ଡକ୍ଟର ଭାଗ୍ୟଲିପି ମଲ୍ଲ

ମୃତ୍ୟୁ ସତ୍ୟ। ହେଲେ ମୃତ୍ୟୁକୁ ବି ଜୟ କରିପାରେ ଜଣେ ନାରୀର ତ୍ୟାଗ ଓ ସମର୍ପଣ।

ରାସ୍ତା ଅନ୍ଧାର। ଅରଣ୍ୟ ପଥ। କର୍ଦ୍ଦମାକ୍ତ। କଣ୍ଟକିତ। ଆଗରେ ମୃତ୍ୟୁ ଦେବତାଙ୍କ ଫାଶରେ ସ୍ୱାମୀଙ୍କ ଜୀବନ। ସାବିତ୍ରୀ ଚାଲିଛନ୍ତି। ଆଶା-ଜଡ଼ରୁ ଜୀବନ, ମୃତ୍ୟୁରୁ ଅ-ମୃତ ପ୍ରାପ୍ତି। ଜୀବନର ଶେଷ ଉପପାଦ୍ୟ କ’ଣ ହୋଇପାରେ? ଏପରି ଏକ ଅସମାହିତ ପ୍ରଶ୍ନ। ଶ୍ରୀ ଅରବିନ୍ଦଙ୍କ ଭାଷାରେ- ଈଶ୍ୱରଙ୍କ ନିଦ୍ରାଭଗ୍ନ ଆଗରୁ ନିରବ ଯାତ୍ରା, ସାବିତ୍ରୀଙ୍କରା  କୁଆଡେ ଏ ଯାତ୍ରା? କେଉଁ ପ୍ରାପ୍ତି ପାଇଁ? ଖାଲି ମୃତ୍ୟୁ-ଦେବତାଙ୍କଠୁ ସ୍ୱାମୀଙ୍କର ଜୀବନ ଭିକ୍ଷା, ନା ସୃଷ୍ଟିର ରହସ୍ୟ ଉର୍ଦ୍ଧ୍ୱରେ ଏକ  ଅମୃତସତ୍ତାର ଅନ୍ୱେଷଣର ଇଚ୍ଛା? ତାହା ଗହନ ପ୍ରଶ୍ନ।

ସେଦିନ ଓ ଆଜି ମଧ୍ୟ। ବୟସ ନିର୍ବିଶେଷରେ ସଧବାଙ୍କ ଆଖିଲମ୍ବି ଯାଇଥାଏ ଗାଁକ। ବାପଘରକୁ। କେହି ନା କେହି ଜଣେ ଅବଶ୍ୟ ଆସିବ। ହାତରେ ଥିବ ସିନ୍ଦୂର, ଶଂଖା, ଅଳତା, କଜଳ, ଫଳ ଏବଂ କେବେ କେବେ  ନୂଆଲୁଗା ଖଣ୍ଡେ। ବାହାଘରର ପ୍ରଥମ ବର୍ଷ ହୋଇଥିଲେ ଭାର। ସେ ଯେଉଁଠି ଅଛି, ସେଇଠି ତା’  ପରିପୂର୍ଣ୍ଣ ସଂସାର ଥାଏ। ମାତ୍ର ସକଳ ପୂର୍ଣ୍ଣତା ସତ୍ତ୍ୱେ ତଥାପି ହୃଦୟରେ କେଉଁଠି ନା କେଉଁଠି ଅଭାବଟିକିଏ ଥାଏ। ତାହା ଦୂର ହୁଏ ଗୋଟିଏ ଜାଗାରେ, ବାପଘର।

