ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ଫ୍ଲାଇଓଭର ଖୋଲିବାର ଦୁଇ ଦିନ ହୋଇଛି କି ନାହିଁ ଏଠି ଝାମେଲା ଆରମ୍ଭ ହୋଇଯାଇଛି। ଏହି ପୋଲଟି ଏଥର ଚର୍ଚ୍ଚାରେ ରହିଛି ଭିନ୍ନ କାରଣ ପାଇଁ – ଦଳେଇ ଆଇଲେ ମୂଳରୁ ଗା। କଟକ-ପୁରୀ ରାସ୍ତାରେ ଗମନାଗମନକୁ ସହଜ କରିବ କ’ଣ ଓଲଟି ଏହା ଯାତ୍ରୀଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ଏହାର କାରଣ ଓଭରବ୍ରିଜର ନକ୍ସାରେ ତ୍ରୁଟି। ଭୁଲ ଡିଜାଇନ ଯୋଗୁଁ ଏହି ସେତୁଟି ଏବେ ଯାତ୍ରୀଙ୍କ ପାଇଁ ବୋଝ ହୋଇପଡ଼ିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ଏକ୍‌ କା ଦୋ

ଦୁଇ ଦିନ ଧରି ଗୋଟିଏ କଥା ଦେଖାଯାଉଛି ଏକପାଖିଆ ରାସ୍ତାକୁ  ଯାତ୍ରୀମାନେ ଦୁଇପାଖିଆ ରାସ୍ତା ଭଳି ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ସର୍ଟକଟରେ ଯିବା ପାଇଁ ଦି ଚକିଆ ଯାନ ବ୍ୟବହାରକାରୀମାନେ ଭୁଲ ବାଟରେ ଆସୁଥିବା ଯୋଗୁଁ ଟ୍ରାଫିକ ଜାମ ହେବା ଦେଖାଯାଉଛି। ମନେ ପକାଇ ଦେଉଛୁ ଯେ ଏହି ତିନି ରାସ୍ତା ବିଶିଷ୍ଟ ଓଭରର୍ବ୍ରିଜ ତିଆରି ହୋଇଥିଲା ରସୁଲଗଡ଼, ସହିଦ ନଗର ଓ ବମିଖାଲ ଆଡୁ ଆସୁଥିବା ଯାନବାହାନ ଯେମିତି ସୁରୁଖୁରୁରେ ଯିବା ଆସିବା କରି ପାରିବେ।

ଓଭରବ୍ରିଜ ଖୋଲିବା ପରେ ପରେ ସ୍କୁଟର ଓ ବାଇକ ଚାଳକମାନେ ଗୋଟିଏ ପଟୁ ନଯାଇ ଅପର ପଟରୁ ଆସୁଥିବାରୁ ଘୋର ସମସ୍ୟା ସୃଷ୍ଟି ହୋଇଛି। ଏହି ପୋଲର ନିର୍ମାଣ ପଛରେ ଉଦ୍ଦେଶ୍ୟ ଥିଲା ଯେଉଁମାନେ ବମିଖାଲରୁ ସହିଦ ନଗର ଓ ସହିଦ ନଗରରୁ ରସୁଲଗଡ଼ ଯିବାକୁ ଚାହିଁବେ ସୁବିଧାରେ ଯାଇ ପାରିବେ। ପ୍ରକୃତରେ ରସୁଲଗଡ଼ରୁ ଯେଉଁମାନେ ବମିଖାଲ ଯିବାକୁ ଚାହୁଁଛନ୍ତି ସେମାନେ ଏହି ଓଭରର୍ବ୍ରିଜ ରାସ୍ତା ବ୍ୟବହାର କରିବା କଥା ନୁହେଁ। ସେହିଭଳି ସହିଦ ନଗରରୁ ଯେଉଁମାନେ ବମିଖାଲ ଯିବା ପାଇଁ ଚାହୁଁଛନ୍ତି ସେମାନେ ପ୍ରଥମେ ରସୁଲଗଡ଼ ଯାଇ ସେଠାରୁ ୟୁ-ଟର୍ଣ୍ଣ ନେଇ ସର୍ଭିସ ରୋଡ଼ରେ ଯାଇ ବମିଖାଲରେ ପହଞ୍ଚିବା କଥା। କିନ୍ତୁ ସେ କଥା କେହି କରିବା ଦେଖା ଯାଉନାହିଁ।

ନିୟମ – ବେନିୟମ

ଚାରି ଚକିଆ ଗାଡ଼ି ନିୟମକୁ ମାନୁଥିବା ବେଳେ ଦୁଇ ଚକିଆ ଚାଳକ ମାନେ ଏହି ନିୟମକୁ ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ତେଲ ଓ ସମୟ ବଞ୍ଚାଇବା ପାଇଁ ଟୁ-ହ୍ୱିଲର ଚାଳକ ଭୁଲ ରାସ୍ତାରେ ରସୁଲଗଡ଼ ଓଭରବ୍ରିଜକୁ ବ୍ୟବହାର କରୁଛନ୍ତି। ସେହିଭଳି ରସୁଲଗଡ଼ଠାରେ ଭୁଲ ରାସ୍ତାରେ ବାଇକବାଲା ଯିବା ଆସିବା ଆରମ୍ଭ କରିଦେଇଛନ୍ତି। ଆହୁରି ମଧ୍ୟ ଓଭରବ୍ରିଜ ଉପରେ  ଥିବା ଟ୍ରାଫିକ ଆଇଲାଣ୍ଡକୁ ମଧ୍ୟ ଅପବ୍ୟବହାର କରାଯାଉଛି ଓ ସହିଦ ନଗରରୁ ସିଧା ସଳଖ ବମିଖାଲ ଯିବା ପାଇଁ ଚାଳକମାନେ ବ୍ୟଗ୍ର ଥିବା ଲକ୍ଷ୍ୟ କରାଯାଉଛି।

ଭୁଲ ନକ୍ସା?

