ଓଡ଼ିଶାଲାଇଭ୍ ବ୍ୟୁରୋ
- କୋରାପୁଟରେ ଅଘଟଣ
- ପଥର ତଳେ ଚାପି ହୋଇ ରହିଛନ୍ତି ୨ ଶ୍ରମିକ
- ଉଦ୍ଧାର କରିପାରୁନି ଏନଡିଆର୍ଏଫ୍
- ସେନାର ସହାୟତା ମାଗିଲା ଜିଲ୍ଲା ପ୍ରଶାସନ
ନାକେଦମ୍ ହୋଇଗଲାଣି ଏନଡିଆର୍ଏଫ୍ ଟିମ୍। ହେଲେ ପଥର ତଳୁ ଉଦ୍ଧାର ହୋଇପାରୁ ନାହାନ୍ତି ଦୁଇ ଜେସିବି ଅପରେଟର। ତିନି ଦିନ ହେଲା ଏନଡିଆର୍ଏଫ୍ ଟିମ୍ ଅପରେସନ ଜାରି ରଖିଥିଲେ ମଧ୍ୟ ୨ ଜଣଙ୍କର ପତ୍ତା ମିଳୁନି। ପଥର ହଟାଇବାରେ ଫେଲ୍ ମାରିଛି ଉଦ୍ଧାରକାରୀ ଦଳ।
ଘଟଣାଟି ହେଉଛି କୋରାପୁଟ ଜିଲ୍ଲାର। ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ ନିକଟରେ ଥିବା ଗୁମ୍ମା ପଥର ଖଣିରେ ଗତ ଗୁରୁବାର ଦିନ ପଥର ଧସିଥିଲା। ଏହି ସମୟରେ ଠିକା ସଂସ୍ଥା ଅଧିନରେ କାମ କରୁଥିବା ୨ ଜଣ ଶ୍ରମିକ ଜେସିବି ମେସିନ ନେଇ ପଥର ଖୋଳୁଥିବା ବେଳେ ପଥର ତଳେ ଚାପି ହୋଇଯାଇଥିଲେ। ଏହି ଘଟଣା ବିଜୁଳି ବେଗରେ ଚାରିଆଡ଼େ ପ୍ରଚାର ହୋଇଗଲା।
ସ୍ଥାନୀୟ ପ୍ରଶାସନ ପଥର ତଳୁ କଟକ ଜିଲ୍ଲା ଆଠଗଡ଼ର ସଞ୍ଜୟ ଦାସ ଏବଂ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ଉଦ୍ଧାର କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା। ହେଲେ ଫେଲ୍ ମାରିଥିଲା। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଫେଲ୍ ମାରିବା ପରେ ଶେଷରେ କଟକ ମୁଣ୍ଡଳିସ୍ଥିତ ଏନଡିଆର୍ଏଫ୍ ଟମିର ସହାୟତା ଲୋଡ଼ିଥିଲା ଜିଲ୍ଲା ପ୍ରଶାସନ।
ଏନଡିଆର୍ଏଫ୍ ଟିମ୍ ଶୁକ୍ରବାରଠାରୁ ଉଦ୍ଧାର କାମରେ ଲାଗିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ୨ ଜେସିବି ଅପରେଟରଙ୍କ ପତ୍ତା ମିଳୁନି। ଜିଲ୍ଲା ପ୍ରଶାସନ ସେନାର ସହାୟତା ମାଗିଛି। ୨ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରାଞ୍ଚିରୁ ସେନାର ବୈଷୟିକ ଟିମ୍ ଆସିପାରନ୍ତି। ଏପଟେ ପଥର ବ୍ଲାଷ୍ଟିଂ କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛି।