ସୌମ୍ୟ ରଞ୍ଜନ ବିହାରା

ସବୁ ଗୁରୁ ଜଣେ ଜଣେ ଭଲ ଶିକ୍ଷକ । ହେଲେ ସବୁ ଶିକ୍ଷକ ଜଣେ ଗୁରୁ ହୋଇପାରନ୍ତି ନାହିଁ । ଶିକ୍ଷକ ଯିଏ ବାଟ ଦେଖାଏ । ଗୁରୁ ବାଟ ତିଆରି କରିଦିଏ….

ଆଜି ଗୁରୁ ଦିବସ ନା ଶିକ୍ଷକ ଦିବସ? ଆଜିର ଦିନରେ ଏମିତି ଏକ ପ୍ରଶ୍ନର ବେଶ୍‍ ଗୁରୁତ୍ୱ ରହିଛି। କାରଣ, ଗତବର୍ଷ ଗୁରୁ ଦିବସରେ ଫେସବୁକରେ କିଛି ବନ୍ଧୁଙ୍କ ପୋଷ୍ଟ ଏ ପ୍ରଶ୍ନର କାରଣ ହୋଇପାରେ। ପ୍ରଥମ ପୋଷ୍ଟଟି ଏହିପରି “ମୋ ଗୋଡ଼କୁ ବାରମ୍ବାର ଭିଡ଼ିବା, ମାନସିକ ନିର୍ଯାତନା ଦେବା ଏବଂ ଜାଣିଶୁଣି ପରୀକ୍ଷାରେ ମାର୍କ କମେଇ ମତେ ପରୋକ୍ଷରେ ଇଞ୍ଚେ ଉପରକୁ ଉଠିବାକୁ ତାକତ ଦେଇଥିବା ସାରଙ୍କୁ ଧନ୍ୟବାଦ।“

ଦ୍ୱିତୀୟ ପୋଷ୍ଟଟି ହେଉଛି, “ଅର୍ଜୁନଙ୍କ ଶିକ୍ଷକ ଥିଲେ ଦ୍ରୋଣାଚାର୍ଯ୍ୟ, କିନ୍ତୁ ଗୁରୁ ହେଲେ ଶ୍ରୀକୃଷ୍ଣ। ଆଜି ଶିକ୍ଷକ ପ୍ରବଳ, କିନ୍ତୁ ଗୁରୁ ଆସନ ଶୂନ୍ୟ। ମୋ ଗୁରୁଙ୍କ ପାଇଁ ମୁଁ ଭାଗ୍ୟବାନ।”ତୃତୀୟ ପୋଷ୍ଟଟି: “ଆଜି ଗୁରୁ ଦିବସ ନା ଶିକ୍ଷକ ଦିବସ।

ଶିକ୍ଷକ ଦିବସରେ ଏମିତି କିଛି ପୋଷ୍ଟ ନିହାତି ଭାବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ପ୍ରଥମେ ‘ପ୍ରଥମ ପୋଷ୍ଟ’ ବିଷୟରେ କଥା ହେବା। ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, ଯାହାଙ୍କୁ ଆମେ ଶିକ୍ଷକ (ପୋଷ୍ଟ କରିଥିବା ବନ୍ଧୁଙ୍କ ଭାଷାରେ ‘ସାର୍’) କହୁ, ତାଙ୍କର ବି ଅନେକ ଦୋଷ ରହିଛି। ଯେମିତି, ଈର୍ଷା କିମ୍ବା ଇଚ୍ଛାରେ କିମ୍ବା ଅନ୍ୟ କୌଣସି କାରଣରୁ ଛାତ୍ରଙ୍କ ଗୋଡ଼ ଭିଡ଼ିବା, ମାନସିକ ନିର୍ଯାତନା ଦେବା, ଜାଣିଶୁଣି ମାର୍କ କମେଇବା ଇତ୍ୟାଦି।

