ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ହାରିବା ପରେ ବିଜେପି ନିଜକୁ ନିଜେ କୋଣଠେସା କରି ନେଇଥିବା ବେଳେ ନବୀନ କିନ୍ତୁ ତାଙ୍କର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି।

ଏପ୍ରିଲ ୨୦୧୪। ସମଗ୍ର ଦେଶରେ ମୋଦି ହାୱା। କେବଳ ଓଡ଼ିଶାରେ ହିଁ ଏହି ହାୱା ପଶି ପାରିନଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ଧାରା ଅତୁଟ ରହିଥିଲା। ୨୧ଟି ଲୋକସଭା ଆସନ ଭିତରୁ ବିଜେଡି ୨୦ଟି ଜିତି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। କେବଳ ସୁନ୍ଦରଗଡ଼ ଆସନରେ ବିଜେପିର ଜୁଏଲ ଓରାମ କୌଣସି ପ୍ରକାର ଜିତି ଯାଇଥିଲେ।

ଏହି ୪ ବର୍ଷ ମଧ୍ୟରେ ମହାନଦୀରେ ଅନେକ ପାଣି ବୋହିଯାଇଛି। କିନ୍ତୁ ଶାସକ ବିଜେଡି ପ୍ରେକ୍ଷାପଟରୁ ହଟିବାର ନାଁ ନେଉନାହିଁ। ବିଜେପି ଓଡ଼ିଶାରେ ଏବେ ଏକ ପରାହତ ସୈନ୍ୟ ଭଳି। ନିକଟ ଅତୀତରେ ଦଳ କିଛି ରାଜନୈତିକ ଫାଇଦା ପାଇଥିଲେ ହେଁ ଅମିତ ଶାହାଙ୍କ ଦଳ ପାଇଁ କ୍ଷମତା ଚୌକି ଏବେ ଏକ ଅପହଞ୍ଚ ଇଲାକାରେ ପରିଣତ ହୋଇଛି।

ଗତବର୍ଷ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯେଉଁ ସଫଳତା ମିଳିଲା ତାହାକୁ ହିଁ ନେତାମାନେ ଏ ପର୍ଯ୍ୟନ୍ତ ଧୋଇ ଶୁଖେଇ ଚଳୁଛନ୍ତି। ଅବଶ୍ୟ ଗ୍ରାମାଞ୍ଚଳ ଭୋଟରେ ୧୭ ପ୍ରତିଶତ ବୃଦ୍ଧି କିଛି କମ ନୁହେଁ। ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ସଫଳତା ହାସଲ କଲା ତାହାକୁ ଯଦି ସଂଖ୍ୟାରେ ପକାଯାଏ, ତେବେ ୨୦୧୯ରେ ଏହି ଦଳକୁ ୭ଟି ଲୋକସଭା ଓ ୪୫ଟି ବିଧାନସଭା ଆସନ ମିଳିବା କଥା। ଏହି ଆନୁମାନିକ ବା ମାନସିକ ସଫଳତାକୁ ନେଇ ବିଜେପି ନେତୃବୃନ୍ଦ ଏତେ ମାତ୍ରାରେ ଉତ୍ସାହିତ ହୋଇ ପଡ଼ିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କାର୍ଯ୍ୟକାରିଣୀରେ ଓଡ଼ିଶା ଆମ ଦଖଲକୁ ଆସିବ ବୋଲି ଘୋଷଣା କରିଦେଲେ। ତା’ ପରେ ଆରମ୍ଭ ହେଲା ମିଶ୍ରଣ ପର୍ବ। ବିଭିନ୍ନ ଦଳରୁ ନେତା ଓ ଅଭିନେତା ଆସି ବିଜେପିରେ ଯୋଗ ଦେଲେ।

