ସୌମ୍ୟ ରଞ୍ଜନ ବିହାରା

କୋଭିଡ୍ ପରିସ୍ଥିତିରେ ଅନଲାଇନ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଏହା କେତେ ଉପଯୋଗୀ?

ବର୍ତ୍ତମାନର କୋଭିଡ୍‍-୧୯ ପରିସ୍ଥିତିରେ ଶିକ୍ଷାକୁ ନେଇ ସବୁଠି ଚର୍ଚ୍ଚା। ସ୍କୁଲ, କଲେଜ ବନ୍ଦ; ପାଠପଢ଼ା କେମିତି ହେବ? ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଚିନ୍ତାରେ। ଏମିତି ସ୍ଥିତିରେ ଅନେକେ ଅନ୍‍ଲାଇନ ଶିକ୍ଷା ବା ଡିଜିଟାଲ ପ୍ଲାଟ୍‍ଫର୍ମରେ ଶିକ୍ଷାକୁ ଏକମାତ୍ର ବିକଳ୍ପ ବୋଲି କହୁଛନ୍ତି। ତେବେ ଇଣ୍ଟରନେଟ୍‍ ମାଧ୍ୟମରେ ଅନ୍‍ଲାଇନରେ ପାଠପଢ଼ା ନିଶ୍ଚିତ ଭାବେ ଆଦୌ ଶିକ୍ଷା ନହେବା ଠାରୁ ବହୁ ଗୁଣରେ ଭଲ।

ତେବେ ଏହା ଶିକ୍ଷାର ସ୍ଥାୟୀ ବିକଳ୍ପ କେବେ ବି ହୋଇପାରିବ ନାହିଁ। କାରଣ, ଶିକ୍ଷା ପାଇଁ ଏକ ପରିବେଶ ଜରୁରୀ। ଆଉ ଏହି ପରିବେଶ ଶିକ୍ଷାନୁଷ୍ଠାନରେ ହିଁ ରହିଥାଏ। ଘରେ ରହି  ଅନ୍‍ଲାଇନରେ ଅନେକ କଥା ଶିଖିହେବ, ଏକ୍ସଟେନ୍‍ସନ୍‍ କ୍ଲାସ (ପାଠ୍ୟକ୍ରମ ସମ୍ବଳିତ ବିଭିନ୍ନ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବକ୍ତବ୍ୟ)ରେ ଉପସ୍ଥିତ ରହିହେବ। କିନ୍ତୁ ଶ୍ରେଣୀ କକ୍ଷର ସେ ସ୍ୱାଦ ମୋବାଇଲ୍‍ ବା କମ୍ପ୍ୟୁଟର ପରଦାରେ ନାହିଁ। ଶ୍ରେଣୀ କକ୍ଷରେ ଶିକ୍ଷାର୍ଥୀଟିଏ ଯେତେ ଶିଖିପାରିବ, ଯେତେ ଜ୍ଞାନ ଆହରଣ କରିପାରିବ, ବିଶ୍ଳେଷଣ କ୍ଷମତା ଯେତେ ବ୍ୟାପକ ହୋଇପାରିବ; ତାହା ଅନ୍‍ଲାଇନ ପ୍ଲାଟ୍‍ଫର୍ମରେ ସମ୍ଭବ ନୁହେଁ। ଶ୍ରେଣୀ କକ୍ଷରେ ଶିକ୍ଷକ ଓ ଶିକ୍ଷାର୍ଥୀ ସାମ୍ନାସାମ୍ନି ରହିଥା’ନ୍ତି। ଏଣୁ ଶିକ୍ଷାର୍ଥୀ ମନରେ ପ୍ରତ୍ୟେକ ମୁହୂର୍ତ୍ତରେ ଆସୁଥିବା ପ୍ରଶ୍ନ ସେ ଶିକ୍ଷକଙ୍କ ସାମ୍ନାରେ ରଖିପାରେ। ଶିକ୍ଷକ ତା ପ୍ରଶ୍ନର ଉତ୍ତର ଯଥାସମ୍ଭବ ଦେବାକୁ ଚେଷ୍ଟା କରନ୍ତି। ଅବଶ୍ୟ ଟେକ୍ନୋଲୋଜିର ନୂଆ ନୂଆ ବୈଶିଷ୍ଟ୍ୟ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିପାରିବ।ଅନ୍‍ଲାଇନ ଶିକ୍ଷା ବା ଇ-ଶିକ୍ଷା ଏବଂ ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷା ଭିତରେ ପାର୍ଥକ୍ୟ ରହିଛି। ଇ-ଶିକ୍ଷା କହିଲେ ଆମେ ସାଧାରଣତଃ ଅନ୍‍ଲାଇନରେ ଶିକ୍ଷା ବା ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ ଶିକ୍ଷାକୁ ବୁଝୁ। ଅର୍ଥାତ୍‍, ଶିକ୍ଷା ପାଇଁ ଶିକ୍ଷାର୍ଥୀଙ୍କୁ ଶିକ୍ଷାନୁଷ୍ଠାନ ଯିବାକୁ ପଡ଼ିନଥାଏ। ଘରେ ରହି ସେ ପଢ଼ିଥାଏ। ଯେକୌଣସି ସ୍ଥାନରେ କମ୍ପ୍ୟୁଟର ବା ସ୍ମାର୍ଟଫୋନ୍‍ ମାଧ୍ୟମରେ ପରୀକ୍ଷା ମଧ୍ୟ ଦେଇହୁଏ।