ଏସବୁ କିନ୍ତୁ ସେହି ଛାତ୍ର (ପୋଷ୍ଟ କରିଥିବା ବନ୍ଧୁ)ଙ୍କୁ ଯେ ପରୋକ୍ଷରେ ଉପରକୁ ଉଠିବା ପାଇଁ ଶକ୍ତି ଦେଇଛି, ଏହା ସେ ସ୍ୱୀକାର କରିଛନ୍ତି। ତେବେ ସତରେ କ’ଣ ଶିକ୍ଷକଙ୍କର ଏମିତି ମନୋଭାବ ରହୁଛି ନା କେହି ରାଗରେ ଶିକ୍ଷକଙ୍କ ପ୍ରତି ଆଙ୍ଗୁଠି ଉଠାଉଛି। ସେ ଯାହାହେଉ, ଏଠାରେ ପ୍ରଶ୍ନ ଉଠୁଛି, ଶିକ୍ଷକଙ୍କର ସ୍ୱଭାବ କିପରି ହେବା ଦରକାର? ଯଦି ଜଣେ ଶିକ୍ଷକ ଏହିପରି ମନୋବୃତ୍ତି ରଖିଥା’ନ୍ତି, ତେବେ ତାକୁ କ’ଣ ଆମେ ଶିକ୍ଷକ କହିବା?

ଏ ପ୍ରଶ୍ନର ତୁରନ୍ତ ଉତ୍ତର ଏହା ହେବ- ଶିକ୍ଷକଙ୍କର ପାତରଅନ୍ତର ମନୋବୃତ୍ତି ରହିବା ଆଦୌ ଉଚିତ ନୁହେଁ। ତାଙ୍କ ଆଗରେ ସବୁ ଛାତ୍ରଛାତ୍ରୀ ସମାନ ହେବା କଥା। ତାଙ୍କ ଯୋଗୁଁ ଯଦି କିଏ ମାନସିକ ଭାବେ ଆଘାତ ପାଉଛି, ତେବେ ଆଇନ ଅନୁସାରେ ସେ ଦୋଷୀ। କିନ୍ତୁ, ଏକ୍ଷେତ୍ରରେ ଛାତ୍ର ଜଣକ ଶିକ୍ଷକଙ୍କ ଏମିତି ଆଚରଣକୁ ସହିଯାଇଛନ୍ତି ଏବଂ ଏହା ତାଙ୍କୁ ଶକ୍ତି ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ଏ ପ୍ରଶ୍ନରୁ ଆଉ ଏକ ପ୍ରଶ୍ନ ବି ଆସିପାରେ। ତାହା ହେଉଛି, ଛାତ୍ରଜଣକ ଯେ ସତ କହୁଛନ୍ତି, ଏହାର ସତ୍ୟତା କ’ଣ? ଛାତ୍ରଜଣକ ହୁଏତ ଶିକ୍ଷକଙ୍କୁ ଭୁଲ୍ ବୁଝିଥାଇପାରନ୍ତି। ଶିକ୍ଷକ ସେମିତି ବା କାହିଁକି କରିବେ? ଏଇଠି ହିଁ ପ୍ରକୃତ ରହସ୍ୟ।

ବର୍ତ୍ତମାନ ପ୍ରଥମ ପ୍ରଶ୍ନରୁ ସାମାନ୍ୟ ଦୂରେଇ ଦ୍ୱିତୀୟ ପ୍ରଶ୍ନକୁ ଆସିବା। ଏ ପ୍ରଶ୍ନରେ ବନ୍ଧୁ ପୋଷ୍ଟ କରିଛନ୍ତି, ଆଜିକାଲି ଅନେକ ଶିକ୍ଷକ ଅଛନ୍ତି, ହେଲେ ଗୁରୁ ଆସନ ଖାଲି ପଡ଼ିଛି। ଅର୍ଥାତ୍, ବର୍ତ୍ତମାନ ଜଣେ ଗୁରୁ ମିଳିବା କଷ୍ଟ ହୋଇପଡ଼ିଥିବା ସେ ସ୍ପଷ୍ଟ କରିଛନ୍ତି। ତା’ହେଲେ ଦେଶର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟରରେ ପଢ଼ାଉଥିବା ଶିକ୍ଷକମାନେ ‘ଗୁରୁ’ ନା ‘ନୁହନ୍ତି’ ବୋଲି ଏଠାରେ ପ୍ରଶ୍ନ କରାଯାଇପାରେ। ଯଦି ଗୁରୁ ନୁହନ୍ତି, ତେବେ ଶିକ୍ଷାର୍ଥୀମାନେ କାହିଁକି ଗୁରୁ ଦିବସ ପାଳନ କରୁଛନ୍ତି, ସେମାନଙ୍କୁ ପୂଜା ବନ୍ଦାପନା କରୁଛନ୍ତି, ଉପହାର ଦେଉଛନ୍ତି? ବୋଧହୁଏ, ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି।

