ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ଯାତ୍ରା କେବଳ ତା’ର ଟାଇଟଲ୍ ପାଇଁ ଚର୍ଚ୍ଚାର ବିଷୟ ହୋଇଥାଏ। ଖାଲି ସେତିକି ନୁହେଁ ସେହି ଟାଇଟଲ୍ ଏମିତି ଅଜବ ଲାଗିଥାଏ ଦର୍ଶକଙ୍କୁ ଯେ ସେମାନେ ସେହି ନାଟକ ଦେଖିବା ପାଇଁ ଧାଇଁ ଆସନ୍ତି। ଯଲିଉଡରେ ଅନେକ ପ୍ରକାରର ନାଟକ ଅତୀତରେ ହିଟ୍ ହୋଇଛି। ଯାତ୍ରା ନାଟକମାନଙ୍କର ଟାଇଟଲରେ ରାଜଧାନୀ ବା ଭୁବନେଶ୍ୱରର ଟ୍ରେଣ୍ଡ ବି ଦେଖିବାକୁ ମିଳିଥିଲା।

କେତେବେଳେ ଏଥିରେ ରାଜଧାନୀକୁ ବ୍ୟଙ୍ଗ କରାଯାଇଛି ତ କେତେବେଳେ ପୁଣି ଭୁବନେଶ୍ୱର ସମସ୍ୟାକୁ ନଜରରେ ରଖାଯାଇ ନାଟକ ଲେଖାଯାଇଛି।

ଗୋଲାମ ନଗରୀ ଭୁବନେଶ୍ୱର

ଯଲିଉଡରେ ରାଜଧାନୀକୁ ବ୍ୟଙ୍ଗାତ୍ମକ ଦୃଷ୍ଟିରେ ରଖି ନାଟ୍ୟକାର ଅନନ୍ତ ଓଝା ଲେଖିଥିଲେ ଏକ ବହୁଚର୍ଚ୍ଚିତ ନାଟକ। ଏହାର ଶୀର୍ଷକ ହେଲା ‘ଗୋଲାମ ନଗରୀ ଭୁବନେଶ୍ୱର’। ଏହି ନାଟକଟି ସେତେବେଳେ ବେଶ୍ ଚହଳ ପକାଇଥିଲା। ଏହି ନାଟକଟିକୁ ରୁକ୍ମିଣୀ ଗଣନାଟ୍ୟ ପରିବେଷଣ କରିଥିଲେ।

ଦୂରଦର୍ଶନ ଭୁବନେଶ୍ୱର

ତା’ ପରେ ଯଲିଉଡର ଆଗଧାଡ଼ିର ନାଟ୍ୟକାର ଦିବଂଗତ ଅନନ୍ତ ଓଝା ‘ଦୂରଦର୍ଶନ ଭୁବନେଶ୍ୱର’ ନାଆଁରେ ଆଉ ଏକ ନାଟକ ଲେଖି ବେଶ୍ ଚର୍ଚ୍ଚିତ ହୋଇଥିଲେ। ଏହା କୋଣାର୍କ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ହୋଇଥିଲା।

ଭୁବନେଶ୍ୱର ତୋତେ ଦୁରୁ ଜୁହାର

ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କର ଅନ୍ୟ ଏକ ଲୋକପ୍ରିୟ ନାଟକ ହେଲା, ‘ଭୁବନେଶ୍ୱର ତୋତେ ଦୁରୁ ଜୁହାର’। ୨୦୦୬ ମସିହାରେ ଏହି ନାଟକଟି ଧଉଳି ଗଣନାଟ୍ୟ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା। ଏହି ନାଟକର କଥାବସ୍ତୁ ଥିଲା ଏକଦମ୍ ଛାତିଥରା। ଭୁବନେଶ୍ୱରରେ ଚାକିରି ଖଣ୍ଡେ ପାଇବାକୁ ବା ଠିକା କାମର ଟେଣ୍ଡର ପାଇବାକୁ ଲୋକେ କିପରି ନିଜର ଝିଅ ବୋହୁଙ୍କ ସଉଦା କରିବାକୁ ପଛାନ୍ତି ନାହିଁ, ତାହା ଦେଖିବାକୁ ମିଳିଥିଲା।