ଅନ୍ୟପକ୍ଷରେ ବୈଷୟିକ ବିଦ୍ୟାଭିତ୍ତିକ ବା ଟେକ୍ନୋଲୋଜିଭିତ୍ତିକ ଶିକ୍ଷାର ଅର୍ଥ ଭିନ୍ନ। ଏହାକୁ ଶିକ୍ଷାର ଏକ ଉତ୍ତମ ମାଧ୍ୟମ ବୋଲି କହିହେବ। ଅର୍ଥାତ୍‍, ହ୍ୱାଇଟ୍‍ ବୋର୍ଡ-ଡଷ୍ଟର ବଦଳରେ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍‍ର ବ୍ୟବହାର, ପୁସ୍ତକ ବଦଳରେ ଇ-ପୁସ୍ତକ, ହାତରେ ଲେଖିବା ବଦଳରେ କମ୍ପ୍ୟୁଟର ବା ମୋବାଇଲ୍‍ରେ ଟାଇପ୍‍ କରିବା, ଅଡିଓ ଫାଇଲ୍‍ରେ ପାଠ୍ୟକ୍ରମର ବିବରଣୀ, ଭିଡିଓ ମାଧ୍ୟମରେ ପାଠ୍ୟବିଷୟର ଆଲୋଚନା ଇତ୍ୟାଦି। ପରିବର୍ତ୍ତିତ ଯୁଗ ଅନୁସାରେ ଏସବୁ ନିଶ୍ଚିତ ଭାବେ ଶିକ୍ଷାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ବେଶ୍‍ ସାହାଯ୍ୟ କରିବ ଏବଂ ପଢ଼ିବା ଲାଗି ସେମାନଙ୍କର ଆଗ୍ରହ ବୃଦ୍ଧି କରିପାରିବ।online classକେହିକେହି କହୁଛନ୍ତି, ଟେକ୍ନୋଲୋଜିଭିତ୍ତିକ ଶିକ୍ଷା ଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହୋଇପାରିବ। ଶିକ୍ଷକମାନେ ଅଧିକ ସଚେତନ ହୋଇ ବିଷୟବସ୍ତୁ ଭଲ ଭାବେ ପ୍ରସ୍ତୁତ କରିବେ, ପାଠ ପଢ଼େଇବେ। ଏହି କଥାଟି ସେମିତି ବାସ୍ତବ ମନେ ହେଉନାହିଁ। ଶ୍ରେଣୀ କକ୍ଷରେ ଶିକ୍ଷକ ବିଷୟ ଆରମ୍ଭ କରିବା ପୂର୍ବରୁ ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରନ୍ତି। ପରସ୍ପରଙ୍କ ମଧ୍ୟରେ ଧାରଣାର ଆଦାନ ପ୍ରଦାନ ହୁଏ। ଅନ୍ୟ ଶିକ୍ଷାର୍ଥୀମାନେ ବି ଅନେକ କଥା ଶୁଣନ୍ତି, ଜାଣିବାକୁ ପାଆନ୍ତି। ମୋଟାମୋଟି ବିଷୟ ଉପରେ ଏକ ଚିତ୍ର ମିଳିଥାଏ। ସେହିପରି ଶିକ୍ଷକ ପାଠ ପଢ଼ାଉଥିବାବେଳେ ପାଠ୍ୟ ବିଷୟବସ୍ତୁ ସହ ଆବଶ୍ୟକସ୍ଥଳେ କେତୋଟି ବାସ୍ତବ ଉଦାହରଣ ଦେଇଥା’ନ୍ତି, ଏମିତିକି ନିଜ ବ୍ୟକ୍ତିଗତ ଜୀବନରେ ଘଟିଥିବା କିଛି ଘଟଣାବଳୀ ଉଲ୍ଲେଖ କରିଥା’ନ୍ତି, ଯାହାର ସମ୍ବନ୍ଧ ବିଷୟବସ୍ତୁ ସହ ଥିବ। ଏମିତି ଉଦାହରଣ ଦ୍ୱାରା ଶିକ୍ଷାର୍ଥୀ ମନକୁ ଆସୁଥିବା ଅନେକ ପ୍ରଶ୍ନର ଉତ୍ତର ମିଳିଯାଏ, ତାକୁ ଗୋଟେ ବ୍ୟାପକ ତଥା ବ୍ୟାବହାରିକ ଆଇଡିଆ ମିଳିଯାଏ।

ତେବେ ଅନ୍‍ଲାଇନ କ୍ଲାସ୍‍ରେ ଯେହେତୁ ରେକର୍ଡିଂ, ସାମାଜିକ ଗଣମାଧ୍ୟମରେ ଅପ୍‍ଲୋଡ୍‍ ଆଦିର ସୁବିଧା ରହିଛି, ସେଥିପାଇଁ ଶିକ୍ଷକମାନେ ମାପିଚୁପି କଥା କହିବେ। ଅର୍ଥାତ୍‍, କେବଳ ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେବେ। କୌଣସି ବିବାଦୀୟ ବା ବ୍ୟକ୍ତିଗତ କଥା ଉଲ୍ଲେଖ କରିବେ ନାହିଁ। ଏଣୁ ଏକ ଆଇଡିଆ ଆଦାନ-ପ୍ରଦାନର ବ୍ୟାପକତା ପରିପ୍ରକାଶ ହୋଇନପାରେ। ଶିକ୍ଷାର୍ଥୀଟି ମଧ୍ୟ ଅନେକ ସମୟରେ ଅତି ସହଜ ପ୍ରଶ୍ନ ପଚାରିବାକୁ କୁଣ୍ଠାବୋଧ କରିବ। କାରଣ, କାଳେ ତାକୁ କେହି ରେକର୍ଡିଂ କରି ବା ସ୍କ୍ରିନ୍‍ ସଟ୍‍ ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେବେ କି? କେହି ସେହି କ୍ଲିପ୍‍କୁ ନେଇ ଥଟ୍ଟା, ପରିହାସ କରିବେ କି? ଏମିତି ଭୟ ଶିକ୍ଷାର୍ଥୀ ମନରେ ରହିବ। ଫଳରେ ଶିକ୍ଷାର୍ଥୀ ମନରେ ପ୍ରଶ୍ନ ପରେ ପ୍ରଶ୍ନ ରହିଯାଉଥିବ। ସେ ଆହୁରି ଅବୁଝା ହୋଇଯିବ। କାରଣ ଶିକ୍ଷାର୍ଥୀଙ୍କ ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଇଣ୍ଟରନେଟ୍‍ରେ ମିଳିବନି।

ସେହିପରି ‘ଅନ୍‍ଲାଇନ ଶିକ୍ଷା’ରେ ବିଷୟ ଉପରେ ଶିକ୍ଷାର୍ଥୀଙ୍କ ଦଖଲ, ବିଶ୍ଳେଷଣ କ୍ଷମତା ଆଦି ସେଇ ପରିମାଣରେ ବଢ଼ିପାରେ ନାହିଁ। କାରଣ ଅନ୍‍ଲାଇନ ଶିକ୍ଷାରେ ଅନେକ ଅସୁବିଧା ରହିଛି। ଏସବୁ ମଧ୍ୟରୁ ଇଣ୍ଟରନେଟ୍‍ ସଂଯୋଗ, ବିଦ୍ୟୁତ ସଂଯୋଗ ପରି କେତୋଟି ସାଧାରଣ ସମସ୍ୟା ରହିଥିବାବେଳେ ବେଶ୍‍ କିଛି ବୈଷୟିକ, ସାମାଜିକ ଓ ମନସ୍ତାତ୍ତ୍ୱିକ ସମସ୍ୟା ବାଧକ ହୋଇପାରେ। ଫଳରେ ଶିକ୍ଷା ବାଧିତ ହୁଏ, ଶିକ୍ଷାର୍ଥୀ ମଧ୍ୟ ବାଧାପ୍ରାପ୍ତ  ହୁଅନ୍ତି।ଇ-ଶିକ୍ଷାରେ ଇଣ୍ଟରନେଟ୍‍ ବାଧକ

ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ଏକ ରିପୋର୍ଟ ଅନୁସାରେ, ୨୦୧୯ ସୁଦ୍ଧା ଭାରତରେ ପ୍ରାୟ ୭୨ କୋଟି ଇଣ୍ଟରନେଟ୍‍ ବ୍ୟବହାରକାରୀ ଅଛନ୍ତି। ଅର୍ଥାତ୍‍, ପ୍ରତି ୧୦୦ ଜଣ ମଧ୍ୟରୁ ୫୪ ଜଣ ବ୍ୟବହାରକାରୀ। ତା’ ମାନେ ନୁହେଁ ଯେ ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ଲୋକ ଇଣ୍ଟରନେଟ୍‍ ବ୍ୟବହାର କରୁଛନ୍ତି। କାରଣ, ଅନେକ ଲୋକ ଏକାଧିକ ଇଣ୍ଟରନେଟ୍‍ ସଂଯୋଗ ନେଇଛନ୍ତି। ଏଣୁ ଅଧାଅଧି ଲୋକଙ୍କ ପାଖରେ ଏବେ ବି ଇଣ୍ଟରନେଟ୍‍ ପହଞ୍ଚିପାରିନାହିଁ। ଆଉ ଏକ ମୁଖ୍ୟ ସମସ୍ୟା ହେଉଛି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏକ ବଡ଼ ଅନ୍ତର। ସେଇ ଟ୍ରାଇର ରିପୋର୍ଟ ଅନୁସାରେ, ଦେଶର ସହରାଞ୍ଚଳରେ ପ୍ରତି ୧୦୦ ଜଣ ଲୋକଙ୍କ ମଧ୍ୟରେ ୧୦୬ ଇଣ୍ଟରନେଟ୍‍ ବ୍ୟବହାରକାରୀ (ଜଣଙ୍କର ଏକାଧିକ ସଂଯୋଗକୁ ମିଶାଇ) ଅଛନ୍ତି। ହେଲେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ବହୁତ କମ୍‍ ଅର୍ଥାତ୍‍ ହାରାହାରି ମାତ୍ର ୩୦ ଇଣ୍ଟରନେଟ୍‍ ବ୍ୟବହାରକାରୀ। ଏଥିରୁ ସ୍ପଷ୍ଟ ସମସ୍ତଙ୍କ ପାଖରେ ଇଣ୍ଟରନେଟ୍‍ ସହଜରେ ପହଞ୍ଚିବା ପାଇଁ ଆହୁରି ଅନେକ ସମୟ ଲାଗିବ।

ମନେ କରାଯାଉ ଇଣ୍ଟରନେଟ୍‍ ସଂଯୋଗ ଏକ ଅସ୍ଥାୟୀ ସମସ୍ୟା। ଅର୍ଥାତ୍‍, ଆସନ୍ତା ୨୦/୩୦ ବର୍ଷ ଭିତରେ ଏହା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଦ୍ରୁତ ଗତିରେ ସହଜରେ ପହଞ୍ଚିଯିବ। ତା’ପରେ ବି ଅନେକ ସମସ୍ୟା ଆସିପାରେ। ଇଣ୍ଟରନେଟ୍‍ ପାଇଁ ଏବେ ମାସକୁ ଅନ୍ତତଃ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ ଶିକ୍ଷା ପାଇଁ ଅନ୍ତତଃ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଲ୍ୟାପ୍‍ଟପ୍‍ କିମ୍ବା ସ୍ମାର୍ଟଫୋନ୍‍ ଦରକାର। ଏବେକାର ସ୍ମାର୍ଟଫୋନ୍‍ର ହାରାହାରି ମୂଲ୍ୟ ହେଉଛି ୧୦ ହଜାର ଟଙ୍କା। ଆଉ ସ୍ମାର୍ଟଫୋନ୍‍ର ହାରାହାରି ଆୟୁଷ ହେଉଛି ଦୁଇ ବର୍ଷ। ମାନେ, ଦୁଇ ବର୍ଷ ପରେ ସ୍ମାର୍ଟଫୋନ୍‍ର ହାର୍ଡୱେର କିମ୍ବା ସଫ୍ଟୱେରରେ ସମସ୍ୟା ଦେଖାଦେବ ନହେଲେ ବ୍ୟାଟେରୀ କି ଡିସ୍‍ପ୍ଲେ’ ବା ଅନ୍ୟ କୌଣସି ଅଂଶରେ। ଯଦି ବି କିଛି ସମସ୍ୟା ଦେଖା ନଦିଏ, ତେବେ ଦୁଇ ବର୍ଷ ପରେ ସମାନ ସ୍ମାର୍ଟଫୋନ୍‍ ବ୍ୟବହାର କରିବାର ଆଗ୍ରହ ଆଉ ନଥିବ।

ତା’ରି ଭିତରେ କିଛି ନୂଆ ଟେକ୍ନୋଲୋଜି ବା ଫିଚର ଯୋଡ଼ିହୋଇ ସାରିଥବ। ଫଳରେ ଶିକ୍ଷାର୍ଥୀ କେବେ ହେଲେ ସେଇ ପୁରୁଣା ସ୍ମାର୍ଟଫୋନ୍‍ ଧରିବାକୁ ଚାହିଁବ ନାହିଁ। ଘରେ ଜିଦି କରିବ, ଯେମିତି ବି ହେଉ ନୂଆ ସ୍ମାର୍ଟଫୋନ୍‍ଟିଏ ଆଣିବ। ଏସବୁ ଦୃଷ୍ଟିକୁ ବିଚାର କଲେ, ଗୋଟିଏ ୧୦ ହଜାର ଟଙ୍କିଆ ସ୍ମାର୍ଟଫୋନ୍‍ ଯଦି ଦୁଇ ବର୍ଷ ଯାଏ, ତେବେ ମାସକୁ ପଡ଼ିଲା ପ୍ରାୟ ୪୦୦ ଟଙ୍କା। ଇଣ୍ଟରନେଟ୍‍ ବାବଦକୁ ୨୦୦ ମିଶାଇଲେ ମୋଟ ୬୦୦ ଟଙ୍କା। ଅର୍ଥାତ୍‍ ବର୍ଷକୁ ସର୍ବନିମ୍ନ ଖର୍ଚ୍ଚ ୭୨୦୦ ଟଙ୍କା। ପୁଣି ସ୍ମାର୍ଟଫୋନ୍‍ଟି ଯଦି ଖରାପ ହୋଇଯାଏ ବା ପାଣିରେ ପଡ଼ିଯାଏ ବା ହାତରୁ ଖସି ଡିସ୍‍ପ୍ଲେ’ ଭାଙ୍ଗିଯାଏ କଥା ସରିଲା। ରିପାୟରିଂ ବାବଦକୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।ଭାରତ ଏପରି ଏକ ଦେଶ ଯେଉଁଠି ଡିସ୍‍ପ୍ଲେ’ ଭାଙ୍ଗିଯାଇଥିବା କିଛି ମୋବାଇଲ୍‍ ବ୍ୟବହାରକାରୀ ରବରଟିଏ ବାନ୍ଧି ସର୍ବନିମ୍ନ କାମ ଚଳେଇଦିଅନ୍ତି। ଅନେକଙ୍କ ପାଇଁ କଲ୍‍ ଯିବା ଆସିବା କରୁଥିଲେ ଯଥେଷ୍ଟ। ଏମିତି ସ୍ଥିତିରେ ଭଙ୍ଗା ଡିସ୍‍ପ୍ଲେ’ରେ କ୍ଲାସ୍‍ କରିବାରେ ଆଗ୍ରହ ନିଶ୍ଚୟ କମିବ ବା ଆଦୌ ରହିବ ନାହିଁ। ଫଳରେ ପଇସା ଥାଉ କି ନ ଥାଉ ନୂଆ ସ୍ମାର୍ଟଫୋନ୍‍ଟିଏ ଆଣିବାକୁ ହେବ। ଏହା ଅଭିଭାବକଙ୍କ ଉପରେ ଅଯଥା ଆର୍ଥିକ ଚାପ ପକାଇବ। କାରଣ, ଆମ ଦେଶରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀଙ୍କ ସଂଖ୍ୟା ବହୁତ ଅଧିକ। ଏହି ଦୁଇ ଶ୍ରେଣୀଙ୍କ ପାଇଁ ଟଙ୍କାଟିଏ ବି ମୂଲ୍ୟବାନ। କିନ୍ତୁ ପାରମ୍ପରିକ ଶିକ୍ଷାରେ ଶିକ୍ଷାର୍ଥୀଟିଏ ସାଇକେଲ୍‍ ଯୋଗେ କିମ୍ବା ଟ୍ରେନ୍‍ରେ ‘ଶିକ୍ଷାର୍ଥୀ ପାସ୍‍’ କରି ଖୁବ୍‍ କମ୍‍ ଖର୍ଚ୍ଚରେ ଶିକ୍ଷାନୁଷ୍ଠାନରେ ପହଞ୍ଚିପାରିଥାଏ।