ଏବେ ତୃତୀୟ ପୋଷ୍ଟକୁ ଆସିବା। ଆଜି ଗୁରୁ ଦିବସ ନା ଶିକ୍ଷକ ଦିବସ। ପ୍ରଶ୍ନଟି ଯେତେ ସରଳ, ବାସ୍ତବରେ ସେତେ ନୁହେଁ। ଅର୍ଥାତ୍, ଇଂରାଜୀରେ ଆଜିର ଦିନକୁ ଟିଚର୍ସ ଡେ’ ବୋଲି କୁହାଯାଉଛି, ହିନ୍ଦୀରେ କୁହାଯାଉଛି ଶିକ୍ଷକ ଦିବସ। କିନ୍ତୁ ଓଡ଼ିଆରେ କୁହାଯାଉଛି ଗୁରୁ ଦିବସ। ଏମିତି କାହିଁକି?

ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ସେ ଥିଲେ ଜଣେ ଛାତ୍ରବତ୍ସଳ ଶିକ୍ଷକ। ନିଜ ଛାତ୍ରଛାତ୍ରୀଙ୍କ ନିକଟରେ ଖୁବ୍ ଲୋକପ୍ରିୟ ଥିଲେ। ଦିନେ କିଛି ଛାତ୍ର ଆଡ଼ମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିବାକୁ କହନ୍ତି। ହେଲେ,  ସେ ସିଧା ମନା କରିଦିଅନ୍ତି। ଆଉ କହନ୍ତି, ଯଦି ଛାତ୍ରଛାତ୍ରୀମାନେ ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ଚାହାନ୍ତି, ତେବେ ସମସ୍ତ ଶିକ୍ଷକଙ୍କୁ ସମ୍ମାନ ଜଣାଇ ଏହାକୁ ଶିକ୍ଷକ ଦିବସ ଭାବେ ପାଳନ କରନ୍ତୁ। ସେହିଦିନରୁ ଅର୍ଥାତ୍ ୧୯୬୨ ମସିହାରୁ ଆଜି ଯାଏ ଏହାକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଉଛି।

ତେବେ ଓଡ଼ିଆରେ ଏଦି ଦିନଟିକୁ ‘ଶିକ୍ଷକ ଦିବସ’ ବଦଳରେ ‘ଗୁରୁ ଦିବସ’ କହିବାର ଅନେକ କାରଣ ଥାଇପାରେ। ଶିକ୍ଷକ ହିଁ ଗୁରୁଙ୍କ ଭୂମିକା ଅଳ୍ପେ ବହୁତ ନିଭାଉଛନ୍ତି। ଏଣୁ ଶିକ୍ଷକଙ୍କୁ ମଧ୍ୟ ଗୁରୁ ଭାବେ ବିବେଚନା କରାଯାଏ। ତେବେ ଏହା ଯେ ଶିକ୍ଷକ ଦିବସ, ଏକଥା ସେଇ ଫେସବୁକରେ ତୃତୀୟ ପ୍ରଶ୍ନର ଏକ କମେଣ୍ଟରେ ଜଣେ କହିଛନ୍ତି- “ଗୁରୁ ହେଉଛନ୍ତି ସେ ଯେ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯାଆନ୍ତି।

ସେ ଜଣେ ଜ୍ଞାନୀ, ଧୀର, ଶାନ୍ତ, ସର୍ବବିଦ୍ୟାରେ ପାରଙ୍ଗମ ମହାପୁରୁଷ। ସେ କେବଳ ଶିଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସହାୟ ହୁଅନ୍ତି ନାହିଁ ତାସହ ଏକ ସୁସ୍ଥ ସମାଜ ମଧ୍ୟ ଗଢ଼ିଥାଆନ୍ତି। ଏହାର ଉଦାହରଣ ଆମର ପୁରାଣରେ ପାଇପାରିବା। ଆଜିର ଗୁରୁ ଦିବସ ଶିକ୍ଷକ ଦିବସ ଅଟେ । କାହିଁକି ନା ଆଜିର ଗୁରୁ ଗୁରୁ ନୁହନ୍ତି, ଶିକ୍ଷକ ଅଟନ୍ତି। କହିବାକୁ ଗଲେ ଶିକ୍ଷକ ମଧ୍ୟ ଜଣେ ଶିଷ୍ୟ। ସେ କେବଳ ଶିଷ୍ୟର ପଥ ପ୍ରଦର୍ଶକ, ମାର୍ଗଦର୍ଶକ। ତେଣୁ ଆଜିର ଦିବସ ହେଉଛି ଶିକ୍ଷକ ଦିବସ।”