ଆଜି ସହରରେ ପାର୍ବଣର ଭିଡ଼। ଏକ ପ୍ରକାର ମହାପାର୍ବଣ। ଭିଡ଼-ଫଳ ଦୋକାନ, ଶାଢୀ ଦୋକାନ, ଚୁଡ଼ି ଦୋକାନ, ମନୋହରି ଦୋକାନ, ଗହଣା ଦୋକାନ। ସ୍ୱାମୀତ୍ୱ ଓ ପତ୍ନୀତ୍ୱର ସହଯାତ୍ରା। ଦୁଇଟି ବ୍ୟକ୍ତି ସତ୍ତା ଭିତରେ ଜଗତ ଯାକର ମତାନ୍ତର ଓ ମନାନ୍ତର। ଜୀବନର ସକଳ ଯୁକ୍ତ ଓ ତିକ୍ତ ଯାତନାକୁ ଭୁଲିଯାଇ, ଅନ୍ତତଃ କିଛି କ୍ଷଣ ପାଇଁ ଯୁକ୍ତ ଆନନ୍ଦର ରୂପାନ୍ତର କରାଯାଇପାରିବ। ନାରୀକୁ ହାତରେ ବ୍ରତ ବାନ୍ଧିବାକୁ ପଡ଼ିବ, ମଥାରେ ସିନ୍ଦୂର, ପାଦରେ ଅଳତା ନାଇବାକୁ ହେବଏବଂ ନୂଆ ଶାଢୀରେ ଦେହ ଘୋଡ଼ାଇଦେବାକୁ ପଡ଼ିବ। ଏକ ସ୍ଥୂଳ ଦେହର ସକଳ ସମ୍ମୋହନ। ଦୁଇଜଣଙ୍କୁ ସାକ୍ଷୀ ରଖି ଅତି ଆନ୍ତରିକ ଅଭିନୟ କରିବାକୁ ହେବ – ସାବିତ୍ରୀ ଓ ସତ୍ୟବାନ। ଘର ଭିତରେ ଏକା ଏକା ଶିଳପୁଆକୁ ସଜେଇ ପୂଜା, ଅଥବା ଅନ୍ୟ କାହା ଘରେ ମିଳିତ ଭାବରେ, ଅଥବା ମନ୍ଦିରରେ। ତିଥି-ଜ୍ୟେଷ୍ଠ ଅମାବାସ୍ୟା। ଦୀପ ଲାଗିବ, ଧୂପର ଧୂଆଁ ଉଠିବ, ହୁଳହୁଳିରେ ଭୂମଣ୍ଡଳ ଉଛୁଳିବ ଏବଂ ଥାଳିରେ ଥିବ ନାନାଜାତିର ଫଳମୂଳ। ବ୍ରତବହି ପଢାଯିବ। ଉପାସ୍ୟ ଦେବତା-ସାବିତ୍ରୀ, ସତ୍ୟବାନ, ଯମଦେବତା। ମୂଳ ଉପାଦାନ- ସ୍କନ୍ଦପୁରାଣ, ଭବିଷ୍ୟପୁରାଣ। ଖାଲି ଓଡ଼ିଆ ନୁହେଁ , ଏହା ଏକ ସର୍ବଭାରତୀୟ ବ୍ରତ-ଉପାସନା। ସ୍ୱାମୀଙ୍କ ଆୟୁଷବୃଦ୍ଧି, ସନ୍ତାନ-ସନ୍ତତିଙ୍କ ମଙ୍ଗଳ ବିଧାନ, ପାପମୁକ୍ତି ଓ ଧନଧାନ୍ୟ ଅଭିବୃଦ୍ଧି- ଏ ବ୍ରତରକାମନା। କିଏ ତିଆରି କଲା ଏତେ କଥା? କାହିଁକି?