ବିଷୟକୁ ନେଇ ଦ୍ୱନ୍ଦ୍ୱ

ଶିକ୍ଷା ସମୟରେ ପାଠ୍ୟବିଷୟ ଉପରେ ଶିକ୍ଷାର୍ଥୀଙ୍କ ମନରେ ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ। ଶ୍ରେଣୀ କକ୍ଷରେ ଯେତେବେଳେ ଶିକ୍ଷକ ପାଠ ପଢ଼ାଉଥା’ନ୍ତି ସେଇ ସମୟରେ ହିଁ ଶିକ୍ଷାର୍ଥୀଟିଏ ହାତ ଉପରକୁ ଟେକି ପ୍ରଶ୍ନ କରିଥାଏ। ଅର୍ଥାତ୍‍, ସେ ଯଦି ଶିକ୍ଷକଙ୍କ କଥାକୁ ବୁଝିନପାରେ, ତେବେ ଶିକ୍ଷକ ତାକୁ ଏବଂ ସମସ୍ତ ପିଲାଙ୍କୁ ଆଉ ଥରେ ବୁଝେଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଅନ୍‍ଲାଇନରେ ଏହା ସବୁ ସମୟରେ ସମ୍ଭବ ହୋଇପାରେନି। ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ ପ୍ରଶ୍ନ ପଚାରିବାର ବ୍ୟବସ୍ଥା ଅଛି। ଉଭୟ ମୌଖିକ ଭାବେ ଏବଂ ଲିଖିତ ଭାବେ। କିନ୍ତୁ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀଟି ଯଦି ମୌଖିକଭାବେ କିଛି ପ୍ରଶ୍ନ କରେ, ତେବେ ଅନେକ ବାଧା ଆସିବାର ସମ୍ଭାବନା ଅଛି। ଅଯଥା ଶବ୍ଦ (ନଏଜ୍‍) ସୃଷ୍ଟି ହୁଏ। ପୁଣି ଜଣେ ଶିକ୍ଷାର୍ଥୀ ତା ନିଜର ଅଡିଓକୁ ଅନ୍‍ମ୍ୟୁଟ୍‍ କରି ପ୍ରଶ୍ନ ପଚାରିଲାବେଳେ ଭୁଲ୍‍ ବଶତଃ ଯଦି ଆଉ ଜଣେ ଶିକ୍ଷାର୍ଥୀ ତା’ ପ୍ରଶ୍ନ ପଚାରିବା ପାଇଁ ନିଜର ଅଡିଓ ଅପ୍‍ସନ୍‍କୁ ଅନ୍‍ମ୍ୟୁଟ୍‍ କରିଦିଏ, ତେବେ ନିରବତା ଭଙ୍ଗ ହୁଏ। ଫଳରେ ସେହି ପ୍ଲାଟ୍‍ଫର୍ମରେ ଥିବା ସମସ୍ତେ ବାଧାପ୍ରାପ୍ତ (ଡିଷ୍ଟର୍ବ) ହୁଅନ୍ତି। ଶିକ୍ଷକ ମଧ୍ୟ ଖୁବ୍‍ ବାଧାପ୍ରାପ୍ତ ହୁଅନ୍ତି। ସେହିପରି ଶିକ୍ଷକ ପାଠ ପଢ଼ାଉଥିବାବେଳେ ଲିଖିତ ପ୍ରଶ୍ନ ଦେଖିବାର ସୁଯୋଗ କମ୍‍ ଥାଏ। ଲିଖିତ ପ୍ରଶ୍ନଗୁଡ଼ିକୁ ସେ ଶିକ୍ଷାଦାନ ଶେଷରେ ହିଁ ଦେଖନ୍ତି। ଏଠି ଆଉ ଗୋଟିଏ ସମସ୍ୟା। ଧରନ୍ତୁ, ଜଣେ ଶିକ୍ଷାର୍ଥୀ ପ୍ରଶ୍ନଟିଏ ପଚାରିଛନ୍ତି। ସେ ପ୍ରଶ୍ନର ଉତ୍ତର ଅନ୍ୟମାନେ ଶୁଣିବେ, ସେ ଗ୍ୟାରେଣ୍ଟି କିଛି ନାହିଁ। କାରଣ, ପ୍ରଶ୍ନୋତ୍ତର ସମୟରେ ଅନେକେ ଅନ୍‍ଲାଇନରେ ଥାଇ ମଧ୍ୟ ଅନ୍ୟ କାମ କରିପାରନ୍ତି। ତେଣୁ ଶିକ୍ଷକଙ୍କ କଥା କିଏ ଶୁଣୁଛନ୍ତି କିଏ ଶୁଣୁନାହାନ୍ତି, ତାହା ଶିକ୍ଷକଙ୍କ ପକ୍ଷେ ଜାଣିବା ସହଜ ହୁଏନି।

school-2ପାଠପଢ଼ାରେ ଅବହେଳା

ଅନ୍‍ଲାଇନ ଶିକ୍ଷାର ସବୁଠୁଁ ବଡ଼ ସମସ୍ୟା ହେଉଛି ଶିକ୍ଷାର୍ଥୀମାନେ ଶିକ୍ଷାରେ ଅବହେଳା କରିବାର ଅନେକ ସୁଯୋଗ ଥାଏ। ଶ୍ରେଣୀ କକ୍ଷ ଶିକ୍ଷାରେ ଶିକ୍ଷକ ଯାହା ପଢ଼ାଉଛନ୍ତି, ତାକୁ ଶିକ୍ଷାର୍ଥୀମାନେ ସେଇ କ୍ଲାସ୍‍ରେ ହିଁ ସଙ୍ଗେସଙ୍ଗେ ନୋଟ୍‍ କରିଦିଅନ୍ତି। ନୋଟରେ ଲେଖିବା ଯୋଗୁଁ ବିଷୟବସ୍ତୁକୁ ମନେ ରଖିବା ସେମାନଙ୍କ ପାଇଁ ସହଜ ହୋଇଥାଏ। ପରେ ସେହି ନୋଟ୍‍ଟି ଦେଖିଦେଲେ ଶିକ୍ଷାର୍ଥୀଟି ଅନେକ କଥା ସ୍ମରଣ କରିପାରେ ଆଉ ପରୀକ୍ଷା ପ୍ରସ୍ତୁତିରେ ମଧ୍ୟ ଏହା ଖୁବ୍‍ ସହାୟକ ହୋଇଥାଏ। ହେଲେ ଅନ୍‍ଲାଇନରେ ଶିକ୍ଷାର୍ଥୀଟି କମ୍ପ୍ୟୁଟର ବା ମୋବାଇଲ୍‍ ସ୍କ୍ରିନ୍‍କୁ ଦେଖି ବା ଶୁଣି ନୋଟ୍‍ କରିବା ସହଜ ହୁଏନି। ଯଦି କୌଣସି କାରଣରୁ ଶିକ୍ଷାର୍ଥୀଟି ଶିକ୍ଷକଙ୍କ କଥା ସ୍ପଷ୍ଟଭାବେ ଶୁଣିପାରେନାହିଁ, ତେବେ ସେ ଲେଖିବାବେଳେ ଅସୁବିଧାର ସାମ୍ନା କରିବ। ବଡ଼ କଥା ହେଉଛି, ଶିକ୍ଷାର୍ଥୀଟି ଲେଖୁଛି ନା ନାହିଁ, ତାହା ଶିକ୍ଷକ ଦେଖିପାରନ୍ତି ନାହିଁ। ଏହାର ସୁଯୋଗ ନେଇ ଅନେକ ଶିକ୍ଷାର୍ଥୀ ଲେଖନ୍ତି ନାହିଁ।

