ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ପଣ୍ଡା ଇନ୍‌ଫ୍ରା କରୁଥିବା ନିର୍ମାଣାଧିନ ଫ୍ଲାଏ ଓଭରରୁ ଲୁହାଖଣ୍ଡ ପଡ଼ି ଯୁବକ ଗୁରୁତର। ସାଧାରଣରେ ଅସନ୍ତୋଷ। ଜିଲ୍ଲାପାଳ ଘଟଣାକୁ କହିଲେ ଦୁର୍ଭାଗ୍ୟଜନକ।

(ସମ୍ବଲପୁରରୁ ଗୀତାଞ୍ଜଳୀ ମହାପାତ୍ର) ସମ୍ବଲପୁରରେ ପଣ୍ଡା ଇନ୍‌ଫ୍ରା କମ୍ପାନୀ ଦ୍ୱାରା ଚାଲିଥିବା ଫ୍ଲାଏ ଓଭର କାମରେ ପୁଣି ଦୂର୍ଘଟଣା। ନିର୍ମାଣାଧିନ ଫ୍ଲାଏ ଓଭର ଉପରୁ, ଲୁହାଖଣ୍ଡ ପଡି ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ,ସମ୍ବଲପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ, ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। କିଛିଦିନ ତଳେ, ଏକ ବଡ ଲୁହା ରେଲିଂ ଫ୍ଲାଏ ଓଭର ଉପରୁ ଖସି ପଡିଥିଲେ ମଧ୍ୟ, କୌଣସି ଲୋକ ଆହତ ହୋଇନଥିଲେ।

ବାରମ୍ବାର ପଣ୍ଡା ଇନଫ୍ରା କମ୍ପାନୀ ଦ୍ୱାରା ଚାଲିଥିବା ଫ୍ଲାଏ ଓଭର କାମରେ ଏଭଳି ଦୂର୍ଘଟଣା ଘଟୁଥିଲେ ମଧ୍ୟ, ଏହି ବ୍ଲାକ ଲିଷ୍ଟିଂ କମ୍ପାନୀକୁ ଜିଲ୍ଲାପ୍ରଶାସନ ଅହେକୁତ ଅନୁକମ୍ପା ଦେଖାଉଥିବାରୁ,ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି।

ଲୁହା ଖଣ୍ଡ ପଡି ଜଣେ ବାଇକ ଆରୋହୀଙ୍କ ମୁଣ୍ଡ ଫାଟିଲା। ଗୁରୁତର ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ,ସମ୍ବଲପୁର ଅଇଁଠାପାଲ୍ଲୀ ବାସିନ୍ଦା, ଅତୁଲ୍ୟ କ୍ରିଷ୍ଣା ଦାସ୍‌। ଅତୁଲ୍ୟ ଲକ୍ଷ୍ମୀଟକିଜ୍‌ରୁ ବାହାରି ନିଜ ଅଫିସ୍‌କୁ ଯାଉଥିବା ବେଳେ, ସମ୍ବଲପୁର ମହିଳାଥାନା ସମ୍ମୁଖରେ, ପଣ୍ଡା ଇନ୍‌ଫ୍ରା କମ୍ପାନୀ ଦ୍ୱାରା ଚାଲିଥିବା, ଫ୍ଲାଏଓଭର ତଳ ପଟୁ ସର୍ଭିସ୍‌ ରୋଡ୍‌ରେ ଯାଉଥିଲେ। ହଠାତ୍‌, ନିର୍ମାଣାଧିନ ଫ୍ଲାଏଓଭର ଉପରୁ,ଏକ ବଡ ଲୁହାଖଣ୍ଡ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା ,ସେଠାରୁ ଏକ ଆମ୍ବୁଲାନ୍‌ସ ଯୋଗେ ବୁର୍ଲା ବଡମେଡିକାଲ୍‌କୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ମେଡିକାଲ୍‌ ସୂର୍ତରୁ ପ୍ରକାଶ।

ପଣ୍ଡା ଇନ୍‌ଫ୍ରା କମ୍ପାନୀ ଦ୍ୱାରା ଗତ ୩ବର୍ଷ ଧରି, ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ଠାରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨.୫କିଲୋମିଟର ଫ୍ଲାଏଓଭର ନିର୍ମାଣ କରାଯାଉଛି।

ଏହି ତିନିବର୍ଷ ମଧ୍ୟରେ ଏହା ପଞ୍ଚମ ଦୂର୍ଘଟଣା ହୋଇଥିବା ବେଳେ,ବିନା ସୁରକ୍ଷା ବ୍ୟବସ୍ଥାରେ ଫ୍ଲାଏଓଭର ନିର୍ମାଣ କାମ ଦିନବେଳା ଚାଲୁଥିବାରୁ, ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏ ସଂପର୍କରେ ପ୍ରତ୍ୟକ୍ଷଦର୍ଶୀ ପ୍ରଦୀପ ବହିଦାର ଓ ଅଶୋକ ପ୍ରଧାନଙ୍କ କହିବା ହେଲା, ବିନା ସୁରକ୍ଷାବ୍ୟବସ୍ଥାରେ ପଣ୍ଡା ଇନ୍‌ଫ୍ରା କମ୍ପାନୀ ଜନଗହଳି ପୂର୍ଣ୍ଣ ରାସ୍ତାରେ ଏଭଳି ନିର୍ମାଣ କାର୍ଯ୍ୟ କରୁଥିବାରୁ,ବାରମ୍ବାର ଦୂର୍ଘଟଣା ଘଟୁଛି। ହେଲେ ରାଜ୍ୟ ସରକାର,ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ପୋଲିସ୍‌ର ଛତ୍ରଛାୟା ତଳେ ଥିବାରୁ ପଣ୍ଡା ଇନ୍‌ଫ୍ରା କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଏ ସଂପର୍କରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କହିବା ହେଲା,ଯେ ପୂର୍ବରୁ ମଧ୍ୟ ପଣ୍ଡା ଇନ୍‌ଫ୍ରା କମ୍ପାନୀକୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ। ଦୂର୍ଘଟଣାପରେ, ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କାହିଁକି ଫ୍ଲାଏଓଭର କାମ ଦିନବେଳା ଓ ସବୁଠାରୁ ଜନଗହଳି ପୂର୍ଣ୍ଣ ରାସ୍ତାରେ ବିନା ସୁରକ୍ଷା ବ୍ୟବସ୍ଥାରେ କରାଯାଉଥିଲା, ସେ ନେଇ ଜିଲ୍ଲାପାଳ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

କଳାତାଲିକା ଭୁକ୍ତ ପଣ୍ଡା ଇନ୍‌ଫ୍ରା କମ୍ପାନୀ ର ନିର୍ମାଣ କାମରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ, ରାଜ୍ୟ ସରକାର କମ୍ପାନୀର ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ କାମକୁ ବନ୍ଦ କରିଦେଇଛନ୍ତି। ହେଲେ ସମ୍ବଲପୁରରେ ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ଛତ୍ରଛାୟା ତଳେ ରହି ପଣ୍ଡା ଇନ୍‌ଫ୍ରା କମ୍ପାନୀ ଏଠାରେ ନିର୍ମାଣ କାମ କରି ଚାଲିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comment