ଶିଳ୍ପୀ ରବି ବର୍ମାଙ୍କ ପ୍ରସିଦ୍ଧ ଚିତ୍ର

କିଏ କରିଛି, ଆମେ କହିପାରିବୁ ନାହିଁ। କାହିଁକି ହୋଇଛି-ଅବଶ୍ୟ ଅନ୍ଦାଜ କରିପାରିବୁ। ଏହି କାହିଁକିକୁ ଜାଣିବା ପାଇଁ ଗପଟିଏ ଲେଖାଯାଇଛି। ଗପ ଭାରି ପରିଚିତ। ତାହା ଅଳ୍ପରେଏହିପରି। ଜଣେ ରାଜା ଥିଲେ (ବହୁଗପର ନାୟକରାଜା/ସାମନ୍ତ ଓ ସାଧବ)। ତାଙ୍କ ନାଁ ଅଶ୍ୱପତି-ଅମିତଶକ୍ତିର ପ୍ରତୀକ। ଭାଗ୍ୟଦୋଷରୁ ସେ ରାଜ୍ୟ ହାରିଛନ୍ତି (ଭାଗ୍ୟକାଳେ ଏମିତି ଘଟଣାର କାରଣ)। ତାଙ୍କର ଗୋଟିଏ ବୋଲି ପୁଅ। ନାଁ-ସତ୍ୟବାନ (ସତ୍ୟ ହିଁ ବ୍ୟକ୍ତିର ଗତିଶୀଳତା ଓ ପ୍ରତିଷ୍ଠାର କାରଣ)। ତାଙ୍କୁ ଭଲପାଇଲେ ଜଣେ ତରୁଣୀ- ସାବିତ୍ରୀ। ଉଭୟ ସମଗ୍ର ଜୀବନ ପାଇଁ ପରସ୍ପରକୁ ସାଥୀ କରିଦେଲେ। ସତ୍ୟବାନ କାଠ ହାଣିବାକୁ ଜଙ୍ଗଲକୁ ଯାଆନ୍ତି। ବିକି ପେଟ ପୋଷନ୍ତି। (ଭାଗ୍ୟରେ ଥିଲେ ଏମିତି ଘଟଣା ସବୁଘଟେ)। ଏବଂ, ତାଙ୍କ ସହଯାତ୍ରିଣୀ ହୁଅନ୍ତି ସାବିତ୍ରୀ।

ଦିନକର କଥା। ସତ୍ୟବାନଙ୍କର ପରମାୟୁ ସଂସାରରେ ଶେଷ ହୋଇଯାଇଛି। କାଠ ହାଣୁହାଣୁ ସେ ମାଟି ଉପରକୁ ଖସି ପଡିଛନ୍ତି। ଏହି ଅଭାବିତ  ଓ ଆକସ୍ମିକ ଘଟଣା ସାବିତ୍ରୀଙ୍କୁ ଆହତ ଓ ଚକିତ କରିଛି। ପ୍ରିୟତମଙ୍କ ମଥାକୁ ସେ କୋଳରେ ରଖିଛନ୍ତି। ସତ୍ୟବାନଙ୍କ ପ୍ରାଣଶକ୍ତିକୁ ନେଇଯିବା ପାଇଁ ତାଙ୍କ ପାଖରେ ସ୍ୱଦେହରେ ବିଜେ କରିଛନ୍ତି ସ୍ୱୟଂ ମହାକାଳ। ଯମରାଜ। ସାବିତ୍ରୀ କିନ୍ତୁ ଅବିଚଳିତା। ସେ ସ୍ୱାମୀଙ୍କୁ ଦେଇପାରିବେ ନାହିଁ। ତାଙ୍କ ଆଚରଣରେ ବିମୂଢ ଓ ମୁଗ୍ଧ ହୋଇଛନ୍ତି ମହାକାଳ। କହିଛନ୍ତି- ସତ୍ୟବାନଙ୍କ ପ୍ରାଣସତ୍ତା ବ୍ୟତୀତ ଅନ୍ୟ ଯେ କୌଣସି ସଂପଦ ତାଙ୍କଠାରୁ ସେ ମାଗି ନେଇପାରନ୍ତି। ସଂଖ୍ୟାରେ ମାତ୍ର ତିନୋଟି। ଏବଂ, ସାବିତ୍ରୀ – ତ୍ରିବାର ସତ୍ୟପାଠ କରାଇନେଇଛନ୍ତି ଯମଙ୍କ ତୁଣ୍ଡରୁ। ଶ୍ୱଶୁର ରାଜ୍ୟ ଫେରିପାଇବେ। ତଥାସ୍ତୁ। ଶେଷ ବରଟି ସେ ସନ୍ତାନବତୀ ହେବେ। ତଥାସ୍ତୁ।

