ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବର୍ତ୍ତମାନ ଘୁରିବୁଲୁଛି ଜୀବନନାଶକାରୀ ‘ନିପା’ ଭାଇରସ୍। ଏହି ଭାଇରସର ପ୍ରଭାବ କେରଳ ରାଜ୍ୟରେ ବେଶୀ ଦେଖିବାକୁ ମିଳିଛି।
କେରଳର କାଲିକଟ୍ ଜିଲ୍ଲାରେ ଖଇଫୁଟା ଜ୍ଵର ଆସି ଅନ୍ୟୂନ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତ ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁର କାରଣ ‘ନିପା’ ଭାଇରସ୍ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।
‘ନିପା’ ଭାଇରସ୍ରେ ଆକ୍ରାନ୍ତଙ୍କ ନିବିଡ଼ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନିଘା ରଖିଛି। ବାକି ସାତ ଜଣଙ୍କଠାରୁ ନମୁନା ସଂଗ୍ରହ କରି ମୃତ୍ୟୁର କାରଣ ଜାଣିବାକୁ ପରୀକ୍ଷା ପାଇଁ ପଠାଯାଇଛି।
ତେବେ ଆସନ୍ତୁ ଜାଣିବା ଏହି ‘ନିପା’ ଭାଇରସ୍ କ’ଣ?
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, ‘ନିପା’ ଭାଇରସ୍ ବାଦୁଡ଼ିଠାରୁ ସୃଷ୍ଟି ହୋଇଥାଏ। ବାଦୁଡ଼ି ଯେଉଁ ଫଳ ଖାଏ ସେହି ଫଳ ଖାଇଲେ ମଣିଷ ଓ ପଶୁପକ୍ଷୀଙ୍କୁ ମଧ୍ୟ ନିପା ଭାଇରସ୍ ଆକ୍ରମଣ କରେ।
‘ନିପା’ ଭାଇରସ୍ର ସୃଷ୍ଟି
୧୯୯୮ରେ ପ୍ରଥମଥର ପାଇଁ ମାଲେସିଆର କାମ୍ପୁଗ ସୁଗଇ ନିପାହରେ ପ୍ରଥମେ ‘ନିପା’ ଭାଇରସ୍ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଥିଲା। ଯାଗା ଅନୁଯାୟୀ ଏହି ଭାଇରସ୍ର ନାଁ ଦିଆଯାଇଥିଲା ‘ନିପା’। ଶେଷଥର ପାଇଁ ୨୦୦୪ରେ ବାଲାଂଦେଶରେ ‘ନିପା’ ଭାଇରସ୍ କାୟା ବିସ୍ତାର କରିଥିଲା।
‘ନିପା’ ଭାଇରସ ସଂକ୍ରମଣର ଲକ୍ଷଣ
‘ନିପା’ ଭାଇରସରେ ଆକ୍ରାନ୍ତ ବ୍ୟକ୍ତି ନିଃଶ୍ଵାସ ନେବାରେ କଷ୍ଟ ଅନୂଭବ କରିଥାଏ। ମସ୍ତିଷ୍କ ପୋଡ଼ାଜଳା ହୁଏ, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଜ୍ଵର ହେବା ଆଦି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ। ଡାକ୍ତରଙ୍କ କହିବା ଅନୁଯାୟୀ ମାତ୍ର ୨୪ ଘଣ୍ଟା ଭିତରେ ‘ନିପା’ ଭାଇରସ୍ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରମଣ କରି ରୋଗୀକୁ କୋମାକୁ ନେଇଯାଏ। ସଠିକ୍ ସମୟରେ ଚିକିତ୍ସା କରାଗଲେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବଞ୍ଚିବା ସମ୍ଭାବନା କମ୍ ଥାଏ।
କେମିତି ନିଜକୁ ସୁରକ୍ଷିତ ରଖିବେ
ଏପର୍ଯ୍ୟନ୍ତ ‘ନିପା’ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କୌଣସି ଭାକସିନ୍ ବାହାରି ନାହିଁ। ଖାସ୍ ଭାବେ ଖଜୁରୀ ଫଳ ଖାଇବାଠାରୁ ନିଜକୁ ଦୂରେଇ ରହିବା ଉଚିତ। ଗଛରୁ ତଳେ ପଡ଼ିଥିବା ଫଳ ଖାଇବା ଉଚିତ ନୁହେଁ। ଆକ୍ରାନ୍ତ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ଏହି ଭାଇରସ୍ ଖୁବ୍ ଶିଘ୍ର ଡେଉଁ ଥିବାରୁ ରୋଗୀଠାରୁ ଦୂରେଇ ରହିବା ଆବଶ୍ୟକ।










