ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୋକାକୁଳ ପରିବେଶରେ ବିଶିଷ୍ଟ ଶଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ବାରଙ୍ଗର ମଧୁବନରେ ବଂଶୀଧରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ବଡ଼ପୁଅ ବୈଜୟନ୍ତ ପଣ୍ଡା ତାଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ। ଭୁବନେଶ୍ୱରସ୍ଥିତ ବାସଭବନରେ ୮୭ ବର୍ଷ ବୟସରେ ବଂଶୀଧରଙ୍କ ମୃତ୍ୟୁ ହୋଇଥିଲା। ଅନ୍ତ୍ୟଷ୍ଟିକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବଂଶୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବଂଶୀଧରଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଭୁବନେଶ୍ୱରରୁ ମଧୁବନ ନିଆଯାଇଥିଲା।

ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମହାନ ଶିଳ୍ପପତି ବଂଶୀଧର ପଣ୍ଡା। ୧୯୬୧ରେ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ପରେ ଶିଳ୍ପ ପ୍ରତିଷ୍ଠା ପାଇଁ ବଂଶୀଧରଙ୍କୁ ନିମନ୍ତ୍ରଣ କରିଥିଲେ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ନାସାରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ ବଂଶୀଧର ପଣ୍ଡା। ଏହାପରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁବାବୁଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଚାକିରି ଛାଡ଼ି ଓଡ଼ିଶା ଫେରି ଆସିଥିଲେ।

୧୯୬୧ମସିହାରେ ଅଭିବକ୍ତ କୋରାପୁଟ ଜିଲ୍ଲା ଥେରୁବାଲିଠାରେ ସେ ଇମ୍ଫା ପ୍ରତିଷ୍ଠା କରିଥିଲେ। ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସ ପରେ ଇମ୍ଫା ଓଡ଼ିଶାର ନିଜସ୍ଵ ପ୍ରଯୁକ୍ତିରେ ନିର୍ମିତ ଦ୍ଵିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା। ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ ବଂଶୀଧର ପଣ୍ଡା। ଶିଳ୍ପ ପ୍ରତିଷ୍ଠା ସହ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ଥିଲେ। ବଂଶୀଧର ପଣ୍ଡାଙ୍କୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ, ହାୱାର୍ଡ ବିଶ୍ଵବିଦ୍ୟାଳୟ, ମିଚିଗାନ୍ ଟେକ୍ନୋଲୋଜିକାଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଥିଲା।

ବିଶିଷ୍ଟ ଶିଳ୍ପପତିଙ୍କ ଦେହାନ୍ତରେ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବଂଶୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ବହୁ ଶିଳ୍ପପତି, ବୁଦ୍ଧିଜୀବୀ, ରାଜନେତା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Comment