ଡକ୍ଟର ହରପ୍ରସନ୍ନ ଦାସ

ସୁଖ ଓ ଦୁଃଖର ବା ଲାଭ ଓ କ୍ଷତିର ହିସାବ ନକରି ଯାହା ଘଟୁଛି ତାହାକୁ ଆନନ୍ଦରେ ଗ୍ରହଣ କରନ୍ତୁ। ତାହାହିଁ ଜୀବନର ଚିରନ୍ତନ ସତ୍ୟ।

ରମେଶ ବାବୁ ଗତ ସପ୍ତାହରେ ମୋ ପାଖକୁ ଆସିଥିଲେ। ତାଙ୍କର କିଛିଟା ବ୍ୟକ୍ତିଗତ ସମସ୍ୟା ବିଷୟରେ ପରାମର୍ଶ ନେବା ପାଇଁ। ସେ ତାଙ୍କର ବନ୍ଧୁଙ୍କ ପାଖରୁ ଶୁଣିବାକୁ ପାଇଲେ ଯେ ମୁଁ ଜଣେ ଲାଇଫ୍ କୋଚ୍ ଏବଂ ପାରିବାରିକ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦିଏ। ସମସ୍ତ ପ୍ରକାର ମାନସିକ ଦୁଶ୍ଚିନ୍ତାର ସହଜ ଓ ସରଳ ଉପାୟରେ ସମାଧାନର ବାଟ ସମସ୍ତେ ଖୋଜୁଥାନ୍ତି। ସେ ଦିଗରେ ମୁଁ ସଠିକ୍ ପରାମର୍ଶ ଦେଇପାରେ ବୋଲି, ସେହି ବିଶ୍ୱାସ ନେଇ ସେ ମୋ ପାଖକୁ ଆସିଥିଲେ।

ବର୍ଷକ ତଳେ ସେ କେନ୍ଦ୍ର ସରକାରଙ୍କ ଏକ ଅଫିସରୁ ବରିଷ୍ଠ ଅଫିସର ପଦବୀରୁ ଅବସର ନେଇଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ସେମାନେ ଚାକିରୀ କରି ନିଜ ନିଜର ସଂସାର କରି ସାରିଛନ୍ତି। ରମେଶ ବାବୁ ଭୁବନେଶ୍ୱରରେ ତିଆରି କରିଥିବା ନିଜ ଘରେ ରୁହନ୍ତି। ତାଙ୍କର ବ୍ୟବହାର ଅତି ଉତ୍ତମ ଏବଂ ଏକ ପରୋପକାରୀ ବ୍ୟକ୍ତି ଭାବେ ସେ ପରିଚିତ।

ସକରାତ୍ମକ ମନୋଭାବ ଏବଂ ମଣିଷପଣିଆ ଯୋଗୁଁ ଲୋକମାନେ ତାଙ୍କୁ ଭଲପାଆନ୍ତି। ସବୁବେଳେ ମୁହଁରେ ତାଙ୍କର ହସ ଥାଏ। ସମସ୍ତଙ୍କ ସହିତ ଭଲଭାବେ ମିଳିମିଶି ଚଳନ୍ତି। ଯିଏବି ତାଙ୍କ ସହିତ ମିଶିବ, ସେ ନିଶ୍ଚୟ ଜାଣିପାରିବ ଯେ ରମେଶ ବାବୁ ଅତି ଆନନ୍ଦରେ ଅଛନ୍ତି। କିନ୍ତୁ ତାଙ୍କର ଏକ ବ୍ୟକ୍ତିଗତ ଜଟିଳ ସମସ୍ୟା ଯୋଗୁ ସେ ସବୁବେଳେ ମାନସିକ ଯନ୍ତ୍ରଣାରେ ରହିଛନ୍ତି। ଦିନରାତି ମନ ଛଟପଟ। ତା’ର ସମାଧାନ ବାଟ ଖୋଜିବା ପାଇଁ ମୋ ପାଖକୁ ଆସିଥିଲେ।

