ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବମିଖାଲ ଓଭରବ୍ରିଜରେ ପୁଣି ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ କାମ ଚାଲିଥିବା ବେଳେ ଲୁହା ରେଲିଂ ଖସିପଡ଼ିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତରଖାନାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜୟ ନାୟକ ଏବଂ ତାଙ୍କ ଘର ସୁନ୍ଦରଗଡ଼ ଅଞ୍ଚଳରେ।

ଗୁରୁବାର ରାତିରେ ୫ ଜଣ ଶ୍ରମିକ ଲୁହା ପାଇପ୍ ଲଗାଉଥିଲେ। ହେଲେ ହଠାତ୍ ଲୁହା ରେଲିଂ ଖସିପଡ଼ିଥିଲା। ଫଳରେ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଲୁହା ରେଲିଂର ଓଜନ ଅଧିକ ଥିବାରୁ ଚାପି ହୋଇ ରହିଥିବା ଶ୍ରମିକ ବାହାରି ପାରି ନଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

୨୦୧୭ ସେପ୍ଟେମ୍ବର ମାସରେ ଓଭରବ୍ରିଜ ଭଶୁଡ଼ିଥିଲା। ଏଥିରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ। ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ତନଘନା ହୋଇଥିଲା। ପୁଣିଥରେ ଏହି ଓଭରବ୍ରିଜରେ ଅଘଟଣ ଘଟିଛି।

ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ପରେ କଂଗ୍ରେସ ଏବଂ ବିଜେପି ରାସ୍ତା ରୋକ୍ କରିଛନ୍ତି। ପଣ୍ଡା ଇନଫ୍ରା ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ରେଲିଂ ଭୁଶୁଡ଼ିବା ଖବରପାଇ ପୂର୍ତ୍ତ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଆସିଛନ୍ତି। ଘଟଣାର ଟେକନିକାଲ ତଦନ୍ତ ଆରମ୍ଭ ହୋଇଛି।

Comment