କିନ୍ତୁ ଆଜିର ବହୁ ଶିକ୍ଷକଙ୍କ ନିକଟରେ ‘ଗୁରୁ’ ଶବ୍ଦର ପ୍ରୟୋଗ ଅବାସ୍ତବ ମନେହୁଏ। କାରଣ, ଅନେକ ଅଛନ୍ତି, ଯେଉଁମାନେ ଶିକ୍ଷକ ପାଇଁ ବି ଯୋଗ୍ୟ ନୁହେଁ, କିନ୍ତୁ ସେମାନେ ଶିକ୍ଷକ ଆସନରେ ବସିଛନ୍ତି। ଏଠି ଜ୍ଞାନ ଯୋଗ୍ୟତା କଥା କୁହାଯାଉନି, ବରଂ ଶିକ୍ଷକର ବାସ୍ତବ ମାନଦଣ୍ଡ ହିଁ ଗୁରୁତ୍ୱ ରଖୁଛି। ଯେମିତି, ସବୁ ଛାତ୍ରଛାତ୍ରୀଙ୍କୁ ସମାନ ନଜରରେ ଦେଖିବା, ଛାତ୍ରଟିଏ ଦୋଷ କଲେ ବି ତାକୁ ବାଟକୁ ଆଣିବାର ପ୍ରଚେଷ୍ଟା କରିବା, ଛାତ୍ରକୁ ଉତ୍ତମ ତଥା ଶୃଙ୍ଖଳିତ ମାର୍ଗ ଦେଖାଇବା ଇତ୍ୟାଦି। ସବୁଠୁଁ ବଡ଼ କଥା ଛଳନାଠାରୁ ବହୁ ଦୂରରେ ଶିକ୍ଷକଙ୍କ ହୃଦୟ। ସ୍ୱାଭିମାନର ସହ ବଞ୍ଚନ୍ତି ଓ ଅନ୍ୟଙ୍କୁ ଏହିପରି ବଞ୍ଚିବାକୁ ପ୍ରେରଣା ଯୋଗାଇ ଦିଅନ୍ତି। ସାଲିସ୍ କରନ୍ତି ନାହିଁ। ସବୁବେଳେ ମଣିଷ ଓ ସମାଜର ହିତ ସାଧନ ଚାହାଁନ୍ତି। ବିଡ଼ମ୍ବନାର ବିଷୟ, ଆଜିକାଲି ଶିକ୍ଷକଙ୍କ ମନରେ ଏମିତି ଭାବନା ଧୀରେଧୀରେ କୁଆଡ଼େ ଚାଲିଗଲା ପରି ମନେହେଉଛି।

ସବୁ ଗୁରୁ ଜଣେ ଜଣେ ଭଲ ଶିକ୍ଷ। ହେଲେ ସବୁ ଶିକ୍ଷକ ଜଣେ ଗୁରୁ ହୋଇପାରନ୍ତି ନାହିଁ। ଶିକ୍ଷକ ଯିଏ ବାଟ ଦେଖାଏ। ଗୁରୁ ବାଟ ତିଆରି କରିଦିଏ। ଗୁରୁ ହେବା ପାଇଁ ଗୁରୁର ନୀତି ଓ ଆଦର୍ଶ ସତ୍‍ପଥରେ ରହିବା ଉଚିତ। ଆନୁଷ୍ଠାନିକ ଭାବେ ପଢ଼ାଉଥିବା ଶିକ୍ଷକମାନେ କେବଳ ଗୁରୁ ପଦବାଚ୍ୟ ନୁହନ୍ତି। ଆମ ଜୀବନରେ ଆସୁଥିବା ଯେକୌଣସି ଲୋକ ଆମ ପାଇଁ ଗୁରୁ ହୋଇପାରେ। ଯିଏ ଆମକୁ ପ୍ରତି ମୁହୂର୍ତ୍ତରେ ଜୀବନ ବଞ୍ଚିବା ବେଳେ ନୀତିଶିକ୍ଷା ଦେଇଯାଏ, ସିଏ ପ୍ରକୃତ ଗୁରୁ ପଦବାଚ୍ୟ।

