ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ବହୁମତ ପରୀକ୍ଷାରେ ପାସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।

ମୁଖ୍ୟମନ୍ତ୍ରୀ ହେବାର ତିନିଦିନ ପରେ ବିଧାନସଭାରେ ବିଶ୍ଵାସ ମତ ହାସଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ। ଏପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି।

ଜେଡିଏସ-କଂଗ୍ରେସ ମିଳିତ ସରକାର ସପକ୍ଷରେ ୧୧୭ଟି ଭୋଟ ମିଳିଥିଲା। ଏହା ପୂର୍ବରୁ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବା ସହ ସଦନରୁ ଓ୍ଵାକଆଉଟ୍‌ କରିଥିଲେ।

ଆସ୍ଥା ଭୋଟ ପୂର୍ବରୁ ଶୁକ୍ରବାରଦିନ ମଧ୍ୟାହ୍ଣରେ କୁମାରସ୍ୱାମୀଙ୍କୁ ବଡ ସଫଳତା ମିଳିଥିଲା। କର୍ଣ୍ଣାଟକ ବିଧାନସଭା ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ କଂଗ୍ରେସ ସଦସ୍ୟ ରମେଶ କୁମାର। ବିଜେପି ବାଚସ୍ପତି ପଦ ପାଇଁ ଦେଇଥିବା ନାଁକୁ ପ୍ରତ୍ୟାହାର କରିନେଇଥିଲା।

ବିଧାନସଭାରେ ବିଶ୍ଵାସ ମତ ଉପସ୍ଥାପନ କରିବା ପୂର୍ବରୁ କୁମାରସ୍ୱାମୀ କହିଛନ୍ତି, “ଏହି ଜନାଦେଶ ବିଜେପି ପାଇଁ ନଥିଲା। ଜେଡିଏସ ଓ କଂଗ୍ରେସ ପକ୍ଷରୁ ନିଜ ନିର୍ବାଚନୀ ଇସ୍ତାହାରରେ ଲୋକମାନଙ୍କୁ ଦିଆଯାଇଥିବା ସବୁ ପ୍ରତିଶୃତି ପୂରଣ କରାଯିବ”।

ସେହିପରି କର୍ଣ୍ଣାଟକ ବିଜେପି ନେତା ବିଏସ ୟେଦୁରପ୍ପା କହିଛନ୍ତି, “ଯଦି ସରକାର କୃଷକଙ୍କ ଋଣ ଛାଡ଼ ନକରନ୍ତି ତେବେ ସୋମବାରଠାରୁ ରାଜ୍ୟପ୍ୟାପି ଆନ୍ଦୋଳନ ହେବ”।

କର୍ଣ୍ଣାଟକ ରାଜନୀତିକୁ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ସର୍ବାଧିକ ଆସନରେ ଜିତିଥିବା ୟେଦ୍ୟୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ। ଗତ ବୁଧବାର ଦିନ କଂଗ୍ରେସ-ଜେଡିୟୁ ମେଣ୍ଟ ନେତା କୁମାରସ୍ୱାମୀ ବୁଧବାର କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଏବଂ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇ ମେଣ୍ଟ ସରକାର ଗଠନ ହୋଇଥିଲା। କଂଗ୍ରେସର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପରେ ୨୫ ତାରିଖରେ କ୍ୟାବିନେଟ୍ ଗଠନ ହେବ। ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେଆର ରମେଶ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଆସନ ବିଶିଷ୍ଟ ବିଧାନସଭା ଆସନରୁ ୨୨୨ଟି ଆସନ ପାଇଁ ଭୋଟ ହୋଇଥିଲା। ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍‌ ୩୭ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ-ଜେଡିଏସ୍ ସହ ମେଣ୍ଟ କରିଥିଲା।

Comment