ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ୧ଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ୧୦ ଦିନିଆ କୃଷକ ଆନ୍ଦୋଳନ ଯୋଗୁଁ ପନିପରିବା ଓ କ୍ଷୀର ଯୋଗାଣ ବନ୍ଦ ରହିଛି। ଫଳରେ ପନିପରିବା ଦର ଆକାଶଛୁଆଁ ହୋଇଛି।

କେନ୍ଦ୍ର ସରକାର କୃଷି ଋଣ ଛାଡ଼, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ(ଇନ୍‍ପୁଟ୍‍ ମୂଲ୍ୟର ସର୍ବନିମ୍ନ ୫୦ପ୍ରତିଶତରୁ ଅଧିକ), କୃଷକଙ୍କ ପାଇଁ ସ୍ୱତନ୍ତ୍ର ଫସଲ ଉତ୍ପାଦନ ଭତ୍ତା ଧାର୍ଯ୍ୟ ବା ନିଶ୍ଚତ ରୋଜଗାର ବ୍ୟବସ୍ଥା ସହିତ ସ୍ୱାମୀନାଥନ୍‍ କମିଶନ୍‍ଙ୍କ ସୁପାରିସ କାର୍ଯ୍ୟକରିବା ଦାବିରେ କୃଷକଙ୍କ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏପଟେ ଚାଷୀ ଆନ୍ଦୋଳନ ଯୋଗୁଁ ବଜାରରେ ପନିପରିବା ଦର ବଢ଼ିବାରେ ଲାଗିଲାଣି।ଦିଲ୍ଲୀରେ ଟମାଟୋ କିଲୋ ପିଛା ୮୦ଟଙ୍କାରେ ପହଞ୍ଚିଛି।

ଏହି ଆନ୍ଦୋଳନ ୧୦ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ କୃଷକମାନେ ପ୍ରତିବାଦ ସ୍ୱରୂପ ଉତ୍ପାଦିତ ଫସଲ, ପନିପରିବା ଓ କ୍ଷୀର ରାସ୍ତାରେ ଢ଼ାଳିଛନ୍ତି। ଏହାଛଡ଼ା ପନିପରିବା ବିକ୍ରି ଓ ରପ୍ତାନୀ ମଧ୍ୟ ବନ୍ଦ କରିଦେଇଛନ୍ତି। ଆସନ୍ତା ୧୦ତାରିଖରେ କୃଷକମାନେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି।

ରାଷ୍ଟ୍ରୀୟ କିଷାନ୍‍ ମଜଦୁର ମହାସଂଘ (ଆରକେଏସ୍‍) ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କୃଷକ ବିଭିନ୍ନ ରାଜ୍ୟ ରାଜଧାନୀ ଓ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଗୁଜରାଟ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଭଳି ରାଜ୍ୟର ୧୭ଟି କୃଷକ ସଂଗଠନ ମିଳିତ ଭାବେ ଭୋପାଳଠାରେ ଆର୍‍କେଏସ୍‍ ଗଠନ କରିଥିଲାବେଳେ ପରେ ପ୍ରାୟ ୧୭୨ ସଂଗଠନ ଏଥିରେ ସାମିଲ ହୋଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ପନିପରିବା, କ୍ଷୀର ଓ ଫଳ ସଂକଟ ଦେଖାଦେଇଛି।

୨୦୧୪ରୁ ଚାଷୀ ଉପକ୍ରମ ଜିନିଷ ଉପରେ ଲଗାତାର ଭାବେ ସରକାର ମୁଲ୍ୟ ହ୍ରାସ କରାଉଛନ୍ତି। ୨୦୦୭ ମସିହାରେ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ସେତେବେଳେ ସ୍ୱାମୀନାଥନ କମିଟିକୁ ସୁପାରିଶ କରିଥିଲା। ଯେଉଁଥିରେ ଚାଷୀମାନଙ୍କ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ, ଏବଂ ଚାଷୀଙ୍କୁ ପେନସନ ଭଳି ସୁବିଧା ଯୋଗାଇ ଦେବା ପାଇଁ କମିଟିରେ ସୁପାରିଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଲାଗୁ କରାଯାଉ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି। ୨୦୧୪ ପୂର୍ବରୁ କଂଗ୍ରେସ ଯେଉଁଭଳି ଭାବେ ଚାଷୀଙ୍କୁ ପ୍ରତାରିତ କରୁଥିଲା। ୨୦୧୪ରେ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଦେବାର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ଚାଷୀଙ୍କ ତଣ୍ଟି ଚିପି ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ସଂଘର ସଭାପତି।

ପଞ୍ଜାବର ବିଭିନ୍ନ ସ୍ଥାନରେ ରାସ୍ତାରେ ପନିପରିବା ଓ ଫଳ ଫିଙ୍ଗା ଯାଇଥିବାବେଳେ ମହାରାଷ୍ଟ୍ରରେ ରାସ୍ତାରେ କ୍ଷୀର ଢ଼ଳାଯାଇଥିବା ଦେଖିବାକୁ ମିଳିଛି। ପଞ୍ଜାବରେ ୪୦ପ୍ରତିଶତ କ୍ଷୀର ଯୋଗାଣ ବନ୍ଦ ରହିଛି।

ସେହିପରି ମଧ୍ୟପ୍ରଦେଶର ମଣ୍ଡାସରଠାରେ ଗତ ବର୍ଷ ଜୁନ୍‍ ୬ରେ ଘଟିଥିବା କୃଷକ ସଂହାର ଘଟଣାର ବାର୍ଷିକୀକୁ ‘କଳା ଦିବସ’ ରୂପେ ପାଳନ କରାଯାଉଛି। ଆନ୍ଦୋଳନରତ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରେ ଏଠାରେ ୬ କୃଷକଙ୍କ ମୃତ୍ୟୁ ଘଟିଥିଲା। କୃଷକମାନେ ଏଠାରେ ‘ଗାଁ ବନ୍ଦ’ ପାଳନ କରୁଛନ୍ତି। ୫୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ଗାଁ ବନ୍ଦ ପାଳିତ ହୋଇଛି। ସହରକୁ କୌଣସି ପନିପରିବା ଓ ଫଳ ପଠାଇବା ବନ୍ଦ କରାଯାଇଛି।

Comment