ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୬ଟାରେ ଶେଷ ହୋଇଛି। ପାଖାପାଖି ୭୦ପ୍ରତିଶତ ମତଦାନ ହୋଇଛି। ମେ ୧୫ରେ ଫଳାଫଳ ଘୋଷଣା କରାଯିବ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ପ୍ରାୟ ୫ କୋଟି ଭୋଟର ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ଏବେ ଅପେକ୍ଷା ମେ ୧୫କୁ।
୨୨୨ଟି ବିଧାନସଭା ଆସନ ପାଇଁ ୫୬ ହଜାର ୬୯୬ଟି ବୁଥରେ ଇଭିଏମ୍ ଜରିଆରେ ମତଦାନ ଗ୍ରହଣ କରାଯାଇଛି । ନିର୍ବାଚନ ଶେଷ ହେବା ପରେ ଆସନ୍ତା ୧୫ ତାରିଖରେ ଭୋଟ ଗଣତି ହେବ।
ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ୨୨୨ଟି ସିଟ୍ରେ ଭୋଟ୍ ଗ୍ରହଣ ହୋଇଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି.ଏସ. ୟେଦ୍ୟୁରପ୍ପା ମଧ୍ୟ ଭୋଟ ଦେଇଛନ୍ତି। ଶିକାରୀପୁରା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ୟେୁଦ୍ୟୁରପ୍ପା। “ଏଥର ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ। ବିଜେପି ୧୫୦ରୁ ଅଧିକ ଆସନ ଜିତି ସରକାର ଗଢିବ”, କହିଛନ୍ତି ୟେୁଦ୍ୟୁରପ୍ପା। ୟେଦ୍ୟୁରପ୍ପା ୨୦୦୮ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ କଂଗ୍ରେସ ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। କର୍ଣ୍ଣାଟକ ଉଭୟ ଦଳ ପାଇଁ ସମ୍ମାନ ପ୍ରଶ୍ନ ହୋଇଛି । ଏହି ନିର୍ବାଚନର ଫଳାଫଳ ୨୦୧୯ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ। ବିଜେପି ଜିତିଲେ ମୋଦି ଓ ବିଜେପି ସରକାରଙ୍କ ଲୋକପ୍ରିୟତା ବଜାୟ ରହିବ।
ସେହିପରି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯଦି କଂଗ୍ରେସ ଜିତେ ତେବେ ୨୦୧୯ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।
୧୫ ତାରିଖରେ ଭୋଟ ଗଣତି ଶେଷ ହେବା ପରେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଆଯିବ।










