ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ଶିଳ୍ପ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ଚାରିବର୍ଷ ମଧ୍ୟରେ ୧,୨୮, ୫୭୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି
  • ନୂତନ ଶିଳ୍ପନୀତି- ୨୦୧୫ କାର୍ଯ୍ୟକାରୀ
  • ୭୯, ୩୬୯.୫୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୫୫ ସଂସ୍ଥା ଦେଇଛନ୍ତି ପ୍ରସ୍ତାବ

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଓଡ଼ିଶା ସରକାର ପୁଞ୍ଜିନିବେଶକାରୀଙ୍କ କାର୍ଯ୍ୟ ସରଳୀକରଣ ଓ ଅନୁସରଣ ନିମନ୍ତେ ଏକକ ବାତାୟନ (ଗୋ-ସ୍ୱିପ୍ଟ) ପ୍ରଚଳନ କରିଛନ୍ତି। ଗଭର୍ଣ୍ଣମେଣ୍ଟ –ଟୁ- ବିଜିନେସ୍ (G2B) ନମୁନାର ରୂପାନ୍ତର ନିମିତ୍ତ ୩ଟିର ବ୍ୟବହାର ଯଥା- ବୈଷୟିକ ଜ୍ଞାନକୌଶଳ (Technology) ସାମୂହିକ ପ୍ରଚେଷ୍ଟା (Team work) ଏବଂ ସ୍ୱଚ୍ଛତା (Transparency) ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବାରେ ବିଶେଷ ସହାୟକ ହୋଇଛି।

ଆସୋଚାମ୍ (Assocham) ସଂସ୍ଥା ଦ୍ୱାରା ୨୦୧୭ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ପୁଞ୍ଜିନିବେଶ କାର୍ଯ୍ୟକାରିତା ହାରରେ  ସମଗ୍ର ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ। ରାଜ୍ୟରେ ବିଗତ ଚାରିବର୍ଷ ମଧ୍ୟରେ ୧,୨୮, ୫୭୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ୧୧୮ରୁ ଅଧିକ ବୃହତ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅନୁମୋଦନ କରାଯାଇଥିବା ସ୍ଥଳେ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ଜନିତ ଆଗ୍ରହ ପ୍ରକାଶ ପାଇଛି। ପ୍ରକଳ୍ପ ପ୍ରତିଷ୍ଠା ସଂକ୍ରାନ୍ତ ଅନୁମୋଦନ ନିମନ୍ତେ ହାରାହାରି ସମୟସୀମା ୪୧୨ ଦିନରୁ ୨୦ ଦିନକୁ ହ୍ରାସ କରାଯାଇଛି।

ରାଜ୍ୟରେ ନିମ୍ନମୁଖୀ ତଥା ଆନୁଷଙ୍ଗିକ ପ୍ରକଳ୍ପ କ୍ଷେତ୍ରରେ ନିବେଶଜନିତ ଅଭିବୃଦ୍ଧି ସାଧନ ନିମନ୍ତେ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଗୁରୁ୍ତ୍ୱ ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନାଲକୋ ସହାୟତାରେ ଅନୁଗୁଳ ଆଲୁମିନିୟମ ଉଦ୍ୟାନ ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟପ୍ରକ୍ରିୟା ଜାରି ରହିଛି। ଏ ବାବଦରେ ୧୦୦୦ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ୧୦ରୁ ଅଧିକ ପ୍ରସ୍ତାବ ପ୍ରାପ୍ତ ହୋଇଛି। ବେସରକାରୀ ଔଦ୍ୟୋଗିକ ଉଦ୍ୟାନ ପ୍ରତିଷ୍ଠା ନୀତି ଅନୁଯାୟୀ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍, ବେଦାନ୍ତ ଓ ଟାଟା ଷ୍ଟିଲ୍‌ ସମେତ ଅନ୍ୟାନ୍ୟ ଉଦ୍ୟୋଗକାରୀଙ୍କ ଦ୍ୱାରା ବିଭିନ୍ନ ନିମ୍ନମୁଖୀ ପ୍ରକଳ୍ପ ଉଦ୍ୟାନ ପ୍ରତିଷ୍ଠା ନିମନ୍ତେ ସମ୍ଭାବନା ଅଛି।

୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଉତ୍ପାଦିତ ମୌଳିକ ଧାତୁ କ୍ଷେତ୍ରରେ ଶତକଡ଼ା ୫୦ ଭାଗରୁ ଅଧିକ ମୂଲ୍ୟଯୋଗ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ନିମ୍ନମୁଖୀ ଓ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଔଦ୍ୟୋଗିକ ଅଭିବୃଦ୍ଧି ସାଧନାରେ ସହାୟତା ପାଇଁ ନୂତନ ଶିଳ୍ପନୀତି- ୨୦୧୫ କାର୍ଯ୍ୟକାରୀ ହୋଇଛି। ରାଜ୍ୟସ୍ତରୀୟ ସୁବିଧା ଓ ସହଯୋଗକାରୀ ପ୍ରଦାନ ପ୍ରକୋଷ୍ଠ ଦ୍ୱାରା ୧୧୯ ଗୋଟି ପ୍ରକଳ୍ପ ବିଚାର କରିବା ସହିତ ୨୨୩ ଗୋଟି ଶିଳ୍ପ ସଂସ୍ଥାଜନିତ ସମସ୍ୟାର ସମାଧାନ କରାଯାଇଛି।

