ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାର କିଣିଛି ୱାଲମାର୍ଟ। ଏନେଇ ଫ୍ଲିପକାର୍ଟ ଏବଂ ୱାଲମାର୍ଟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି।

ଭାରତୀୟ ଇ-ରିଟେଲ ଜଗତର ବାଦଶାହ ଫ୍ଲିପ୍‌କାର୍ଟକୁ ବିଶ୍ୱର ସବୁଠୁ ବଡ଼ କମ୍ପାନି ୱାଲମାର୍ଟ କିଣିଛି। ୧୬ ବିଲିୟନ ଡଲାର (୧,୦୭,୨୦୦ କୋଟି)ରେ ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାରକୁ ୱାଲମାର୍ଟ କିଣିଥିବା କମ୍ପାନି ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଏନେଇ ଫ୍ଲିପକାର୍ଟ ଏବଂ ୱାଲମାର୍ଟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଏହାସହ ଫ୍ଲିପକାର୍ଟର ସହ ପ୍ରତିଷ୍ଠାତା ସଚିନ ବନ୍ସଲ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଭାରତୀୟ ଇ-କମର୍ସ ଇତିହାସରେ ଆଜି ଏକ ବଡ଼ ଚୁକ୍ତି ୱାଲମାର୍ଟ ଏବଂ ଫ୍ଲିପକାର୍ଟ ମଧ୍ୟରେ ହୋଇଛି। ଏହି ଚୁକ୍ତି ପରେ ୱାଲମାର୍ଟ ଭାରତୀୟ ବଜାରରେ ବଡ଼ ମଲ୍ଟିନ୍ୟାସନାଲ କମ୍ପାନିରେ ପରିଣତ ହୋଇଛି।

ଫ୍ଲିପକାର୍ଟ ସହ ଚୁକ୍ତି କରିବା ପାଇଁ ୱାଲମାର୍ଟର ସିଇଓ ଡଗ ମୈକାମିଲନ ମଙ୍ଗଳବାର ଭାରତରେ ପହଞ୍ଚିଥିଲେ। ବୁଧବାର ଦିନ ଫ୍ଲିପକାର୍ଟ ସହ ଚୁକ୍ତି କରିଛନ୍ତି। ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାର ସେ କିଣିଥିବା କହିଛନ୍ତି।

ଭାରତରେ ୱାଲମାର୍ଟ ପ୍ରାୟ ୪୩, ୭୦୦ କୋଟି ଟଙ୍କାର ବ୍ୟବସାୟ କରୁଥିଲା। ଏବେ ଫ୍ଲିପ୍‌କାର୍ଟର ୭୭ ପ୍ରତିଶତ ସେୟାର କିଣିବା ପରେ ୱାଲମାର୍ଟ ଭାରତରେ ବର୍ଷକୁ ପ୍ରାୟ ୬୭ ହଜାର କୋଟି ଟଙ୍କାର ବ୍ୟବସାୟ କରିବ।

୨୦୦୭ରେ ବେଙ୍ଗଳୁରୁରେ ଫ୍ଲିପକାର୍ଟ ପ୍ରତିଷ୍ଠା ହୋଇଥିଲା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ପାସ କରିବା ପରେ ସଚିନ ବନସଲ୍ ଏବଂ ବିନି ବନସଲ୍‌ ଏହାକୁ ପ୍ରତିଷ୍ଠା କରିଥିଲେ। ପୂର୍ବରୁ ଉଭୟ amazon.com ରେ କାମ କରୁଥିଲେ। ପରେ ଆମାଜାନ କମ୍ପାନିକୁ ଛାଡ଼ି ୨୦୦୭ ଅକ୍ଟୋବରରେ ଫ୍ଲିପକାର୍ଟ ଅନଲାଇନ ସର୍ଭିସ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠା କରିଥିଲେ। ଅନଲାଇନରେ ବହି ବିକ୍ରି କରିବାରୁ ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଥିଲା ଫ୍ଲିପକାର୍ଟ। ବର୍ତ୍ତମାନ ଏହି କମ୍ପାନିରେ ୩୩ ହଜାର କର୍ମଚାର କାମ କରୁଛନ୍ତି।

Comment