ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିରୋଧୀ ଏକତା ବାସ୍ତବରେ କାମ ଦେବ କି ଓ ୨୦୧୯ ପର୍ଯ୍ୟନ୍ତ ଏହି ମହାମିଳନ ତିଷ୍ଠି ରହିପାରିବ କି?

କର୍ଣ୍ଣାଟକରେ ବହୁ ଉଠାପକା ପରେ ବୁଧବାର ଅପରାହ୍ଣରେ ଜେଡ଼ିଏସ ନେତା ଏଚଡ଼ି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥି ସହିତ କାର୍ଣ୍ଣାଟକରେ ଏକ ନୂଆ ସରକାର ଗଠନ ହୋଇଛି।

କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ କର୍ଣ୍ଣାଟକ ରାଜନୀତିରେ କେବଳ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ତାହା ନୁହେଁ, ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୋଦିଙ୍କ ବିରୋଧରେ ସମଗ୍ର ବିରୋଧୀ ଦଳ ଏକାଠି ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

ଏହି ଶପଥ ଗ୍ରହଣ ସମାରୋହ ପାଇଁ ଦେଶର ସବୁ ବିରୋଧୀ ନେତା ଏକାଠି ହୋଇଥିଲେ କେବଳ ନୁହେଁ , ୨୦୧୯ ଯୁଦ୍ଧ ପାଇଁ ବିରୋଧୀ ଦଳ ଏକତ୍ର ହେଉଛନ୍ତି ବୋଲି ଏକ ସ୍ପଷ୍ଟ ସନ୍ଦେଶ ମଧ୍ୟ ଯାଇଛି। ତେବେ ପ୍ରଶ୍ନ ଉଠୁଛି ଏହିଭଳି ବିରୋଧୀ ଏକତା ବାସ୍ତବରେ କାମ ଦେବ କି ଓ ୨୦୧୯ ପର୍ଯ୍ୟନ୍ତ ଏହି ମହାମିଳନ ତିଷ୍ଠି ରହିପାରିବ କି? କାରଣ କିଛି ଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ନେତୃତ୍ୱରେ କଂଗ୍ରେସ ବ୍ୟତୀତ ସବୁ ବିରୋଧୀ ଦଳକୁ ନେଇ ଥାର୍ଡ ଫ୍ରଣ୍ଟ ଗଠନ କରିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଥିଲା।

ବେଙ୍ଗାଳୁରୁର ବିଧାନ ସୌଧଠାରେ ସୋନିଆ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଶରଦ ଯାଦବଙ୍କ ପର୍ଯ୍ୟନ୍ତ ୩୦ ପାଖାପାଖି ନେତା ଯୋଗ ଦେଇଥିଲେ।ଏହାକୁ ନେଇ ବିରୋଧୀ ରାଜନୀତି ଜୋର ଧରିଥିଲା। ଏପରିକି ପରସ୍ପର ବିରୋଧୀ ନେତା ମଧ୍ୟ ଏଠି ହାତ ମିଳାଇବାକୁ ପଛେଇ ନଥିଲେ। ରାଜନୈତିକ ପଣ୍ଡିତଙ୍କ ମତରେ କଂଗ୍ରେସ ପକ୍ଷରୁ ଯେଉଁ ବିରୋଧୀ ଏକତା କଥା ଆଗରୁ କୁହାଯାଉଥିଲା ତାହା କର୍ଣ୍ଣାଟକ ଶପଥ ଗ୍ରହଣ ଉତ୍ସବରେ ହିଁ ସମ୍ଭବ ହୋଇପାରିଲା।

କର୍ଣ୍ଣାଟକରେ ଏହି ଏକଜୁଟତାକୁ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ଧରାଯାଉଛି। ଗୋଟିଏପଟେ ମୋଦି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ‘ଯୁଦ୍ଧମ୍ ଦେହି’ ଆହ୍ୱାନ ଦିଆଯାଇଥିବା ବେଳେ ଯଦି ସବୁ ଆଞ୍ଚଳିକ ଦଳ ଏକାଠି ହୁଅନ୍ତି ଏବଂ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ଦିଆଯାଏ ତେବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇ ଆସିବା ମୋଦିଙ୍କ ପାଇଁ କାଠିକର ପାଠ ହେବ।

ପରିସ୍ଥିତି ଏମିତି ହୋଇଛି ଯେ ବିରୋଧୀ ଦଳମାନେ ଏହାକୁ ଏକ ଚମତ୍କାର ସୁଯୋଗ ବୋଲି ଧରିନେଇଛନ୍ତି। ଏଭଳି ଏକ ସୂତ୍ର ବାହାର କରିବା ପାଇଁ ଚାହୁଁଛନ୍ତି ଯାହାଫଳରେ ଆଗାମୀ ଦିନରେ ବିଜେପିକୁ କଡ଼ା ଟକ୍କର ଦେଇହେବ। ଜାମ୍ମୁ-କାଶ୍ମୀରଠାରୁ ଆରମ୍ଭ କରି ଦକ୍ଷିଣ ଭାରତ ଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବାରେ ଏହି ବିରୋଧୀ ଏକତା କେତେଦୂର କାମ ଦେବ ତାହା ଅପେକ୍ଷା କରି ଦେଖିବାକୁ ହେବ।

ଅତୀତରେ ମିଳିତ ବିରୋଧୀ ପ୍ରାର୍ଥୀ ଦେଇ ବିରୋଧୀ ଯେଉଁ ଫାଇଦା ଉଠାଇଛନ୍ତି ତାହାକୁ ଏବେ ପୁଣିଥରେ କାମରେ ଲଗାଇବା ପାଇଁ ଉଦ୍ୟମ ଜାରି ରହିବା ପୂରା ଦେଖାଯାଉଛି।ଜାତିଗତ ସମୀକରଣ ଓ ଭୋଟ ସେୟାରକୁ ନେଇ ମିଳିତ ପ୍ରାର୍ଥୀ ଛିଡ଼ା କରିବା ଆଗାମୀ ନିର୍ବାଚନରେ ଏକ ବଡ଼ ଘଟଣା ହେବାକୁ ଯାଉଛି।

Comment