ଯମଙ୍କର ଏଥର ଦାବି,  ତୁମଇଛା ପୂର୍ଣ୍ଣହୋଇଛି ଦେବୀ, ସତ୍ୟବାନଙ୍କ ପ୍ରାଣ ଫେରାଇଦିଅ। ସାବିତ୍ରୀ ପୂର୍ବବତ୍ ଅବିଚଳିତା ରହି ପ୍ରଣାମକରିଛନ୍ତି ମହାକାଳଙ୍କୁ। ଏବଂ, ପ୍ରଶ୍ନକରିଛନ୍ତି, ସ୍ୱାମୀର  ଅବର୍ତ୍ତମାନରେ କେହି କ’ଣ କେବେ ସନ୍ତାନବତୀ ହୋଇପାରେ? ଆପଣ ପିତା ହୋଇକନ୍ୟାର ଅସତୀତ୍ୱକୁ ସ୍ୱୀକାର କରିପାରିବେ ତ! ମୁଁ ନିମିତ୍ତ ମାତ୍ର। ଆପଣ ମହାକାଳ। ନିୟାମକ। ସିଦ୍ଧାନ୍ତ ଏବେ ଆପଣଙ୍କର। ମହାକାଳଙ୍କ ଚେତନାରେ ଚହଟି ଉଠିଲା ମୃତ୍ୟୁଞ୍ଜୟୀ ହସ। କହିଲେ- ତମେ ଯଶସ୍ୱୀ ହୁଅ ମାଆ ! ତମ ଶକ୍ତି ପାଖରେ ମୁଁ  ଅସହାୟ। ସ୍ୱୀକାର କରୁଛି। ସାବିତ୍ରୀଙ୍କ କୋଳରେ ସତ୍ୟବାନଙ୍କ ଆଖି ଧୀରେଧୀରେ ଖୋଲିବାକୁ ଲାଗିଲା। ଯେମିତି ଗଭୀର ନିଦରେ ଶୋଇ ପଡିଥିଲେ, ଅନନ୍ତକାଳ ଧରି। ଚାରି ଆଖି ଗୋଟିଏ ହୋଇଗଲା। କେବଳ ଗୋଟିଏ। ଆମେ ଏଇ ଗପକୁ ମନେପକାଇ ସାବିତ୍ରୀ ନାମକ ବ୍ରତ ପାଳନ  କରୁଛୁ।

ଏହା ଏକ କାହାଣୀ ମାତ୍ର। ମାତ୍ର କାହାଣୀରେ କିଛି ସତ୍ୟତା/ବାସ୍ତବତା ଅଛି କି? ଯଦି ଥା’ନ୍ତା, ସମାଜରେ କୌଣସି ନାରୀ ବି-ବରା ହୁଅନ୍ତେ ନାହିଁ। ଯେଉଁମାନେ ବି-ବରାହୁଅନ୍ତି, ସେମାନେ କ’ଣ ସାବିତ୍ରୀତ୍ୱହୀନ ଜଣେ ଜଣେ କାମିନୀ ମାତ୍ର? ମୃତ୍ୟୁ ଯଦି ଜୀବନର ଏକମାତ୍ର ସତ୍ୟ, ତାହା ଯେ କୌଣସି ବୟସ, କାଳ ଓ ରୂପରେ ଆସିବ ହିଁ ଆସିବ। ତାହା ଆକସ୍ମିକ। କେହି କ’ଣ ତାହାର ଆଧିପତ୍ୟକୁ ଆକଟ କରିପାରିବ?

ଏହି ପ୍ରଶ୍ନର ଉତ୍ତର ଯେତିକି ସହଜ, ସେତିକି ଜଟିଳ। ଦୁଇଟି ଭାବରେଏହାର କାରଣ ଖୋଜା ଯାଇପାରେ। ପ୍ରଥମତଃ, କାହାଣୀ ଏକ ପୁରୁଷପ୍ରଧାନ ସମାଜ ବ୍ୟବସ୍ଥାର ଖୋଲାଚିତ୍ର। ସତୀତ୍ୱର ଦ୍ୱାହିଦେଇ ପୁରୁଷ ସବୁକାଳରେ ନାରୀର ଜୀବନଯାତ୍ରା ଓ ସ୍ୱାଧୀନତାବୋଧକୁ ନିଜ ଇଚ୍ଛାମତେ ନିୟନ୍ତ୍ରଣ କରିଆସିଛି। ଜଣେ ଅନ୍ୟ ଜୀବନ ଉପରେ ପୁରୁଷତ୍ୱ ଜାହିର କରିବ, ଅଥଚ ତା’ପାଇଁ ଆପଣା ଅହଂରୁ ସାମାନ୍ୟତମ ସଂପଦ ସମର୍ପଣ କରିବ ନାହିଁ। ସମର୍ପିତା ତା’  ଅହଂର ତାପକୁ ସମଗ୍ର ଜୀବନ ପାଇଁ ସ୍ୱୀକାର କରିଚାଲିଥିବ। ଏପରିକି ବି-ବରାହେବା ପରିଣତି ପାଇଁ କେବଳ ଏକାଏକା ଜୀବନ ବଂଚିବ ନାହିଁ, ଏକାଦଶୀ ମଧ୍ୟ ପାଳନ କରିବ। ଏହା ସମାଜ ବ୍ୟବସ୍ଥାର କଥା ।

