ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସୂଚନା
  • ଦୁଇ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ଯାଞ୍ଚ ରିପୋର୍ଟ ଆସିବା ପରେ ନୂଆ ଠିକା ସଂସ୍ଥାକୁ ଦିଆଯିବ କାମ
  • ପିସିସି ସଭାପତି ସରକାରଙ୍କୁ ମାରିଲେ ତୀର
  • ପଣ୍ଡା ଇନଫ୍ରାର ଲାଇସେନ୍ସ ରବ୍ଦ ହୋଇନି କାହିଁକି: ନିରଞ୍ଜନ

ବମିଖାଲ ଓଭରବ୍ରିଜ ଦୁଇ ଦୁଇଟି ଜୀବନ ନେବା ପରେ ପ୍ରଶାସନର ଚେତା ପଶିଛି। ଏହି ଓଭରବ୍ରିଜ ନିର୍ମାଣ କାମରୁ ପଣ୍ଡା ଇନଫ୍ରା କମ୍ପାନିକୁ ବାଦ୍ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

ନଳିନୀକାନ୍ତ ପ୍ରଧାନ କହିଛନ୍ତି, “ବମିଖାଲ ଓଭରବ୍ରିଜ ରେଳିଂ ଭାଙ୍ଗିବା ଘଟଣାର ଫରେନସିକ ଯାଞ୍ଚ ଚାଲିଛି। ଦୁଇ ତିନି ଦିନ ଭିତରେ ରିପୋର୍ଟ ମିଳିବ। ରିପୋର୍ଟ ଆସିବା ପରେ ପଣ୍ଡା ଇନଫ୍ରା କମ୍ପାନିକୁ ବାଦ୍ ଦିଆଯିବ। ବମିଖାଲ ଓଭରବ୍ରିଜ ନିର୍ମାଣ କାମ କେଉଁ ଠିକା ସଂସ୍ଥାକୁ ଦିଆଯିବ ତାହା ଦୁଇ ଦିନ ଭିତରେ ସ୍ଥିର କରାଯିବ।”

୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ବମିଖାଲ ଓଭରବ୍ରିଜ ଛାତ ଭୁଶୁଡ଼ିଥିଲା। ଏଥିରେ ୧୧ ଜଣ ଶ୍ରମିକ ଗୁରୁତର ହୋଇଥିଲେ ଏବଂ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ପଣ୍ଡା ଇନଫ୍ରା କମ୍ପାନିର କାମକୁ ନେଇ ଆଙ୍ଗୁଳି ଉଠିଥିଲା। ପଣ୍ଡା ଇନଫ୍ରାକୁ ନିର୍ମାଣ କାମ ନଦେବା ପାଇଁ ଦାବି ହୋଇଥିଲା। ହେଲେ ପୁଣି ପଣ୍ଡା ଇନଫ୍ରା ଏହି ବ୍ରିଜ ନିର୍ମାଣ କରିଥିଲା।

ମେ ୩ରେ ପୁଣି ବମିଖାଲ ଓଭରବ୍ରିଜ ରେଲିଂ ଭାଙ୍ଗିଥିଲା। ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଆଉ ଜଣେ ଶ୍ରମିକ ଗୁରୁତର ହୋଇଥିଲେ। ଏହି ଘଟଣାରେ ପଣ୍ଡା ଇନଫ୍ରାର ଏମ୍‌ଡି ପ୍ରତାପ ପଣ୍ଡା ଗିରଫ ହୋଇଛନ୍ତି।

ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପଣ୍ଡା ଇନଫ୍ରା କମ୍ପାନିକୁ ତୀର ମାରିଛନ୍ତି। ଦୁଇ ଦୁଇଟି ଦୁର୍ଘଟଣା ଘଟିଥିଲେ ବି ପଣ୍ଡା ଇନଫ୍ରାର ଲାଇସେନ୍ସ କାହିଁକି ରବ୍ଦ କରାଯାଇନି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ପଣ୍ଡା ଇନଫ୍ରା କମ୍ପାନି ଏବେ ବି ଜଟଣୀ ଏବଂ ସମ୍ବଲପୁରରେ କାମ କରୁଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି।

Comment