ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ କ୍ରୀଡ଼ାକ୍ଷେତ୍ରରେ ନିଜର ପରିଚୟ ଖୋଜୁଥିବା ଓଡ଼ିଶା ଆଜି ପାଲଟିଛି ଦେଶର କ୍ରୀଡ଼ା ରାଜଧାନୀ।

ହକି ବିଶ୍ୱକପ୍‍ ୨୦୧୮। ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆାରମ୍ଭ ହୋଇଯାଇଛି ଅବଗଣନା। ପୁଣି ଥରେ ବିଶ୍ୱ ଦେଖିବ ଓଡ଼ିଶାର ଆଉ ଏକ ସଫଳ ଆୟୋଜନ। ଭାଗ ନେବେ ଭାରତ ସମେତ ବଛାବଛା ୧୬ଟି ଦେଶ। ଭୁବନେଶ୍ୱରର ରାଜରାସ୍ତାରେ ଉଡ଼ିବ ଏହିସବୁ ଦେଶର ଜାତୀୟ ପତାକା। ସାରା ପୃଥିବୀର ହକିପ୍ରେମୀଙ୍କୁ ସ୍ୱାଗତ କରିବ ଓଡ଼ିଶା। ସାରାବିଶ୍ୱର ମିଡିଆରେ ଛାଇଯିବ କଳିଙ୍ଗ ଷ୍ଟାଡିୟମର ସିନ୍ଥେଟିକ ଟର୍ଫ।

ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ହକି ବିଶ୍ୱକପ୍‍ ମହାମୁକାବିଲା। ଏହାର ବର୍ଷକ ପୂର୍ବରୁ ଏହି ଅନ୍ତର୍ଜାତୀୟ ମେଗା ଇଭେଣ୍ଟର ଲୋଗୋ ଏବଂ ମାସ୍କଟ ଉନ୍ମୋଚନ କରି ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦିନେ କ୍ରୀଡ଼ା ଜଗତରେ ଓଡ଼ିଶା ତାର ଅସ୍ତିତ୍ୱ ଖୋଜୁଥିଲା। ଏବେ ଓଡ଼ିଶାକୁ ଖୋଜୁଛି କ୍ରୀଡ଼ା ଜଗତ। କାରଣ ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ଇଭେଣ୍ଟର ସଫଳ ଆୟୋଜନ କରି ଚାଲିଛି ଓଡ଼ିଶା। ଏହି ସଫଳ ଆୟୋଜନ ପାଇଁ ହିଁ କ୍ରୀଡାବିତ୍‍ଙ୍କ ନଜରରେ ଓଡ଼ିଶା ପାଲଟିଛି ଆକର୍ଷଣ। ହକି ବିଶ୍ୱକପ୍‍ ଲୋଗୋ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ କ୍ରୀଡ଼ା ଜଗତର ନୂଆ ଠିକଣା ପାଲଟିବାକୁ ଯାଉଛି ଓଡ଼ିଶା। ନବୀନଙ୍କ ଏହି ଗୋଟିଏ କଥା ବୟାନ କରୁଛି କ୍ରୀଡ଼ା କ୍ଷେତ୍ରରେ ବିକାଶ ଲାଗି ସରକାରଙ୍କ ଦୂଷ୍ଟିଭଙ୍ଗୀ ଓ ଦୃଢ଼ତା।

ଦୀର୍ଘ ସମୟ ଧରି କ୍ରୀଡ଼ା ଜଗତରେ ଓଡ଼ିଶାର କୌଣସି ବିଶେଷ ପରିଚୟ ନଥିଲା। କେତେକ ହାତ ଗଣତି କ୍ରୀଡ଼ାବିତ୍‍ ରାଜ୍ୟ ପାଇଁ ବ୍ୟକ୍ତିଗତ ଭାବେ ଗୌରବ ଆଣୁଥିଲେ। ରାଜ୍ୟର ସାମୂହିକ ପରିଚୟ କେବଳ ବାରବାଟୀ ଷ୍ଟାଡିୟମ ଭିତରେ ସୀମିତ ଥିଲା। କେତୋଟି ଅନ୍ତର୍ଜାତୀୟ କ୍ରିକେଟ୍‍ ମ୍ୟାଚ୍‍କୁ ଛାଡ଼ିଦେଲେ ଓଡ଼ିଶା କୌଣସି ବଡ଼ ଆୟୋଜନ ଦେଖିନଥିଲା। ଏବେ କିନ୍ତୁ  କ୍ରୀଡ଼ା କ୍ଷେତ୍ରରେ ଗୌରବର ନୂଆ ନୂଆ ଅଧ୍ୟାୟ ଯୋଡ଼ି ଚାଲିଛି ଓଡ଼ିଶା।

ଜାତୀୟ କ୍ରୀଡ଼ା ହକି ସହ ଯୋଡ଼ି ହୋଇଛି ସେମିତି ଏକ ନୂଆ ଅଧ୍ୟାୟ। ଓଡ଼ିଶା ଏବେ ଜାତୀୟ ହକି ଦଳର ପ୍ରାୟୋଜକ। କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ପାଲଟିଛି ପ୍ରଥମ ଓ ଉଦାହରଣ। ଏ ନେଇ ଆସନ୍ତା ୫ ବର୍ଷ ପାଇଁ ହକି ଇଣ୍ଡିଆ ସହ ନବୀନ ସରକାର ଚୁକ୍ତି କରିଛନ୍ତି। ଗତ ଫେବ୍ରୁଆରୀ ୧୫ ତାରିଖରେ ନୂଆ ଦିଲ୍ଲୀରେ ହକି ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଭାରତୀୟ ହକି ପାଇଁ ଓଡ଼ିଶା ତରଫରୁ ଏହା ଏକ ଉପହାର। ଆସନ୍ତା ୫ ବର୍ଷ ପାଇଁ ଭାରତୀୟ ଜୁନିଅର, ସିନିୟର, ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ରହିବ ଓଡ଼ିଶା। ଏଥିପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ଓଡ଼ିଶା ଥିଲା ହକି ଖେଳର ଏକ ବିରାଟ ପ୍ରୟୋଗଶାଳା। ଆଜି ଭାରତୀୟ ହକି ଖେଳାଳିଙ୍କ ଦେହରେ ଓଡ଼ିଶା ଜର୍ସି ଯୋଡ଼ିହେବା ଫଳରେ ଏହା ଓଡ଼ିଶାର କ୍ରୀଡ଼ା ଇତିହାସରେ ସୃଷ୍ଟି କରିଛି ଏକ ନୂଆ ଅଧ୍ୟାୟ।

ପୂର୍ବରୁ ବଡ ଇଭେଣ୍ଟ ଭାବେ ଓଡ଼ିଶାରେ ୨୦୧୪ ଚାମ୍ପିୟନ୍ସ ଟ୍ରଫି ହକି ଆୟୋଜିତ ହୋଇଥିଲା। କିନ୍ତୁ ଯେଉଁ ଆୟୋଜନ କ୍ରୀଡା ପାଇଁ ରାଜ୍ୟ ସରକାରଙ୍କ ନିଷ୍ଠା ଏବଂ ଆଗ୍ରହକୁ ଶୀର୍ଷରେ ପହଞ୍ଚାଇଥିଲା ତାହା ହେଉଛି ୨୨ତମ ଏସିଆନ ଆଥଲେଟିr ଚାମ୍ପିୟନସିପ୍‍ସ। ଓଡ଼ିଶା ପାଇଁ ଏହା ଥିଲା ଆକସ୍ମିକ। ଏହି ଏସୀୟ ମହାକୁମ୍ଭର ଆୟୋଜନ କରିବା ପାଇଁ ଝାଡଖଣ୍ଡ ସରକାରଙ୍କ ଅକ୍ଷମତା ପ୍ରକାଶ ଓଡ଼ିଶା ପାଇଁ  ସୁଯୋଗ ସୃଷ୍ଟି କରିଥିଲା। ଏହି ମେଗା ଇଭେଣ୍ଟ ଆୟୋଜନ କରିବାର ସୌଭାଗ୍ୟକୁ ନବୀନ ପଟ୍ଟନାୟକ ଆଦୌ ହାତଛଡ଼ା କରି ନଥିଲେ।