ଦ୍ୱିତୀୟ ଭାବ ବେଶି ଗୁରୁତ୍ୱପୂର୍ଣ୍ଣ। ଏହା ଅଧ୍ୟାତ୍ମ ଜଗତର ବ୍ୟାଖ୍ୟାନ। ବ୍ୟାଖ୍ୟାକାର ଯୋଗୀ ଶ୍ରୀଅରବିନ୍ଦ। ସାବିତ୍ରୀତ୍ୱକୁ ସ୍ପଷ୍ଟ କରିଦେବା ପାଇଁ ସେ ସାବିତ୍ରୀ ଶୀର୍ଷକରେ ବହି ଖଣ୍ଡିଏ ଲେଖିଛନ୍ତି। କହିଛନ୍ତି-ସାବିତ୍ରୀତ୍ୱ ଏକ ଅତିକଳ୍ପନା ନୁହେଁ, ଭାରତୀୟ ମନୀଷାର ଅତି ମାନସିକ ବିଚାରର ଅନ୍ୟତମ ଆଖ୍ୟାନ। ବୈଦିକ କାଳରେ ଏହି ବିଚାରର ବୀଜାୟନ।

କିଏ ତାହେଲେ ସାବିତ୍ରୀ? କେବେ ତାଙ୍କର ସୃଷ୍ଟି? ଏବଂ, କ’ଣ ବା ତାଙ୍କର ପ୍ରକାର୍ଯ୍ୟ? ସାବିତ୍ରୀ-ଶୂନ୍ୟସମ୍ଭୂତ ଅନନ୍ତ ଶକ୍ତିର ଉତ୍ସ। ବିଶ୍ୱ ନାମକ ରହସ୍ୟମୟ ଅବବୋଧର ସେ ଜନନୀ। ପ୍ରଥମ ଜାଗ୍ରତ ଚେତନା। ସେ ପ୍ରଥମା, ଆଦ୍ୟା। ପୁଣି ଚିରଜାଗ୍ରତ। ଅମୂର୍ତ୍ତ। ସେ ହିଁ କେବଳ ଆପଣା ଆଦିମା’ ଓ ପରମା’ ଶକ୍ତିରେ ସୃଷ୍ଟିର ସକଳ ବିଭବର ପ୍ରମୂର୍ତ୍ତକାରିଣୀ। ଫଳତଃ, ଅନ୍ୟ ସକଳ ତାଙ୍କ ଇଚ୍ଛାଶକ୍ତିର ଅଧୀନ। ଏବଂ, ଆଉସବୁ ନିମିତ୍ତ ମାତ୍ର। ତାଙ୍କ ସଂପର୍କରେ ଶ୍ରୁତିଶାସ୍ତ୍ରରେ କୁହାଯାଇଛି- ସେ ଏକ ଅଧ୍ୟାତ୍ମମନ୍ତ୍ର। ଦିବ୍ୟ  ଅନୁଭବ। ସେ ଅଶ୍ରୁତ, ଅରୂପ, ଅଦୃଶ୍ୟ, ଅସ୍ପର୍ଶ୍ୟ। ସେ ଆଲୋକର ଉଦ୍ଭାସ। ଆନନ୍ଦର ମନ୍ଦିର। ଜନ୍ମ ଓ ମୃତ୍ୟୁ ତାଙ୍କ ଅଧୀନ। ଯିଏକାଳାତୀତ ଓ ଅମୂର୍ତ୍ତ ଏବଂ କାଳର ଜନନୀ, ତା’ ସୃଷ୍ଟକାଳର ଦେବତା ଆପଣା ଅଧିକାରବଳରେ ଜନନୀରଇଚ୍ଛା ଶକ୍ତିକୁ ଆହତ କରିପାରିବ କିପରି?