ଗୁରୁ ଓ ଶିକ୍ଷକ ମଧ୍ୟରେ ଏକ ସୂକ୍ଷ୍ମ ପ୍ରଭେଦ ଉଦାହରଣ ଭାବେ ନିଆଯାଇପାରେ। ଡ୍ରାଇଭିଂ ଶିଖାଉଥିବା ପ୍ରଶିକ୍ଷକ ଗାଡ଼ି କେମିତି ଚଲାଯାଏ, ଗାଡ଼ିର ବିଭିନ୍ନ ପ୍ରକାର ପାର୍ଟସ୍‍, ଟ୍ରାଫିକ ନିୟମ ଆଦି ବାବଦରେ ଧାରଣା ଦିଏ। କିନ୍ତୁ ଡ୍ରାଇଭିଂ ଶିକ୍ଷକ ଭିତରେ ଥିବା ଜଣେ ଗୁରୁ ଏସବୁ ଶିଖାଇବା ସହ ନିଜ ପ୍ରବୃତ୍ତିରେ ସତ୍‍ ରହିବାକୁ ଶିଖାଏ। ଅର୍ଥାତ ଗାଡ଼ି ଚଲାଇବାବେଳେ ଅନୁଶାସନ ମାନି ଗାଡ଼ି ଚଲାଇବା, ଜାଣିଜାଣି କାହାକୁ ଆଘାତ ନଦେବା, ଟ୍ରାଫିକ ନିୟମ ନ ଭାଙ୍ଗିବା, ଯାତ୍ରୀକୁ ସମ୍ମାନ ଦେବା ଆଦି କଥା ସେହି ଗୁରୁଟିଏ ହିଁ କହିପାରେ। ତେଣୁ ଏ ଦୃଷ୍ଟିରୁ କହିବାକୁ ଗଲେ ଗୁରୁ ହେଉଛନ୍ତି ନୀତିବାନ। ସ୍ଥଳବିଶେଷରେ କିଛି ଶିକ୍ଷକ ଅନୀତି କରନ୍ତି, ଦୁର୍ନୀତି କରନ୍ତି; କିନ୍ତୁ ଜଣେ ଗୁରୁ ନୀତିବାନ ହୋଇଥା’ନ୍ତି ଓ ଶିଷ୍ୟକୁ ନୀତିବାନ ରହିବା ପାଇଁ କୁହନ୍ତି।

ଆଜିକାଲି ଗୁରୁ ଦିବସ ପାଳନ ଏକ ଟ୍ରେଣ୍ଡ ହୋଇଯାଇଛି। ଫେସବୁକ, ହ୍ୱାଟ୍ସଆପରେ ନିଜ ଗୁରୁଙ୍କୁ ମନେ ପକାଇବା ସହ ତାଙ୍କ ଅବଦାନ ଉଲ୍ଲେଖ କରିବା, ତାଙ୍କୁ ପ୍ରଣାମ କରିବା ଦେଖିବାକୁ ମିଳୁଛି। କାରଣ, ଗୁରୁଙ୍କୁ (ସବୁ ଗୁରୁଙ୍କୁ ବା ସବୁ ଶିକ୍ଷକଙ୍କୁ) ଏହି ଦିନରେ ଦେଖାକରିବା ସମ୍ଭବ ନୁହେଁ। ତେଣୁ ପୋଷ୍ଟ କରିବା କିଛି ମନ୍ଦ ନୁହେଁ। ବାକି ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ସେଲିବ୍ରେସନ୍ ମୁଖ୍ୟ କଥା ହୋଇଛି।

ଗୁରୁଙ୍କୁ ବନ୍ଦାପନା ଓ ପୂଜା କରିବା, ସେମାନଙ୍କୁ ଉପହାର ଦେବା, କେକ୍ କାଟିବା ଆଉ ଭାଷଣ ଦେବା (ଉଭୟ ଶିକ୍ଷକ ଓ ଛାତ୍ର) ଇତ୍ୟାଦି। ଏସବୁ ପରେ ବି ଯଦି ଛାତ୍ରଟିଏ ମଣିଷ ପରି ମଣିଷଟିଏ ହୋଇନପାରିଲା, ତେବେ ପ୍ରକୃତ ଗୁରୁ କେବେ ବି ଖୁସି ହୁଏନାହିଁ । କାରଣ, ପ୍ରକୃତ ଗୁରୁ ତା’ର ସମସ୍ତ ଶିକ୍ଷାର୍ଥୀଙ୍କୁ ଜଣେଜଣେ କପଟହୀନ, ନିଃସ୍ୱାର୍ଥପର ଓ ଭଲ ମଣିଷ ଭଳି ଦେଖିବାକୁ ଚାହାନ୍ତି । ହେଲେ କେତେ ଜଣ ଶିକ୍ଷାର୍ଥୀ ଗୁରୁଙ୍କ ଆନ୍ତରିକ ଇଚ୍ଛା ବୁଝିପାରନ୍ତି?