କମ୍‍ ପ୍ରଭାବଶାଳୀ

ଅନେକେ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ କହୁଛନ୍ତି, ପାରମ୍ପରିକ ଶ୍ରେଣୀକକ୍ଷ ଶିକ୍ଷାଠାରୁ ଅନ୍‍ଲାଇନ ଶିକ୍ଷା ଅଧିକ ଆଗ୍ରହପୂର୍ଣ୍ଣ ବା ପ୍ରଭାବଶାଳୀ।  ଏହା ବାସ୍ତବରେ କେତେ ଦୂର ଠିକ୍‍? ପ୍ରକୃତରେ କହିବାକୁ ଗଲେ, ଶ୍ରେଣୀକକ୍ଷର ‘ଫେସ୍‍ ଟୁ ଫେସ୍‍ ଇଣ୍ଟରାକ୍ସନ୍‍’ ଅନ୍‍ଲାଇନରେ ସମ୍ଭବ ନୁହେଁ। ଅନ୍‍ଲାଇନରେ ଶିକ୍ଷକ ଏକା ସମୟରେ ସବୁ ଶିକ୍ଷାର୍ଥୀଙ୍କୁ ଦେଖିପାରନ୍ତି ନାହିଁ। ଶିକ୍ଷକ-ଶିକ୍ଷାର୍ଥୀଙ୍କ ମଧ୍ୟରେ ‘ଆଇ କଣ୍ଟାକ୍ଟ’ ହୋଇପାରେ ନାହିଁ। ତା’ପରେ ଡିଜିଟାଲ୍‍ ମାଧ୍ୟମରେ ଚଳଚ୍ଚିତ୍ର ଓ ଭିଡିଓ ଦେଖିବା ଏବଂ ଶିକ୍ଷକଙ୍କ କଥା ଶୁଣିବା ଭିତରେ ବେଶ୍‍ ଫରକ ରହିଛି। ବସ୍ତୁତଃ ଜଣେ ପିଲା ଦିନକୁ ୮ ଘଣ୍ଟାରୁ ଅଧକ ସମୟ ମୋବାଇଲ୍‍ରେ ଚଳଚ୍ଚିତ୍ର, ଭିଡିଓ ଆଦି ଦେଖିପାରେ, ଗେମ୍‍ ଖେଳିପାରେ, ସାମାଜିକ ଗଣମାଧ୍ୟମ ବ୍ୟବହାର କରିପାରେ ଇତ୍ୟାଦି। ଏଥିପାଇଁ ସେ କ୍ଳାନ୍ତ ଅନୁଭବ କରିନପାରେ। କିନ୍ତୁ, ମୋବାଇଲ୍‍ରେ ଘଣ୍ଟାଟିଏ ବି ଧୈର୍ଯ୍ୟର ସହ ଶିକ୍ଷକଙ୍କ କଥା ଶୁଣିବାବେଳେ ଅନେକ ଶିକ୍ଷାର୍ଥୀ ଅସ୍ଥିର ହୋଇଯା’ନ୍ତି।

ସେହିଭଳି ପୁସ୍ତକ ପଢ଼ିବା ଏବଂ ଇ-ପୁସ୍ତକ ପଢ଼ିବା ମଧ୍ୟ ଭିନ୍ନ କଥା। ଇ-ପୁସ୍ତକ ଅଧିକ ସମୟ ଧରି ପଢ଼ିହେବ ନାହିଁ। ଏକରେ ଛୋଟ ପରଦାରେ ପଢ଼ିବା କଷ୍ଟ। ଦୁଇରେ ଆଖି ଉପରେ ଏହା ସିଧାସଳଖ ପ୍ରଭାବ ପକେଇଥାଏ। ଏପରିକି ଶିକ୍ଷାର୍ଥୀ ଓ ଶିକ୍ଷକ ଉଭୟେ ଇ-ବହି କେବଳ ଡାଉନ୍‍ଲୋଡ୍‍ କରନ୍ତି ବା କେଉଁଠୁ ସଂଗ୍ରହ କରି ରଖନ୍ତି, କିନ୍ତୁ ତାକୁ ଏତେ ପଢ଼ନ୍ତି ନାହିଁ। ତେବେ ଶ୍ରେଣୀକକ୍ଷ ଶିକ୍ଷାରେ ଶିକ୍ଷାର୍ଥୀଟିର ପାଠ ପଢ଼ିବା ପାଇଁ କମ୍‍ ଆଗ୍ରହ ଥିଲେ ମଧ୍ୟ ଆଉ ଦଶ ଜଣ ଯେହେତୁ ପଢ଼ୁଛନ୍ତି, ତାକୁଇ ଦେଖି ସେ ଉତ୍ସାହିତ ହୋଇ ପାଠରେ ମନ ଦେଇପାରେ। ଏମିତି ଅନେକ ଶିକ୍ଷାର୍ଥୀଙ୍କ ଉଦାହରଣ ଦେଖିବାକୁ ମିଳେ।

ଅନ୍‍ଲାଇନରେ ଥାଆନ୍ତି କିନ୍ତୁ..