ଆମର ପ୍ରଥମ ସାକ୍ଷାତରେ ରମେଶ ବାବୁ ପ୍ରାୟ ଏକଘଣ୍ଟା କାଳ ନିଜ ବ୍ୟକ୍ତିଗତ ଜୀବନର ଦୁଃଖ ବିଷୟରେ କହିଚାଲିଲେ। ମୁଁ ଚୁପ୍‌ଚାପ୍ ଧିରସ୍ଥିର ହୋଇ ତାଙ୍କର ସବୁକଥାକୁ ଆଗ୍ରହର ସହିତ ଶୁଣୁଥିଲି। ମଝିରେ କୌଣସି ପ୍ରକାରର ବାଧା ଦେଇନଥିଲି। ମୋର ଉଦ୍ଦେଶ୍ୟ ଥିଲା ରମେଶ ବାବୁ ତାଙ୍କର ସବୁ ଦୁଃଖ ମୋ ପାଖରେ କହିଦେଇ ମନକୁ ହାଲକା କରନ୍ତୁ।

ମନ ଭିତରେ ବହୁତ ଦିନର ଜମାଟ ବାନ୍ଧି ରହିଥିବା କଥା ଗୁଡ଼ାକ ଏକ ନିଃଶ୍ୱାସରେ କହିଯାଉଥିଲେ ରମେଶ ବାବୁ। ମୁଁ ଏକ ଲୟରେ ମନଧ୍ୟାନ ଦେଇ ସବୁ ଗୁଡ଼ିକ ଶୁଣି ଯାଉଥିଲି। ତାଙ୍କ କଥା ସରିଲା ପରେ ମୁଁ ହସିଦେଇ ପଚାରିଲି- ‘ଆପଣ ଏବେ ହାଲକା ହେଲେ ତ?‘ ସେ ହସିଦେଇ କହିଲେ- ‘ହଁ, ମୁଁ ବହୁତ ହାଲକା ହେଲି।’’ ମୁଁ କହିଲି- ‘ଆଜି ଏଇଠି ଥାଉ। ଆମେ କଥା ହେବା ଦ୍ୱିତୀୟ ସାକ୍ଷାତରେ।’’ କିନ୍ତୁ ରମେଶ ବାବୁ ମୋଠାରୁ କିଛି ସମାଧାନର ବାଟ ଶୁଣିବାକୁ ଚାହୁଁଥିଲେ। ପ୍ରାୟତଃ ଅଧିକାଂଶ ଲୋକ ତାଙ୍କ ସମସ୍ୟାର ତୁରନ୍ତ ସମାଧାନ ଚାହିଁଥାନ୍ତି।

ରମେଶ ବାବୁ ସିନା ଘରକୁ ଫେରିଗଲେ। କିନ୍ତୁ ମୁଁ ତାଙ୍କ ବିଷୟରେ ଅଧିକ ଗଭୀର ଭାବରେ ଭାବିବାକୁ ଲାଗିଲି। ତାଙ୍କର ମନଦୁଃଖଟା ସେତେ କିଛି ଅଧିକ ମାରାମତ୍କ ନଥିଲା ବା ଜଟିଳ ସମସ୍ୟା ବି ନଥିଲା। ଜଣେ ଖୋଲାମନ, ସରଳ ସ୍ୱଭାବ, ପରୋପକାରୀ ଏବଂ ଅନ୍ୟମାନଙ୍କୁ ନିଜର ପରି ଭଲ ପାଉଥିବା ମଣିଷଟିଏ ସେ। ଅନ୍ୟମାନଙ୍କୁ ସହଜରେ ସେ ବିଶ୍ୱାସ କରନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେ ଧୋକା ଖାଇଛନ୍ତି। ବିଶେଷକରି ସେ ଯାହାକୁ ବିଶ୍ୱାସ କରନ୍ତି ସେ ହିଁ ଧୋକା ଦେଇଥାନ୍ତି। ତଥାପି ରମେଶ ବାବୁ ଲୋକମାନଙ୍କୁ ବିଶ୍ୱାସ କରିବାର ଗୁଣଟି ଛାଡ଼ିନାହାନ୍ତି। ଏଥିପାଇଁ ପରିବାର ଲୋକମାନେ ତାଙ୍କ ଉପରେ ଅସନ୍ତୁଷ୍ଟ। ତାଙ୍କ ମତରେ ମଣିଷ ମଣିଷକୁ ହିଁ ତ ବିଶ୍ୱାସ କରିବ। ଏଥିରେ ବଡ଼ କଥାଟା କ’ଣ।

