ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୩ ରାଜ୍ୟରେ ହାଇ ଆଲର୍ଟ
  • ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ଆଶଙ୍କା
  • ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ବହିବ ପବନ
  • ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ

ଉତ୍ତର ଭାରତରେ ତାଣ୍ଡବ ରଚିଥିବା ଝଡ଼ତୋଫାନ ପୁଣି ଲେଉଟିଛି।। କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ସମେତ ୧୩ଟି ରାଜ୍ୟରେ ଜୋରଦାର ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଏବେ ପବନର ବେଗ ବଢ଼ିଛି। ଘଣ୍ଟାକୁ ୭୦ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ କରାଯାଇଛି। ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ୍ ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ, କେରଳରେ ଝଡ଼ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶା ସମେତ ଏସବୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପବନର ବେଗ ବଢ଼ୁଥିବାରୁ କର୍ଣ୍ଣାଟକର ବହୁଗ୍ରାମରେ ବିଦ୍ୟୁତ କାଟ୍ ହୋଇଛି। ଦିଲ୍ଲୀ ସଚିବାଳୟରେ ସୋମବାର ରାତିରେ ଝଡ଼ପବନକୁ ମୁକାବିଲା କରିବା ପାଇଁ ଜରୁରିକାଳୀନ ବୈଠକ ବସିଛି।

ହରିୟାଣା ସରକାର ପୂର୍ବରୁ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ଆଜି ଉତ୍ତର ପ୍ରଦେଶର କିଛି ଜିଲ୍ଲାରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ହରିୟାଣା, ମେରଠ ଏବଂ ଗାଜିଆବାଦର ସମସ୍ତ ସ୍କୁଲ ମଙ୍ଗଳବାର ବନ୍ଦ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ମଧ୍ୟ ଅପରାହ୍ଣ ୧ଟା ପରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ଦିଲ୍ଲୀର କେତେକ ସ୍ଥାନ ଏବଂ ଗାଜିଆବାଦରେ ପବନ ଜୋରରେ ବହିବା ଆରମ୍ଭ କରିଥିବାରୁ ବିଜୁଳି କାଟ ହୋଇଛି। ଲୋକେ ଅନ୍ଧାରରେ ରହିଛନ୍ତି।

ସମ୍ଭାବ୍ୟ ଝଡ଼ତୋଫାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଗୃହ ମନ୍ତ୍ରାଳୟ ଅଧିକାରୀ, ବିପର୍ଯ୍ୟୟ ପ୍ରଶମନ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ, ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଝଡ଼ ଆସିବା ବେଳେ କ’ଣ କରିବା ଉଚିତ୍ ଏବଂ କ’ଣ ନକରିବା ଅନୁଚିତ୍ ସେ ବିଷୟରେ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରୀ କରାଯାଇଛି।

ମଙ୍ଗଳବାର ଦିନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଦିଲ୍ଲୀରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ଅଧିକ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଣୁ ବାହାରକୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Comment