କୋଭିଡ୍‍-୧୯ ଯୋଗୁଁ ଏବେ ଅନେକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମିତ ୱେବିନାର ବା ଇ-ଆଲୋଚନାଚକ୍ର, ଇ-କର୍ମଶାଳା, ଇ-ବକ୍ତୃତା ଆଦି ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖଯୋଗ୍ୟ। ୱେବିନାର ସଫଳ ହେଉଛି ବୋଲି ଅନେକ ଶିକ୍ଷାନୁଷ୍ଠାନ କହୁଛନ୍ତି। ବାସ୍ତବତା କିନ୍ତୁ ଭିନ୍ନ। ୱେବିନାରର ସାର୍ଟିଫିକେଟ ପାଇବା ପାଇଁ ଅନେକ ଅଂଶଗ୍ରହଣକାରୀ କେବଳ ସେହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବା ଯୋଡ଼ି ହେଉଛନ୍ତି। ପ୍ରକୃତରେ ସେମାନେ ସେହି ସମୟରେ ଅନ୍ୟ କାର୍ଯ୍ୟ କରୁଛନ୍ତି। କମ୍ପ୍ୟୁଟର ବା ମୋବାଇଲ୍‍ରେ ଲିଙ୍କ୍‍ ମାଧ୍ୟମରେ ୱେବିନାରରେ ଯୋଡ଼ି ହୋଇଗଲେ, ତା’ପରେ ସ୍ପିକର ମ୍ୟୁଟ୍‍ କରିଦେଇ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଲେ। ଦେଖିବାକୁ କେହି ନାହାନ୍ତି, ତେଣୁ ଅସୁବିଧା କିଛି ନାହିଁ। ବକ୍ତାମାନେ ଅନର୍ଗଳ କହି ଚାଲିଥା’ନ୍ତି। ତାଙ୍କର କିଛି ଯାଏ ଆସେ ନାହିଁ। କାରଣ, ସେହି ବକ୍ତାମାନେ ବି ଅନେକ କ୍ଷେତ୍ରରେ ଯେତେବେଳେ ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ ଶ୍ରୋତା ବା ଦର୍ଶକ ଭୂମିକାରେ ଥା’ନ୍ତି, ସେମାନେ ବି ସେୟା କରନ୍ତି।

ଅନ୍‍ଲାଇନରେ କ୍ଲାସ୍‍ ଚାଲିଛି। କେହି ଜଣେ ହଠାତ୍‍ କଲ୍‍ କଲେ ବା ମେସେଜ୍‍ କଲେ, ଶିକ୍ଷାର୍ଥୀଟି ବାଧାପ୍ରାପ୍ତ ହେବାଟା ଥୟ। ଯଦି ଫୋନ୍‍ ବା ମେସେଜ୍‍ କରୁଥିବା ବ୍ୟକ୍ତିଜଣକ ଶିକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥା’ନ୍ତି, ତେବେ ଫୋନ୍‍ କରୁଥିବା ବ୍ୟକ୍ତିଙ୍କ ସହ ସେହି ସମୟରେ ଫୋନରେ କଥା ହୋଇନପାରନ୍ତି, କିନ୍ତୁ ମେସେଜ୍‍ରେ ତ କଥା ହୋଇପାରିବେ। ମେସେଜ୍‍ ଆସୁଥିବ, ପଢୁଥିବେ, ରିପ୍ଲେ ଦେଉଥିବେ; ପୁଣି ଟିକେ କ୍ଲାସ୍‍ ହେଉଥିବା ଆପ୍ଲିକେଶନ ଖୋଲି ଦେଖିଦେଉଥିବେ। କେଇ ସେକେଣ୍ଡରେ ସ୍ମାର୍ଟଫୋନ୍‍ରେ ଏତେ କାର୍ଯ୍ୟ ଖୁବ୍‍ ସହଜରେ ହୋଇପାରେ। କମ୍ପ୍ୟୁଟରରେ ଆହୁରି ସୁବିଧା। ଅର୍ଥାତ୍‍, କ୍ଲାସ୍‍ ହେଉଥିବା ଆପ୍ଲିକେଶନକୁ ମିନିମାଇଜ୍‍ କରି ଯେକୌଣସି ଆପ୍‍ ଉପରେ ରଖି (ଡିସ୍‍ପ୍ଲେ ଓଭର ଅଦର୍‍ ଆପ୍‍ ଯୋଗେ) ଶିକ୍ଷାନୁଷ୍ଠାନକୁ ଅନ୍‍ଲାଇନ ଅଛନ୍ତି ବୋଲି ଜଣେଇ ହେବ, ଏପଟେ କମ୍ପ୍ୟୁଟରରେ ଅନ୍ୟ କାମ କରିବାରେ କିଛି ଅସୁବିଧା ନାହିଁ। ଅନ୍ୟ କାମ ଭିତରେ ଫଟୋ, ଭିଡିଓ, ଫିଲ୍ମ ଆଦି ଦେଖିବା, ଚାଟିଂ କରିବା, ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ଆଦି। ଏମିତି ଚାଲିଲେ ପାଠରେ କେମିତି ଧ୍ୟାନ କେନ୍ଦ୍ରିତ ହେବ।

ଶିକ୍ଷା ସମୟରେ ସମସ୍ୟା

ଅନ୍‍ଲାଇନ ଶିକ୍ଷା ପାଇଁ ଶିକ୍ଷାର୍ଥୀଙ୍କ ଲାଗି ଏକ ସ୍ୱତନ୍ତ୍ର ବଖରା ମଧ୍ୟ ଜରୁରୀ। ନହେଲେ ଡିଷ୍ଟର୍ବାନ୍ସ ହୋଇପାରେ। ଶିକ୍ଷାନୁଷ୍ଠାନର ପରିବେଶ ହିଁ ଶିକ୍ଷା ଉପଯୋଗୀ। ଧରନ୍ତୁ, ଗୋଟିଏ ପରିବାରରେ ଦୁଇ ଜଣ ଶିକ୍ଷାର୍ଥୀ ଅଛନ୍ତି। ଅର୍ଥାତ୍‍, ସେମାନଙ୍କ ପାଇଁ ଦୁଇଟି ଅଲଗା ଅଲଗା କୋଠରି ଦରକାର। ନହେଲେ ସେମାନେ ଶୃଙ୍ଖଳିତ ଭାବେ ପଢ଼ିପାରିବେନି। କାରଣ, ଶିକ୍ଷାର୍ଥୀଟି ଅନ୍‍ଲାଇନ କ୍ଲାସ୍‍ କରୁଥିବାବେଳେ ଯଦି ଘରେ ଗ୍ରାଇଣ୍ଡର ଚାଲେ, କିଛି ଖଡ୍‍ଖାଡ୍‍ ହେଉଥାଏ, ପରିବାରର କେଉଁ ସଦସ୍ୟ ଫୋନ୍‍ରେ କଥା ହେଉଥା’ନ୍ତି, ଘରକୁ କୌଣସି କୁଣିଆ ଆସନ୍ତି, ରୋଷେଇ ହେଉଥାଏ, ଟିଭି ଚାଲୁଥାଏ ତାହେଲେ ଏମିତି ଏକ ପରିବେଶରେ ଶିକ୍ଷାର୍ଥୀଟି କେତେଦୂର ପଢ଼ିପାରିବ! ନିହାତି ଭାବେ ସେ ବାଧାପ୍ରାପ୍ତ ହେବ। ସେଥିପାଇଁ ତାକୁ ଦରକାର ଏକ ସ୍ୱତନ୍ତ୍ର କୋଠରି। ଏହାଦ୍ୱାରା ହୁଏତ ବାହ୍ୟ ବାଧକତା ଅନେକାଂଶରେ କମିପାରେ। ଏଇଠି ପ୍ରଶ୍ନ ଉଠେ, ସବୁ ଶିକ୍ଷାର୍ଥୀଙ୍କ ପାଇଁ ଆମ ଦେଶରେ କ’ଣ ସ୍ୱତନ୍ତ୍ର କୋଠରି ସମ୍ଭବ। ଆଜି ବି ଗୋଟିଏ ବଖରାରେ ପୂରା ପରିବାର ଚଳୁଛନ୍ତି। ଆଉ ଶ୍ରମ କରି ନିଜର ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେଇ ପିଲା ସ୍କୁଲ, କଲେଜ ଯାଇ ପାଠ ପଢ଼ୁଛି ଏବଂ ଭବିଷ୍ୟତ ଗଢ଼ିପାରୁଛି। ଏମିତିକି ବେଶ୍‍ କିଛି ଆର୍ଥିକ ଅନଗ୍ରସର ପିଲା ପ୍ରଶାସନିକ ଅଧକାରୀ ମଧ୍ୟ ହେଉଛନ୍ତି। ତେବେ ଅନ୍‍ଲାଇନ ଶିକ୍ଷାରେ ଏହିପରି ପିଲା ନିଶ୍ଚିତଭାବେ ନିରାଶ ହେବେ, ନିଃସନ୍ଦେହ।

ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଶିକ୍ଷାନୁଷ୍ଠାନ ଗଲେ ଶିକ୍ଷାର୍ଥୀ ପାଖରେ ପାଞ୍ଚ ଲୋକଙ୍କ ସହ ମିଶିବାର ସୁଯୋଗ ଥାଏ। ଏହା ତା’ର ଭବିଷ୍ୟତ ଗଠନରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ସାହାଯ୍ୟ କରିଥାଏ। କଥାବାର୍ତ୍ତା ଶୈଳୀ, ଆଚରଣ, ଉଚ୍ଚାରଣ, ଯୋଗାଯୋଗ କୌଶଳ, ବ୍ୟକ୍ତିତ୍ୱ ଗଠନ ଆଦି ଦିଗରେ ଏହା ଅନେକ ସହାୟକ ହୁଏ। ପରବର୍ତ୍ତୀ ସମୟରେ ବୃତ୍ତିଗତ ତଥା ବ୍ୟକ୍ତିଗତ କ୍ଷେତ୍ରରେ ଏସବୁ ବେଶ୍‍ କାମରେ ଆସିଥାଏ। ହେଲେ ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ ଏହା ଏତେ ସମ୍ଭବ ହୁଏନି। ଇଣ୍ଟରନେଟ୍‍ ମାଧ୍ୟମରେ ସିନା ଏସବୁ ବିଷୟରେ ସେ ଅବଗତ ହୋଇପାରିବ, କିନ୍ତୁ ବ୍ୟବହାର କରିବାର ସୁଯୋଗ କମ୍‍ ଥାଏ ଏଠି। ଏକ ନିର୍ଦ୍ଦିଷ୍ଟ ପରିସୀମା ବା ଅପ୍‍ସନ୍‍ରେ ସେ କେବଳ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବ। ବ୍ୟାବହାରିକ ଦିଗଟି ଶିକ୍ଷାର୍ଥୀର ଏତେ ମଜଭୁତ ହେବ ନାହିଁ।

ସେହିପରି ସ୍ମାର୍ଟଫୋନ୍‍ ଅଧିକ ବ୍ୟବହାରରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଛି। ଆଖି, ମସ୍ତିଷ୍କ ଓ ଶରୀର ଅନ୍ୟ ଅଙ୍ଗ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଶିକ୍ଷାର୍ଥୀମାନଙ୍କ ସ୍ମରଣ ଶକ୍ତି ବଢ଼ିବା ବଦଳରେ କମିକମି ଯିବ। ଶିକ୍ଷାର୍ଥୀଟି ସବୁବେଳେ ସହଜ ରାସ୍ତା ଖୋଜିବ । କ୍ଲିକ୍‍ କଲେ ଯେମିତି ଇଣ୍ଟରନେଟ୍‍ରେ ସବୁ ମିଳିପାରୁଛି, ସେମିତି ସବୁକିଛି ସହଜରେ ଆଶା କରିବ। ପରିଶ୍ରମ କରିବନି, ପାଠପଢ଼ାରେ ନିଷ୍ଠା ରଖିବନି । ଯେହେତୁ ଶୋଇକି କ୍ଲାସ୍‍ କରିବାର ସୁବିଧା ରହିଛି, ତେଣୁ ଅଳସୁଆମି ମଧ୍ୟ ବଢ଼ିପାରେ।

ବନ୍ଦୀ ଜୀବନ!

ଅନ୍‍ଲାଇନ ଶିକ୍ଷାରେ ଶିକ୍ଷାର୍ଥୀ ଏକପ୍ରକାର ବନ୍ଦୀ ଜୀବନ କାଟିଥାଏ ବୋଲି କହିଲେ ଭୁଲ ହେବନି। କାରଣ, ଶିକ୍ଷାର୍ଥୀଟି ଘର କୋଠରିରେ ଅଧିକାଂଶ ସମୟ କାଟିବ। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପରି ସେ ଚାରିଆଡ଼େ ବୁଲିବାର ସୁଯୋଗ ପାଇବନି । ଅନୁଧ୍ୟାନ କରିବାର ଦକ୍ଷତା ବି ଏତେ ବିକଶିତ ହେବ ନାହିଁ। ବାହାରକୁ ଗୋଡ଼ କାଢ଼ିଲେ ସିନା ଅନୁଧ୍ୟାନ, ବିଶ୍ଳେଷଣ ଦକ୍ଷତା ବଢ଼ିବ, ବିଭିନ୍ନ ବିଷୟରେ ଅବଗତ ହୋଇପାରିବ, ବାସ୍ତବ ଦୁନିଆ ପରଖି ପାରିବ। ତା’ପରେ ଘରେ ଅଧିକ ସମୟ ରହିଲେ ବିଶାଦ, ଚିଡ଼ିଚିଡ଼ା ସ୍ୱଭାବ ବଢ଼ିପାରେ, ବିଭିନ୍ନ ନକାରାତ୍ମକ ଚିନ୍ତାଧାରା ମନକୁ ଆସିପାରେ। ସାମାଜିକ ସଙ୍ଗରୋଧ ମଧ୍ୟ ବୃଦ୍ଧି ହୋଇପାରେ।