ଲକ୍ଷେରୁ ଜଣେ ଏମିତି ଶିକ୍ଷାର୍ଥୀ ମିଳିବା କଷ୍ଟ। ତେଣୁ ସେଇଥିପାଇଁ ଗୁରୁ ଆସନ ଖାଲି ପଡ଼ିଥିବା ସନ୍ଦେହ ହେଉଛି। କାରଣ, ଗୁରୁ-ଶିକ୍ଷ୍ୟର ସମ୍ପର୍କ ପବିତ୍ର। ଗୁରୁ ଅର୍ଥ ବ୍ୟାପକ। ଶିକ୍ଷକଙ୍କୁ ଗୁରୁ ବୋଲି ଆମେ ସମ୍ବୋଧନ କରିଥାଇପାରୁ। କିନ୍ତୁ, ଗୁରୁ ହେବା ପାଇଁ ଶିକ୍ଷକଙ୍କ ପାଖରେ ସେତିକି ଗୁଣ ରହିବା ବି ଜରୁରୀ। ପୁରାଣ ପୃଷ୍ଠା ଲେଉଟେଇଲେ ଗୁରୁଙ୍କ ଆଚରଣ, ଶିକ୍ଷାଦାନର ପ୍ରତିବଦ୍ଧତା, ଶିଷ୍ୟଙ୍କୁ ମଣିଷପଣିଆ ଶିଖେଇବା, ବଞ୍ଚିବାର ଶୃଙ୍ଖଳିତ ମାର୍ଗ ଦେଖାଇବା ଆଦି ବିଭବ ଯଥେଷ୍ଟ।

ଗୁରୁ ଦିବସ ପାଳନ ଆଜିକାଲି ଇମ୍ପ୍ରେସନ୍ ପାଇଁ ହେଉଛି କହିଲେ ଭୁଲ ହେବନି। କାରଣ, ଆଜିର ଦିନ କେବଳ ସେଲିବ୍ରେସନ୍, କେକ୍ କଟା, ଉପହାର ଓ ଭାଷଣ ମଧ୍ୟରେ କଟୁଛି। ଆସନ୍ତାକାଲି ପୁଣି ଯେଉଁ କଥାକୁ ସେଇ କଥା। ଅର୍ଥାତ୍, ଗୁରୁ ବା ଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅବୁଝାପଣ, ସେମାନଙ୍କ ଉଦ୍ଦେଶ୍ୟରେ ଗାଳି ଇଦ୍ୟାଦି।

ଗୁରୁ ଶବ୍ଦର ପ୍ରକୃତ ସଂଜ୍ଞା ନିର୍ଦ୍ଧାରଣ କରିବା ବହୁତ କଷ୍ଟ। ଶିକ୍ଷକ ବି ଗୁରୁ ହୋଇପାରନ୍ତି। କିନ୍ତୁ, ଗୁରୁ ହେବା ପାଇଁ ପ୍ରଥମେ ଶିକ୍ଷକଙ୍କୁ ସେତିକି ନିଷ୍ଠା, ନିଃସ୍ୱାର୍ଥପରତା ଓ ସଙ୍କଳ୍ପ ଜରୁରୀ। ଗୁରୁ କେବେ ଅସତ୍ ମାର୍ଗରେ ଯାଇପାରନ୍ତି ନାହିଁ କି ଶିକ୍ଷାର୍ଥୀଙ୍କୁ ଅବାଟରେ ଯିବାକୁ ଦିଅନ୍ତିନି। ହଁ, ଏଠାରେ ପ୍ରଶ୍ନ ଆସିପାରେ, ଗାଡ଼ି ଚଲେଇବା ଶିଖାଉଥିବା ଲୋକଙ୍କୁ କାହିଁକି ଗୁରୁ କୁହାଯାଏ। ରୋଷେଇ, ସିଲେଇ ବା ଅନ୍ୟ ତାଲିମ୍‍ ଦେଉଥିବା ପ୍ରଶିକ୍ଷକଙ୍କୁ ବି ତାଲିମ୍‍ଧାରୀମାନେ ଗୁରୁ ବୋଲି ମାନନ୍ତି। ହଁ, ଏଥିରେ କିଛି ଅସୁବିଧା ନାହିଁ। ଭଲ କଥା।