ପ୍ରକୃତରେ ଭୁଲଟି  ରହିଛି ଏହି ପୋଲର ମୂଳ ନକ୍ସାରେ। ଏକପାଖିଆ ଓଭରବ୍ରିଜ ଉପରେ ଦୁଇଆଡ଼ୁ ଗାଡ଼ି ଆସିବା ଓ ଯିବା ପୃଥିବୀରେ କେଉଁଠି ଦେଖାଯାଏନାହିଁ। ଡିଜାଇନରେ ତ୍ରୁଟି ଯୋଗୁଁ ଏହି ଅବସ୍ଥା ଭୋଗିବାକୁ ପଡୁଛି ବୋଲି କିଛି ସ୍ଥାନୀୟ ଲୋକଙ୍କ କହିବା କଥା। ଓଭରବ୍ରିଜ ଖୋଲିବା ପରେ ଏହି ଅଞ୍ଚକର ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ଏବେ ପୋଲଟି ଅଧିକ ସମସ୍ୟା ସୃଷ୍ଟି କରିଛି ବୋଲି କହିଛନ୍ତି ଜଣେ ଯାତ୍ରୀ ଅଶୋକ ଚାନ୍ଦ।

ଆଉ କିଛି ଲୋକଙ୍କ ମଧ୍ୟ ଏକା ପ୍ରଶ୍ନ। ଓଭରବ୍ରିଜ ତିଆରି କରାଯାଇଥିଲା ବମିଖାଲ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ  ଯେଉଁମାନେ ସହିଦ ନଗର ଲେବୁଲ କ୍ରସିଂ ପାଖରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଥିଲେ। ସେମାନଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ପୋଲ ନିର୍ମାଣ କରାଯାଇଥିଲା। ଏବେ କିନ୍ତୁ ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ସହିଦ ନଗରରୁ ଯଦି ଆପଣ ବମିଖାଲ ଯିବାକୁ ଚାହୁଁଛନ୍ତି ଏବେ ଆପଣଙ୍କୁ ପ୍ରଥମେ ରସୁଲଗଡ଼ ଯିବାକୁ ହେବ ଓ ସେଠୁ ବୁଲି ତଳ ରାସ୍ତା ଦେଇ ବମିଖାଲରେ ପହଞ୍ଚିବାକୁ ପଡ଼ିବ।

ସମସ୍ୟା ସୁଧୁରିବନି

ସହର ଯୋଜନାରେ ଧାରଣା ରଖୁଥିବା ଜଣେ ବିଶେଷଜ୍ଞ ପୀୟୂଷ ରଞ୍ଜନ ରାଉତ କହନ୍ତି ଯେ ଏହି ଓଭରବ୍ରିଜ ଭବିଷ୍ୟତରେ ବି ସମସ୍ୟା ସୃଷ୍ଟି କରିବା ନିଶ୍ଚିତ ଓ ଏହା ସୁଧୁରିବା ଦେଖାଯାଉନାହିଁ। ନିର୍ମାଣ ପୂର୍ବରୁ ଏହି ସମସ୍ୟା ପ୍ରତି ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବା ଉଚିତ ଥିଲା ବୋଲି ରାଉତ କହିଛନ୍ତି।

ବିଭାଗୀୟ ସଫେଇ

ପୂର୍ତ୍ତ ବିଭାଗର ଇଂଜିନିଅର ପ୍ରଦୀପ କୁମାର ନାୟକ ଯିଏ ଏହି ପୋଲ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିଲେ ତାଙ୍କ କହିବା ଅନୁଯାୟୀ ନକ୍ସାରେ କିଛି ତ୍ରୁଟି ନାହିଁ। ୱାନ୍ -ୱେ ରାସ୍ତା ନିଶ୍ଚିତଭାବେ ଲୋକଙ୍କ ଲାଭରେ ଆସିବ ଓ ଭବିଷ୍ୟତରେ ଲୋକେ ଏହାର ଆବଶ୍ୟକତାକୁ ବୁଝିବେ। ଏବେ ଯେଉଁ ଏଣେତେଣେ  ଲୋକେ ଦୁଇ ଚକିଆ ଧରି ଯାଉଛନ୍ତି ତାହାର କାରଣ ନୂଆ ପୋଲ କେମିତି ହୋଇଛି ଦେଖିବାର ଆଗ୍ରହ ଯୋଗୁଁ ବୋଲି ସେ କହିଛନ୍ତି। ନୂଆ ଓଭରବ୍ରିଜ ଉପରେ ଅଧିକ ସଂଖ୍ୟକ ଟ୍ରାଫିକ ପୋଲିସ ଦେବାକୁ ଆମେ କମିଶନରେଟ ପୋଲିସକୁ ଅନୁରୋଧ କରିଛୁ ବୋଲି ଇଂ ନାୟକ କହିଛନ୍ତି।

Comment