ପ୍ରେମ ଏମିତି ଏକ ଶକ୍ତି, ଯାହା ମୃତ୍ୟୁକୁ ମଧ୍ୟ ପରାହତ କରିପାରେ। ଏବଂ, ସାବିତ୍ରୀ ବ୍ରତ କଥା ମାଧ୍ୟମରେ ଭାରତୀୟ ମନୀଷା ପ୍ରମାଣକରି ଦେଇଛି – ନାରୀ ହିଁ ସର୍ବଶକ୍ତିମୟୀ। ଆପଣା ଇଚ୍ଛାଶକ୍ତି ବଳରେ ସେ ମହାକାଳର ଗତି ଓ ଶକ୍ତି,  ଉଭୟ ଗୁଣର ଅଧିକାରିଣୀ। ପୁଣି ସ୍ଥୂଳଦୃଷ୍ଟିରେ, ସଂସାରର ପ୍ରତ୍ୟେକ ପଦାର୍ଥ ଦିବ୍ୟଶକ୍ତିର ସୂକ୍ଷ୍ମ ରୂପାନ୍ତର। ସତ୍ୟବାନଙ୍କ ଶରୀର ଏକ ନିର୍ଦ୍ଦିଷ୍ଟ ପରିମଣ୍ଡଳର ପଦାର୍ଥ ସୃଷ୍ଟ  ଦୃଶ୍ୟମାତ୍ର। ମାତ୍ର ତାହା ପଦାର୍ଥମାତ୍ର ନୁହେଁ। ଶକ୍ତିର ଅସୀମ ଇଚ୍ଛାଶକ୍ତି ଓ ସୌନ୍ଦର୍ଯ୍ୟବୋଧ ପରିଚାଳିତ ଚଳମାନ ମହାକାଳ। ପୁରୁଷମାନେ ସେହି ଇଚ୍ଛାମତୀର ଚେତନାସମ୍ଭୂତ। ମାତ୍ର ଜୀବନଯାତ୍ରାର ପ୍ରତି ମୂହୁର୍ତ୍ତରେ ସେହି ଚେତନାଶକ୍ତିର ଅମର୍ଯ୍ୟାଦା ହୋଇଚାଲିଥାଏ। ଏହି ସ୍ଥୂଳ ମାନସିକତା ଆମ ସକଳବିପାକ ଓ ମୃତ୍ୟୁର କାରଣ।

ତେଣୁ ସାବିତ୍ରୀ, ଅର୍ଥାତ୍ଶକ୍ତି ସହ ନିଃସର୍ତ୍ତ ଓ ମୋହମୁକ୍ତ ସଂପୃକ୍ତି ହିଁ ବ୍ୟକ୍ତିକୁ ସେହି ଅତିମାନସ ଜଗତ ସହିତ ଯୁକ୍ତ କରିଦେଇପାରିବ। ଏବଂ, ନିଶ୍ଚିତ ରହସ୍ୟ ଊର୍ଦ୍ଧ୍ୱରେ ଏକ ଅମୃତସତ୍ତାର ଅନ୍ୱେଷଣ କରିପାରିବ। ମହାକାଳର ପ୍ରତିନିଧି ପ୍ରପଂଚ ଆମକୁ ଆଉ ଆତଙ୍କିତ କରିପାରିବ ନାହିଁ। ତାହା ଅତିମାନସର ଅଧ୍ୟାତ୍ମ ଲୀଳାଭୂମିରେ ରୂପାନ୍ତର ହୋଇଯିବ। କାରଣ ଆମେ ସେହି ମହାକାଳର ଜନନୀ-ଗର୍ଭସମ୍ଭୂତ ଜଣେଜଣେ ଦିବ୍ୟସତ୍ତା। ଏକ କାଳାତୀତ ଚେତନାର ଉଦ୍ଭାସନ। ତେଣୁ ମୃତ୍ୟୁଞ୍ଜୟୀ।

(ଡକ୍ଟର ଭାଗ୍ୟଲିପି ମଲ୍ଲ ଜଣେ ପରିଚିତ ଲେଖିକା। ସୃଜନଶୀଳ ରଚନା ସହିତ ବିଭିନ୍ନ ଗବେଷଣାଧର୍ମୀ ଲେଖା ମାଧ୍ୟମରେ ସେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଉପସ୍ଥାପନ କରି ଆସୁଛନ୍ତି। ସଂପ୍ରତି ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ କାର୍ଯ୍ୟ କରୁଛନ୍ତି।)

1 COMMENT

Comment