କାରଣ ପ୍ରଶିକ୍ଷକଙ୍କୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ। ହେଲେ ତାଙ୍କୁ ଗୁରୁ ବୋଲି ଥରେ ମାନିବା ପୂର୍ବରୁ ଅନ୍ତତଃ ଗୁରୁଙ୍କୁ ସମ୍ୟକ୍‍ ଚିହ୍ନିବା ଦରକାର। ନହେଲେ ଖାଲି ମୁହଁରେ ‘ଗୁରୁ’ କହିଦେଲେ ହେବନି। ତା’ପରେ ଗୁରୁ ହୁଅନ୍ତୁ କି ଶିକ୍ଷକ, ସେମାନଙ୍କର ବି କିଛି ବ୍ୟକ୍ତିଗତ ଜୀବନ ଅଛି। ନିତାନ୍ତ ବ୍ୟକ୍ତିଗତ ଭାବେ ସେ କ’ଣ କରୁଛନ୍ତି, ତାକୁ ନଦେଖି ନିଜ କର୍ତ୍ତବ୍ୟ, କର୍ମକ୍ଷେତ୍ର ବା ଶିକ୍ଷାଦାନରେ ସେମାନେ କ’ଣ କରୁଛନ୍ତି ତାହା ବଡ଼କଥା।

ଯଦି ଆମେ ଆଜିର ଦିନକୁ ଶିକ୍ଷକ ଦିବସ ବୋଲି ମାନିବା, ତେବେ ସେହି ତାଲିକାରେ କେତେ ଜଣ ଶିକ୍ଷକ ଆସିବେ ସେକଥା ନିହାତି ଚିନ୍ତା କରିବା ଉଚିତ। ହେଲେ, ବର୍ତ୍ତମାନ ବୃତ୍ତିଗତ ପାଠ୍ୟକ୍ରମର ଶିକ୍ଷକଙ୍କୁ ମନେ ରଖି ସ୍କୁଲ୍ କଲେଜରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଭୁଲିଯାଉଛନ୍ତି ଅନେକେ ଶିକ୍ଷାର୍ଥୀ।

ସେମାନଙ୍କ ଅବଦାନ ଯେମିତି ଏ ଛାତ୍ରଛାତ୍ରୀଙ୍କ ପାଇଁ କିଛି ନୁହଁ। ହେଲେ ପ୍ରକୃତରେ ଖଡ଼ି ଧରିବାଠାରୁ ଆରମ୍ଭ କରି ସ୍କୁଲ୍, କଲେଜ୍ ଓ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯେଉଁମାନେ କିଛି ଶିକ୍ଷା ଦେଇଛନ୍ତି ସମସ୍ତେ ଶିକ୍ଷକ। ଅବଶ୍ୟ ସେମାନଙ୍କ ଶିକ୍ଷା ବୃତ୍ତିଗତ ଜୀବନରେ କିଛି କାମରେ ଆସିନପାରେ, କିନ୍ତୁ ଏ ସୋପାନରେ ପହଞ୍ଚିବା ପାଇଁ ଅନେକ ସାହାଯ୍ୟ କରିଥାଏ। ସେମାନଙ୍କୁ ଶିକ୍ଷକ ଦିବସର ଶୁଭେଚ୍ଛା ଜଣାଇବା ବଡ଼ କଥା ନୁହେଁ, ଖାଲି ମଝିରେ ମଝିରେ ସ୍ମରଣ କରୁଥିଲେ ଯଥେଷ୍ଟ।