ସେପ୍ଟେମ୍ବର ୨୦୧୭ରେ ଅମିତ ଶାହା ଓଡ଼ିଶା ପାଇଁ ମିଶନ-୧୨୦କୁ ଉନ୍ମୋଚନ କଲେ। କିନ୍ତୁ ଯାହା କୁହାଯାଏ ୬ ମାସ ରାଜନୀତି ପାଇଁ ବହୁତ ବେଶୀ ସମୟ। ଏବେ ପରିସ୍ଥିତି ଯାହା ବିଜେପି ପାଇଁ ସ୍ରୋତ ଓଲଟା ବହୁଛି। ନବୀନ ପଟ୍ଟନାୟକ ଯେଉଁଭଳି ଆକ୍ରାମକ ଢଙ୍ଗରେ ମାଡି ଚାଲିଛନ୍ତି ଏବଂ ବିଜେପିକୁ ଚେକ୍ ଦେବା ପାଇଁ ଯାବତୀୟ କୌଶଳ ଅବଲମ୍ବନ କରୁଛନ୍ତି ସେଥିରୁ ଜଣାଯାଉଛି ନବୀନଙ୍କ ରଥକୁ ଅଟକାଇବା ବିଜେପି ପାଇଁ ଏକ କଷ୍ଟକର ବ୍ୟାପାର।

ଉତ୍କଳ ବିଶ୍ୱଦ୍ୟାଳୟର ରାଜନୀତି ବିଭାଗର ପ୍ରଫେସର ବୃନ୍ଦାବନ ଶତପଥୀଙ୍କ ମତରେ ଓଡ଼ିଶା ରାଜନୀତିରେ ସବୁଠାରୁ ବଡ଼ ଘଟଣା ହେଉଛନ୍ତି ନବୀନ ନିଜେ।

“ସମଗ୍ର ଦେଶରେ ବିଜେପି ତାର ପତିଆରା ବଢାଇଥାଇପାରେ। କିନ୍ତୁ ନବୀନଙ୍କ ଭଳି ଜଣେ ଲୋକପ୍ରିୟ ନେତାଙ୍କୁ ସାମ୍ନା କରିବା କଷ୍ଟ। ତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ରମଣ କଲେ ଯେ ଭୋଟ ମିଳିଯିବ ଏହା ଭାବିବା ଭୁଲ”,ଏହା କହିଛନ୍ତି ପ୍ରଫେସର ଶତପଥୀ।

ବିଜେପିର ଗଣିତକୁ ଏପଟ ସେପଟ କରିବାର ତରିକା ନବୀନ ଭଲଭାବେ ଜାଣିଛନ୍ତି ଓ ତାହାର ପ୍ରମାଣ ହେଉଛି ବିଜେପୁର ଉପନିର୍ବାଚନ ଫଳ। ବିଜେପି ତ ବିଜେପୁର ଉପନିର୍ବାଚନକୁ ସେମି ଫାଇନାଲ ବୋଲି ଧରିନେଇଥିଲା। କିନ୍ତୁ ବିଜେଡିର ରଣନୀତି ଆଗରେ ବିଜେପି ପୂରା ଫେଲ ମାରିଥିଲା।

ବିଜେପୁର ହାରିବା ପରେ ବିଜେପି ନିଜକୁ ନିଜେ କୋଣଠେସା କରି ନେଇଥିବା ବେଳେ ନବୀନ କିନ୍ତୁ ତାଙ୍କର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ନବୀନ ପଟ୍ଟନାୟକ କଥାଟିକୁ ଠିକ୍ ଭାବେ ଧରିଛନ୍ତି ଯେ ବିଜେପିକୁ ଅଟକାଇବାକୁ ହେଲେ ପଞ୍ଚାୟତ ଭୋଟ ଉପରେ ନଜର ରଖିବାକୁ ହେବ। ଏଇଥିପାଇଁ ବିଗତ କିଛି ଦିନ ଧରି ଗାଁ ଓ ପଞ୍ଚାୟତ ଉପରେ ବେଶ୍ ଗୁରୁତ୍ୱ ଦିଆଯାଇଛି।