ବାଃ ବାଃରେ କ୍ୟାପିଟାଲ୍

ଲୋକପ୍ରିୟ  ନାଟ୍ୟକାର ଅନନ୍ତ ଓଝାଙ୍କର ଅନ୍ୟ ଏକ ଚର୍ଚ୍ଚିତ ନାଟକ ଥିଲା ‘ବାଃ ବାଃରେ କ୍ୟାପିଟାଲ୍’। ଏଥିରେ ବି ନାଟ୍ୟକାର ଭୁବନେଶ୍ୱର ନିଚ୍ଛକ ପ୍ରତିଛବିକୁ ଦର୍ଶକଙ୍କ ସାମ୍ନାକୁ ଆଣିବାର ପ୍ରୟାସ କରିଥିଲେ। ‘ବାଃ ବାଃରେ କ୍ୟାପିଟାଲ’ ନାଟକରେ ଭୁବନେଶ୍ୱରକୁ ଏକ ଛଳନା, ପ୍ରତାରଣା ଓ ଅବିଶ୍ୱାସର ସହର ରୂପେ ଦର୍ଶାଇଥିଲେ ନାଟ୍ୟକାର।

ଅନନ୍ତ ଓଝାଙ୍କ ‘ବାଃ ବାଃରେ କ୍ୟାପିଟାଲ’ ନାଟକର କାହାଣୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା। ଜଣେ ଗାଉଁଲି ଲୋକ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ପୁଅକୁ ମଣିଷ କରିବା ପାଇଁ ଭୁବନେଶ୍ୱରକୁ ପଠାଇଥିଲା। ପୁଅ ରାଜଧାନୀ ମାଟିରେ ପାଦ ଦେଇ ଭିନ୍ନ ମଣିଷ ପାଲଟିଗଲା।

କିଛି ଦିନ ପରେ ଯୁବକଟି ଗାଆଁରେ ଥିବା ନିଜର ବୁଢ଼ା ବାପା, ମାଆ, ଏପରିକି ନିଜର ପତ୍ନୀ ଓ ପୁଅକୁ ବି ଭୁଲିଗଲା। ସେ ଗାଆଁ ମାଟି ମାଡ଼ିଲା ନାହିଁ। ଘଟଣାକ୍ରମେ ସେ କ୍ୟାପିଟାଲରେ ଜଣେ ଆଧୁନିକ ଯୁବତୀକୁ ବାହା ବି ହୋଇଗଲା। ବିବାହ ପରେ ସ୍ତ୍ରୀ କିନ୍ତୁ ତା’ଣ ହୋଇ ରହିଲା ନାହିଁ। ଏହି ଆଧୁନିକ ସ୍ତ୍ରୀ ଜଣକ ରାଜଧାନୀରେ ମନ୍ତ୍ରୀ, ନେତା ଓ ପଦସ୍ଥ ଅଫିସରମାନଙ୍କ ସହିତ ରାତି ବିତାଇ ମୋଟା ଅଙ୍କର ରୋଜଗାର କରିବାରେ ଲାଗିଲା। ଏଭଳି ପରିସ୍ଥିତିରେ କ’ଣ ହୋଇଛି ଯୁବକଟିର ଭାଗ୍ୟ। ସେ ଗାଆଁକୁ ଫେରିଛି କି ନା, ତାର ଉତ୍ତର ମିଳିଥିଲା ‘ବାଃ ବାଃରେ କ୍ୟାପିଟାଲ’ ନାଟକରେ।

ଭୁବନେଶ୍ୱର ନୁହେଁ କାହାର

୨୦୧୫ ମସିହାରେ ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝା ଭୁବନେଶ୍ୱରକୁ ନିଜର କାହାଣୀରେ ରଖି ଏକ ନାଟକ ଲେଖିଥିଲେ। ଏହାର ଟାଇଟଲ ଥିଲା ‘ଭୁବନେଶ୍ୱର ନୁହେଁ କାହାର’। ଏହି ନାଟକରେ ବି ସେ ଭୁବନେଶ୍ୱରର ପରିବେଶ କେତେ କଳୁଷିତ ଓ ଏଠାକାର ଲୋକଙ୍କର ଚରିତ୍ର କେତେ ବିଚିତ୍ର ତାହାର ଉପସ୍ଥାପନା କରିଥିଲେ। ‘ଭୁବନେଶ୍ୱର ନୁହେଁ କାହାର’ ନାଟକଟି ଶିବାନୀ ଗଣନାଟ୍ୟ ପକ୍ଷରୁ ପରିବେଷଣ କରାଯାଇଥିଲା।

ଦିବଂଗତ ନାଟ୍ୟକାର ଅନନ୍ତ ଓଝା ତାଙ୍କର ଉପରୋକ୍ତ ଯାତ୍ରା ନାଟକଗୁଡ଼ିକର ଯେଉଁଭଳି ଭାବେ ଭୁବନେଶ୍ୱରର ଅବତାରଣା କରିଛନ୍ତି, ତାହା ଅନ୍ୟ ଯାତ୍ରା ନାଟକରେ ଦେଖିବାକୁ ମିଳେ ନାହିଁ। ରାଜଧାନୀରେ ଘଟୁଥିବା ଅପକର୍ମ, ସହରୀ ସଭ୍ୟତାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲେ ଯଲିଉଡର ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝା।

Comment