ଗୁରୁ ବା ଶିକ୍ଷକ ହେଉଛନ୍ତି ସ୍ୱଭାବରେ ଶାନ୍ତ, ସରଳ ଓ ଆଦର୍ଶବାନ୍‍। ପ୍ରଶଂସା, ଖ୍ୟାତି ଓ ପୁରସ୍କାରକୁ ନେଇ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତିନି କେବେ। ଏବେ ବି ବହୁ ଶିକ୍ଷକ ଅଛନ୍ତି, ଯେଉଁମାନେ ଏସବୁଠୁଁ ଦୂରେଇ ରହନ୍ତି। କେବଳ ପିଲାଙ୍କ ଭବିଷ୍ୟତ ଚିନ୍ତା କରନ୍ତି ଓ ପାଠ ପଢ଼ାଇବାରେ ଧ୍ୟାନ ଦିଅନ୍ତି। ହେଲେ ଅନେକ ଶିକ୍ଷାନୁଷ୍ଠାନରେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ନିଜ ସହଯୋଗୀଙ୍କ ଭଲ ଦେଖିପାରନ୍ତି ନାହିଁ। ସେମାନେ ଚାହାନ୍ତି ସେମାନଙ୍କୁ ସମସ୍ତେ ପଚାରନ୍ତୁ, ତାଙ୍କ କଥାରେ ସବୁ ଚାଲୁ। ‘ସେମାନେ ହିଁ ସବୁ ଜାଣିଛନ୍ତି’ ବୋଲି ଏକ ମିଛ ଭାବନା ବିଦ୍ୟାର୍ଥୀଙ୍କ ମନରେ ସୃଷ୍ଟି କରନ୍ତି।

ଲୋକପ୍ରିୟତା ସାଉଁଟିବାର କଳା ଏମାନଙ୍କୁ ବେଶ୍‍ ଭଲ ଭାବେ ଜଣା। ପିଲାମାନେ ଗ୍ରୁପିଜିମ୍ କଲେ, ତାଙ୍କୁ ଶିକ୍ଷକମାନେ ବିରୋଧ କରିବା କଥା। ହେଲେ ଦୁଃଖର କଥା, ଅନେକ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଅଧ୍ୟାପିକାମାନେ ନିଜେ ହିଁ ଗ୍ରୁପିଜିମ୍ କରନ୍ତି। ଅର୍ଥାତ୍, ନିଜେ ପସନ୍ଦ କରୁଥିବା କିଛି ପିଲାଙ୍କୁ ନେଇ ସେମାନେ ଏକ ଭିନ୍ନ ଗ୍ରୁପ୍ ଗଠନ କରନ୍ତି। ଆଉ ସେଇମାନଙ୍କ ପ୍ରତି ଅହେତୁକ ସହଯୋଗ କରନ୍ତି। ଆଉ କିଛି ମହାବିଦ୍ୟାଳୟର ଅଧ୍ୟାପକ ନିଜ ଘରେ ଟ୍ୟୁସନ୍ କରନ୍ତି। ଟ୍ୟୁସନ୍ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ଏମାନଙ୍କର ଭଲ ସମ୍ପର୍କ। ଯେମିତି ଗୁଆ ଦିଆନିଆ ବନ୍ଧୁ।

ସେମାନଙ୍କୁ ଅଧିକ ମାର୍କ ଦେବା, ଆବଶ୍ୟକସ୍ଥଳେ (ବିଶେଷତଃ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ) ପ୍ରଶ୍ନପତ୍ର କହିଦେବା ଇତ୍ୟାଦି। ଏସବୁ ଭିତରେ ରହିଛି ଛାତ୍ରୀମାନଙ୍କ ପ୍ରତି ଆକର୍ଷିତ ହେବାର କଳଙ୍କିତ କାହାଣୀ। ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବା ଖବର ୟା’ ଭିତରେ ଅନେକ ଥର ଆସିଲାଣି। ଏହା ନିଶ୍ଚୟ ଏକ ବିଡ଼ମ୍ବନାର ବିଷୟ। ଏମିତି କିଛି ନୀଚ ଶିକ୍ଷକଙ୍କ ଯୋଗୁଁ ଶିକ୍ଷକ ଜାତି ବଦ୍‍ନାମ ହେଉଛି।

ସେ ଯାହାହେଉ, ଆଜିର ଦିନକୁ କେବଳ ପାଳନ କରିଦେଲେ ହେବ ନାହିଁ। ଏହା ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ସମୀକ୍ଷାର ଦିନ। ଶିକ୍ଷକ ଓ ଛାତ୍ରଙ୍କ ନିକଟରେ ହିଁ ଦେଶକୁ ଶୃଙ୍ଖଳିତ, ସମୃଦ୍ଧ କରିବାର ଶକ୍ତି ରହିଛି।

(ଲେଖକ ଆଇଆଇଏମସି ଢେଙ୍କାନାଳର ଏକାଡେମିକ ଆସିଷ୍ଟାଣ୍ଟ। ଏହା ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ।)

Comment