ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ନୀତି ବିରୋଧରେ ବଡ଼ ବାର୍ତ୍ତା ଦେଇଛନ୍ତି କୁନି କୁନି ପିଲା। ଇଟିକିଲି ମିଟିକିଲିର ବାର୍ଷିକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଦୁର୍ନୀତି ବିରୋଧରେ ତୂଳୀ ଧରି ସଚେତନତାର ବାର୍ତ୍ତା ଦେଇଛନ୍ତି।

ଦୁର୍ନୀତି ଆମ ସମାଜରେ ଏକ ବଡ଼ ସମସ୍ୟା। ଦିନକୁ ଦିନ ଏହା ସାରା ଦେଶରେ ଏକ ବଡ଼ ରୋଗ ସଦୃଶ ମାଡ଼ି ଚାଲିଛି। ବିଭିନ୍ନ ସ୍ତରରେ ଦୁର୍ନୀତି ଏତେ ମାତ୍ରାରେ ବଢ଼ିଚାଲିଛି ଲାଞ୍ଚ ନଦେଲେ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଦୁର୍ନୀତି ବିରୋଧରେ ପିଲାମାନଙ୍କ ମନରେ ସଚେତନତା ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଇଟିକିଲି ମିଟିକିଲି ଅନୁଷ୍ଠାନ ପକ୍ଷରୁ ରବିବାରଦିନ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନୋଟୋରିୟମରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ଦୁର୍ନୀତିକୁ ନା ଏବଂ ଦୁର୍ନୀତିମୁକ୍ତ ଭାରତ’।

ବିଭିନ୍ନ ସ୍କୁଲରୁ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ଦୃଷ୍ଟିକୋଣ ଓ ବିଚାରଧାରାକୁ ଭିତ୍ତି କରି ସୁନ୍ଦର ସୁନ୍ଦର ଚିତ୍ରସବୁ ଅଙ୍କନ କରିଛନ୍ତି। କମ୍ ବୟସର ପିଲାମାନେ ତାଙ୍କ ଭାବନାରେ ଦୁର୍ନୀତିକୁ ସୁନ୍ଦର ଭାବରେ ଚିତ୍ରରେ ପ୍ରତିଫଳିତ କରିଥିଲେ। ଏହି ପ୍ରତିଯୋଗିତା ୩ଟି ବିଭାଗରେ ବିଭକ୍ତ କରାଯାଇଥିଲା। ସାନ ସାନ ପିଲାମାନେ ଫୁଲକୁଣ୍ଡ ଏବଂ ଫୁଲ ବଗିଚା ଉପରେ ଚିତ୍ର ଆଙ୍କିଥିଲେ।

ଏମସିଏଲର ମୁଖ୍ୟ ଭିଜିଲାନ୍ସ ଅଫିସର ମନୱାର ଖୁର୍ସିଦ ଚିତ୍ରାଙ୍କନ ପ୍ରତିଯୋଗିତାକୁ ଉଦଘାଟନ କରି ପ୍ରତିଯୋଗୀଙ୍କୁ ଉଦବୋଧନ ଦେଇଥିଲେ।

“ଦିନକୁ ଦିନ ଦୁର୍ନୀତି ବଢ଼ିଚାଲିଛି। ପିଲାମାନଙ୍କ ମଧ୍ୟରେ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପ୍ରତିଯୋଗିତା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରତିଯୋଗୀମାନେ ଆଙ୍କିଥିବା ଚିତ୍ର ମଧ୍ୟରୁ ୧୨ଟି ନିର୍ବାଚିତ ଚିତ୍ରକୁ ନେଇ ଏମସିଏଲ୍ ୨୦୧୯ରେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବ। ଦୁର୍ନୀତି ସମ୍ପର୍କରେ ସଚେତନ କରିବା ପାଇଁ ଏହି କ୍ୟାଲେଣ୍ଡରକୁ ବିଭିନ୍ନ ଅଫିସ୍ ଏବଂ ଅନୁଷ୍ଠାନରେ ବଣ୍ଟନ କରାଯିବ”, କହିଛନ୍ତି ମନୱାର ଖୁର୍ସିଦ।

“ଦୁର୍ନୀତି ଏକ ପାପ ଏହାକୁ କୌଣସି ମୁହୂର୍ତ୍ତରେ ଦେଖିକି ସହିବା ଉଚିତ୍ ନୁହେଁ। ନିଜ ପରିବାର ଭିତରେ ଯଦି କୌଣସି ସଦସ୍ୟ ଦୁର୍ନୀତି କରୁଥାନ୍ତି ତାହା ନ କରିବାକୁ ଗୁରୁଜନମାନେ ପିଲାମାନଙ୍କୁ ସଚେତନ କରିବା ଆବଶ୍ୟକ” କହିଛନ୍ତି ଇଟିକିଲି ମିଟିକିଲି ଅନୁଷ୍ଠାନ ସଭାପତି ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର।

ପ୍ରତିବର୍ଷ ପରି ଚଳିତ ବର୍ଷ ଇଟିକିଲି ମିଟିକିଲି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଚଳିତ ବର୍ଷର ଥିମ୍ ରହିଥିଲା ଦୁର୍ନୀତି ବିରୋଧୀ। ଏହି ଥିମ୍‌ର ପ୍ରାୟୋଜକ ରହିଥିଲା ମହାନଦୀ କୋଲ୍‌ ଫିଲ୍ଡସ୍ ଲିମିଟେଡ (ଏମ୍‌ସିଏ ଲ୍‌)ର ଭିଜିଲାନ୍ସ ବିଭାଗ।

ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଇଟିକିଲି ମିଟିକିଲିର ସମ୍ପାଦକ ଶରତ କୁମାର ନାୟକ। ଅନୁଷ୍ଠାନର ଅନ୍ୟ ସହଯୋଗୀମାନେ ଏହି ବାର୍ଷିକ ଚିତ୍ରାଙ୍କନ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Comment