ଅନ୍ୟପକ୍ଷରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନ୍ୟ ଶିକ୍ଷାର୍ଥୀମାନଙ୍କ ସହ ମିଶିବାର ଯଥେଷ୍ଟ ସୁଯୋଗ ଥାଏ। ମଧ୍ୟାହ୍ନ ଭୋଜନ ବିରତି ହେଉ କି କ୍ୟାଣ୍ଟିନ୍‍ରେ ହେଉ, ଲାଇବ୍ରେରୀ ଯାଉଥିବା ବାଟରେ ହେଉ କି କେଉଁଠି ବସି କଥାହେଉଥିବାବେଳେ ନାନା କଥା ଉଠେ । ଦେଶ ଦୁନିଆର ବିଭିନ୍ନ ପ୍ରସଙ୍ଗ, ବିଭିନ୍ନ ସମସ୍ୟା, ବିଭିନ୍ନ କଥା ଆଲୋଚନା ହୁଏ। ଏହା ହୁଏତ ପ୍ରତ୍ୟକ୍ଷଭାବେ ପାଠ୍ୟକ୍ରମରେ କିଛି ସହାୟକ ହୋଇନପାରେ, କିନ୍ତୁ ପରୋକ୍ଷରେ ଭବିଷ୍ୟତ ଗଠନରେ ଏବଂ ଆଗକୁ ଯିବାରେ ଏହା ବେଶ୍‍ ସାହାଯ୍ୟ କରିଥାଏ । କାରଣ, ଏହି ଆଲୋଚନାରୁ ଜଣେ ଆଉ ଜଣକଠାରୁ କିଛି ଶୁଣିଥାଏ, କିଛି ଶିଖିଥାଏ, କିଛି ଅନୁଭବ କରିଥାଏ। ପ୍ରସଙ୍ଗଟି ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ତା’ଭିତରେ ଅନେକ ଅନୁଭବ ଭରି ରହିଥାଏ। ଯାହା ପରବର୍ତ୍ତୀ ସମୟରେ ଜୀବନ ଗଢ଼ିବାରେ କାମରେ ଲାଗେ । କାରଣ, ଶିକ୍ଷାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଶୃଙ୍ଖଳିତ ଜୀବନ ଗଠନ।BGUବ୍ୟାବହାରିକ ଦିଗ ଦୁର୍ବଳ

ଅନ୍‍ଲାଇନ ଶିକ୍ଷାରେ ବ୍ୟାବହାରିକ ଦିଗଟି ଦୁର୍ବଳ ମନେ ହୁଏ। ଚିତ୍ରକଳା, ଆପ୍ଲାଏଡ୍‍ ଆର୍ଟ ଆଣ୍ଡ୍‍ ଡିଜାଇନ୍‍, ଭାସ୍କର୍ଯ୍ୟ ପରି ଭିଜୁଆଲ୍‍ ଆର୍ଟ ପାଠ୍ୟକ୍ରମ,  ନୃତ୍ୟ, ଗୀତ, ବାଦ୍ୟ ଆଦି ପର୍‍ଫର୍ମିଂ ଆର୍ଟ୍‍ ପାଠ୍ୟକ୍ରମ, ଇଞ୍ଜିନିୟରିଂ, ଡାକ୍ତରୀ, ସାମ୍ବାଦିକତା ଭଳି ଅନେକ ବ୍ୟାବହାରିକପ୍ରଧାନ ପାଠ୍ୟକ୍ରମ ନିହାତି ଭାବେ ବାଧାପ୍ରାପ୍ତ ହେବ।

ଏହାସହିତ ଶିକ୍ଷକ କୌଣସି ବିଷୟରେ କିଛି ଲେଖିବାକୁ ଆସାଇନ୍‍ମେଣ୍ଟ ଦେଉଥିଲେ ଶିକ୍ଷାର୍ଥୀମାନେ ପରସ୍ପରଠାରୁ ବା ଇଣ୍ଟରନେଟ୍‍ରୁ ତଥ୍ୟ ନେଇ ସାମାନ୍ୟ ଏପଟସେପଟ କରି ଲେଖି ଦେଇଦେବେ। ମୋଟାମୋଟି କପି-ପେଷ୍ଟର ସୁଯୋଗ ଅଧିକ ଥାଏ। ଶିକ୍ଷକଙ୍କ ପକ୍ଷେ ସବୁ ସମୟରେ ପ୍ଲେଜୁରିଜମ୍‍ ଚେକ୍‍ କରିବା ସମ୍ଭବ ନୁହେଁ। ଅବଶ୍ୟ ଶିକ୍ଷାର୍ଥୀଙ୍କ ଏ ପ୍ରକାର କାର୍ଯ୍ୟକୁ ତଦାରଖ କରିବା ପାଇଁ କେତୋଟି ସଫ୍ଟୱେର ବାହାରିଲାଣି। କିନ୍ତୁ ଏହା ସାର୍ବଜନୀନ ଓ ସହଜ ଉପଲବ୍ଧ ହେବାକୁ ଆହୁରି ଅନେକ ବର୍ଷ ନେବ। ଏହା ସତ୍ତ୍ୱେ ବି କିଛି ଗଳାବାଟ ରହିଯାଇପାରେ! ଧରନ୍ତୁ; ଶିକ୍ଷାର୍ଥୀଙ୍କ ଭିତରେ ଛୋଟ ଛୋଟ ଗ୍ରୁପ୍‍ କରି ଶିକ୍ଷକ କୌଣସି କର୍ମଶାଳା କରିବାକୁ ଚାହୁଁଛନ୍ତି। ତାହା ମଧ୍ୟ ଅନ୍‍ଲାଇନ ପ୍ଲାଟ୍‍ଫର୍ମରେ ଭଲ ହେବନି। କାରଣ, କର୍ମଶାଳା ପଛରେ କେତୋଟି ଉଦ୍ଦେଶ୍ୟ ଥାଏ। ଯଥା: ପରସ୍ପର ଭିତରେ ଆଇଡିଆ ଆଦାନ-ପ୍ରଦାନ, ଗ୍ରୁପ୍‍ରେ ରହି କାର୍ଯ୍ୟ କରିବା, ସମସ୍ତଙ୍କୁ ଶୁଣିବା, ଭଲରୁ ଭଲ ଉପସ୍ଥାପନ କରିବା, ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ରଖିବା ଇତ୍ୟାଦି। ଏସବୁ ଭବିଷ୍ୟତରେ କର୍ମକ୍ଷେତ୍ରରେ ବହୁତ ସହାୟକ ହୋଇଥାଏ। ଏ ଅଭ୍ୟାସଟି ମଧ୍ୟ ଅନ୍‍ଲାଇନରେ ଠିକଣା ଭାବେ ପ୍ରତିପାଦନ ହୋଇପାରିବ ନାହିଁ। ସେହିଭଳି କ୍ଷେତ୍ରକୁ ଯାଇ ଗବେଷଣା କରିବା, କିଛି ପ୍ରକଳ୍ପ କରିବା ଆଦି କାର୍ଯ୍ୟ ଅନ୍‍ଲାଇନରେ ଭଲ ହେବନି।
ଶେଷରେ ଏତିକି କୁହାଯାଇପାରେ ଯେ, ଅନ୍‍ଲାଇନ ଶିକ୍ଷାର ପରିସର ସୀମିତ। ଏହା ଶିକ୍ଷାର ସମ୍ପୂର୍ଣ୍ଣ ବିକଳ୍ପ ହୋଇପାରିବନି। ଇଣ୍ଟରନେଟ୍‍ ମଞ୍ଚ କଦାପି ଶିକ୍ଷାନୁଷ୍ଠାନର ସ୍ଥାନ ନେଇପାରିବନି। ଇଣ୍ଟରନେଟ୍‍ ଏବଂ ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷା ଶିକ୍ଷାର୍ଥୀଙ୍କୁ ଅନେକ କ୍ଷେତ୍ରରେ ସହଯୋଗ କରିପାରିବ ନିଶ୍ଚୟ। କୋଭିଡ-୧୯ ଭଳି ପରିସ୍ଥିତି ସମୟରେ ଅନ୍‍ଲାଇନ ଶିକ୍ଷା ଏକ ବିଳଳ୍ପ ହୋଇପାରେ; କିନ୍ତୁ ସର୍ବଦା ନୁହେଁ।

Comment