ଏଭଳି ଏକ ବିଶାଳ ଆୟୋଜନକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥଲେ ରାଜ୍ୟ ସରକାର। ଆଉ ସମଗ୍ର ଏସିଆକୁ ସ୍ୱାଗତ କରିବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ହାତରେ ଥିଲା ମାତ୍ର ୯୦ ଦିନ। ଏହି ୯୦ ଦିନ ଭିତରେ ରାଜ୍ୟ ସରକାର ଯେଉଁ ତ୍ରୁଟିଶୂନ୍ୟ ଆୟୋଜନ କରିଥିଲେ ତାହା ଅନ୍ୟମାନଙ୍କ ପାଇଁ ଈର୍ଷାର କାରଣ ପାଲଟିଥିଲା। ଟୁର୍ଣ୍ଣାମେଣ୍ଟ ଶେଷରେ ୪୫ଟି ଦେଶର ୮୦୦ ଆଥଲେଟ୍‍ ସୁଖଦ ଅନୁଭୂତି ସହ ଭୁବନେଶ୍ୱରକୁ ବାଏବାଏ କରିଥିଲେ।

ଏହି ମେଗା ଇଭେଣ୍ଟ କ୍ରୀଡା ଦୁନିଆରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଓଡ଼ିଶା ପାଲଟିଥିଲା ସ୍ପୋର୍ଟସ୍‍ ହବ୍‍। ଏହା ପରେ ଦିଲ୍ଲୀ ନୁହେଁ, ଭୁବନେଶ୍ୱର ଉପରେ ଅନ୍ତର୍ଜାତୀୟ କ୍ରୀଡ଼ାର ଦୃଷ୍ଟି ପଡ଼ିଥିଲା।  ଏହି ସଫଳତାର ଉତ୍ସାହିତ ହୋଇ ରାଜ୍ୟ ସରକାର ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ସିଟି ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ।

ଏହା ପରେ ଓଡ଼ିଶାରେ ଆୟୋଜିତ ହୋଇଥିଲା ଆଉ ଏକ ମେଗା ଇଭେଣ୍ଟ। କଳିଙ୍ଗ ଷ୍ଟାଡିୟମର ବ୍ଲୁ ଟର୍ଫ ଉପରେ ପୁରୁଷ ହକି ୱାର୍ଲଡ ଲିଗ୍‍ ଫାଇନାଲ ଲଢେଇ ହୋଇଥିଲା। ଭାଗ ନେଇଥିଲେ ବିଶ୍ୱର ଶ୍ରେଷ୍ଠ ଆଠଟି ଦଳ। ହୋମ ଗ୍ରାଉଣ୍ଡରେ ଭାରତର  ଚିତ୍ତାକର୍ଷକ ପ୍ରଦର୍ଶନ ରାଜ୍ୟ ସରକାରଙ୍କୁ ଆହୁରି ଉତ୍ସାହିତ କରିଥିଲା।

ଏସିଆନ ଆଥଲେଟିକ୍ ଆୟୋଜନ ପରି ତ୍ରୁଟିଶୂନ୍ୟ ଥିଲା ଏହି ଅନ୍ତର୍ଜାତୀୟ ହକି ଇଭେଣ୍ଟର ଆୟୋଜନ। ଏମିତି ଏକ ଗ୍ରାଉଣ୍ଡରେ ଖେଳି ସବୁ ଦଳ ଏବଂ ସବୁ ଖେଳାଳି ବେଶ ଖୁସି। ପୂରା ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଥିଲା ଗ୍ୟାଲେରୀଭର୍ତ୍ତି ଦର୍ଶକ, ଯାହା ବିଦେଶୀ ଖେଳାଳିଙ୍କୁ କଳିଙ୍ଗମନସ୍କ କରିଛି। ଏବେ ବିଶ୍ୱର ସମସ୍ତ ଦଳ ପାଇଁ ଫେଭରିଟ୍‍ ଗ୍ରାଉଣ୍ଡ ପାଲଟିଛି ଆମର କଳିଙ୍ଗ ଷ୍ଟାଡିୟମ।

