାନ୍ତି। ଏକଥା ବି ଚର୍ଚ୍ଚାରେ ରହିଛି।

ତେଣୁ ଯାତ୍ରା ବନ୍ଦ ହେବାର ଯେଉଁ ଆଶଙ୍କା ଥିଳା, ତାହା ବସ୍ତୁତଃ ସମ୍ଭବ ନୁହେଁ ବୋଲି ଯଲିଉଡରେ ଚର୍ଚ୍ଚା ହେଉଛି। କେତେକ କଳାକାର ବିଭିନ୍ନ ଲୋକଙ୍କୁ ଧରି ନୂଆ ପାର୍ଟି, ଏପରିକି ନୂତନ ସଂଘ ବି ଗଢ଼ିବାର ପ୍ରୟାସରେ ରହିଥିବା ବି ଯଲିଉଡରେ ଚର୍ଚ୍ଚା ହେଉଛି।

Comment