ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାର। ପେଟ୍ରୋଲ-ଡିଜେଲ ଉପରୁ ୨୬ ପ୍ରତିଶତ ଭାଟ ହ୍ରାସ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। ପ୍ରତି ବ୍ଲକରେ ୨୮ରୁ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରୁ ଭାଟ କମାନ୍ତୁ ବୋଲି ବିଜେପି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି।

“ଗତ ଅକ୍ଟୋବର ମାସରେ ଆମେ ପେଟ୍ରୋଲ, ଡିଜେଲ ଉପରୁ ୨ ଟଙ୍କା ଏକ୍ସଆଇଜି ଡ୍ୟୁଟି କମାଇଥିଲୁ। ହେଲେ ରାଜ୍ୟ ସରକାର ଭାଟ ହ୍ରାସ କରୁ ନାହାନ୍ତି। ଗୋଆ ୧୨ ପ୍ରତିଶତ ଭାଟ ନେଉଥିବା ବେଳେ ଓଡ଼ିଶା ସରକାର ୨୬ ପ୍ରତିଶତ ଭାଟ ନେଉଛନ୍ତି। ଟ୍ୟାକ୍ସ କମାଇବା କେବଳ କେନ୍ଦ୍ରର କାମ ନୁହେଁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଟ୍ୟାକ୍ସ ବାବଦରେ କେନ୍ଦ୍ର ସରକାର ଯେଉଁ ଟଙ୍କା ଆଦାୟ କରୁଛନ୍ତି ତାହାର ୪୨ ଭାଗ ଟଙ୍କା ରାଜ୍ୟ ସରକାରଙ୍କ ପାଖକୁ ସିଧାସଳଖ ଆସୁଛି। ଯେଉଁ ୫୮ ପ୍ରତିଶତ ଟଙ୍କା ବଳକା ରହିଯାଉଛି ତାହାର ଅଧାରୁ ଅଧିକ ଭାଗ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟକୁ ଫେରିକି ଆସୁଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୦ ଭାଗ ଟଙ୍କା କେନ୍ଦ୍ର ଦେଉଛି। ଏମଜିଏନଆରଇଜିଏସ୍ ଯୋଜନାରେ ୭୦ ଭାଗ ଟଙ୍କା କେନ୍ଦ୍ର ସରକାର ଦେଉଛନ୍ତି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୭୦ ଭାଗ ଟଙ୍କା କେନ୍ଦ୍ର ସରକାର ଦେଉଛନ୍ତି। ସର୍ବଶିକ୍ଷା ଅଭିଯାନ ପାଇଁ ମଧ୍ୟ କେନ୍ଦ୍ର ୬୦ ଭାଗ ଟଙ୍କା ଦେଉଛି। ଏ ଟଙ୍କା କ’ଣ ରାଜ୍ୟକୁ ଦରକାର ନାହିଁ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଟ ହ୍ରାସ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ସେ କହିଛନ୍ତି ଯେ ତେଲ ଉଫଷଣ ଓଡ଼ିଶା ୨୬ ପ୍ରତିଶତ ଭାଟ ନେଉଛି। ହେଲେ ବିଜେପି ଶାସିତ ରାଜ୍ୟ ଓଡ଼ିଶା ତୁଳନାରେ ଅଧିକ ଭାଟ ନେଉଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ କଥାର ବିଶ୍ଲେଷଣ କରନ୍ତୁ।

Comment