ଉଦ୍ୟୋଗୀମାନଙ୍କ ଦ୍ୱାରା ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା ଜନିତ କାର୍ଯ୍ୟକଳାପ ଅଧିକ ସୁଗମ ତଥା ସରଳୀକରଣ ନିମନ୍ତେ (ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍) ବ୍ୟବସାୟିକ ସରଳୀକରଣ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ସଂସ୍କାର କାର୍ଯ୍ୟକାରିତା କ୍ଷେତ୍ରରେ ଅନୁପାଳନ ହାର ୨୦୧୫ ମସିହାରେ ୫୨.୧୨ ପ୍ରତିଶତ ହୋଇଥିବା ସ୍ଥଳେ ଉକ୍ତ ହାର ୨୦୧୬ ମସିହାରେ ୯୨.୭୩ ପ୍ରତିଶତ ଏବଂ ୨୦୧୭ ମସିହାରେ ୯୭.୮୩ ପ୍ରତିଶତକୁ ବୃଦ୍ଧି ପାଇଛି।

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ – ୨୦୧୬ରେ ୮୪ ଗୋଟି ସଂସ୍ଥା ଓଡ଼ିଶାରେ  ପୁଞ୍ଜିନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ। ତନ୍ମଧ୍ୟରୁ ଏଯାବତ୍ ୫୫ ଗୋଟି ସଂସ୍ଥା ୭୯, ୩୬୯.୫୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାର ଏହି ପ୍ରକଳ୍ପ ଅନୁମୋଦନ କରିବା ଯୋଗୁଁ ୩୦,୫୨୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ। ସଂପ୍ରତି ଦେଶରେ ଆମ ରାଜ୍ୟ ଓଡ଼ିଶା ଶିଳ୍ପୋଦ୍ୟୋଗୀମାନଙ୍କ ପାଇଁ ସର୍ବୋକୃଷ୍ଟ ପୁଞ୍ଜିନିବେଶ ସ୍ଥଳ ଭାବରେ ବିବେଚିତ ହୋଇଛି।

ଚଳିତବର୍ଷ ମଧ୍ୟ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ- ୨୦୧୮ ଆୟୋଜନର ପ୍ରସ୍ତାବ ରହିଛି।

ବିଭାଗ ତରଫରୁ ରାଜ୍ୟରେ ବିଭିନ୍ନ ଔଦ୍ୟୋଗିକ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କ ମାତ୍ରାଧିକ ଆଗ୍ରହ ପ୍ରକାଶ ପାଇଥିବା ବିଷୟରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାର ଏଥି ନିମନ୍ତେ ଆଗ୍ରହୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଅତ୍ୟାଧୁନିକ ଭିତ୍ତିଭୂମିଜନିତ ସୁବିଧା ସୁଯୋଗ ତଥା ଯଥାଶୀଘ୍ର ପ୍ରକଳ୍‌ପ ପ୍ରତିଷ୍ଠା କ୍ଷେତ୍ରରେ ଆବଶ୍ୟକ ସହଯୋଗ ଯୋଗାଇ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି।

କର୍ପୋରେଟ୍ ସାମାଜିକ ଦାୟି୍ତ୍ୱଜନିତ କାର୍ଯ୍ୟ ଆନୁଷ୍ଠାନିକ ଭାବେ ପରିଚାଳନା କରିବା କ୍ଷେତ୍ରରେ ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ସହିତ ସମନ୍ୱୟ ରକ୍ଷାପୂର୍ବକ କର୍ପୋରେଟ୍ ସାମାଜିକ ଦାୟି୍ତ୍ୱ କାର୍ଯ୍ୟକ୍ରମରେ ସୁବିଧାସୁଯୋଗ ସମେତ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଗୋଟିଏ ଉତ୍ସର୍ଗୀକୃତ ପୋର୍ଟାଲ (go care) ଏକ କେନ୍ଦ୍ରିକ ମାଧ୍ୟମ ଭାବେ ପ୍ରଚଳନ କରାଯାଇଛି। ଉନ୍ନୟନମୂଳକ କାର୍ଯ୍ୟକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ପ୍ରସ୍ତାବିତ ୧୦୦୦ କୋଟିରୁ ଅଧିକ ପ୍ରକଳ୍ପ ଶିଳ୍ପାନୁଷ୍ଠାନଙ୍କ ଦ୍ୱାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉକ୍ତ ପୋର୍ଟାଲ୍ ମାଧ୍ୟମରେ ଉପଲବ୍ଧ ହୋଇଛି। ଓଡ଼ିଶାକୁ ଏକ ଶିଳ୍ପସମୃଦ୍ଧ ରାଜ୍ୟ ରୂପେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ।

LEAVE A REPLY

Please enter your comment!
Please enter your name here