ରମେଶ ବାବୁଙ୍କର ମୋ ଉପରେ ବିଶ୍ୱାସ ଥିଲା ଯେ ମୁଁ ତାଙ୍କ ସମସ୍ୟା ସମାଧାନର ସଠିକ୍ ବାଟ ଦେଖାଇବି। ତାଙ୍କ ମନ ଭିତରେ ଥିବା ହଁ ନାହିଁର ଦ୍ୱନ୍ଦ୍ୱ ତଥା ମାନସିକ ଯନ୍ତ୍ରଣାର ଏକ ଚିରସ୍ଥାୟୀ ସମାଧାନ ମୁଁ କରିପାରିବି। ତାଙ୍କର ମୋ ଉପରେ ଅଗାଢ଼ ବିଶ୍ୱାସ ଥିଲା। କିନ୍ତୁ ମୁଁ ତାଙ୍କୁ କେମିତି ବୁଝାଇବି ଯେ ସେ ଯାହା ଅଙ୍ଗେ ନିଭାଉଛନ୍ତି ତାହା ହିଁ ଚିରନ୍ତନ ସତ୍ୟ। ଯେପରି ମଣିଷ ମଣିଷକୁ ବିଶ୍ୱାସ କରିବାଟା ନିଶ୍ଚିତ, ସେହିପରି ବିଶ୍ୱାସରେ ଧୋକା ଖାଇବାଟା ମଧ୍ୟ ନିଶ୍ଚିତ। କିଏ କେତେବେଳେ କାହାକୁ ଧୋକା ଦେବ ସେ କଥା କେହି ବି କହିପାରିବେ ନାହିଁ। ପୁଅ ବାପକୁ, ଝିଅ ମା’କୁ, ଭାଇ ଭାଇକୁ, ସ୍ୱାମୀ ସ୍ତ୍ରୀକୁ ଆଶାତୀତ ଭାବେ ଧୋକା ଦେଉଛନ୍ତି। ପ୍ରତ୍ୟେକ ପରିବାରରେ ସମସ୍ତଙ୍କର ଉଣା ଅଧିକେ ଏହି ଅଭିଜ୍ଞତା ରହିଛି। ଏଣୁ ଏହାର ଚିରନ୍ତନ ସମାଧାନ କେହି ବି କରିପାରିବେ ନାହିଁ। ବିଚିତ୍ର ସଂସାରରେ ସବୁକିଛି ବିଚିତ୍ର।

ଦ୍ୱିତୀୟ ସାକ୍ଷାତରେ ରମେଶ ବାବୁ ବେଶ୍ ଖୁସିଥିବାର ଜଣା ପଡୁଥିଲେ। ସତେ ଯେପରି ତାଙ୍କ ସମସ୍ୟାର ସମାଧାନ ହୋଇଯାଇଛି। ତଥାପି ବି ମୁଁ ହସି ହସି କହିଲି- ‘ଆପଣ ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଭଗବାନଙ୍କ ଉପରେ। ଦୁଇହାତ ଟେକିଦେଇ ସମର୍ପଣର ମନୋଭାବରେ କାମ କରିଚାଲନ୍ତୁ ଅବା ଜୀବନର ପ୍ରତ୍ୟେକ ମୂହୂର୍ତ୍ତକୁ ଆନନ୍ଦରେ ଉପଭୋଗ କରିବା ପାଇଁ ଚେଷ୍ଟା କରନ୍ତୁ। ସୁଖ ଓ ଦୁଃଖର ବା ଲାଭ ଓ କ୍ଷତିର ହିସାବ ନକରି ଯାହା ଘଟୁଛି ତାହାକୁ ଆନନ୍ଦରେ ଗ୍ରହଣ କରନ୍ତୁ। ତାହାହିଁ ଜୀବନର ଚିରନ୍ତନ ସତ୍ୟ।’’ ରମେଶ ବାବୁ ମୋ ହାତଟାକୁ ଜୋରରେ ଜାବୁଡ଼ି ଧରି ପଚାରିଲେ- ‘ମୁଁ ଆପଣଙ୍କୁ ବିଶ୍ୱାସ କରିପାରିବି ତ?’

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

LEAVE A REPLY

Please enter your comment!
Please enter your name here