ଗ୍ରାମାଞ୍ଚଳ ବିକାଶ ପାଇଁ ନବୀନଙ୍କ ଦ୍ୱାରା ଠିଆ ଠିଆରେ (ଅନ ଦି ସ୍ପଟ) ନୂଆ ନୂଆ କାର୍ଯ୍ୟକ୍ରମ ଓ ପାଣ୍ଠିର ଘୋଷଣା ଏକ ନୂଆ କୌଶଳ। କିଛି ଦିନ ତଳେ ସରକାରୀ ଅର୍ଥରେ ‘ବିଜୁ ଯୁବ ବାହିନୀ’ ଆରମ୍ଭ ହୋଇଛି। ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ଯୁବକମାନଙ୍କୁ ଅକ୍ତିଆର କରିବା ଓ ସେମାନଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ୧୬ ଜିଲ୍ଲାରେ ଯେଉଁ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଉଛି ତାହା ଦଳ ପାଇଁ ବେଶ୍ ଫାଇଦା ଆଣିପାରେ। ଏହି ୧୬ ଜିଲ୍ଲାରୁ ଅଧିକାଂଶ ଜିଲ୍ଲା ପଶ୍ଚିମ ଓଡ଼ିଶାର।

ପଶ୍ଚିମ ଓଡ଼ିଶାର ମନ୍ତ୍ରୀ, ବିଧାୟକ, ସାଂସଦ ଓ ପଞ୍ଚାୟତ ସ୍ତରର ନେତାମାନେ ଏକଜୁଟ ହେବେ ଓ ମହାନଦୀ ଅଭିଯାନ ଆରମ୍ଭ କରିବେ।

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୋଟିଏ ଭଲ କଥା ପଚାରିଛନ୍ତି। ତାଙ୍କ ପ୍ରଶ୍ନ ହେଉଛି ବିଜେଡିକୁ ଶାସନରୁ ହଟାଇବା ତ ଦୂରର କଥା, ୧୪୭ ଆସନ ପାଇଁ ବିଜେପିର ଯୋଗ୍ୟ ପ୍ରାର୍ଥୀ ଅଛନ୍ତି କି?

ତାଙ୍କର ଆଉ ଏକ ପ୍ରଶ୍ନ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ତାଙ୍କ ମତରେ ତୃଣମୂଳ ସ୍ତରରୁ ଉପର ଯାଏ ବିଜେଡିର ସଂଗଠନ ସୁଦୃଢ଼ ଓ ତାଙ୍କ ଦଳକୁ ଚେକ୍ ଦେବା ପାଇଁ କାହାର ଜୁ ନାହିଁ। ଏହିଭଳି ଦେଖିବା ପାଇଁ ଗଲେ, ବିଜେପି ପାଇଁ ସମୟ ଏତେ ଅନୁକୂଳ ଦେଖାଯାଉନାହିଁ। କିନ୍ତୁ ବିଜେପି ନେତା ସୁରେଶ ପୂଜାରୀଙ୍କ ଗୋଟିଏ ଚେତାବନୀକୁ ବି ବିଚାରକୁ ନେବା କଥା। ସେ କହନ୍ତି, “ଯଦି ସିପିଏମ ଭଳି ଏକ ଦୃଢ଼ ସରକାର ଓ ମାଣିକ ସରକାରଙ୍କ ଭଳି ଜଣେ ଅତ୍ୟନ୍ତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ତ୍ରିପୁରାରେ ଲୋକେ କ୍ଷମତାଚ୍ୟୁତ କରିଦେଇ ପାରିଲେ ସେ କଥା ଓଡ଼ିଶାରେ କାହିଁକି ନ ହେବ?”

ଆମେ କଣ କରି ପାରିବୁ ଆସନ୍ତା ନିର୍ବାଚନରେ ତାହା ଜଣାପଡ଼ିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Comment