ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନାବାଳିକା ଦୁଷ୍କର୍ମ ମାମଲା
  • ୫ ବର୍ଷ ତଳର ମାମଲାର ରାୟ ପ୍ରକାଶ
  • ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍
  • ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍
  • ରାୟ ଶୁଣି କାନ୍ଦି ପକାଇଲେ ଆଶାରାମ
  • ଯୋଧପୁର ଜେଲ୍‌ ଏବଂ ପୀଡ଼ିତାଙ୍କ ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
  • ପୀଡ଼ିତାଙ୍କ ବାପା କହିଲେ, “ଆମକୁ ନ୍ୟାୟ ମିଳିଛି”

ତଥାକଥିତ ଧର୍ମଗୁରୁ ଏବଂ ପ୍ରବଚକ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଯୋଧପୁର କୋର୍ଟ। ଏହାସହ ତାଙ୍କର ଦୁଇ ସହଯୋଗୀ ରାଜଦାର ଶିଳ୍ପୀ ଏବଂ ଶରତ ଚନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। ଆଶାରାମ ବାପୁଙ୍କୁ ବର୍ତ୍ତମାନ ୭୭ ବର୍ଷ। ଏଣୁ ମୃତ୍ୟୁ ପର୍ଯ୍ୟନ୍ତ ଆଶାରାମ ଜେଲ୍‌ରେ ରହିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

୨୦୧୩ରେ ଆଶାରାମ ବାପୁଙ୍କ ନାଁରେ ଉତ୍ତରପ୍ରଦେଶ ଶାହଜାହଁପୁରର ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଜନୈକା ନାବାଳିକାଙ୍କୁ ଆଶାରାମ ଯୋଧପୁରର ଏକ ଫାର୍ମ ହାଉସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ଆଶାରାମ ବାପୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରହିଥିଲେ।

ଯୋଧପୁର କୋର୍ଟର ଜଜ୍‌ ମଧୁସୂଦନ ଶର୍ମା ଏହି ରାୟ ଶୁଣାଇବା ପରେ ଆଶାରାମ କାନ୍ଦି ପକାଇଥିଲେ ଏବଂ ରାମ ନାମ ଜପ କରିଥିଲେ।

ରାୟ ପ୍ରକାଶ ପାଇବା ପରେ ଯୋଧପୁର ସେଣ୍ଟ୍ରାଲ ଜେଲ ଚାରିପେଟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସହ ପୀଡ଼ିତାଙ୍କ ଗାଁ ଏବଂ ଆଶାରାମଙ୍କ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ। ଆଶାରାମଙ୍କ ସମର୍ଥକମାନେ ଯେମିତି କିଛି ଅଘଟଣ ନଘଟାନ୍ତି ସେଥିପ୍ରତି ପୋଲିସ ପ୍ରଶାସନ ସଜାଗ ରହିଛି। ଆଶାରାମ ବାପୁ ଶାନ୍ତି ରହିବା ପାଇଁ ଜେଲରୁ ତାଙ୍କ ସମର୍ଥକଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ଆଶାରାମଙ୍କ ସପକ୍ଷରେ ୧୪ ଜଣ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।

ନାବଳିକା ପୀଡ଼ିତାଙ୍କ ବାପା କହିଛନ୍ତି, “ଆମକୁ ନ୍ୟାୟ ମିଳିଛି। ଦୋଷୀକୁ କଠୋର ଦଣ୍ଡ ମିଳିଛି। ଏହି ନ୍ୟାୟିକ ଲଢ଼େଇ ଯେଉଁମାନେ ଆମକୁ ସହଯୋଗ କରିଥିଲେ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏଭଳି ଭ୍ରଷ୍ଟାଚାରୀଙ୍କୁ ଫାଶିଦଣ୍ଡ ମିଳିଗଲେ ଆଉ କେହି ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ସାହସ କରିବେ ନାହିଁ।”

Comment