ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ମୁଣ୍ଡଳୀ ବ୍ୟାରେଜଠାରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରୁଥିବା ସମୟରେ ନିଖୋଜ ହୋଇଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଶନିବାର ଧବଳେଶ୍ଵର ନିକଟ କଖଡ଼ି ଗାଁର ମହାଳପଡ଼ା ଗୁମେଇ ସାହି ନିକଟରୁ ଯବାନଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଏସଆରସି ପ୍ରଦୀପ ଜେନା ଟୁଇଟ କରି ସୂଚନା ଦେଇଛନ୍ତି।

ଶନିବାର ନିଖୋଜ ଯବାନଙ୍କୁ ଖୋଜାଖୋଜି କରୁଥିବା ସମୟରେ ପ୍ରଥମେ ଧବଳେଶ୍ଵର ନିକଟରୁ ଏକ ମୃତ ଦେହ ମିଳିଥିଲା। ତାହାକୁ ସୀତାରାମଙ୍କର ମୃତ ଦେହ ବୋଲି କୁହାଯାଇଥିଲା। କିନ୍ତୁ ସେହି ଶବଟି ସୀତାରାମଙ୍କ ହୋଇନଥିବା କହିଥିଲେ ପରିବାର ଲୋକ। ଏହାପରେ ପୁଣିଥରେ ଯବାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଥିଲା। ଏବେ ତାଙ୍କ ମୃତ ଦେହ କଖଡ଼ି ନିକଟରୁ ଉଦ୍ଧାର କରାଯାଇଛି।

ଶୁକ୍ରବାର ୧୭ଟି ହାତୀ ମହାନଦୀ ପାର ହେଉଥିବା ସମୟରେ ୭ଟି ହାତୀ ଜଳସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଟି ହାତୀକୁ ଉଦ୍ଧାର କରାଯାଇଥିବାବେଳେ ଆଉ ଗୋଟିଏ ଦନ୍ତା ହାତୀ ମୁଣ୍ଡଳୀ ବ୍ୟାରେଜଠାରେ ଫସି ରହିଥିଲା। ତବେ ହାତୀଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗର କର୍ମଚାରୀଙ୍କ ସମେତ ଓଡ୍ରାଫ ଟିମ୍ ଏବଂ ଏନଡିଆରଏଫ ଟିମ ସେଠାରେ ପହଞ୍ଚିଥିଲେ। ହାତୀକୁ ବିଭିନ୍ନ ପ୍ରକାର ଖାଦ୍ୟ ଦେଖାଇ କୂଳକୁ ଆଣିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ କୂଳରେ ଲୋକଙ୍କର ଗହଳି ଥିବାରୁ ହାତୀଟି କୂଳ ନିକଟକୁ ଆସି ପୁଣିଥରେ ନଦୀ ଭିତରକୁ ପଳେଇଥିଲା। ଶେଷରେ କୌଣସି ଉପାୟ ନପାଇ ଓଡ୍ରାଫର ଏକ ଟିମ୍ ଓ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ରବର ବୋଟ ଜରିଆରେ ନଦୀ ଭିତରକୁ ଯାଇଥିଲେ।

ପାଣିର ସ୍ରୋତରେ ରବର ବୋଟଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଓଡ୍ରାଫର ସମସ୍ତ ଯବାନ ଏବଂ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ପାଣିରେ ବୁଡ଼ିଯାଇଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଓଡ୍ରାଫର ଜଣେ ଯବାନ ସୀତାରାମ ମୁର୍ମୁ ନିଖୋଜ ଥିଲେ। ଆଉ ଦୁଇ ଜଣ ଯବାନ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

Comment