ଗୋଟିଏ ପରେ ଗୋଟିଏ ବଡ଼ ଇଭେଣ୍ଟର ସଫଳ ଆୟୋଜନ ଭୁବନେଶ୍ୱରକୁ ଭାରତର କ୍ରୀଡ଼ା ରାଜଧାନୀରେ ପରିଣତ କରିଦେଇଛି। ଏକଥା ଆମେ କହୁନାହୁଁ, କହିଛନ୍ତି ଇଣ୍ଟରନ୍ୟାସନାଲ ହକି ଫେଡେରେସନ୍‍ର ସଭାପତି ନରିନ୍ଦର ବାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ହକି ଟିମ୍‍ର ସ୍ପନସରସିପ୍‍ ଘୋଷଣା କରିବା ଅବସରରେ ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ ବୋଲି କହିଥିଲେ ବାତ୍ରା। ସେ କହିଥିଲେ ଯେ ଦିଲ୍ଲୀ ଯେମିତି ଭାରତର ରାଜନୈତିକ ରାଜଧାନୀ, ମୁମ୍ବାଇ ଯେମିତି ଅର୍ଥନୈତିକ ରାଜଧାନୀ ଏବଂ ବେଙ୍ଗାଳୁରୁ ଆଇଟି ରାଜଧାନୀ, ଭୁବନେଶ୍ୱର ସେମିତି ଦେଶର କ୍ରୀଡା ରାଜଧାନୀ।

ଚଳିତବର୍ଷ ଶେଷ ଭାଗକୁ କ୍ରୀଡାରେ ଆଉ ଏକ ଇତିହାସ ରଚିବ ଓଡ଼ିଶା। ୨୦୧୮ ବିଶ୍ୱ କପ୍‍ ହକି ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି। ନୂଆ ରୂପ ପାଉଛି କଳିଙ୍ଗ ଷ୍ଟାହିୟମ। କେବଳ ଷ୍ଟାଡିୟମ ନୁହେଁ, ହକି ତାରକା ଏବଂ ହକିପ୍ରେମୀଙ୍କ ସ୍ୱାଗତ ପାଇଁ ପୂରା ଭୁବନେଶ୍ୱର ମଧ୍ୟ ସଜେଇ ହେଉଛି। ଭାଗ ନେଉଥିବା ୧୬ଟି ଦେଶର ପ୍ରାୟ ୨୫ ହଜାର ଦର୍ଶକ ଭୁବନେଶ୍ୱର ଆସିବେ। ସେଥିପାଇଁ ଅନୁସଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଅତିଥିଙ୍କ ରହିବା ଖାଇବାଠାରୁ ଆରମ୍ଭକରି ଟ୍ରାଫିକ ପରିଚାଳନା ପର୍ଯ୍ୟନ୍ତ ସବୁ ଯେପରି ତ୍ରୁଟିଶୂନ୍ୟ ହୁଏ, ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।

କେବଳ ଯେ ବଡ଼ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ନବୀନ ସରକାର ଓଡ଼ିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାହା ନୁହେଁ, ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ବିକାଶ ପାଇଁ ମଧ୍ୟ ବ୍ୟାପକ ଯୋଜନା କରିଛନ୍ତି। କ୍ରୀଡାର ବିକାଶ ପାଇଁ ଦୂରଦୃଷ୍ଟି, ଭିତ୍ତିଭୂମି, ପରିଚାଳନା ଏବଂ ପ୍ରୋତ୍ସାହନ ସବୁ କ୍ଷେତ୍ରକୁ ରାଜ୍ୟ ସରକାର ଉନ୍ମୁକ୍ତ କରିଛନ୍ତି।

Comment